ଅନନ୍ୟ ଯୁବନେତା ଥିଲେ ଅରୁଣ: ଖାଇବା, ପିନ୍ଧିବା ଓ ବନ୍ଧୁ ଚର୍ଚ୍ଚାରେ ଭାରି ସଉକିଆ

ପ୍ରଚଣ୍ଡ ପ୍ରତିଭା ସାଙ୍ଗକୁ ଏହି ମାନବସୁଲଭ ଗୁଣ ଜେଟଲୀଙ୍କୁ ସ୍ମରଣୀୟ କରିରଖିବ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ଦେହାନ୍ତ ହୋଇଛି। ଜଣେ ବିଚକ୍ଷଣ ରାଜନେତାଙ୍କୁ ହରାଇଛି ଦେଶ। ବାଜପେୟୀଙ୍କ ପରେ ଦ୍ବିତୀୟ ଧାଡ଼ିର ତୁଙ୍ଗ ନେତା ଜେଟଲୀ ପ୍ରାୟ ୨ ବର୍ଷ ହେବ ଅସୁସ୍ଥ ଥିଲେ। ଶନିବାର ଦିନ ୧୨ଟା ୭ ମିନିଟରେ ୬୬ ବର୍ଷ ବୟସରେ ତାଙ୍କର ପରଲୋକ ପ୍ରାପ୍ତି ଘଟିଛି। ଦିଲ୍ଲୀ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା (ଏମ୍‌ସ)ରେ ଚିକିତ୍ସାଧୀନ ସମୟରେ ତାଙ୍କର ମୃତ୍ୟୁ ଘଟିଛି। ଜେଟଲୀଙ୍କ ନିଧନ ପରେ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଗଭୀର ଶୋକ ବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ହାଇଦ୍ରାବାଦ ଗସ୍ତରୁ କାଣ୍ଟଛାଣ୍ଟ କରି ଗୃହମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀ ଫେରିଛନ୍ତି।

ସୁପ୍ରିମକୋର୍ଟର ପ୍ରତିଷ୍ଠିତ ଓକିଲ ଜେଟଲୀ ପିଲାଟିଦିନରୁ ଭଲ ଖାଇବା ଓ ଭଲ ପିନ୍ଧିବାକୁ ପସନ୍ଦ କରୁଥିଲେ। ଦିଲ୍ଲୀ ବିଶ୍ବବିଦ୍ୟାଳୟର ଛାତ୍ରନେତା ଭାବେ ଆନ୍ଦୋଳନରେ ସାମିଲ ହୋଇ ୧୯୭୫ରେ ସେ ଯେତେବେଳେ ତିହାର ଜେଲ୍‌ରେ ଲାଲକୃଷ୍ଣ ଆଡଭାନୀଙ୍କ ସହିତ ଗୋଟିଏ ସେଲ୍‌ରେ ରହିଲେ, ତା’ ପରଠୁ ତାଙ୍କ ରାଜନୈତିକ କ୍ୟାରିଅରର ନୂଆ ଯାତ୍ରା ଆରମ୍ଭ ହେବାକୁ ଲାଗିଲା। ଅରୁଣ ଜେଟଲୀ ନିଜର ପାଠପଢ଼ା ଦିଲ୍ଲୀର ସେଣ୍ଟ ଜାଭିଅର୍ସ ସ୍କୁଲ ଏବଂ ପ୍ରସିଦ୍ଧ ଶ୍ରୀରାମ କଲେଜ ଅଫ କମର୍ସରୁ କରିଥିଲେ। ସେହି ସମୟରେ ଜେଟଲୀ ଲମ୍ବା ଚୁଟି ରଖୁଥିଲେ ଏବଂ ଜନ ଲେନନଙ୍କ ଭଳି ବିଟନ୍ସ ଚଷମା ପରିଧାନ କରୁଥିଲେ। ସେ ମଞ୍ଚ ଉପରେ ଘଣ୍ଟା ଘଣ୍ଟା ଧରି ଭାଷଣ ଦେଇପାରୁ ଥିଲେ କିନ୍ତୁ ମଞ୍ଚ ତଳେ ସେ ଅତ୍ୟନ୍ତ ଲଜ୍ଜାଶୀଳ ଥିଲେ। ସିନେମା ଦେଖିବାକୁ ସେ ଅଧିକ ପସନ୍ଦ କରୁଥିଲେ ଏବଂ ‘ପଡ଼ୋଶନ’ ସିନେମା ସେ ୩ ଥର ଦେଖିଥିଲେ। ବଲିଉଡ୍‌ର ଚିର ସବୁଜ ତାରକା ଦେବାନନ୍ଦଙ୍କ ସୁପରହିଟ୍‌ ଫିଲ୍ମ ‘ଜନୀ ମେରା ନାମ’ର ସଂଳାପ ଠାରୁ ଆରମ୍ଭ କରି ଦେବାନନ୍ଦ କେଉଁ ରଙ୍ଗର ପୋଷାକ ପିନ୍ଧୁଥିଲେ ଓ କିଭଳି ଷ୍ଟାଇଲ ଆପଣାଉଥିଲେ, ସେତେ ପର୍ଯ୍ୟନ୍ତ ସେ ସବୁକିଛି ମନେରଖି ସାଙ୍ଗମାନଙ୍କ ସହ ଚର୍ଚ୍ଚା କରୁଥିଲେ।

୧୯୭୭ରେ ଜନତା ପାର୍ଟି ଗଠନ ହେବା ପରେ ବାଜପେୟୀ ତାଙ୍କୁ ୭୭ର ନିର୍ବାଚନ ଲଢ଼ିବାକୁ କହିଥିଲେ। କିନ୍ତୁ ଅରୁଣଙ୍କ ବୟସ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ଉଦ୍ଦିଷ୍ଟ ବୟସ ଠାରୁ ବର୍ଷେ କମ୍‌ ଥିଲା। ଅରୁଣଙ୍କ ବିବାହ ସଙ୍ଗୀତା ଡୋଗ୍ରାଙ୍କ ସହିତ ହୋଇଥିଲା ଯିଏକି କଂଗ୍ରେସର ବଡ଼ ନେତା ଗିରିଧାରୀ ଲାଲ ଡୋଗ୍ରାଙ୍କ କନ୍ୟା ଥିଲେ। ଗିରିଧର ଦୁଇଥର ଜମ୍ମୁରୁ ସାଂସଦ ଭାବେ ନିର୍ବାଚିତ ହେବା ସହ ଜମ୍ମୁ-କଶ୍ମୀର ସରକାରରେ ଅର୍ଥମନ୍ତ୍ରୀ ଥିଲେ। ଅରୁଣଙ୍କ ବିବାହରେ ଅଟଳ ବିହାରୀ ବାଜପେୟୀ ଏବଂ ଇନ୍ଦିରା ଗାନ୍ଧି ଉଭୟେ ଯୋଗଦାନ କରିଥିଲେ। ଅରୁଣ ଜେଟଲୀ ନିଜ ସମୟରେ ଭାରତର ଅନ୍ୟତମ ପ୍ରମୁଖ ମହଙ୍ଗା ଓକିଲ ଥିଲେ। ଦାମୀ ଘଣ୍ଟା କିଣିବା ତାଙ୍କର ଆଉ ଏକ ସଉକ ଥିଲା।

ବଲ୍‌ ପେନ ଏବଂ ଶାଲ ସଂଗ୍ରହ କରିବାର ଅଦ୍ଭୁତ ନିଶା ତାଙ୍କ ଠାରେ ଦେଖିବାକୁ ମିଳିଥିଲା। ଏକ ନିର୍ଦ୍ଦିଷ୍ଟ କଲମ କିଣିବା ପାଇଁ ଦେଶରେ ସୁଯୋଗ ନ ମିଳିଲେ ସେ ସାମ୍ବାଦିକ କୁଳଦୀପ ନାୟରଙ୍କ ପୁଅ ତଥା ବନ୍ଧୁ ରାଜୀବ ନାୟରଙ୍କ ଦ୍ବାରା ବିଦେଶରୁ ମଗାଉଥିବାର ନଜିର ରହିଛି। ସେ ଦାମୀ ଜିନିଷ ବ୍ୟବହାର କରିବା ପରି ଭଲ ଖାଇବା ଉପରେ ରୁଚି ରଖିଥିଲେ। ଦିଲ୍ଲୀର ସବୁଠୁ ପୁରୁଣା କ୍ଳବ ମଧ୍ୟରୁ ପ୍ରମୁଖ ରୋଶନାରା କ୍ଲବର ଖାନା ପ୍ରତି ତାଙ୍କର ସ୍ବତନ୍ତ୍ର ଆଗ୍ରହ ଥିଲା। କନ୍ନଟ ପ୍ଲେସର ପ୍ରସିଦ୍ଧ କ୍ବାଲିଟି ରେସ୍ତୋରାଁର ଚଣାଭଟୁରେ ତାଙ୍କର ସବୁଠୁ ପ୍ରିୟ ଖାଦ୍ୟ ଥିଲା। ପୁରୁଣା ଦିଲ୍ଲୀର ସ୍ବାଦିଷ୍ଟ ଜଲେବୀ, କଚୋଡ଼ି, ରାବିଡ଼ି ଖାଇବାର ସୁଯୋଗକୁ ସେ ହାତଛଡ଼ା କରୁ ନ ଥିଲେ। କିନ୍ତୁ ତାଙ୍କର ମଧୁମେହ ଥିବା ଜଣାପଡ଼ିବା ମାତ୍ରେ ତାଙ୍କର ସବୁ ପସନ୍ଦ ମଉଳି ଯାଇଥିଲା। ତାଙ୍କର ଭୋଜନ ଥାଳିରେ ମାତ୍ର ଗୋଟିଏ ରୁଚି ଓ ଆଉ କିଛି ସାଦା ତରକାରୀ ସୀମିତ ହୋଇ ରହିଗଲା। ୨୦୧୪ରେ ଜଣେ ଅର୍ଥମନ୍ତ୍ରୀ ଭାବେ ବସିକରି ବଜେଟ୍‌ ପଢ଼ିବା ପାଇଁ ବାଚସ୍ପତି ସୁମିତ୍ରା ମହାଜନଙ୍କ ଠାରୁ ସେ ଅନୁମତି ଭିକ୍ଷା କରିଥିଲେ।

ଜେଟଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଙ୍କଟମୋଚକ ଥିଲେ। ମୋଦିଙ୍କ ପ୍ରଥମ ପ୍ରଧାନମନ୍ତ୍ରିତ୍ବ କାଳରେ ତାଙ୍କୁ ଅର୍ଥ, ପ୍ରତିରକ୍ଷା, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଦାୟିତ୍ବ ଦିଆଯାଇଥିଲା। ତାଙ୍କ ଅର୍ଥମନ୍ତ୍ରିତ୍ବ କାଳରେ ସେ ବିମୁଦ୍ରିକରଣ ଏବଂ ଗୋଟିଏ ଦେଶ ଗୋଟିଏ ଟିକସ ବ୍ୟବସ୍ଥା ପାଇଁ ଜିଏସ୍‌ଟି ବ୍ୟବସ୍ଥା ପ୍ରଚଳନ କରିଥିଲେ। କଳା ଟଙ୍କା ଉପରେ ଅଙ୍କୁଶ ଲଗାଇବା ପାଇଁ କଠୋର ଆଇନ ପ୍ରଣୟନ କରିଥିଲେ। ଦେଶର ଆର୍ଥିକ ବୋଝ କମାଇବା ପାଇଁ ସ୍ବତନ୍ତ୍ର ରେଳୱେ ବଜେଟ୍‌ ଉପସ୍ଥାପନା ବନ୍ଦ କରାଯାଇଥିଲା। ଗୁଜରାଟ ଦଙ୍ଗା, ଏନକାଉଣ୍ଟର ପ୍ରସଙ୍ଗକୁ ନେଇ ମୋଦିଙ୍କୁ ଜୋର୍‌ଦାର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିବା ବେଳେ ଜେଟଲୀ ମୋଦିଙ୍କ ସୁରକ୍ଷା କବଚ ହୋଇ ଠିଆ ହୋଇଥିଲେ।

ଅରୁଣଙ୍କ ଘରେ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ପ୍ରକୋଷ୍ଠ ଥିଲା। ଯାହାକୁ ସେ ଜେଟଲୀ ଡେନ ବୋଲି କହୁଥିଲେ। ଏଠାରେ ସେ ନିଜର ଖାସ୍‌ ବନ୍ଧୁଙ୍କୁ ଭେଟୁଥିଲେ। ସୁହେଲ ସେଠ, ରେୟାନ କରଞ୍ଜ ବାଲା, ରାଜୀବ ନାୟର ଏବଂ ହିନ୍ଦୁସ୍ତାନ ଟାଇମ୍ସର ମାଲିକ ଶୋଭନା ଭରତିୟା ଏବଂ ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କୁ ଏଠାରେ ଦେଖିବାକୁ ମିଳୁଥିଲା। ଅରୁଣ ଯେତେବେଳେ ବାଜପେୟୀ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ହୋଇଥିଲେ, ସେତେବେଳେ ସେ ନିଜର କିଛି ବନ୍ଧୁଙ୍କ ସହ ନୈନିତାଲ ଯାଇଥିଲେ। ତାଙ୍କୁ ରାଜଭବନ ଅତିଥି ନିବାସରେ ରଖାଯାଇଥିଲା।

ତାଙ୍କର ବନ୍ଧୁ ସୁହେଲ ସେଠ ‘ଓପନ’ ନାମକ ଏକ ପତ୍ରିକାରେ ‘ମାଇଁ ଫ୍ରେଣ୍ଡ ଅରୁଣ ଜେଟଲୀ’ ଶୀର୍ଷକରେ ଏକ ଲେଖା ଲେଖି ସେଥିରେ ନୈନିତାଲର ଅଭିଞତା ଦର୍ଶାଇଛନ୍ତି। ଲେଖିଛନ୍ତି, ଚେକ୍‌ଆଉଟ କରିବା ପୂର୍ବରୁ ଅରୁଣ ସବୁ ରୁମ୍‌ର ଭଡ଼ା ନିଜ ପକେଟ୍‌ରୁ ଦେଇଥିଲେ। ଜଣେ କେନ୍ଦ୍ରମନ୍ତ୍ରୀ ସରକାରୀ ଅତିଥି ନିବାସର ଭଡ଼ା ନିଜ ପକେଟ୍‌ରୁ ଦେଇଥିବାର ବିରଳ ଅନୁଭବ ହୋଇଥିବା ନିୟୋଜିତ କର୍ମଚାରୀମାନେ ସୂଚାଇଥିଲେ।

ଅରୁଣ ଜେଟଲୀଙ୍କ ପରିବାର ସ୍ବାଧୀନତା ପରେ ବିଭାଜିତ ପାକିସ୍ତାନରୁ ଭାରତ ଚାଲିଆସିଥିଲେ।  ୧୯୪୭ ମସିହା ପୂର୍ବରୁ ଅରୁଣଙ୍କ ପରିବାର ଲାହୋରରେ ଥିଲେ। ତାଙ୍କ ଦାଦାଜୀ ବିଭାଜନ ପରେ ପରେ ଲାହୋରରୁ ଦିଲ୍ଲୀ ଆସି ନାରାୟଣ ବିହାର ଅଞ୍ଚଳରେ ଅବସ୍ଥାନ କରିଥିଲେ। ଅରୁଣ ଜେଟଲୀଙ୍କ ପିତା ମହାରାଜ କିଷନ ଜେଟଲୀ ମଧ୍ୟ ବୃତ୍ତିରେ ଓକିଲ ଥିଲେ। ପିତାଙ୍କ ପଦାଙ୍କ ଅନୁସରଣ କରି ଅରୁଣ କଳା କୋର୍ଟ ପିନ୍ଧିଲେ। ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ୧୯୭୭ରେ ଓକିଲାତିରେ ସ୍ନାତକ କରିଥିଲେ ସେ। ୨୮ ଡିସେମ୍ବର ୧୯୫୨ରେ ପଞ୍ଜାବୀ ହିନ୍ଦୁ ବ୍ରାହ୍ମଣ ପରିବାରରେ ଜନ୍ମିତ ଜେଟଲୀଙ୍କ ତିନି ପିଢ଼ି ଓକିଲାତି ପେସାରେ। ଅରୁଣଙ୍କ ପୁଅ ରୋହନ ଜେଟଲୀ ଓ ଝିଅ ସୋନାଲି ଜେଟଲୀ ଏବେ ମଧ୍ୟ ବାପାଙ୍କ ପରି ଓକିଲାତି ପେସାରେ ପାଦ ଥାପିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ