ବିଶ୍ବର ସବୁଜ ଫୁସ୍‌ଫୁସ୍‌ରୁ ଉଠୁଛି ଧୂଆଁ

ସାରା ପୃଥିବୀରେ ତାତି, ଦେଶ ଦେଶ ମଧ୍ୟରେ ବାକ୍‌ବିତଣ୍ଡା ଆରମ୍ଭ

ବ୍ରାଜିଲର ଆମାଜନ ଜଙ୍ଗଲରେ ଲାଗିଛି ଭୟଙ୍କର ନିଆଁ। ଗୋଟିଏ ବର୍ଷ ଭିତରେ ଏଭଳି ନିଆଁ ୭୫ ହଜାର ଥର ଲାଗିଲାଣି। ବିଗତ ଏକ ଦଶନ୍ଧି ମଧ୍ୟରେ ଏତେ ପରମାଣର ବନାଗ୍ନିର ଇଏ ହେଉଛି ପ୍ରଥମ ଘଟଣା। ଦେଶର ଉତ୍ତର ରାଜ୍ୟ ରୋରେମା, ଏକ୍ରେ, ରୋଡ଼େନିଆ ଏବଂ ଅମେଜେନାସ ଏହି ନିଆଁରେ ଭୟଙ୍କର ଭାବେ ପ୍ରଭାବିତ ହୋଇଛନ୍ତି। ଆମାଜନକୁ ପୃଥିବୀର ସବୁଜ ଫୁସ୍‌ଫୁସ୍‌ କୁହାଯାଏ। ବିଶ୍ବର ମୋଟ ରେନ ଫରେଷ୍ଟ ପରିମାଣ ମଧ୍ୟରୁ କେବଳ ଆମାଜନର ପରିମାଣ ୬୦ ପ୍ରତିଶତ ଥିବା ବେଳେ ମୋଟ ଅକ୍ସିଜେନ ପରିମାଣର ୨୦ ପ୍ରତିଶତ ଏହି ଜଙ୍ଗଲରୁ ମିଳିଥାଏ। ପୁଣି ଏହି ଜଙ୍ଗଲରେ ୩୯ ହଜାର ପ୍ରଜାତିର ବୃକ୍ଷଲତା ଥିବାବେଳେ ୧୬ ହଜାର ପ୍ରକାରର ଜୀବଜନ୍ତୁ ବାସ କରନ୍ତି। ଜୈବ ବିବିଧତା ଦୃଷ୍ଟିରୁ ଅନନ୍ୟ ଏହି ଘଞ୍ଚ ବନାନୀରେ ଲାଗିଥିବା ନିଆଁରେ ଏବେ ସାରା ବିଶ୍ବ ଉତ୍ତପ୍ତ। ଏହାକୁ ନେଇ ଦେଶ ଦେଶ ମଧ୍ୟରେ ମନାନ୍ତର ମତାନ୍ତର ଓ ତୀବ୍ର ବାଦ ବିବାଦ ମୁଣ୍ଡ ଟେକିଛି। ପୂରା ବିଶ୍ବରେ ଏବେ ପୁଣିଥରେ ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ସୁରକ୍ଷାକୁ ନେଇ ବ୍ୟାପକ ଚର୍ଚ୍ଚା ଆରମ୍ଭ ହୋଇଛି।

ଏହି ନିଆଁ ପାଇଁ ବ୍ରାଜିଲର ରାଷ୍ଟ୍ରପତି ଜେୟର ବୋଲ୍‌ସୋନାରୋ ଏକ ଏନ୍‌ଜିଓକୁ ଦାୟୀ କରିଛନ୍ତି। ଆମାଜନର ନିଆଁକୁ ପ୍ରଶମିତ କରିବା ଦିଗରେ ବ୍ରାଜିଲ ପଦକ୍ଷେପ ନେଉ ନ ଥିବା ନେଇ ଫ୍ରାନ୍ସ ଓ ଆୟରଲାଣ୍ଡ ତୀବ୍ର ସମାଲୋଚନା କରିବା ପରେ ତାଙ୍କୁ ବଦ୍‌ନାମ କରିବା ପାଇଁ ଏକ ଏନ୍‌ଜିଓ ଆମାଜନରେ ନିଆଁ ଲଗାଇ ଦେଇଛି ବୋଲି ବ୍ରାଜିଲ ରାଷ୍ଟ୍ରପତି ଗୁରୁତର ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଫ୍ରାନ୍ସ ଏବଂ ଆୟରଲାଣ୍ଡ କହିଛନ୍ତି ଯେ ଅଗ୍ନି ନିର୍ବାପନ କ୍ଷେତ୍ରରେ ବ୍ରାଜିଲ କୌଣସି ପଦକ୍ଷେପ ନେଉ ନ ଥିବାରୁ ବ୍ରାଜିଲ ସହ ବ୍ୟବସାୟିକ ସମ୍ପର୍କ ତୁଟାଇ ଦିଆଯିବ। ୟୁରୋପିଆନ ୟୁନିଅନ ପକ୍ଷରୁ ବ୍ରାଜିଲର ଗୋମାଂସ ରପ୍ତାନି ଉପରେ ପ୍ରତିବନ୍ଧ ଲଗାଯିବ ବୋଲି ଚେତାବନୀ ଦିଆଯିବା ପରେ ବ୍ରାଜିଲ ନିଆଁଲିଭା କାମରେ ସେନା ମୁତୟନ ପାଇଁ ନିର୍ଦେଶ ଦେଇଛି। ବ୍ରାଜିଲ ବ୍ୟାପକ ଭାବେ ବୃକ୍ଷଛେଦନ କରି ଏଭଳି ବିପଦକୁ ନିମନ୍ତ୍ରଣ କରି ଆଣୁଛି ବୋଲି ବିଶ୍ବ ସ୍ତରରେ ଚର୍ଚ୍ଚା ହେଉଛି।

ଅଭିଯୋଗ ହେଉଛି କି ପ୍ରତି ମିନିଟରେ ଗୋଟିଏ ଫୁଟବଲ ପଡ଼ିଆ ସମାନର ଜଙ୍ଗଲ କଟାଯାଉଛି। ଜାନୁଆରୀରେ ବ୍ରାଜିଲର ନୂଆ ରାଷ୍ଟ୍ରପତି ଭାବେ ବୋଲସୋନାରୋ କ୍ଷମତାକୁ ଆସିବା ପର ଠାରୁ ଜଙ୍ଗଲ କଟାଯିବାର ଘଟଣା ବଢ଼ିବଢ଼ି ଚାଲିଛି। ସାରା ବିଶ୍ବର ୨୦ ପ୍ରତିଶତ ଅମ୍ଳଯାନ ବ୍ରାଜିଲର ରେନ ଫରେଷ୍ଟରୁ ମିଳିଥାଏ। ବ୍ରାଜିଲର ମହାକାଶ ସଂସ୍ଥାର ପରିସଂଖ୍ୟାନ କହୁଛି ଆମାଜନ ରେନ ଫରେଷ୍ଟରେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଅଗ୍ନିକାଣ୍ଡ ଘଟିଛି। ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର ସ୍ପେସ ରିସର୍ଚ୍ଚ ନିଜର ସାଟେଲାଇଟ ପରିସଂଖ୍ୟାନ ଦର୍ଶାଇ ଦାବି କରିଛି ଯେ ବନାଗ୍ନି ଘଟଣା ଗତବର୍ଷ ଠାରୁ ୮୫ ପ୍ରତିଶତ ଅଧିକ ହୋଇଛି। ସରକାରୀ ପରିସଂଖ୍ୟାନ ଅନୁଯାୟୀ ଚଳିତ ବର୍ଷ ପ୍ରଥମ ଆଠମାସରେ ବ୍ରାଜିଲର ଜଙ୍ଗଲରେ ୭୫ ହଜାର ଥର ନିଆଁ ଲାଗିଛି ଯାହାକି ୨୦୧୩ ପର ଠାରୁ ସର୍ବବୃହତ୍‌ ରେକର୍ଡ। ୨୦୧୮ରେ ମୋଟ ୩୯,୭୫୯ ବନାଗ୍ନି ଦେଖିବାକୁ ମିଳିଥିଲା। ଜୁଲାଇରୁ ଅକ୍ଟୋବର ମଧ୍ୟରେ ଶୁଖିଲା ପାଗ କାରଣରୁ ବ୍ରାଜିଲରେ ବନାଗ୍ନି ଦେଖାଯିବା ସ୍ବାଭାବିକ। ପ୍ରାକୃତିକ କାରଣରୁ ଏହି ଜଙ୍ଗଲରେ ନିଆଁ ଲାଗେ। ଏହା ସହିତ ଚାଷୀ ଓ କାଠ କଟାଳିମାନଙ୍କ ଯୋଗୁ ମଧ୍ୟ ବନାଗ୍ନି ଲାଗିଥାଏ। ପରିବେଶବିତ୍‌ମାନେ ଅଭିଯୋଗ କରିଛନ୍ତି ଯେ ବ୍ରାଜିଲର ରାଷ୍ଟ୍ରପତିଙ୍କ ପରିବେଶ ବିରୋଧୀ ମନ୍ତବ୍ୟ ପାଇଁ ଜଙ୍ଗଲ କଟାଳି ଓ କାଠ ମାଫିଆମାନେ ଉତ୍ସାହିତ ହୋଇପଡ଼ିଛନ୍ତି। ଯେଉଁଥିପାଇଁ ବନାଗ୍ନିର ଘଟଣା ବୃଦ୍ଧି ପାଇ ରେକର୍ଡ ଅତିକ୍ରମ କରିଛି।

ଅଗ୍ନିକାଣ୍ଡର ପ୍ରଭାବ ସବୁଠୁ ବେଶୀ ରୋରାଇମା ଉପରେ ପଡ଼ିଛି। ସେଠାରେ ୧୪୧ ପ୍ରତିଶତ, ଏକ୍ରେରେ ୧୩୮ ପ୍ରତିଶତ, ରୋଡ଼ୋନିଆରେ ୧୧୫ ପ୍ରତିଶତ ଏବଂ ଅମେଜୋନାସରେ ୮୧ ପ୍ରତିଶତ ଅଧିକ ବନାଗ୍ନି ଘଟଣା ସାମ୍ନାକୁ ଆସିଛି। ନିଆଁରୁ ନିର୍ଗତ ଧୂଆଁର ବିଶାଳ କୁଣ୍ଡଳୀ ଆମାଜନରେ ବ୍ୟାପ୍ତ ହୋଇଯାଇଛି। ଏହା ଦିନକୁ ଦିନ ବଢ଼ୁଥିବା ଦେଖାଯାଉଛି। ୟୁରୋପୀୟ ସଂଘର ପରିବେଶ କମିଟି କେମ୍ପସ ଅନୁଯାୟୀ ଧୂଆଁ ଆଟଲାଣ୍ଟିକ ଉପକୂଳ ଯାଏ ବିସ୍ତାରିତ ହୋଇଛି। ଏପରିକି ୨୦୦୦ ମାଇଲ ଦୂର ସାଓପୋଲୋର ଆକାଶ ଧୂଆଁରେ ଭରିଯାଇଛି। ଏହି ନିଆଁରୁ ବିପୁଳ ପରିମାଣର କାର୍ବନ ଡାଇଅକ୍ସାଇଡ ନିର୍ଗତ ହେଉଛି। ଚଳିତ ବର୍ଷ ଏଯାବତ୍‌ ୨୨୮ ମେଗାଟନ ପରିମାଣର କାର୍ବନ ଡାଇଆକ୍ସାଇଡ ଉତ୍ପନ୍ନ ହୋଇଛି।

ଏହା ବ୍ୟତୀତ ବିଷାକ୍ତ କାର୍ବନ ମନୋଅକ୍ସାଇଡ ଗ୍ୟାସ ମଧ୍ୟ ନିର୍ଗତ ହେବାରେ ଲାଗିଛି, ଯାହାକି ଅକ୍ସିଜେନର ଅନୁପସ୍ଥିତିରେ କାଠର ଜ୍ବଳନରୁ ଉତ୍ପନ୍ନ ହୋଇଥାଏ। ଏହି ବିଷାକ୍ତ କାର୍ବ ମନୋକ୍ସାଇଡ ଦକ୍ଷିଣ ଆମେରିକୀୟ ଉପକୂଳ ଅଞ୍ଚଳ ଆଡ଼କୁ ଗତି କରୁଥିବା କେମ୍ପ୍‌ସ ପକ୍ଷରୁ କୁହାଯାଇଛି। ୩୦ ଲକ୍ଷ ପ୍ରଜାତିର ବୃକ୍ଷଲତା ଓ ଜୀବଜନ୍ତୁଙ୍କ ଆଶ୍ରୟସ୍ଥଳ ଓ ୧୦ ଲକ୍ଷ ଅଧିବାସୀଙ୍କ ଭାତହାଣ୍ଡି ସାଜିଥିବା ଆମାଜନ ଉପତ୍ୟକା ବିଶ୍ବର ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଏହି ଜଙ୍ଗଲ ପ୍ରତିବର୍ଷ ଲକ୍ଷାଧିକ ଟନର କାର୍ବନକୁ ଶୋଷି ନେଇ ମାନବଜାତିର ସୁରକ୍ଷା କବଚ ସାଜିଥାଏ। କିନ୍ତୁ ଗଛ କାଟିଦେବା କିମ୍ବା ଜଳିପୋଡ଼ିଯିବା ଦ୍ବାରା ଏହା ଭିତରେ ଜମା ହୋଇ ରହିଥିବା କାର୍ବ ବାୟୁମଣ୍ଡଳରେ ମିଶିଯାଇ ରେନ ଫରେଷ୍ଟର କାର୍ବନ ଅବଶୋଷଣ କ୍ଷମତାକୁ ହରାଇଥାଏ।

ବ୍ରାଜିଲ ଭଳି ଭେନେଜୁଏଲାରେ ମଧ୍ୟ ବନାଗ୍ନିର ୨୬୦୦ ଘଟଣା ଚଳିତ ବର୍ଷ ଦେଖିବାକୁ ମିଳିଛି। ବୋରୋକିୟାରେ ୧୭ ହଜାର ଥର ବନାଗ୍ନିର ଜ୍ବାଳା ଚଳିତ ବର୍ଷ ଦେଖିବାକୁ ମିଳିଲାଣି। ଦେଶର ପୂର୍ବ ଭାଗରେ ନିଆଁକୁ ପ୍ରଶମିତ କରିବା ପାଇଁ ବୋଲିଭିଆ ସରକାର ଏୟାର ଟ୍ୟାଙ୍କରକୁ ଭଡ଼ାରେ ଲଗାଇଛନ୍ତି।

ଆମାଜନ କାହିଁକି ଚର୍ଚ୍ଚାରେ
ଆମାଜନର ମୋଟ ଭୌଗୋଳିକ ଅଞ୍ଚଳ ହେଉଛି ୫.୫ ମିଲିଅନ ବର୍ଗକିମି। ଯାହାକି ଭାରତର ମୋଟ କ୍ଷେତ୍ରଫଳ ଠାରୁ ଅଧିକ। ଆମାଜନ ଜଙ୍ଗଲ ବିଶ୍ବର ମୋଟ ୪ ପ୍ରତିଶତ ଭୂମି ଅକ୍ତିଆର କରିଛି। ୩୦ ଲକ୍ଷ ପ୍ରଜାତିର ବିରଳ ବୃକ୍ଷଲତାଙ୍କ ରତ୍ନଭଣ୍ଡାର ଆମାଜନ ୫ଟି ଦେଶର ଅନ୍ତର୍ଜାତୀୟ ସୀମାକୁ ଛୁଇଁଛି। ଏପରି ଏକ ମୂଲ୍ୟବାନ ଜଙ୍ଗଲ ପୋଡ଼ିଯିବା ବିଶ୍ବବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ବ୍ରାଜିଲର ରାଷ୍ଟ୍ରପତି ଗ୍ରୀନଗ୍ରୁପ୍‌ର ଏନ୍‌ଜିଓକୁ ଦାୟୀ କରି ଚୁପ୍‌ ବସିଯିବା କାରଣରୁ ଫ୍ରାନ୍ସ ଓ ଆୟରଲାଣ୍ଡ କ୍ଷୁବ୍ଧ ହୋଇଛନ୍ତି।

ବ୍ରାଜିଲର ରାଷ୍ଟ୍ରପତିଙ୍କ ଉପରେ ବିଶ୍ବ ନେତାମାନେ ଏଥିପାଇଁ କ୍ଷୁବ୍ଧ ଯେ ସେ ପରିବେଶ ପାଇଁ ଏତେଟା ଗମ୍ଭୀର ନୁହନ୍ତି। ତେଣେ ବ୍ରାଜିଲ ରାଷ୍ଟ୍ରପତି ବୋଲ୍‌ସୋନାରୋ ଚଳିତ ମାସରେ ଆଇଏନ୍‌ପିଇ ମୁଖ୍ୟଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି। ଆଇଏନ୍‌ପିଇ ଆମାଜନର ନିଆଁକୁ ନେଇ ଭୁଲ୍‌ ତଥ୍ୟ ଦେଉଥିବା ରାଷ୍ଟ୍ରପତି ଅଭିଯୋଗ ଆଣିଛନ୍ତି। ୟୁରୋପୀୟ ନେତାମାନଙ୍କ କ୍ରମାଗତ ଚାପରେ ବ୍ରାଜିଲ ଏବେ ନିଆଁ ଦମନ ପାଇଁ ସେନା ପଠାଇଛି। ଫିନଲାଣ୍ଡର ଅର୍ଥମନ୍ତ୍ରୀ ବ୍ରାଜିଲକୁ ଗୋମାଂସ ରପ୍ତାନୀ କଟକଣା ପାଇଁ ଦେଇଥିବା ଚେତାବନୀ କାମ ଦେଇଥିବା କୁହାଯାଉଛି। ଲଣ୍ଡନ, ବର୍ଲିନ, ମୁମ୍ବାଇ ଏବଂ ପ୍ୟାରିସ ସହିତ ସାରା ବିଶ୍ବରେ ବ୍ରାଜିଲ ଦୂତାବାସ ବାହାରେ ପ୍ରଦର୍ଶନ କରାଯାଇଛି। ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ ଟ୍ବିଟ୍‌ କରି ବିଶ୍ବ ଜଳବାୟୁ ପରିବର୍ତ୍ତନ ସଙ୍କଟ ମଧ୍ୟରେ ବୋଲି ଚେତାଇ ମଧ୍ୟ ଦେଇଛନ୍ତି। ଆମେ ଅକ୍ସିଜେନ ଏବଂ ଜୈବ ବିବିଧତାର ଏକ ପ୍ରମୁଖ ଉତ୍ସକୁ ଅଧିକ କ୍ଷତି ପହଞ୍ଚାଇବାକୁ ଦେବୁ ନାହିଁ ବୋଲି କହିଛନ୍ତି। ବ୍ୟାପକ ଭାବେ ଲାଗିଥିବା ନିଆଁକୁ ପ୍ରଶମିତ କରିବା ପାଇଁ ନିଜ ପାଖରେ ସମ୍ବଳ ନାହିଁ ବୋଲି ବ୍ରାଜିଲ କହିଛି। ଏପରିସ୍ଥଳେ ଜି-୭ ପକ୍ଷରୁ ୨୨ ମିଲିଅନ ଡଲାରର ଆର୍ଥିକ ସହାୟତା ଘୋଷଣା କରାଯାଇଛି। କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ ଏବଂ ଆମେରିକା ଏହି ଅର୍ଥ ରାଶି ଯୋଗାଇ ଦେବେ ବୋଲି ଫ୍ରାନ୍ସ ରାଷ୍ଟ୍ରପତି କହିଛନ୍ତି। ଆଗାମୀ କିଛି ଘଣ୍ଟା ଭିତରେ ଫ୍ରାନ୍ସ ତା’ର ସେନାବାହିନୀକୁ ଏ ଦିଗରେ ମୁତୟନ କରିବ ବୋଲି ମଧ୍ୟ ଦର୍ଶାଇଛି।

ବ୍ରାଜିଲର ଏହି ବନାଗ୍ନି କେବଳ ଗୋଟିଏ ଦେଶର ସମସ୍ୟା ହୋଇ ରହିନାହିଁ। ଏହି ସମସ୍ୟା ସାରା ବିଶ୍ବକୁ ଭୋଗିବାକୁ ଥିବାରୁ ଏହାର ପ୍ରଶମନ ପାଇଁ ଜି-୭ର ସମୟୋଚିତ ସହାୟତା ବ୍ରାଜିଲର ରେନ ଫରେଷ୍ଟକୁ କେବଳ ନୁହେଁ, ବରଂ ବିଶ୍ବବାସୀ ଓ ପରିବେଶକୁ ସନ୍ତୁଳିତ ପରିସଂସ୍ଥା ପ୍ରଦାନ ଦିଗରେ ସହାୟତା କରିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ