ରେଡ୍‌ ମିଟ୍‌ ବଢ଼ାଉଛି ବ୍ରେଷ୍ଟ କ୍ୟାନ୍‌ସର ଆଶଙ୍କା


ରେଡ୍‌ ମିଟ୍‌କୁ ତା’ର ସ୍ବାଦ ପାଇଁ ଯଦିଓ ଲୋକେ ବହୁତ ପସନ୍ଦ କରନ୍ତି, କିନ୍ତୁ ଏଥିସହିତ ଜଡ଼ିତ ସ୍ବାସ୍ଥ୍ୟ ସମସ୍ୟାକୁ କେହି ଅଣଦେଖା କରିପାରିବେ ନାହିଁ। ଗବେଷଣାରୁ ଜଣାପଡ଼ିଛି ଯେ ରେଡ୍‌ ମିଟ୍‌ ଖାଇବା ଫଳରେ ସ୍ତନ କର୍କଟ ଆଶଙ୍କା ବଢ଼ିଯାଇଥାଏ। ଏପରିସ୍ଥଳେ କୁକୁଡ଼ା ମାଂସ ସୁରକ୍ଷିତ ହୋଇପାରେ ବୋଲି ଗବେଷକମାନେ କହିଛନ୍ତି।

ଆମେରିକାର ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏନ୍‌ଭାର୍ଣ୍ଣମେଣ୍ଟାଲ ହେଲ୍‌ଥ ସାଇନ୍ସର ଗବେଷକ ଡେଲ୍‌ ପି. ସ୍ୟାଣ୍ଡଲର କହିଛନ୍ତି ଯେ ରେଡ୍‌ ମିଟ୍‌କୁ ଏକ ସମ୍ଭାବିତ କାର୍ସିନୋଜେନ୍‌ ଭାବେ ଅଭିହିତ କରାଯାଇଛି। ରେଡ୍‌ ମିଟ ସ୍ତନ କର୍କଟ ଆଶଙ୍କା ବଢ଼ାଇଥାଏ ବୋଲି ତାଙ୍କ ଗବେଷଣାରୁ ପ୍ରମାଣ ମିଳିଥିବା ସ୍ୟାଣ୍ଡଲର କହିଛନ୍ତି। ସେହିପରି କୁକୁଡ଼ା, ବତକ ସେବନ ଦ୍ବାରା ସ୍ତନ କ୍ୟାନ୍‌ସର ଆଶଙ୍କା ରେଡ୍‌ ମିଟ୍‌ ତୁଳନାରେ କମ୍‌ ରହିଥିବା ଜଣାପଡ଼ିଛି।

ଏହି ଗବେଷଣାର ଫଳାଫଳ ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ୍‌ କ୍ୟାନ୍‌ସରରେ ପ୍ରକାଶିତ ହୋଇଛି। ଗବେଷଣା ପାଇଁ ଗବେଷକମାନେ ୪୨,୦୧୨ ଜଣ ମହିଳାଙ୍କୁ ବିଭିନ୍ନ ପ୍ରକାରର ମାଂସ ଖାଇବା ଓ ଏହାର ପ୍ରସ୍ତୁତି ପ୍ରକ୍ରିୟା ସମ୍ପର୍କରେ ବିଶ୍ଳେଷଣ କରିଥିଲେ। ଏହି ବିଶ୍ଳେଷଣ ପାଖାପାଖି ୭.୬ ବର୍ଷ ଯାଏ କରାଯାଇଥିଲା। ଏହି ବିଶ୍ଳେଷଣ ସମୟରେ ୧,୫୩୬ ଜଣଙ୍କଠାରେ ସ୍ତନ କ୍ୟାନ୍‌ସର ଚିହ୍ନଟ କରାଯାଇଥିଲା। ଗବେଷଣାରୁ ଜଣାପଡ଼ିଥିଲା ଯେ ରେଡ୍‌ ମିଟ୍‌ ମାତ୍ରାଧିକ ସେବନ ଇନ୍‌ଭେସିଭ୍‌ ବ୍ରେଷ୍ଟ କ୍ୟାନ୍‌ସର ଆଶଙ୍କା ବଢ଼ାଇଥାଏ। ଗବେଷଣା ଅନୁସାରେ ଯେଉଁ ମହିଳମାନ କମ୍‌ ରେଡ୍‌ ମିଟ୍‌ ସେବନ କରନ୍ତି ସେମାନଙ୍କ ତୁଳନାରେ ଅଧିକ ରେଡ୍‌ ମିଟ୍‌ ସେବନ କରୁଥିବା ମହିଳାଙ୍କଠାରେ ବ୍ରେଷ୍ଟ କ୍ୟାନ୍‌ସର ଆଶଙ୍କା ୨୩ ପ୍ରତିଶତ ଅଧିକ ଥିଲା।

ସେହିପରି କୁକୁଡ଼ା ଓ ବତକ ମାଂସର ଅଧିକ ସେବନ ଦ୍ବାରା ସ୍ତନ କର୍କଟ ହେବା ଆଶଙ୍କା ରେଡ୍‌ ମିଟ୍‌ ସେବନ କରୁଥିବା ମହିଳାଙ୍କଠାରୁ କମ୍‌ ଥିଲା। ଅଧିକ ମାତ୍ରାରେ କୁକୁଡ଼ା ମାଂସ ଖାଉଥିବା ମହିଳାଙ୍କ ତୁଳନାରେ କମ୍‌ ମାତ୍ରାରେ କୁକୁଡ଼ା ମାଂସ ଖାଉଥିବା ମହିଳାଙ୍କଠାରେ ସ୍ତନ କ୍ୟାନ୍‌ସର ଆଶଙ୍କା ୧୫ ପ୍ରତିଶତ କମ୍‌ ଥିଲା। ରେଡ୍‌ ମିଟ୍‌ ବଦଳରେ ଚିକେନ୍‌ ଖାଇଥିବା ମହିଳାଙ୍କ ପାଇଁ ସ୍ତନ କର୍କଟ ହେବା ଆଶଙ୍କା ଆହୁରି କମ୍‌ ମିଳିଥିବା ଗବେଷକମାନେ କହିଛନ୍ତି। ଗୋଟିଏ ସପ୍ତାହରେ ୪୫୫ ଗ୍ରାମ୍‌ରୁ ଅଧିକ ରେଡ୍‌ ମିଟ୍‌ ସେବନ କରିବା ଉଚିତ ନୁହେଁ ବୋଲି ଗବେଷକମାନେ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ