ଉତ୍ତର ପୂର୍ବାଞ୍ଚଳ ମହିଳାଙ୍କ ତାକତ: ଚଳାନ୍ତି ବିଶ୍ବର ଏକମାତ୍ର ମହିଳା ନେତୃତ୍ବାଧୀନ ବିଶାଳ ବଜାର

ନାରୀ ସଶକ୍ତିକରଣର ଉଦାହରଣ ପାଲଟିଛନ୍ତି ୪ ହଜାର ମହିଳା

ଏବେ ନାରୀ ସଶକ୍ତିକରଣକୁ ନେଇ ଦେଶରେ ଢେର ଚର୍ଚ୍ଚା। ଏପରିକି ରାଜନେତାମାନେ ଏହି ପ୍ରସଙ୍ଗକୁ ଭିତ୍ତି କରି ନିର୍ବାଚନ ଜିଣି କ୍ଷମତା ହାତେଇବାରେ ସକ୍ଷମ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଗ୍ରାଉଣ୍ଡ ଜିରୋରେ ଯଦି ବ୍ୟକ୍ତିବିଶେଷ ଭାବେ ଅଥବା ସଂଘବଦ୍ଧ ଭାବେ କେହି ଏ ଦିଗରେ କିଛି କରିପାରୁଛି, ତାକୁ ନିଶ୍ଚିତ ରୂପେ ଶ୍ରେୟ ମିଳିବା ଆବଶ୍ୟକ। ମଣିପୁରର ରାଜଧାନୀ ଇମ୍ଫାଲରେ ଏଭଳି କିଛି କରି ଦେଖାଇଛନ୍ତି ୪ ହଜାର ମହିଳା। ଏମାନଙ୍କ ପ୍ରୟାସ ଓ ନେତୃତ୍ବରେ ବିଶ୍ବର ଏକମାତ୍ର ମହିଳା ନେତୃତ୍ବାଧୀନ ବିଶାଳ ବଜାର ‘ମଦର୍ସ ମାର୍କେଟ’ ଇମା  କୈଥଲ ଚାଲୁଛି। ସାରା ଦେଶରେ ଯେ ଏହା ଉଥ୍ତର-ପୂର୍ବାଞ୍ଚଳ ମହିଳାଙ୍କ ତାକତକୁ ଦର୍ଶାଉଛି, ଏହା ନିଃସନ୍ଦେହରେ କୁହାଯାଇପାରେ।

ମିଆଁମାର ସୀମାରୁ ମାତ୍ର ୬୫ କିମି ପୂର୍ବରୁ ଭାରତର ଉତ୍ତର-ପୂର୍ବାଞ୍ଚଳରେ ଗୋଟିଏ ନିଆରା ବଜାର ବସେ। ଏହା ମଦର୍ସ ମାର୍କେଟ ଭାବେ ପରିଚିତ। ଇମ୍ଫାଲର ଏହି ବଜାରକୁ ୪ ହଜାର ମହିଳା ଚଳାନ୍ତି, ଯାହା ବିଶ୍ବର ମହିଳାଙ୍କ ନେତୃତ୍ବରେ ଚାଲୁଥିବା ଏକମାତ୍ର ବିଶାଳ ବଜାର। ଏହି ମଦର୍ସ ମାର୍କେଟ ଇମା କୈଥଲ ମାର୍କେଟ ଭାବେ ଜଣାଶୁଣା। ଏହି ବଜାର ମଣିପୁରୀ ମହିଳାଙ୍କ ସାମାଜିକ ଓ ରାଜନୈତିକ ସକ୍ରିୟତାର ଏକ ପ୍ରମୁଖ କେନ୍ଦ୍ର। ଏହି ବଜାରକୁ ପରିଚାଳନା କରୁଥିବା ମହିଳାମାନଙ୍କୁ ‘ଇମା’ କୁହାଯାଏ। ଏମାନଙ୍କ ବସିବା ଶୈଳୀକୁ ଦେଖିଲେ ସେମାନଙ୍କ ଶକ୍ତି ଓ ସାମର୍ଥ୍ୟ ସମ୍ପର୍କରେ ପରିକଳ୍ପନା କରିହେବ। ସେମାନେ ଉଚ୍ଚ ଚଉତରା ବା ପିଣ୍ଡି ଉପରେ ଗୋଡ଼କୁ ମୋଡ଼ି ଅଣ୍ଟାକୁ ଝୁଙ୍କାଇ ବସିଥାନ୍ତି। ସେମାନେ ବଜାରକୁ ଆସୁଥିବା ଆଗନ୍ତୁକମାନଙ୍କ ଆଖି ସହ ଆଖି ମିଶାଇ ଥଟ୍ଟା ପରିହାସ ସହିତ ମଜା ମଜା କଥା କହିଥାନ୍ତି। ଏହି ବଜାରରେ ସ୍ଥାନୀୟ ପୁରୁଷ ବ୍ୟବସାୟୀଙ୍କ ଉପସ୍ଥିତି ଆଦୌ ନ ଥାଏ। ତିନୋଟି ବଡ଼ ବଡ଼ ଦୁଇ ମହଲା କୋଠାରେ ବଜାର ବସିଥାଏ। ଯାହାର ଛାତ ଗୁଡ଼ିକ ମଣିପୁରୀ ଶୈଳୀରେ ନିର୍ମିତ। ଏଠାରେ ଖାଇବା ପିଇବା ଦ୍ରବ୍ୟର ଦୋକାନ ଓ ପୋଷାକ ଦୋକାନ ଗୁଡ଼ିକର ସଂଖ୍ୟା ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ହେଉଥିବା ଦୋକାନ ସଂଖ୍ୟା ଠାରୁ ଅଧିକ। ବଜାରରେ ଯେତେବେଳେ ଭିଡ଼ କମ୍‌ ହୋଇ ଆସେ, ସେତେବେଳେ ଏହି ମହିଳା ବ୍ୟବସାୟୀମାନଙ୍କୁ ଲୁଡୁ ପାଲି ଖେଳୁଥିବାର ଦେଖାଯାଏ, ଯାହାକି ସେମାନଙ୍କର ପସନ୍ଦର ଟାଇମ୍‌ ପାସ ଖେଳ।

ହାତରେ ବୁଣାଯାଇଥିବା ଗୋଟିଏ ସ୍କାର୍ଫକୁ ଧରି ଗ୍ରାହକଙ୍କ ଅପେକ୍ଷାରେ ବସିଥିଲେ ଥାଟାଢୋବି ଚନ୍ଥମ। ଷୋଡ଼ଶ ଶତାବ୍ଦୀରେ ମଣିପୁରର ଏହି ବଜାର ଆରମ୍ଭ ହୋଇଥିବାର ସେ ସୂଚନା ଦେଇଥିଲେ। ମଣିପୁରରେ ଟଙ୍କା ପଇସାର ପ୍ରଚଳନ ପୂର୍ବରୁ ଏହି ବଜାରରେ ଦ୍ରବ୍ୟ ବିନିମୟ ମାଧ୍ୟମରେ କିଣାବିକା ହେଉଥିଲା। ଚାଉଳ ବସ୍ତା ବଦଳରେ ମାଛ, କଂସା ଗିନା, ଥାଳି, ତାଟିଆ ଏବଂ ବିବାହ ପୋଷାକ କିଣାଯାଉଥିଲା। ୨୦୦୩ରେ ରାଜ୍ୟ ସରକାର ଇମା କୈଥଲ ଜାଗାରେ ଗୋଟିଏ ଅତ୍ୟାଧୁନିକ ଶପିଙ୍ଗ ସେଣ୍ଟର ନିର୍ମାଣ କରିବାର ଘୋଷଣା କରିଥିଲେ। କିନ୍ତୁ ଏହାକୁ ନେଇ ଜୋର୍‌ଦାର ବିରୋଧ ହେବା ପରେ ସରକାର ନିଜ ନିଷ୍ପତ୍ତିରୁ ଓହରିଥିଲେ। ଇମା କୈଥଲର ତିନିଟି କୋଠାର ଠିକ୍‌ ବାହାରେ ମଧ୍ୟ ଶତାଧିକ ମହିଳା ବ୍ୟବସାୟୀ ବସନ୍ତି। ଏମାନେ ଫଳ, ପନିପରିବା, ଔଷଧୀୟ ଜଡ଼ିବୁଟି ଏବଂ ଶୁଖୁଆ ଆଦି ବିକ୍ରି କରିଥାନ୍ତି।

କଞ୍ଚାଲଙ୍କା ସହ ନିର୍ଦ୍ଦିଷ୍ଟ ଏକ ପରିବାକୁ ବାଟି ଏକ ସ୍ବତନ୍ତ୍ର ଚଟଣୀ ପ୍ରସ୍ତୁତ କରାଯାଇଥାଏ। ଏହି ଚଟଣୀର ବାସ୍ନା ଆଖପାଖ ଗଳିକନ୍ଦି ଯାଏ ଛୁଟିଥାଏ। ଶୁଖୁଆ ଓ ଚଟଣୀର ବାସ୍ନା ଦୂର ଦୂର ଯାଏ ଜଣାପଡ଼େ। ବଜାରର ବାହାରେ ବସୁଥିବା ଏହି ମହିଳାମାନଙ୍କ ନିକଟରେ କୈଥଲରେ ଦୋକାନ ଲଗାଇବା ପାଇଁ ଲାଇସେନ୍ସ ନ ଥାଏ। ତେଣୁ ସେମାନେ ବଜାର ବାହାରେ ରାସ୍ତାକଡ଼ ମାନଙ୍କରେ ଦୋକାନ ଖୋଲନ୍ତି। ପୋଲିସ ବେଳେ ବେଳେ ଏହି ମହିଳାମାନଙ୍କ ସାମଗ୍ରୀ ସବୁକୁ ରାସ୍ତା ଉପରେ ଫିଙ୍ଗିଦିଏ।

ବଜାରର ୪ ହଜାର ମହିଳା ବ୍ୟବସାୟୀଙ୍କୁ ନେଇ ଏକ ସଂଗଠନ ରହିଛି। ଏହାର ନାମ ହେଉଛି ଖୈରମ୍ବଦ ନୁରୀ କୈଥଲ। ଗୋଟିଏ କୋଠାର ଉପର ମହଲାରେ ଏହାର କାର୍ଯ୍ୟାଳୟ। ଦ୍ବାର ନିକଟରେ ଗୋଟିଏ ସିକ୍ୟୁରିଟି ଗାର୍ଡ ମୁତୟନ ହୋଇଛି। ୬୦ ବର୍ଷର ଶାନ୍ତି କ୍ଷେତ୍ରୀ ମୟମ ଖୈରମ୍ବଦ ନୁରୀ କୈଥଲର ଅଧ୍ୟକ୍ଷ। ସେ ଚାରୋଟି ସନ୍ତାନର ଜନନୀ। ତାଙ୍କର ସ୍ବର ଓ ଯୁକ୍ତି ଖୁବ୍‌ ଶାଣିତ ଓ ସ୍ପଷ୍ଟ। ସେଥିପାଇଁ ସେ ୪ ହଜାର ମହିଳାଙ୍କ ଅଧ୍ୟକ୍ଷ ହୋଇପାରିଛନ୍ତି ବୋଲି କହନ୍ତି। ଯେତେବେଳେ ଖୈରମ୍ବଦ ନୁରୀ କିଛି ଗୋଟାଏ କହିବାକୁ ଆରମ୍ଭ କରନ୍ତି, ସମସ୍ତ ଇମା ଧ୍ୟାନ ଦେଇ ଶୁଣନ୍ତି। ସେ ସଫା ସଫଳ କହିଦିଅନ୍ତି ଇମାମାନଙ୍କୁ କୌଣସି ଶକ୍ତି ମଣିପୁରୀ ବଜାରରୁ ବାହାର କରିଦେଇ ପାରିବେ ନାହିଁ। କେବଳ ବ୍ୟବସାୟିକ ସ୍ବାର୍ଥ ନୁହେଁ, ଅନ୍ୟ ପ୍ରସଙ୍ଗ ନେଇ ମଧ୍ୟ ଇମାମାନେ ଲଢ଼େଇ କରି ରାଜ୍ୟର ସ୍ବାର୍ଥକୁ ସୁରକ୍ଷିତ ରଖୁଛନ୍ତି। କଙ୍ଗଲା ଜିଲାରେ ମଣିପୁରୀ ରାଇଫଲ୍ସର ଦୌରାତ୍ମ୍ୟ ବିରୋଧରେ ନଗ୍ନ ପ୍ରତିବାଦ କରି ସେମାନେ ସେନାକୁ ସେଠାରୁ ଫେରାଇ ଦେବାରେ ସକ୍ଷମ ହୋଇଥିବା ନୁରୀ କହନ୍ତି।

ରାନି ଥିଙ୍ଗୁଜମଙ୍କ ବୟସ ୫୬। ଖୈରମ୍ବଦ ନୁରୀ କୈଥଲ ସଂଗଠନର ସେ ସମ୍ପାଦକ। ସେ ବଜାରରେ ମାଛ ଦୋକାନଟିଏ କରିଛନ୍ତି। ତାଙ୍କୁ ଯେତେବେଳେ ୩୦ ବର୍ଷ ହୋଇଥିଲା ସେଇ ଦିନଠୁ ସିଏ ଏଡି ବଜାରର ବିକ୍ରେତା ସାଜିଛନ୍ତି। ତାଙ୍କ ସ୍ବାମୀ ତାଙ୍କୁ ଛାଡ଼ି ଆଉ ଏକ ସ୍ତ୍ରୀ ନେଇ ଘରୁ ଚାଲିଯିବା ପରେ ସେ ଏପରି ପେସାରେ ପ୍ରବେଶ କରିଥିବା ଦର୍ଶାନ୍ତି। ରାନି ଥିଙ୍ଗୁଜମ ନିଜ ଜୀବନକୁ ବଜାର ପାଇଁ ଉତ୍ସର୍ଗ କରିଛନ୍ତି। ୨୦୧୯ ଜାନୁଆରୀରେ ମହିଳାଙ୍କ ହକ୍‌ ଦାବି ପୂରଣ ପାଇଁ ରାନି ବିମାନରେ ଦିଲ୍ଲୀ ଯାଇ ସଂସଦରେ ନିଜ ପକ୍ଷ କିଭଳି ରହିବ ତା’ର ବ୍ୟବସ୍ଥା କରାଇପାରିଥିଲେ। ମଣିପୁର ଦିଲ୍ଲୀ ଠାରୁ ୨୪୦୦ କିଲୋମିଟର ଦୂରରେ ରହିଥିଲେ ବି ଏହାକୁ ଅଣଦେଖା କରାଯାଇ ପାରିବ ନାହିଁ ବୋଲି ସେମାନେ ସରକାରଙ୍କୁ ଶୁଣାଇଥିଲେ।

ଇମା କୈଥଲର ଅଧିକାଂଶ ମହିଳା ମୋତେଇ ସମ୍ପ୍ରଦାୟର। ଯେଉଁମାନେ କି ମଣିପୁରର ମୂଳ ନିବାସୀ। ମୋତେଇ ସମ୍ପ୍ରତି ଇମ୍ଫାଲ ଏବଂ ଆଖପାଖ ଘାଟିର ପ୍ରମୁଖ ସଂସ୍କୃତି ଅଟେ। ଏମାନେ ମୋତେଇ ସଂସ୍କୃତିର ସୁରକ୍ଷା ସହିତ ସାରା ଦେଶର ମହିଳାଙ୍କ ସମସ୍ୟାକୁ ନେଇ ଲଢ଼ିବା ପାଇଁ ଚାହାନ୍ତି। କଙ୍ଗଲା ଦୁର୍ଗର ଯୁବତୀମାନେ ହସନ୍ତି, ଫଟୋ ଉଠାଇବା ପାଇଁ ପୋଜ୍‌ ଦେଇଥାନ୍ତି। ଘାସର ଲେନ ଉପରେ ଜଣେ ଆଉଜଣକର ହାତକୁ ଭିଡ଼ି ଧରି ନାଚିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତି। କିନ୍ତୁ ୨୦୦୪ ପୂର୍ବରୁ ଏଭଳି ଚିନ୍ତା ମଧ୍ୟ କରାଯାଇ ପାରୁ ନ ଥିଲା। ଏହାର ଶ୍ରେୟ ଇମା କୈଥଲର ମହିଳାମାନଙ୍କ ନିକଟକୁ ଯାଇଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ