ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲା: ଆଶୀର୍ବାଦଙ୍କ ସହ ୩ ଜଣଙ୍କ ବିରୋଧରେ ଚାର୍ଜଶିଟ୍‌


ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ତାର ପ୍ରାଥମିକ ଚାର୍ଜଶିଟ୍‌ ଦାଖଲ କରିଛି। ଭୁବନେଶ୍ବର ସ୍ବତନ୍ତ୍ର ସିବିଆଇ କୋର୍ଟରେ ଏହି ଚାର୍ଜସିଟ୍‌ ଦାଖଲ କରାଯାଇଛି। ସିବିଆଇ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ସମେତ ଅନ୍ୟ ଦୁଇ ଜଣଙ୍କ ନାମରେ ଏହି ଚାର୍ଜଶିଟ୍‌ ଦାଖଲ କରିଛି। ଅନ୍ୟ ଦୁଇ ଜଣ ହେଲେ ଖାରବେଳ ନଗର ଥାନା କଡରେ ଥିବା ହୋଟେଲ ସୋଲାନ୍‌ ଇନ୍‌ର ମାଲିକ କମଳାକାନ୍ତ ଦାସ ଓ ଏଟି ଗ୍ରୁପ୍‌ ନିର୍ଦେଶକ ସମ୍ବିତ ଖୁଣ୍ଟିଆ।

ଓଡ଼ିଶାରେ ବିଭିନ୍ନ କମ୍ପାନୀ ଚିଟ୍‌ଫଣ୍ଡ ଜରିଆରେ କୋଟି କୋଟି ଟଙ୍କା ଠକି ନେବାପରେ ସିବିଆଇ ଏହାର ତଦନ୍ତ ଆରମ୍ଭ କରିଥିଲା। ଓସିଏ ପକ୍ଷରୁ ୨୦୧୧ ମସିହାରେ ଆୟୋଜିତ ଓଡ଼ିଶା ପ୍ରିମିୟର୍ ଲିଗ୍ (ଓପିଏଲ୍) ପାଇଁ ଏଭଳି ଏକ କମ୍ପାନୀ ୧ କୋଟି ଟଙ୍କା ଦେଇଥିବା ସିବିଆଇ ଜାଣିବାକୁ ପାଇଥିଲା। ଓସିଏ ଭଳି ବିଶ୍ୱସନୀୟ ଅନୁଷ୍ଠାନର ପ୍ରାୟୋଜକ ସାଜି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ ଏହି କମ୍ପାନୀ ସଫଳ ହୋଇଥିଲା ଏବଂ ଏଥିରେ ତତ୍କାଳୀନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କର ଭୂମିକା ରହିଥିବା ସିବିଆଇ ଅଭିଯୋଗ କରିଆସୁଛି। ଏହାକୁ ଏକ ଅପରାଧିକ ଷଡ଼ଯନ୍ତ୍ର ବୋଲି ସିବିଆଇ ତା’ର ଚାର୍ଜଶିଟରେ ଉଲ୍ଲେଖ କରିଛି। ଏହି କମ୍ପାନୀ ଓଡ଼ିଶା ରଣଜୀ କ୍ରିକେଟ୍ ଟିମର ଟାଇଟଲ୍ ସ୍ପନସର୍ ମଧ୍ୟ ରହିଥିଲା, ଯାହାକି ଓସିଏକୁ ବିବାଦଘେରକୁ ଟାଣି ଦେଇଛି। ଏଥି ସହିତ ହୋଟେଲ୍‌ ସୋଲାନ୍‌ ଇନ୍‌ ମାଲିକ କମଳାକାନ୍ତଙ୍କ ସହ ମିଶି ଏଟି ନିର୍ଦେଶକ ସମ୍ବିତ କିଭଳି ଏଟି ଚିଟ୍‌ଫଣ୍ଡର ବିଭିନ୍ନ ଫାର୍ମ କମ୍ପାନୀରୁ ଟଙ୍କା ହେର୍‌ଫେର୍‌ କରିଛନ୍ତି ସେନେଇ ଚାର୍ଜସିଟ୍‌ରେ ମଧ୍ୟ ଉଲ୍ଲେଖ କରିଛି ସିବିଆଇ।

ସୂଚନାଯୋଗ୍ୟ, ଅର୍ଥତତ୍ତ୍ବ ନିର୍ଦେଶକ ସମ୍ବିତଙ୍କୁ ୧୬ ଅଗଷ୍ଟ ୨୦୧୪ରେ ଖୋର୍ଦ୍ଧା ବାଟମଙ୍ଗଳା ହାଉସିଂବୋର୍ଡରେ ଥିବା ତାଙ୍କ ଘରୁ ସିବିଆଇ ଗିରଫ କରିଥିବାବେଳେ କମଳାକାନ୍ତ ଓ ଆଶୀର୍ବାଦ କେବଳ ଜେରାର ସମ୍ମୁଖୀନ ହୋଇଥିଲେ। ପୂର୍ବରୁ ଏହି ମାମଲାରେ ୮ଟି କମ୍ପାନୀ ଓ ୩୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ୬ ଚାର୍ଜଶିଟ୍‌ ସହ ୪ଟି ଅତିରିକ୍ତ ଚାଜଶିଟ୍‌ ଦାଖଲ କରିସାରିଛି। ୨୦୧୪ରେ ସୁପ୍ରିମ୍‌କୋଟଙ୍କ ନିର୍ଦେଶ ବଳରେ ସିବିଆଇ ରାଜ୍ୟରେ ଥିବା କେତେକ କମ୍ପାନୀ ଓ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ