ବଣ୍ଡା ଘାଟିରେ ଗୁଳିବିନିମୟ: ଯବାନ ଶହୀଦ, ମାଓବାଦୀ ନିହତ


ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍‌ ଅନ୍ତର୍ଗତ ବଣ୍ଡାଘାଟି କଦମଗୁଡ଼ା ପଞ୍ଚାୟତର ଡାବୁଗୁଡ଼ା ଓ ସୋନୁଗୁଡ଼ା ଜଙ୍ଗଲରେ ବୁଧବାର ସକାଳେ ମାଓବାଦୀ ଓ ପୋଲିସ୍‌ ମଧ୍ୟରେ ଗୁଳିବିନିମୟ ହୋଇଛି। ମାଓବାଦୀଙ୍କ ଗୁଳିରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ଯବାନଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଶହୀଦ ଯବାନଙ୍କ ନାଁ ଜୟରାମ କବାସୀ ସେ ଡିଭିଏଫ୍‌ରେ କାର୍ଯ୍ୟ କରୁଥିଲେ। ସେହିପରି ଗୁରୁତର ଯବାନ ହେଲେ ରାମ ଦୁରୁଆ। ପୋଲିସ୍‌ ଗୁଳିରେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ରାକେଶ ସୋଢ଼ିର ମୃତ୍ୟୁ ହୋଇଛି। ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି।

ମୃତ ମାଓବାଦୀ ରାକେଶ ଆନ୍ଧ୍ର-ଓଡ଼ିଶା ବର୍ଡର ସ୍ପେଶାଲ୍‌ ଜୋନାଲ୍‌ କମିଟର ମୁଖ୍ୟ ଥିଲା। ଏହା ପୂର୍ବରୁ ସେ କାଲିମେଳା ଆକ୍ସନ କମିଟିର ମଧ୍ୟ ମୁଖ୍ୟ ଥିଲା। ମାଲକାନଗିରି ଜିଲ୍ଲାରେ ଏକାଧିକ ନକ୍ସଲ ହିଂସାକାଣ୍ଡରେ ମଧ୍ୟ ସେ ସାମିଲ ଥିଲା ବୋଲି ଜଣାଯାଇଛି। ପୋଲିସ୍‌ ଡିଜି ବିଜୟ କୁମାର ଶର୍ମା ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଖଇରପୁଟ ପାହାଡ଼ରେ ମାଓବାଦୀମାନେ ଶିବିର ପକାଇଥିବା ସୂଚନା ପାଇଥିଲା ପୋଲିସ୍‌। ଏହା ପରେ ମାଲକାନଗିରି ଏସ୍‌ପି ଖିଲାରୀ ଋଷିକେଶଙ୍କ ନେତତୃତ୍ୱରେ ଏସ୍‌ଓଜି ଓ ଡିଭିଏଫ୍ ଯବାନମାନେ ମଙ୍ଗଳବାର ରାତିରେ ସେହି ଅଞ୍ଚଳରେ କମ୍ବିଂ ଆରମ୍ଭ କରିଥିଲେ। ତେବେ ବୁଧବାର ସକାଳେ ମାଓବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ମୁହାଁମୁହିଁ ହୋଇଥିଲେ। ସୁରକ୍ଷାକର୍ମୀମାନଙ୍କୁ ଟାର୍ଗେଟ୍ କରି ମାଓବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ। ଏହା ପରେ ସୁରକ୍ଷାକର୍ମୀମାନେ ଏହାର ଦୃଢ଼ ଜବାବ ଦେଇଥିଲେ। ସେମାନଙ୍କ ଗୁଳିମାଡ଼ରେ ୫୦ ରୁ ୬୦ ନକ୍ସଲ ଛତ୍ରଭଙ୍ଗ ଦେଇଥିବା କୁହାଯାଇଛି। ତେବେ ନକ୍ସଲଙ୍କ ଗୁଳିରେ ଜୟରାମ କବାସୀ ଶହୀଦ ହୋଇଯାଇଥିବା ବେଳେ ଗୁରୁତର ହୋଇଥିଲେ ଅନ୍ୟ ଜଣେ ଯବାନ ରାମ ଦୁରୁଆ। ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ଦୁରୁଆଙ୍କୁ ଏୟାର୍‌ ଆମ୍ବୁଲାନ୍ସ ଯୋଗେ ବିଶାଖାପାଟଣା ନିଆଯାଇଛି। କ୍ୟାମ୍ପ୍‌ ପଡ଼ିଥିବା ଅଞ୍ଚଳରୁ ନକ୍ସଲ୍‌ମାନେ ଛତ୍ରଭଙ୍ଗ ଦେଉଥିବା ଜଣାପଡ଼ିଛି। ପୋଲିସ୍‌ ଗୁଳିରେ କେତେକ ନକ୍ସଲ୍‌ ମୃତାହତ ହୋଇଥିବା ଅନୁମାନ କରାଯାଉଛି। ସର୍ଚ୍ଚ ଅଭିଯାନ ଆରମ୍ଭ ହେବା ପରେ ମୃତାହତ ନକ୍ସଲ୍‌ମାନଙ୍କ ସଂଖ୍ୟା ଜଣାପଡ଼ିବ ବୋଲି କୁହାଯାଉଛି। ଅପରେସନକୁ ଅଧିକ ଜୋରଦାର୍‌ କରିବା ପାଇଁ ବିଏସ୍‌ଏଫ ଯବାନ ଏଥିରେ ସାମିଲ୍‌ ହୋଇଛନ୍ତି। ମାଲକାନଗିରି ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ ଅହମ୍ମଦ କେ.।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ