ଜାଣନ୍ତୁ କେମିତି ଓ କେତେବେଳେ ପିଇବେ ଗ୍ରୀନ୍‌ ଟି’


ଗ୍ରୀନ୍‌ ଟି’ରେ ଥିବା ଅନେକ ଗୁଣ ଯୋଗୁ ଏହା ଲୋକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ଅଟେ। ଏହି ଡ୍ରିଙ୍କ୍‌ ହୃଦ୍‌ରୋଗ, ଟାଇପ୍‌ ୨ ମଧୁମେହ ଏପରିକି କ୍ୟାନ୍‌ସର ଭଳି ରୋଗରୁ ମଧ୍ୟ ରକ୍ଷା କରିବା ସହିତ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ। ଅଧିକାଂଶ ଲୋକେ ଗ୍ରୀନ୍‌ ଟି’କୁ ସ୍ବାଦ ପାଇଁ ନୁହେଁ, ସ୍ବାସ୍ଥ୍ୟ ପାଇଁ ସେବନ କରିଥାନ୍ତି। ଗ୍ରୀନ୍‌ ଟି’ରେ ଆଣ୍ଟିଅକ୍ସିଡାଣ୍ଟ ଓ ପଲିଫିନୋଲ୍‌ସ ରହିଛି, ଯାହା ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି କୁହାଯାଏ।

ଗ୍ରୀନ୍‌ ଟି’ର ପ୍ରସ୍ତୁତି ପ୍ରଣାଳୀ
ଯଦି ଆପଣ ଟି’ ବ୍ୟାଗ୍‌ ସହାୟତାରେ ଗ୍ରୀନ୍‌ ଟି’ ତିଆରି କରୁଛନ୍ତି, ତେବେ ପ୍ରଥମେ ପାଣିକୁ ଗରମ କରନ୍ତୁ। ଏହି ପାଣିକୁ କିଛି ସମୟ ଥଣ୍ଡା କରନ୍ତୁ। ଅଧିକ ଗରମ ପାଣିରେ ଗ୍ରୀନ୍‌ ଟି’ ତିଆରି କରିବା ଫଳରେ ଏଥିରେ ରହିଥିବା ଆଣ୍ଟିଅକ୍ସିଡାଣ୍ଟ କାଟେଚିନ୍‌ ଫ୍ଲାବନଏଡ୍‌ ନଷ୍ଟ ହୋଇଯାଏ। ତେଣୁ ପାଣି ହାଲୁକା ଥଣ୍ଡା ହୋଇଗଲେ, କପ୍‌ରେ ଟି’ ବ୍ୟାଗ୍‌ ରଖି ଗରମ ପାଣି ଢାଳନ୍ତୁ। ଏହାକୁ ଘୋଡ଼ାଇ ୩ ମିନିଟ୍‌ ଯାଏ ରଖନ୍ତୁ। ୩ ମିନିଟ୍‌ ପରେ ଟି’ ବ୍ୟାଗ୍‌ ବାହାର କରି ଚାମଚରେ ଗୋଳାଇ ସେବନ କରନ୍ତୁ। ସେହିପରି ଏକ କପ୍‌ ଗ୍ରୀନ୍‌ ଟି’ ତିଆରି କରିବା ଲାଗି ଏକ ଚାମଚ ଚା’ ପତି ନିଅନ୍ତୁ। ଏହି ଚା’ ପତିକୁ ଏକ ଚା’ ଛଣାରେ ଗୋଟିଏ ପଟେ ରଖନ୍ତୁ। ଏକ ଷ୍ଟିଲ୍‌ ପାତ୍ରରେ ପାଣି ଗରମ କରନ୍ତୁ। ପାଣି ହାଲୁକା ଗରମ ହୋଇଗଲା ପରେ କପ୍‌ ଉପରେ ଚା’ ପତି ଥିବା ଛଣା ରଖନ୍ତୁ ଓ ଏହା ଉପରେ ଗରମ ପାଣି ଢାଳନ୍ତୁ। ୩ ମିନିଟ୍‌ ଯାଏ ଏପରି ରଖିବା ପରେ ଚାମଚରେ ଗୋଳାଇ ସେବନ କରନ୍ତୁ। ଆପଣ ଚାହିଲେ କପ୍‌ରେ ଗ୍ରୀନ୍‌ ଟି’ ପତ୍ର ରଖି ଗରମ ପାଣି ଢାଳନ୍ତୁ ଓ ପରେ ଚା’ ଛଣାରେ ଛାଣି ଦିଅନ୍ତୁ।

ଗ୍ରୀନ୍‌ ଟି’ ପିଇବାର ଉପଯୁକ୍ତ ସମୟ
କେତେକ ଲୋକ ଖାଇବା ପରେ ପରେ ଗ୍ରୀନ୍‌ ଟି’ ପିଇଥାନ୍ତି। ସେମାନେ ଭାବନ୍ତି ଏହାଦ୍ବାରା ହଜମ ଠିକ୍‌ ଭାବେ ହୋଇଥାଏ। କିନ୍ତୁ ଏପରି କରିବା ଦ୍ବାରା ଖାଦ୍ୟରେ ଥିବା ଆବଶ୍ୟକୀୟ ପୋଷକତତ୍ତ୍ବ ଅବଶୋଷଣ ହେବାରେ ପ୍ରତିବନ୍ଧକ ସୃଷ୍ଟି ହୋଇଥାଏ। ତେଣୁ ଯଦି ଖାଇବା ପରେ ଗ୍ରୀନ୍‌ ଟି’ ପିଇବାକୁ ଚାହୁଛନ୍ତି, ତେବେ ଖାଦ୍ୟ ଖାଇବାର ୩୦ରୁ ୪୫ ମିନିଟ୍‌ ପରେ ସେବନ କରନ୍ତୁ। ଯଦି ଗ୍ରୀନ୍‌ ଟି’ର ଅଧିକ ଫାଏଦା ପାଇବାକୁ ଚାହୁଛନ୍ତି, ତେବେ ଖାଦ୍ୟ ଖାଇବାର ୨ ଘଣ୍ଟା ପରେ ଗ୍ରୀନ୍‌ ଟି’ ସେବନ କରିବା ଉପଯୁକ୍ତ। ଯଦି ଫିକା ଗ୍ରୀନ୍‌ ଟି’ ପସନ୍ଦ ନୁହେଁ, ଆପଣ ଏଥିରେ ମହୁ ପକାଇ ପିଇ ପାରିବେ। କିନ୍ତୁ ମନେରଖନ୍ତୁ ଚିନି କଦାପି ବ୍ୟବହାର କରନ୍ତୁନି।

ଏଭଳି ଓଜନ କମ୍‌ କରେ ଗ୍ରୀନ୍‌ ଟି’

ମେଟାବଲିଜମ୍‌ ଏଭଳି ଏକ ପ୍ରକ୍ରିୟା, ଯାହା ଖାଦ୍ୟ ଓ ଡ୍ରିଙ୍କ୍‌କୁ ଶରୀର ପାଇଁ ଆବଶ୍ୟକୀୟ ଏନର୍ଜିରେ ପରିବର୍ତ୍ତନ କରିଥାଏ। ଗ୍ରୀନ୍‌ ଟି’କୁ ଓଜନ କମ୍‌ କରିବା ଲାଗି ଏଥିପାଇଁ ଉପାଯୋଗୀ ବୋଲି କୁହାଯାଏ, କାରଣ ଏହା ଶରୀରର ମେଟାବଲିଜମ୍‌କୁ ଅଧିକ ପ୍ରଭାବୀ କରିଥାଏ।

ପୋଷକତତ୍ତ୍ବର ଖଣି ଗ୍ରୀନ୍‌ ଟି’
ଗ୍ରୀନ୍‌ ଟି’ରେ କାଟେଚିନ୍‌ ଫ୍ଲାବୋନଏଡ୍‌ସ ରହିଛି, ଯାହା ଆଣ୍ଟିଅକ୍ସିଡାଣ୍ଟ ଓ ମେଟାବଲିଜମ୍‌କୁ ଠିକ୍‌ କରିଥାଏ। ନିୟମିତ ଭାବେ ବ୍ୟାୟାମ ଓ ସ୍ବାସ୍ଥ୍ୟକର ଡାଏଟ୍‌ ଅନୁସରଣ କରି ଓଜନ ନିୟନ୍ତ୍ରଣ କରାଯାଇପାରିବ। ତେବେ ଗ୍ରୀନ୍‌ ଟି’ ସେବନ କରିବା ଦ୍ବାରା ମଧ୍ୟ ଏହାର ସକାରାତ୍ମକ ପ୍ରଭାବ ପଡ଼ିଥାଏ।

କେତେ ଗ୍ରୀନ୍‌ ଟି’ ପିଇବା ଉଚିତ
ଗବେଷଣା ଅନୁସାରେ ଓଜନ୍‌ କରିବାକୁ ଚାହୁଥିଲେ ପ୍ରତ୍ୟେକ ଦିନ ୨ରୁ ୩ କପ୍‌ ଗ୍ରୀନ୍‌ ଟି’ ସେବନ କରିବା ଉଚିତ। ଲୋକଙ୍କ ମେଟାବଲିଜମ୍‌ ହିସାବରେ ଏହାର ପରିମାଣକୁ ବଦଳା ମଧ୍ୟ ଯାଇପାରିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ