ମୋଦିଙ୍କ କୂଟନୈତିକ ଛକା: ବିଶ୍ବରେ ଭାରତର ଛାତି ଚଉଡ଼ା

କଶ୍ମୀର ପ୍ରସଙ୍ଗରେ ଭାରତର ନିଷ୍ପତ୍ତି ଅଟଳ କହି ସାଜିଲେ ମାର୍ଗଦର୍ଶକ

୨୦୧୪ରେ ଏନ୍‌ଡିଏ ସରକାର କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦେଶର ମୁଖ୍ୟ ଭାବେ ଦାୟିତ୍ବ ନେଇଥିଲେ। ଏହାପରଠାରୁ ସେ ନିଜର ରାଜନୈତିକ ପରିପକ୍ବତା ସହ କୂଟନୈତିକ ଚାତୁରୀ ଦେଖାଇଚାଲିଛନ୍ତି। ଏକାଧିକ ଐତିହାସିକ ନିଷ୍ପତ୍ତି ନେଇ ପ୍ରାଥମିକ ପର୍ଯ୍ୟାୟରେ ବିରୋଧୀ ଦଳର ପ୍ରଶ୍ନବାଣର ସମ୍ମୁଖୀନ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଉକ୍ତ ଯୋଜନାସବୁ ସେମାନଙ୍କ ପାଟି ବନ୍ଦ କରିଦେଇଛି। ସେହିପରି ଅନ୍ତର୍ଜାତୀୟ ସ୍ତରରେ ଭାରତର ମର୍ଯ୍ୟାଦାକୁ ବଢ଼ାଇବାରେ ମଧ୍ୟ ମୋଦି ଉଲ୍ଲେଖନୀୟ ସଫଳତା ପାଇଛନ୍ତି। ଆମେରିକା, ଫ୍ରାନ୍ସ, ରୁଷିଆ ପରି ଏକାଧିକ ଶକ୍ତିଶାଳୀ ଓ ପ୍ରମୁଖ ରାଷ୍ଟ୍ର ସହ ଭାରତର ଦ୍ବିପାକ୍ଷିକ ସମ୍ପର୍କକୁ ବେଶ୍‌ ସୁଦୃଢ଼ କରିପାରିଛନ୍ତି ମୋଦି। ଏପରିକି ନିଜର କୂଟନୈତିକ ଦକ୍ଷତା ବଳରେ ସେ ଚୀନ୍‌ ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା କରି ଡୋକଲାମ୍‌ ବିବାଦର ସମାଧାନ କରିଦେଇଛନ୍ତି। ଏବେ ଫ୍ରାନ୍ସରେ ଅନୁଷ୍ଠିତ ଜି୭ ଶିଖର ସମ୍ମିଳନୀରେ ବିଶ୍ବର ପ୍ରମୁଖ ରାଷ୍ଟ୍ରମୁଖ୍ୟଙ୍କ ଉପସ୍ଥିତିରେ କଶ୍ମୀର ପ୍ରସଙ୍ଗରେ ଭାରତର ନିଷ୍ପତ୍ତି ଯେ ଅଟଳ, ତାହା ମଧ୍ୟ ମୋଦି ପ୍ରମାଣିତ କରିଦେଇଛନ୍ତି। ବିଶ୍ବ ପାଇଁ ମୋଦି ମାର୍ଗଦର୍ଶକ ସାଜିବା ସହ ଭାରତର ସମ୍ମାନ ଅନ୍ତର୍ଜାତୀୟ ସ୍ତରରେ କ୍ରମଶଃ ବଢ଼ିଚାଲିଛି।

ପ୍ରଧାନମନ୍ତ୍ରୀ ଭାବେ ବିମୁଦ୍ରାୟନ, ଗୋଟିଏ ଦେଶ ଗୋଟିଏ ଟିକସ ବ୍ୟବସ୍ଥା (ଜିଏସ୍‌ଟି) ଆଦି କାର୍ଯ୍ୟକାରୀ କରିବା ସହ ଆଗାମୀ ଦିନରେ ଗୋଟିଏ ଦେଶ ଗୋଟିଏ ରେସନ୍‌ କାର୍ଡ ପ୍ରଚଳନ ଉପରେ ମଧ୍ୟ ପଦକ୍ଷେପ ନିଆଯାଉଛି। ସର୍ବୋପରି ଗୋଟିଏ ଦେଶ ଗୋଟିଏ ପତାକା ପାଇଁ ମୋଦି ସରକାର ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଛି। ସମ୍ବିଧାନରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପଡ଼ୋଶୀ ପାକିସ୍ତାନର ବେଦନା କ୍ରମଶଃ ବଢ଼ିଚାଲିଛି। ଏହି ଧାରାକୁ ହଟାଇ କଶ୍ମୀର ଯେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ, ଏହା ମୋଦି ପ୍ରମାଣିତ କରିଥିବା ବେଳେ ଏହା ଉପରୁ ପାକିସ୍ତାନ ତା’ର ନିୟନ୍ତ୍ରଣ ହରାଉଥିବା ଭୟରେ ଘାରି ହେଉଛି। ଔଷଧ ବିକଳରେ ପାକିସ୍ତାନ ତାଟିଆ କାମୁଡ଼ିବା ସହ ବିଭିନ୍ନ ସମୟରେ ନାନାଦି ଧମକଚମକ ଦେଇଚାଲିଛି। ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଭାରତକୁ ଦୋଷୀ ସାବ୍ୟସ୍ତ ପାଇଁ ଉଦ୍ୟମ କରିଛି। ଜାତିସଂଘଠାରୁ ଆରମ୍ଭ କରି ଆମେରିକା, ରୁଷିଆ, ଫ୍ରାନ୍ସ ଆଦି ରାଷ୍ଟ୍ରଠାରୁ ପାକିସ୍ତାନ ସହଯୋଗ ଲୋଡ଼ିଥିଲେ ମଧ୍ୟ ଏହାକୁ ବିଫଳତା ହିଁ ମିଳିଛି। ଏହା ପଛରେ ମୋଦିଙ୍କ କୂଟନୈତିକ ଚାଲାକୀକୁ ମୁଖ୍ୟ କାରଣ ବୋଲି କୁହାଯାଇପାରେ। କାରଣ ଭାରତର ରାଷ୍ଟ୍ରମୁଖ୍ୟ ଭାବେ ସେ ପ୍ରାୟ ପ୍ରତିଟି ବିଦେଶୀ ରାଷ୍ଟ୍ର ସହିତ ସମ୍ପର୍କକୁ କ୍ରମଶଃ ଦୃଢ଼ତର କରିଚାଲିଛନ୍ତି।

କଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ମଧ୍ୟସ୍ଥି କରିବେ ବୋଲି କହିଥିଲେ ମଧ୍ୟ ଫ୍ରାନ୍ସରେ ଅନୁଷ୍ଠିତ ଜି୭ ଶିଖର ସମ୍ମିଳନୀରେ ମୋଦି ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଟ୍ରମ୍ପ୍‌ଙ୍କ ଉପସ୍ଥିତିରେ କଶ୍ମୀର ଦ୍ବିପାକ୍ଷିକ ସମସ୍ୟା ଓ ଏଥିରେ କୌଣସି ତୃତୀୟ ଦେଶକୁ କଷ୍ଟ ଦେବାକୁ ଭାରତ ଆଦୌ ଚାହୁଁନାହିଁ ବୋଲି ମୋଦି କହିବା ସହ ଭାରତର ଆଭିମୁଖ୍ୟ ଯେ କୌଣସି ଚାପରେ ବଦଳିପାରିବ ନାହିଁ, ଏହା ସ୍ପଷ୍ଟ କରିଦେଇଛନ୍ତି। ନିଜେ ଟ୍ରମ୍ପ୍‌ ମଧ୍ୟ କଶ୍ମୀର ସମସ୍ୟାର ସମାଧାନ ପାଇଁ ମୋଦି ନିଜେ ଯଥେଷ୍ଟ ଓ ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ତାଙ୍କ ନିୟନ୍ତ୍ରଣରେ ରହିଛି ବୋଲି ସ୍ବୀକାର କରିଛନ୍ତି। ଦୁଇ ପୁରୁଣା ବନ୍ଧୁ ପରି ମୋଦି ଓ ଟ୍ରମ୍ପ୍‌ ଯେପରି ଭାବେ ପରସ୍ପର ସହ ହାତ ମିଳାଇଲେ, ତାକୁ ଦେଖି ଆଉ କାହାର ନାହି ଡେଉଁ ନ ଡେଉଁ, ପାକିସ୍ତାନର କିନ୍ତୁ ହୋଶ ଉଡ଼ିଯାଇଥିବା ନିଶ୍ଚିତ ହୋଇଛି। କାରଣ ଏହି ଘଟଣା ପରେ ପାକିସ୍ତାନ ଏକରକମ ବାଉଳା ହୋଇପଡ଼ିଛି ଓ ତରବରିଆ ଭାବେ ଭାରତକୁ ପରମାଣୁ ଯୁଦ୍ଧର ଧମକ ମଧ୍ୟ ଦେଇସାରିଛି। ତେଣୁ ମୋଦିଙ୍କ ବ୍ୟକ୍ତିତ୍ବ ଆଗରେ ପାକିସ୍ତାନର ସମସ୍ତ କୂଟନୈତିକ ଉଦ୍ୟମ ପାଣି ଫୋଟକାରେ ପରିଣତ ହୋଇଛି।

ଜି-୭ ଶିଖର ସମ୍ମିଳନୀରେ ଆମନ୍ତ୍ରିତ ସଦସ୍ୟ ଭାବେ ଯୋଗ ଦେଇଥିଲେ ମଧ୍ୟ ମୋଦି ସମ୍ପୂର୍ଣ୍ଣ ଭାବେ ନିଜର ଛାପ ଛାଡ଼ିପାରିଛନ୍ତି। ସଦସ୍ୟ ନ ଥିବା ସତ୍ତ୍ବେ ଭାରତ ଯେ ଜି-୭ ସମ୍ମିଳନୀରେ ବିଦେଶୀ ରାଷ୍ଟ୍ରମାନଙ୍କୁ ଏପରି ପ୍ରଭାବିତ କରିବ ବୋଲି ପାକିସ୍ତାନ ସ୍ବପ୍ନରେ ବି ଭାବି ନ ଥିଲା। ସେହିପରି ମୋଦିଙ୍କର ଅନ୍ତର୍ଜାତୀୟ ସ୍ତରରେ ଦିନକୁ ଦିନ ଲୋକପ୍ରିୟତା ଏତେ ଅଧିକ ମାତ୍ରାରେ ବଢ଼ିଚାଲିଛି ଯେ ଯେଉଁ ଦେଶକୁ ବି ଯାଉଛନ୍ତି, ଉକ୍ତ ଦେଶ ତାଙ୍କୁ ନିଜ ଦେଶର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିବାକୁ ଭୁଲୁନାହାନ୍ତି। ନିକଟରେ ସେ ୟୁଏଇ ଓ ବାହରିନ୍‌ ଗସ୍ତରେ ଯାଇଥିବା ବେଳେ ସେଠାରେ ସମ୍ମାନିତ ହୋଇଛନ୍ତି। ପୂର୍ବରୁ ମଧ୍ୟ ସେ ୮ରୁ ଊର୍ଦ୍ଧ୍ବ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ହାସଲ କରିସାରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଏହା ମୋଦିଙ୍କ ଉଚ୍ଚତା କେତେ, ତାହା ପ୍ରମାଣିତ କରିଛି। ମୋଦିଙ୍କ ବ୍ୟକ୍ତିତ୍ବ ଦିନକୁ ଦିନ ଅଧିକ ଜାଜ୍ବଲ୍ୟମାନ ହେଉଥିବା ବେଳେ ପଡ଼ୋଶୀ ପାକିସ୍ତାନର ସବୁ ରଙ୍ଗ ଫିକା ପଡ଼ିଯାଇଛି। ପାକିସ୍ତାନ ଆଣବିକ ଅସ୍ତ୍ରର ପ୍ରୟୋଗ କରିବାକୁ ଧମକ ଦେଇଥିଲେ ମଧ୍ୟ କ୍ରିକେଟ୍‌ରରୁ ପ୍ରଧାନମନ୍ତ୍ରୀ ବନିଥିବା ଇମ୍ରାନ୍‌ଙ୍କ ପାଖରେ ଯେ ମୋଦିଙ୍କ ଗୁଗ୍‌ଲିର କୌଣସି ଜବାବ ନାହିଁ, ଏହା ପ୍ରମାଣିତ ହୋଇଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ