ଅର୍ଥମନ୍ତ୍ରୀଙ୍କ କୁହୁକ ବାଡ଼ି

ଦେଶର ମାନ୍ଦାବସ୍ଥା ସୁଧାରିବା ପ୍ରୟାସରେ ବିଭିନ୍ନ ବର୍ଗ ପାଇଁ ଅର୍ଥନୈତିକ ପ୍ୟାକେଜ୍‌

ବଜେଟ୍‌ ପରେ ଅର୍ଥନୈତିକ ମାନ୍ଦାବସ୍ଥା ଦେଶର ଚିନ୍ତାର କାରଣ ହୋଇଥିବା ବେଳେ ଏଥିରେ ସୁଧାର ଆଣିବା ଲକ୍ଷ୍ୟରେ ଆଉ ପାଦେ ଆସିଛନ୍ତି ସରକାର। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୀତାରମଣ ସାଧାରଣ ବର୍ଗ ଠାରୁ ଆରମ୍ଭ କରି ନିବେଶକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ତାଙ୍କ କୁହୁକ ବାଡ଼ି ହଲାଇଛନ୍ତି। ଫଳରେ ୠଣ ସୁଧ ହ୍ରାସ, ଏଫ୍‌ପିଆଇଙ୍କ ସରଚାର୍ଜ ଛାଡ଼, ସିଏସ୍‌ଆର କଟକଣା ହଟାଇବା, ଅଟୋମୋବାଇଲ କ୍ଷେତ୍ର ପାଇଁ କୋହଳ ନୀତି, ପୁଞ୍ଜି ଆୟ ଉପରେ ଉପକର ଛାଡ଼, ଜିଏସ୍‌ଟି ରିଫଣ୍ଡ ଓ ଷ୍ଟାର୍ଟଅପ ପାଇଁ ଆଞ୍ଜେଲ ଟିକସ ଛାଡ଼ ବ୍ୟବସ୍ଥା ଆଦି କରାଯାଇଛି। ଏଥିସହ ୠଣ ପ୍ରଦାନ କ୍ଷେତ୍ରରେ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ରାଷ୍ଟ୍ରାୟତ୍ତ ବ୍ୟାଙ୍ଗଗୁଡ଼ିକୁ ସହଯୋଗର ହାତ ବଢ଼ାଇଛନ୍ତି ସରକାର। ଏହି ମେଗା ପ୍ୟାକେଜ୍‌କୁ ନେଇ ସେନସେକ୍ସ ବଢ଼ିବା ସହିତ ବିଭିନ୍ନ ବର୍ଗର ଲୋକେ ବେଶ୍‌ ଉତ୍ସାହିତ ଅଛନ୍ତି।

ଆର୍ଥିକ ମାନ୍ଦାବସ୍ଥା କବଳରୁ ଭାରତୀୟ ଅର୍ଥନୀତିକୁ ମୁକୁଳାଇବା ପାଇଁ ନରେନ୍ଦ୍ର ମୋଦିଙ୍କ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। ବଜେଟ୍‌ରେ ଧନୀ ବ୍ୟକ୍ତିମାନଙ୍କ ଉପରେ ଲାଗୁ କରାଯାଇଥିବା ବର୍ଦ୍ଧିତ ସରଚାର୍ଜକୁ ପ୍ରତ୍ୟାହାର କରିବା ଭଳି ବଡ଼ ଘୋଷଣା କରାଯାଇଛି। ସେହିଭଳି କମ୍ପାନୀ ଗୁଡ଼ିକ ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର) ନିୟମକୁ ଉଲ୍ଲଂଘନ କରିଲେ ତାହାକୁ ଅପରାଧ ଭାବେ ବିବେଚନା କରାଯିବ ନାହିଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ଉଦ୍ୟୋଗ ଜଗତରେ ଉତ୍ସାହ ସୃଷ୍ଟି କରିଛି। ଭାରତର ଅର୍ଥନୈତିକ ଅଭିବୃଦ୍ଧି ସମ୍ପର୍କରେ ଅର୍ଥମନ୍ତ୍ରୀ ସୀତାରମଣ ଘୋଷଣା କରିଥିବା ପଦକ୍ଷେପ ଗୁଡ଼ିକୁ ଆମେରିକା ଓ ଭାରତୀୟ ଶିଳ୍ପ ସଂସ୍ଥାଗୁଡ଼ିକ ପକ୍ଷରୁ ପ୍ରଶଂସା କରାଯାଇଛି। ମନ୍ଥରତା ଆଡ଼କୁ ଯାଉଥିବା ଭାରତୀୟ ଅର୍ଥନୀତିକୁ ଏହା ଅଭିବୃଦ୍ଧି ଦିଗରେ ଅଗ୍ରସର କରାଇବ ବୋଲି ଆସୋଚାମ ସଭାପତି ବି.କେ.ଗୋଏଙ୍କା କହିଥିବା ବେଳେ ଏହା ଭାରତକୁ ପୁଞ୍ଜି ନିବେଶରେ ଏକ ମୁଖ୍ୟ କେନ୍ଦ୍ରରେ ପରିଣତ କରାଇବ ବୋଲି ଆମେରିକା ଭାରତ ବ୍ୟବସାୟିକ ପରିଷଦ ସଭାପତି ନିଶା ଦେଶାଇ କହିଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ୭୦ ହଜାର କୋଟି ଟଙ୍କାର ଆଗୁଆ ପୁଞ୍ଜି ପ୍ରଦାନ ଓ ଆର୍ଥିକ ସହାୟତା ତଥା ଯାନବାହନ କ୍ଷେତ୍ର ଉପରେ ନୀତିରେ ସ୍ବଚ୍ଛତା ଭଳି ନିଷ୍ପତ୍ତି ପୁଞ୍ଜିନିବେଶକାରୀ ଓ ଖାଉଟିମାନଙ୍କ ମନୋବଳ ବୃଦ୍ଧି କରିବ ବୋଲି ମତ ପ୍ରକାଶ ପାଇଛି।

ଶେୟାର ବଜାରର ମୁଡ୍‌ ରହିବ ଠିକ୍‌
ସରକାର ଚଳିତ ବର୍ଷ ବଜେଟ୍‌ରେ ବର୍ଷକୁ ୨ କୋଟି ଟଙ୍କାରୁ ଅଧିକ ଆୟ କରୁଥିବା ବ୍ୟକ୍ତିମାନଙ୍କ ଉପରେ ଟିକସ ହାର ପ୍ରାୟ ୩ ପ୍ରତିଶତ ଏବଂ ୫ କୋଟିରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କ ଉପରେ ଟିକସ ହାର ୭ ପ୍ରତିଶତ ବୃଦ୍ଧି କରିଥିଲେ। ଏହାର ସିଧାସଳଖ ପ୍ରଭାବ ଭାରତୀୟ ପୁଞ୍ଜି ବଜାରରେ ନିବେଶ କରିଥିବା ବିଦେଶୀ ନିବେଶକଙ୍କ ଉପରେ ପଡ଼ିଥିଲା। ବିଦେଶୀ ନିବେଶକମାନେ ଭାରତର ପୁଞ୍ଜି ବଜାରରୁ ବିପୁଳ ପରିମାଣର ପୁଞ୍ଜି ଉଠାଇ ନେଇଥିଲେ। ଷ୍ଟକମାର୍କେଟ ଏଥିପାଇଁ କ୍ଷତି ସହିଥିଲା। ପୁଞ୍ଜି ବଜାରରେ ନିବେଶକଙ୍କୁ ଉତ୍ସାହିତ କରିବା ଲାଗି ୨୦୧୯ରେ ବଢ଼ାଯାଇଥିବା ସରଚାର୍ଜକୁ ପ୍ରତ୍ୟାହାର ନିଷ୍ପତ୍ତି ଶେୟାର ବଜାରର ମୁଡ୍‌କୁ ଠିକ୍‌ କରିବ ବୋଲି ଅର୍ଥନୀତିଞମାନେ ମତପୋଷଣ କରିଛନ୍ତି। ଜୁଲାଇରେ ଉପସ୍ଥାପିତ ବଜେଟ୍‌ରେ ସୁପର ରିଚମାନଙ୍କ ଉପରେ ସରଚାର୍ଜ ବୃଦ୍ଧି ନିଷ୍ପତ୍ତିର ପ୍ରଭାବ ୪୦ ପ୍ରତିଶତ ଫରେନ ପୋର୍ଟଫୋଲିଓ ଇନଭେଷ୍ଟ (ଏଫ୍‌ପିଆଇ) ଉପରେ ପଡ଼ିଥିଲା। ସରଚାର୍ଜ ବଢ଼ିଯିବାରୁ ଏମାନଙ୍କ ପାଇଁ ଭାରତୀୟ ଶେୟାର ବଜାରରେ ନିବେଶର ଆକର୍ଷଣ ଫିକା ପଡ଼ିଯାଇଥିଲା।

ବ୍ୟାଙ୍କ ୠଣ ଓ ଜିଏସ୍‌ଟି ଫେରସ୍ତରେ ହେବନି ସମସ୍ୟା
ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ରେଟ୍‌ରେ ହ୍ରାସ ଘୋଷଣା କରାଯାଇଛି। ଏହାର ଲାଭ ବ୍ୟାଙ୍କ ଗୁଡ଼ିକ ଗ୍ରାହକଙ୍କୁ ସୁଧହାର ହ୍ରାସ ମାଧ୍ୟମରେ ପ୍ରଦାନ କରିବେ। ଏହାଦ୍ବାରା ଆଗାମୀ ଦିନରେ ଗୃହ ଏବଂ ଅଟୋମୋବାଇଲ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ୠଣର ସୁଧ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଅର୍ଥମନ୍ତ୍ରୀ ସିଷ୍ଟମରେ ଲିକ୍ୟୁଡିଟି ହ୍ରାସକୁ ଦୂର କରିବା ପାଇଁ ଉପାୟର ଘୋଷଣା କରିଛନ୍ତି। ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକୁ ଖୁବ୍‌ ଶୀଘ୍ର ୭୦ ହଜାର କୋଟି ଟଙ୍କା ଦେବେ। ଫଳରେ ସେମାନେ ୠଣ ଦେବାକୁ ସକ୍ଷମ ହୋଇପାରିବେ। ଲିକ୍ୟୁଡିଟିରେ ୫ ଲକ୍ଷ କୋଟି ଟଙ୍କାର ମୁନାଫା ମିଳିବ। ଏବେ ସାମଗ୍ରୀ ଓ ସେବା କର (ଜିଏସ୍‌ଟି)ର ଫେରସ୍ତ ୬୦ ଦିନ ଭିତରେ ମିଳିଯିବ। ହାଉସିଂ ଫାଇନାନ୍ସ କମ୍ପାନୀ ଭଳି ୠଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକ ପାଇଁ ଲିକ୍ୟୁଡିଟି ସହାୟତା ୩୦ ହଜାର କୋଟି ଟଙ୍କା କରି ଦିଆଯାଇଛି, ଯଦ୍ଦ୍ବାରା ହୋମ ଲୋନ ବିତରଣ ବୃଦ୍ଧି ପାଇବ। ସେହିପରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଗୁଡ଼ିକର ବକେୟା ଥିବା ଜିଏସ୍‌ଟି ଫେରସ୍ତକୁ ୩୦ ଦିନ ମଧ୍ୟରେ କରାଯିବ।

ୠଣ ଆବେଦନର ହେବ ଅନ୍‌ଲାଇନ ସମୀକ୍ଷା
ଏଣିକି ୠଣ ଆବେଦନର ଅନ୍‌ଲାଇନ ସମୀକ୍ଷା କରାଯିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ୠଣ ବନ୍ଦ ହେବାର ୧୫ ଦିନ ମଧ୍ୟରେ ବ୍ୟାଙ୍କଗୁଡ଼ିକ ସିକ୍ୟୁରିଟି ସଂକ୍ରାନ୍ତ ଦସ୍ତାବିଜ ଦେବେ। ଡିମାଟ୍‌ ଖାତା ପାଇଁ କେୱାଇସି ‘ଆଧାର’ ମୁକ୍ତ ହେବ। ସେହିପରି ପଡ଼ିରହିଥିବା ପ୍ରକଳ୍ପଗୁଡ଼ିକୁ ଆଗେଇ ନେବା ପାଇଁ ସରକାର ଚେଷ୍ଟା କରିବେ। ଗୃହ ୠଣ କମ୍ପାନୀଗୁଡ଼ିକ ନ୍ୟାସନାଲ ହାଉସିଂ ବ୍ୟାଙ୍କ (ଏନ୍‌ଏଚ୍‌ବି) ଅତିରିକ୍ତ ୨୦ ହଜାର କୋଟିର ଲିକ୍ୟୁଡିଟି ପ୍ରଦାନ କରିବେ।

ଅଟୋମୋବାଇଲ ସେକ୍ଟରରେ ଉତ୍ସାହ ଫେରିବ
ଅଟୋମୋବାଇଲ ସେକ୍ଟରରେ ଚାହିଦା ବୃଦ୍ଧି ପାଇଁ ଅନେକ ପ୍ରକାର ଉପାୟ କରାଯାଉଥିବା ସୂଚନା ଅର୍ଥମନ୍ତ୍ରୀ ଦେଇଛନ୍ତି। ସେ କହିଛନ୍ତି ଯେ ଆଗାମୀ ମାର୍ଚ୍ଚ ୩୧ ସୁଦ୍ଧା କିଣାଯାଇଥିବା ବିଏସ-୪ ଗାଡ଼ି ଗୁଡ଼ିକର ପଞ୍ଜୀକରଣ ପୂରା ସମୟ ପର୍ଯ୍ୟନ୍ତ ବ୍ୟବହାର କରାଯାଇ ପାରିବ। ୱାନ ଟାଇମ ରେଜିଷ୍ଟ୍ରେସନ ଫି ବୃଦ୍ଧିର ପରିକଳ୍ପନା ୨୦୨୦ ଜୁନ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ବର୍ତ୍ତମାନ ଠାରୁ ମାର୍ଚ୍ଚ ୨୦୨୦ ମଧ୍ୟରେ କିଣାଯାଉଥିବା ଗାଡ଼ିଗୁଡ଼ିକ ଉପରେ ଅତିରିକ୍ତ ୧୫ ପ୍ରତିଶତ ଡେପ୍ରିସିଏସନ ଦିଆଯିବ। ଏଥିରେ ମୋଟ ଡେପ୍ରିସିଏସନ ବୃଦ୍ଧି ପାଇ ୩୦ ପ୍ରତିଶତ ହୋଇଯିବ। କାର ଗୁଡ଼ିକର ଚାହିଦା ବଢ଼ାଇବା ପାଇଁ ସରକାରୀ ବିଭାଗର ନୂଆ ଗାଡ଼ି କିଣିବା ନୀତି ଉପରେ ରହିଥିବା କଟକଣାକୁ ହଟାଇ ଦେଇଛନ୍ତି ଅର୍ଥମନ୍ତ୍ରୀ।

ଏଣିକି ଅପରାଧ ନୁହେଁ ସିଏସ୍‌ଆରର ଉଲ୍ଲଂଘନ
ସିଏସ୍‌ଆର ସହିତ ସଂଶ୍ଲିଷ୍ଟ ନିୟମ ଗୁଡ଼ିକର ଉଲ୍ଲଂଘନ ଏବେ ଆଉ ଅପରାଧିକ ମାମଲା ଭାବେ ବିବେଚନା କରାଯିବ ନାହିଁ। ଏହାକୁ ସିଭିଲ ମାମଲାର ପର୍ଯ୍ୟାୟଭୁକ୍ତ କରାଯିବ। ଷ୍ଟାର୍ଟଅପ ସହିତ ଯୋଡ଼ା ପ୍ରସଙ୍ଗ ଗୁଡ଼ିକର ସମାଧାନ ପାଇଁ ସିବିଡିଟିରେ ଏକ ପୃଥକ୍‌ ସେଲ୍‌ ଗଠନ କରାଯିବ। ଅର୍ଥ ବ୍ୟବସ୍ଥାରେ ନିମ୍ନଗାମୀ ସ୍ଥିତିକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ବ୍ୟାଙ୍କରେ ୭୦ ହଜାର କୋଟି ଟଙ୍କାର ଅତିରିକ୍ତ ପୁଞ୍ଜି ଜମା କରିବେ। ଯଦ୍ଦ୍ବାରା ୫ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ୠଣ ଉପଲବ୍ଧ କରିପାରିବେ। ଏଥିରେ କର୍ପୋରେଟ, କ୍ଷୁଦ୍ର ୠଣଗ୍ରହୀତା ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ସମେତ ଅନ୍ୟମାନଙ୍କୁ ବିଶେଷ ଲାଭ ମିଳିପାରିବ। ଏହି ପଦକ୍ଷେପ ଦ୍ବାରା କ୍ରେଡିଟର ବୃଦ୍ଧି ହାର ସୁଦୃଢ଼ ହେବ। ଯାହା ପାଖାପାଖି ୧୨ ପ୍ରତିଶତ ହେବ।

୫ ଲକ୍ଷ କୋଟି ଅର୍ଥନୀତି ଉପରେ ଫୋକସ୍‌
ଭାରତକୁ ୨୦୨୪-୨୫ ସୁଦ୍ଧା ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ଆଭିମୁଖ୍ୟ ନେଇ ଆଗକୁ ବଢ଼ୁଛି ଏନ୍‌ଡିଏ ସରକାର। ବ୍ୟାଙ୍କ ଗୁଡ଼ିକ ନିକଟରେ ୭୦ ହଜାର କୋଟି ଟଙ୍କା ଜମା କରି ଏହି ଉଚ୍ଚାଭିଳାଷୀ ଲକ୍ଷ୍ୟ ହାସଲ ପାଇଁ ପାଦ ବଢ଼ାଇଛନ୍ତି ସରକାର। ଏହି ଲକ୍ଷ୍ୟ ହାସଲ ହୋଇପାରେ ବୋଲି ଆସୋସିଏସନ ଅଫ କର୍ପୋରେଟ୍‌ ଆଡଭାଇଜର୍ସ ଆଣ୍ଡ ଏକ୍‌ଜିକ୍ୟୁଟିଭ ଦ୍ବାରା ଆୟୋଜିତ ଏକ ବୈଠକରେ ଯୋଗଦେଇ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମତ ପୋଷଣ କରିଛନ୍ତି। ଅର୍ଥନୀତିର ଆକାର ହିସାବରେ ଭାରତ ଏବେ ୭ମ ସ୍ଥାନରେ ରହିଛି। ଅର୍ଥନୀତିକୁ ଦୃଢ଼ତର କରିବା ଲାଗି ଆର୍ଥିକ ପ୍ୟାକେଜ ଘୋଷଣା ହୋଇଛି। ଲୋକଙ୍କ ହାତରେ ଅଧିକ ଅର୍ଥ ପହଞ୍ଚାଇବା ଲାଗି ବ୍ୟାଙ୍କ ସୁଧ ହାରକୁ ରେପୋ ରେଟ୍‌ ସହ ସଂଯୋଗ କରାଯିବ। ଏହା ଫଳରେ ୠଣ ଶସ୍ତା ହେବ ଓ ଲୋକେ ଆଗ୍ରହର ସହିତ ସାମଗ୍ରୀ କିଣିବେ। ଶିଳ୍ପ ଅଭିବୃଦ୍ଧି ଦୃଢ଼ତର ହେବ।

ଆୟକର ବିଭାଗର ସବୁ ନୋଟିସ୍‌ କେନ୍ଦ୍ରୀକୃତ ହେବ
ଆୟକର ବିଭାଗ ପକ୍ଷରୁ ହଇରାଣ କରାଯାଉଥିବା ନେଇ କର୍ପୋରେଟ୍‌ ଜଗତ ସବୁବେଳେ ଅଭିଯୋଗ କରିଆସିଛି। ଆଗାମୀ ବିଜୟା ଦଶମୀ ଅର୍ଥାତ୍‌ ଦଶହରା ଦିନ ଠାରୁ ଇନକମ ଟ୍ୟାକ୍ସ ସ୍କୃଟିନି ଫେସଲେସ ହେବ। କୌଣସି ବି ଆକଳନ କର୍ତ୍ତାଙ୍କୁ ଆୟକର ବିଭାଗର ଅଧିକାରୀଙ୍କ ନିକଟକୁ ଯିବାକୁ ପଡ଼ିବ ନାହିଁ। ଏହା ବ୍ୟତୀତ ଆୟକର ଦାଖଲକାରୀଙ୍କୁ ଯେତେ ବି ଚିଠି ଯିବ, ସେଥିରେ ଡକ୍ୟୁମେଣ୍ଟ ଆଇଡେଣ୍ଟିଫିକେସନ ନମ୍ବର ରହିବ। ଏଭଳି ନମ୍ବର ନ ଥିବା ଚିଠିକୁ ବୈଧ ଭାବେ ବିଚାର କରାଯାଇ ପାରିବ ନାହିଁ। ଯଦି କୌଣସି ଆକଳନ କର୍ତ୍ତାଙ୍କୁ ବିନା ନମ୍ବର ଯୁକ୍ତ ନୋଟିସ ମିଳିବ, ତେବେ ଏହାର ଉତ୍ତର ଦେବାର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି।

ଷ୍ଟାର୍ଟଅପ୍‌ ଉପରେ ଆଞ୍ଜେଲ ଟିକସ ଛାଡ଼
ଷ୍ଟାର୍ଟଅପ୍‌ ନିବେଶକଙ୍କ ଉପରେ ସରକାର ଲାଗୁ କରିଥିବା ଆଞ୍ଜେଲ ଟିକସକୁ ପ୍ରତ୍ୟାହାର କରି ନିଆଯାଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ଏଣିକି ଶଇଳ୍ପ ପ୍ରୋତ୍ସାହନ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ (ଡିପିଆଇଆଇଟି) ଅଧୀନରେ ପଞ୍ଜୀକୃତ ଷ୍ଟାର୍ଟଅପ୍‌ଙ୍କ କ୍ଷେତ୍ରରେ ଆୟକର ଆଇନର ଧାରା ୫୬୨ (ବି) ଲାଗୁ ହେବ ନାହିଁ।

ଦେଶର ମାନ୍ଦାବସ୍ଥା ଦୂର କରିବା ନିମନ୍ତେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିବା ମେଗା ପ୍ୟାକେଜ୍‌ ଅର୍ଥନୀତି କ୍ଷେତ୍ରରେ ସୁଧାର ଆଣିବ ବୋଲି ଆଶା କରାଯାଉଛି। ସାଧାରଣ ବର୍ଗଙ୍କ ଠାରୁ ଆରମ୍ଭ କରି ନିବେଶକଙ୍କ ପର୍ଯ୍ୟନ୍ତ ସଭିଙ୍କ ମନରେ ଏହା ଆଶା ସଞ୍ଚାର କରାଇଛି। ତତ୍‌ ସହିତ ଅର୍ଥ ପ୍ରଦାନକାରୀ ସଂସ୍ଥାକୁ ସାହାଯ୍ୟ ଓ ସହଯୋଗ ଅପରପକ୍ଷେ ଗ୍ରାହକଙ୍କୁ ଏହାର ଫାଇଦା ଉପଲବ୍ଧ କରାଇବ ବୋଲି ଅନୁମାନ କରାଯାଉଛି। ଫଳରେ ୫ ଲକ୍ଷ କୋଟି ଡଲାରର ଅର୍ଥନୀତି ହାସଲ କରିବା ଭାରତ ପକ୍ଷେ ସହଜ ହୋଇପାରିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ