ଭାରତର ସ୍ମାଶ୍‌ ହିଟ୍‌: ଗୋଟିଏ ଦିନରେ ୨ ବିଶ୍ବ ଚାମ୍ପିଅନ୍‌


ରବିବାର (ଅଗଷ୍ଟ ୨୫) ଭାରତ ପାଇଁ କ୍ରୀଡ଼ା ଜଗତରେ ଏକ ସ୍ମରଣୀୟ ଦିବସ ହୋଇ ରହିବ। ଏହି ଦିନ ଭାରତର ଦୁଇ ଜଣ ବ୍ୟାଡ୍‌ମିଣ୍ଟନ୍‌ ତାରକା ବିଶ୍ବ ଚାମ୍ପିଅନ୍‌ ହୋଇଛନ୍ତି। ଏପରିକି ଜଣେ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ବିଶ୍ବ ଚାମ୍ପିଅନ୍‌ଶିପ୍‌ରେ ଦୁଇଟି ସ୍ବର୍ଣ୍ଣପଦକ ହାସଲ କରିବାର ରେକର୍ଡ ମଧ୍ୟ କରିଛନ୍ତି। ଏହି ଖେଳାଳି ଜଣକ ଆଉ କେହି ନୁହନ୍ତି, ବରଂ ଓଡ଼ିଶାର ପାରା ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ପ୍ରମୋଦ ଭଗତ। ସେ ପ୍ରଥମେ ଶନିବାର ପୁରୁଷ ଡବଲ୍ସରେ ଚାମ୍ପିଅନ୍‌ ହୋଇଥିବା ବେଳେ ପରେ ରବିବାର ପୁରୁଷ ସିଙ୍ଗଲ୍ସରେ ସମାନ ସଫଳତା ଦୋହରାଇପାରିଛନ୍ତି। ସେହିପରି ଭାରତର ଏକମାତ୍ର ଅଲିମ୍ପିକ୍‌ ରୌପ୍ୟ ପଦକ ବିଜେତା ପିଭି ସିନ୍ଧୁ ଭାରତ ପାଇଁ ଆଉ ଏକ ଗୌରବ ଆଣିଛନ୍ତି। ପ୍ରଥମ ଭାରତୀୟ ଭାବେ ସେ ବିଶ୍ବ ଚାମ୍ପିଅନ୍‌ ହୋଇପାରିଛନ୍ତି। ଗତ ୨୦୧୭ ଓ ୨୦୧୮ରେ ତାଙ୍କୁ ବିଶ୍ବ ଚାମ୍ପିଅନ୍‌ ହେବାର ସୁଯୋଗ ମିଳିଥିଲେ ମଧ୍ୟ ସେ ଅଳ୍ପକେ ବଞ୍ଚିତ ହୋଇଥିଲେ। କିନ୍ତୁ ରବିବାର ସେ ତାଙ୍କର ପୁରୁଣା ପ୍ରତିଦ୍ବନ୍ଦ୍ବୀ ନୋଜୋମି ଓକୁହାରାଙ୍କୁ ବେଶ୍‌ ସହଜରେ ପରାସ୍ତ କରି ବିଶ୍ବ ଚାମ୍ପିଅନ୍‌ଶିପ୍‌ରେ ତାଙ୍କର ୨୧ତମ ବିଜୟ ସହ ପଞ୍ଚମ ପଦକ ହାସଲ କରିଛନ୍ତି।

୨୦୦୬ରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଥିବା ଓଡ଼ିଶାର ବରଗଡ଼ ଜିଲ୍ଲା ଅନ୍ତର୍ଗତ ଅତାବିରା ନିବାସୀ ପ୍ରମୋଦ ପୂର୍ବରୁ ୩ ଥର ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍‌ରେ ଟାଇଟଲ୍ ହାସଲ କରିଛନ୍ତି। ସେ ୨୦୦୯ରେ କୋରିଆରେ ଅନୁଷ୍ଠିତ ସଂସ୍କରଣରେ ସର୍ବପ୍ରଥମେ ବିଶ୍ବ ଚାମ୍ପିଅନ୍‌ଶିପ୍‌ରେ ସିଙ୍ଗଲ୍ସ ଇଭେଣ୍ଟ୍‌ରେ ସ୍ବର୍ଣ୍ଣପଦକ ପାଇଥିଲେ। ପରେ ୨୦୧୩ରେ ଜର୍ମାନୀରେ ଓ ୨୦୧୫ରେ ଇଂଲଣ୍ଡରେ ଡବଲ୍ସରେ ସ୍ବର୍ଣ୍ଣପଦକ ପାଇଥିଲେ। କିନ୍ତୁ ସେ ତାଙ୍କ କ୍ୟାରିଅର୍‌ରେ ପ୍ରଥମ ଥର ପାଇଁ ବିଶ୍ବ ଚାମ୍ପିଅନ୍‌ଶିପ୍‌ରେ ଦୁଇଟି ସ୍ବର୍ଣ୍ଣପଦକ ଜିତିବାର ସଫଳତା ପାଇଛନ୍ତି। ଏହା ବ୍ୟତୀତ ପୂର୍ବରୁ ପ୍ରମୋଦ ଏସିଆନ୍‌ ପାରା ଗେମ୍ସରେ ୨୦୧୪ରେ ଦକ୍ଷିଣ କୋରିଆରେ ସିଙ୍ଗଲ୍ସ ବ୍ରୋଞ୍ଜ୍‌ ପଦକ ପାଇଥିଲେ। ୨୦୦୭ରେ ଥାଇଲାଣ୍ଡ୍‌ର ବ୍ୟାଙ୍କକ୍‌ଠାରେ ଅନୁଷ୍ଠିତ ବିଶ୍ବ ଚାମ୍ପିଅନ୍‌ଶିପ୍‌ରେ ବ୍ରୋଞ୍ଜ୍‌ ପଦକ ପାଇ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ବିଜୟ ଅଭିଯାନ ଆରମ୍ଭ କରିଥିଲେ। ଅନ୍ତର୍ଜାତୀୟ କ୍ଷେତ୍ରରେ ତାଙ୍କର ଲଗାତର ଚମତ୍କାର ପ୍ରଦର୍ଶନ ପାଇଁ ଚଳିତ ବର୍ଷ ତାଙ୍କୁ ସମ୍ମାନଜନକ ଅର୍ଜୁନ ପୁରସ୍କାର ସକାଶେ ଚୟନ କରାଯାଇଛି।

ବିଶ୍ବର ୫ ନମ୍ବର ଖେଳାଳି ସିନ୍ଧୁ ୨୦୧୩ରେ ମାଲେସିଆ ଓପନ୍‌ରେ ଟାଇଟଲ୍‌ ଜିତି ତାଙ୍କର ଅନ୍ତର୍ଜାତୀୟ ଅଭିଯାନର ଦମ୍‌ଦାର ଶୁଭାରମ୍ଭ କରିଥିଲେ। ଏହାପରେ ସେ ତାଙ୍କର ଏହି ପଦକ ବିଜୟ ଅଭିଯାନରେ କୌଣସି ପ୍ରକାର ବ୍ରେକ୍‌ ଲାଗିବାକୁ ଦେଇନାହାନ୍ତି। ସେବେଠାରୁ ସେ ଆଜି ପର୍ଯ୍ୟନ୍ତ ୨୦୧୬ ଅଲିମ୍ପିକ୍‌ରେ ରୌପ୍ୟ ପଦକ ସହ ବିଶ୍ବ ଚାମ୍ପିଅନ୍‌ଶିପ୍‌ରେ ୫ଟି ପଦକ ହାସଲ କରିସାରିଛନ୍ତି। ସର୍ବପ୍ରଥମେ ସେ ୨୦୧୩ରେ ବିଶ୍ବ ଚାମ୍ପିଅନ୍‌ଶିପ୍‌ରେ ଭାଗ ନେଇ ସେଥିରେ ବ୍ରୋଞ୍ଜ୍‌ ପଦକ ହାସଲ କରିଥିଲେ। ଏହାପର ବର୍ଷ ସେ ପୁନର୍ବାର ଏହି ପଦକ ପାଇଥିଲେ। ପରେ ୨୦୧୭ ଓ ୨୦୧୮ରେ ସେ ଲଗାତର ରୌପ୍ୟ ପଦକ ମଧ୍ୟ ହାସଲ କରିଥିଲେ। ଏହାଛଡ଼ା ସେ ଗତବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସିଆନ୍‌ ଗେମ୍ସରେ ମଧ୍ୟ ସ୍ବର୍ଣ୍ଣପଦକ ଜିତିଥିଲେ। ସ୍ବିଜରଲାଣ୍ଡ୍‌ର ବାସେଲ୍‌ରେ ରବିବାର ସେ ବିଶ୍ବ ଚାମ୍ପିଅନ୍‌ ହେବା ପରେ ଦେଶର ୨ ଶହ ବର୍ଷରୁ ଊର୍ଦ୍ଧ୍ବ ସମୟର ବ୍ୟାଡ୍‌ମିଣ୍ଟନ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏପରି ସଫଳତା ଅର୍ଜନ କରିଛନ୍ତି। ତାଙ୍କ ପୂର୍ବରୁ ପ୍ରକାଶ ପାଦୁକୋନ୍‌, ସୟଦ୍‌ ମୋଦି, ଅପର୍ଣ୍ଣା ପୋପଟ୍‌, ଚେତନ୍‌ ଆନନ୍ଦ, ପୁଲେଲା ଗୋପୀଚାନ୍ଦଙ୍କ ପରି ବହୁ କିମ୍ବଦନ୍ତୀ ଖେଳାଳି ଭାରତ ପାଇଁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ବେଶ୍‌ ସଫଳ ରହିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କେହି ବି ବିଶ୍ବ ଚାମ୍ପିଅନ୍‌ ହୋଇପାରି ନ ଥିଲେ। ଏପରିକି ସିନ୍ଧୁଙ୍କ ସମସାମୟିକ ସାଇନା ନେହ୍ବାଲ୍‌ ମଧ୍ୟ ଏହି ପ୍ରତିଯୋଗିତାରେ ରୌପ୍ୟ ପଦକ ପର୍ଯ୍ୟନ୍ତ ଯାଇପାରିଛନ୍ତି।

ତେଣୁ ଗୋଟିଏ ଦିନରେ ଭାରତ ଦୁଇ ଦୁଇଟି ବିଶ୍ବ ଟାଇଟଲ୍‌ ହାସଲ କରିବା ନିଶ୍ଚିତ ଭାବେ ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇପାରିଛି। ତା’ଛଡ଼ା ଏହା ବ୍ୟାଡ୍‌ମିଣ୍ଟନ୍‌ରେ କ୍ୟାରିଅର୍‌ କରିବାକୁ ଯାଉଥିବା ଯୁବପିଢ଼ିକୁ ମଧ୍ୟ ବେଶ୍‌ ପ୍ରୋତ୍ସାହିତ କରିବ। ଭାରତର ବ୍ୟାଡ୍‌ମିଣ୍ଟନ୍‌ ଭବିଷ୍ୟତ ଯେ ଉଜ୍ଜ୍ବଳ, ଏହା ରବିବାରର ସଫଳତା ପରେ ଆମେ ନିଶ୍ଚିତ ଭାବେ କହିପାରିବା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ