ଓଡ଼ିଶାକୁ ଲାଗିଛି ଗ୍ରହଣ: ବିକାଶ ରାସ୍ତାରେ ବିପର୍ଯ୍ୟୟ କଣ୍ଟା

ଡରାଇ ଚାଲିଛି ବାତ୍ୟା, ବନ୍ୟା ଓ ମରୁଡ଼ି, ସରକାର ଚେତିବେ କେବେ?

ଭୁବନେଶ୍ବର: ପ୍ରକୃତି କୋଳରେ ହସିଖେଳି ଆସିଥିବା ଓଡ଼ିଶାକୁ ଏବେ ଲାଗିଛି ଗ୍ରହଣ। ପ୍ରାକୃତିକ ସମ୍ପଦରେ ଭରପୁର ଓଡ଼ିଶା ସମଗ୍ର ବିଶ୍ବରେ ଏକ ସ୍ବତନ୍ତ୍ର ପରିଚିତି ହାସଲ କରିଥିବା ବେଳେ ଆଜିକାଲି ଲଗାତର ସଙ୍କଟର ସମ୍ମୁଖୀନ ହେଉଛି। ନିୟମିତ ବ୍ୟବଧାନରେ ଓଡ଼ିଶାକୁ ଡରାଇ ଚାଲିଛି ପ୍ରକୃତି। ଓଡ଼ିଶାର ଚିର ସହଚର ସାଜିଛି ପ୍ରାକୃତିକ ବିପର୍ଯ୍ୟୟ। ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି ଓଡ଼ିଶା। ଓଡ଼ିଶାରେ ପ୍ରାୟତଃ ପ୍ରତିବର୍ଷ ବନ୍ୟା, ବାତ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟମାନ ଘଟୁଛି। ବର୍ଷେ ବର୍ଷେ ଏହି ବିପର୍ଯ୍ୟୟ ଏତେ ସାଙ୍ଘାତିକ ହେଉଛି ଯେ ରାଜ୍ୟର ଆର୍ଥିକ ମାନଦଣ୍ଡକୁ ଦୋହଲାଇ ଦେଉଛି। ଗତ ୨୫ ବର୍ଷ ଭିତରେ ଓଡ଼ିଶାରେ ମହାବାତ୍ୟା ସମେତ ୬ଟି ଭୟଙ୍କର ବାତ୍ୟା ଘଟିଥିବା ବେଳେ ୧୭ ଥର ବ୍ୟାପକ ବନ୍ୟା ଓ ୧୧ଟି ସାଙ୍ଘାତିକ ମରୁଡ଼ି ଉପୁଜିଛି। ୧୯୯୪-୯୫ରୁ ୨୦୧୯-୨୦ ମଧ୍ୟରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଓଡ଼ିଶାର ୮୫ ହଜାର ୩୧୩ କୋଟି ଟଙ୍କାର କ୍ଷୟକ୍ଷତି ଘଟିଛି। ଫଳରେ ଓଡ଼ିଶାର ବିକାଶ ରାସ୍ତାରେ କଣ୍ଟା ସାଜିଛି ପ୍ରାକୃତିକ ବିପର୍ଯ୍ୟୟ। ଏହାଦ୍ବାରା ବିକାଶର ଡଙ୍କ ଯେ ମୋଡ଼ି ହୋଇଯାଇଛି ତାହା ନୁହେଁ, ବରଂ ଏଥିଯୋଗୁ ରାଜ୍ୟବାସୀ ଘୋର ଦୁର୍ଦ୍ଦଶା ଭିତରକୁ ଠେଲି ହୋଇଯାଉଛନ୍ତି। କିଛି ବାଟ ଆଗକୁ ବଢ଼ୁଥିବା ବେଳେ ପୁଣି ପଛକୁ ଫେରିବାକୁ ପଡ଼ୁଛି। ପୂର୍ବାବସ୍ଥାକୁ ଫେରିବାରେ ଯେତିକି ସମୟ ଓ ଅର୍ଥ ଅପଚୟ ହେଉଛି, ତାହା ରାଜ୍ୟର ବିକାଶକୁ କାହିଁ କେତେ ଗୁଣରେ ଆଗକୁ ନେଇଯାଇ ପାରନ୍ତା।

ବିକାଶର ଗୋଡ଼ ଟାଣୁଛି ବିପର୍ଯ୍ୟୟ
ରାଜ୍ୟ ସରକାର କାଗଜପତ୍ରରେ କ୍ଷୟକ୍ଷତିର ଯେଉଁ ଚିତ୍ର ଆଙ୍କୁଛନ୍ତି, ତା’ ଠାରୁ ଢେର୍ ଅଧିକ କ୍ଷତି ସହୁଛନ୍ତି ଲୋକେ। ଚାଷ ଉଜୁଡ଼ିଛି, ଚାଷୀର ଆର୍ଥିକ ମେରୁଦଣ୍ଡ ବି ଦୋହଲିଯାଇଛି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଓଡ଼ିଶାର ଲୋକଙ୍କ ମଧ୍ୟରୁ ପ୍ରାୟ ୩୩ ପ୍ରତିଶତ କ୍ରମାଗତ ପ୍ରାକୃତିକ ଦୁର୍ବିପାକର ଶିକାର ହୋଇଛନ୍ତି ବୋଲି ଏକ ପରିସଂଖ୍ୟାନରୁ ଜଣାପଡ଼ିଛି। ଫଳରେ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଉପରେ ବାରମ୍ବାର ଆଘାତ ଲାଗୁଛି। କ୍ଷତିଗ୍ରସ୍ତ ହେଉଥିବା ଭିତ୍ତିଭୂମି ଓ ଲୋକଙ୍କ ବାସଗୃହର ପୁନଃ ନିର୍ମାଣ କ୍ଷେତ୍ରରେ ମଧ୍ୟ ଉଭୟ ସରକାର ଓ ସାଧାରଣ ଲୋକଙ୍କ ଉପରେ ମଧ୍ୟ ଆର୍ଥିକ ବୋଝ ପଡ଼ୁଛି। ଯଦି ବାରମ୍ବାର ପ୍ରାକୃତିକ ଦୁର୍ବିପାକ ନ ଘଟନ୍ତା, ତେବେ ଏ ବାବଦରେ ବ୍ୟୟ ହେଉଥିବା ବିପୁଳ ଅର୍ଥ ରାଜ୍ୟର ତଥା ସାଧାରଣ ଲୋକଙ୍କ ଆର୍ଥିକ ଅବସ୍ଥାକୁ ସୁଦୃଢ଼ କରିବା କାର୍ଯ୍ୟରେ ଲାଗିପାରନ୍ତା। ପ୍ରାକୃତିକ ବିପର୍ଯ୍ୟୟ ହେତୁ ସଡ଼କ, ବିଦ୍ୟୁତ୍‍, ବାସଗୃହ, ସରକାରୀ ଦପ୍ତର, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ଭିତ୍ତିଭୂମିର ପୁନଃନିର୍ମାଣ ପାଇଁ ବ୍ୟାପକ ଅର୍ଥ ବ୍ୟୟ ହେଉଛି।

ବଢ଼ୁଛି କ୍ଷୟକ୍ଷତିର ପରିମାଣ
କେବଳ ସାମୁଦ୍ରିକ ଝଡ଼ ଫୋନି, ଫାଇଲିନ୍‍ ଓ ତିତ୍‍ଲିରେ ଓଡ଼ିଶାର ସାମଗ୍ରିକର କ୍ଷତିର ପରିମାଣ ୪୦ ହଜାର ୪୪୭ କୋଟି ଟଙ୍କା ରହିଛି। ଏହି କ୍ଷୟକ୍ଷତିର ପରିମାଣ ଆମେରିକୀୟ ଡଲାରରେ ୫.୭ ବିଲିୟନ ବୋଲି ଆକଳନ କରାଯାଇଛି। କେବଳ ଫୋନିରେ ଓଡ଼ିଶାର ୨୯ ହଜାର ୩୧୫ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। କେବଳ ଫୋନିରେ ରାଜ୍ୟର ୧୪ଟି ଜିଲ୍ଲାରେ ୩ ଲକ୍ଷ ୬୨ ହଜାର ଘର ମାଟିରେ ମିଶିଛି। ପ୍ରାକୃତିକ ବିପର୍ଯ୍ୟୟରେ ପୀଡ଼ିତ ଲୋକମାନଙ୍କୁ ସହାୟତା କରିବା ଲାଗି ସରକାରଙ୍କ ଉପରେ ରିଲିଫ୍‍, ଉଦ୍ଧାର, ଥଇଥାନ ଆଦି ପାଇଁ ଆର୍ଥିକ ଚାପ ବଢ଼ିବାରେ ଲାଗିଛି। ଗତ ୨୪ ବର୍ଷ ମଧ୍ୟରେ ରିଲିଫ୍‍ ପରିଚାଳନା ବାବଦରେ ଓଡ଼ିଶା ସରକାର ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଫୋନି ପ୍ରଭାବିତ ଅଞ୍ଚଳରେ ରିଲିଫ୍‍ ପାଇଁ ୬ ହଜାର ୭୬୭ କୋଟି ୫୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ତେଣୁ ଏହି ୨୫ ବର୍ଷ ମଧ୍ୟରେ ରିଲିଫ୍‍ ବାବଦ ବ୍ୟୟ ପୁଣିଥରେ ୧୮ ହଜାର ୭୬୭ କୋଟି ୫୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି।

ଅଣ୍ଟା ଭାଙ୍ଗୁଛି ବାତ୍ୟା, ବନ୍ୟା ଓ ମରୁଡ଼ି
ପରିସଂଖ୍ୟାନ କହୁଛି, ୧୯୯୯ର ମହାବାତ୍ୟାରେ ଓଡ଼ିଶାର ୬୨୪୩ କୋଟି ୯୬ ଲକ୍ଷ ଟଙ୍କାର କ୍ଷୟକ୍ଷତି ଘଟିଥିବା ବେଳେ ପ୍ରଭାବିତ ଅଞ୍ଚଳରେ ରିଲିଫ୍‍ କାର୍ଯ୍ୟ ପାଇଁ ବ୍ୟୟ ହୋଇଥିଲା ୮୨୭ କୋଟି ୬୪ ଲକ୍ଷ ଟଙ୍କା। ମହାବାତ୍ୟାରେ ୧ କୋଟି ୩୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକ କ୍ଷତିଗ୍ରସ୍ତ ହୋଇଥିଲେ । ୧୨ଟି ଜିଲ୍ଲାର ୧୨୮ଟି ବ୍ଲକ୍‍ର ୨୦ ହଜାର ଗାଁ ଏହାଦ୍ୱାରା ବିପର୍ଯ୍ୟସ୍ତ ହୋଇଥିଲା। ଏହି ମହାବାତ୍ୟାରେ ଓଡ଼ିଶାରେ ପ୍ରାୟ ୧୦ ହଜାର ଲୋକଙ୍କ ଜୀବନ ଯାଇଥିଲା। ୧୯୯୯ ମହାବାତ୍ୟା ପରେ ଅଣ୍ଟା ସଳଖୁଥିବା ଓଡ଼ିଶା ଉପରେ ୨୦୦୦ ମସିହାରେପୁଣି ପ୍ରହାର କରିଥିଲା ମରୁଡ଼ି। ଏହି ଭୟଙ୍କର ମରୁଡ଼ି କାରଣରୁ ୪୪୫ କୋଟି ୨୮ଲକ୍ଷ ଟଙ୍କାର ସମ୍ପତ୍ତି ବରବାଦ୍‌ ହୋଇଥିଲା। ଏହାପରେ ୨୦୦୧ରେ ବଡ଼ ବନ୍ୟାର ସମ୍ମୁଖୀନ ହେଲା ଓଡ଼ିଶା। ଏହି ବନ୍ୟାରେ ପ୍ରାୟ ୧ ହଜାର ୫୩୦ କୋଟିର ସମ୍ପତ୍ତି ନଷ୍ଟଭ୍ରଷ୍ଟ ହୋଇଗଲା। ୨୦୦୨ରେ ପୁଣି ମରୁଡ଼ି, ୨୦୦୩ରେ ୨୦୦୮ ମସିହା ମଧ୍ୟରେ ୯ ଥର ବନ୍ୟା ଦାଉରେ ରାଜ୍ୟବାସୀ ଛଟପଟ ହୋଇଛନ୍ତି। ସେହିପରି ୨୦୦୯ରେ ପ୍ରଥମେ ବନ୍ୟା ଓ ତା’ପରେ ମରୁଡ଼ି ଓଡ଼ିଶାର ଅର୍ଥନୀତିକୁ ବିପର୍ଯ୍ୟୟ ମୁହଁକୁ ଟାଣି ନେଇଥିଲା। ୨୦୧୦ରେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା। ୨୦୧୧ରେ ବନ୍ୟା, ୨୦୧୩ରେ ସାମୁଦ୍ରିକ ଝଡ଼ବାତ୍ୟା ଫାଇଲିନ୍, ୨୦୧୪ରେ ସାମୁଦ୍ରିକ ଝଡ଼ବାତ୍ୟା ହୁଡ୍‌ହୁଡ୍‌, ୨୦୧୫ ଓ ୨୦୧୬ରେ ମରୁଡ଼ି ଏବଂ ୨୦୧୮ରେ ପୁଣି ଥରେ ବାତ୍ୟା ତିତ୍‌ଲି ରାଜ୍ୟବାସୀଙ୍କୁ ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଛି।

କ୍ଷୟକ୍ଷତି ଦାବି କେତେ, ମିଳିଛି କେତେ
୨୦୦୦ ମସିହାରୁ ଆରମ୍ଭ କରି ୨୦୧୯ରେ ଫୋନି ପର୍ଯ୍ୟନ୍ତ ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତିର ଭରଣା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ୩୮ ହଜାର ୯୪ କୋଟି ୫୧ ଲକ୍ଷ ଟଙ୍କା ଦାବି କରିଥିବା ବେଳେ ମିଳିଛି ମାତ୍ର ୯ ହଜାର କୋଟି ଟଙ୍କା। ଯାହା ଫଳରେ ଓଡ଼ିଶାକୁ ମୁଣ୍ଡାଇବାକୁ ପଡ଼ିଛି ୩୦ ହଜାର କୋଟି ଟଙ୍କାର ଆର୍ଥିକ ବୋଝ। ସରକାରୀ ତଥ୍ୟ ଅନୁଯାୟୀ,  ୨୦୦୦ ମସିହା ମରୁଡ଼ି ସମୟରେ ରାଜ୍ୟ ସରକାର ୪୪୫.୨୮ କୋଟି ଟଙ୍କାର ଆର୍ଥିକ ସହାୟତା ଦାବି କରିଥିବାବେଳେ କେନ୍ଦ୍ରଠାରୁ ମିଳିଥିଲା ମାତ୍ର ୪୯.୬୨ କୋଟି ଟଙ୍କା। ସେହିପରି ୨୦୦୧ର ବନ୍ୟା ଜନିତ କ୍ଷୟକ୍ଷତି ପାଇଁ ହୋଇଥିବା ୧୫୩୦.୮୮ କୋଟି ଟଙ୍କାର ଦାବି ବାବଦରେ ୧୦୦ କୋଟି ଟଙ୍କା ମିଳିଥିଲା। ୨୦୦୭ରେ ହୋଇଥିବା ବନ୍ୟା ୟକ୍ଷୟତି ବାବଦରେ ୧୪୦୦.୨୩ କୋଟି ଟଙ୍କା ଦାବି କରାଯାଇଥିବା ବେଳେ କିଛି ବି ମିଳି ନ ଥିଲା। ସେହିପରି ୨୦୦୯ରେ ବାତ୍ୟା ସାଙ୍ଗକୁ ମରୁଡ଼ି ହୋଇଥିଲା। ଏଥିପାଇଁ ରାଜ୍ୟ ସରକାର ୨୨୫୭.୦୩ କୋଟି ଟଙ୍କାର ସହାୟତା ଲୋଡ଼ିଥିଲେ। କିନ୍ତୁ ପାହୁଲଟାଏ ମିଳି ନ ଥିଲା। ୨୦୧୪ର ବାତ୍ୟା ହୁଡ୍‌ହୁଡ୍‌ କ୍ଷୟକ୍ଷତି ଆକଳନ କରି ରାଜ୍ୟ ସରକାର ୭୭୭.୧୨ କୋଟିର ସହାୟତା ମାଗିଥିଲେ ମଧ୍ୟ ଟଙ୍କାଟିଏ ମିଳି ନ ଥିଲା। କିନ୍ତୁ ଭୟଙ୍କର ବାତ୍ୟା ଫାଇଲିନ୍‌ ପାଇଁ ରାଜ୍ୟ ସରକାର ୫୮୩୨.୫୦ କୋଟି ଟଙ୍କାର ସହାୟତା ଲୋଡ଼ିଥିବା ‌ବେଳେ ମିଳିଥିଲା ୧୧୪୦.୮୩ କୋଟି ଟଙ୍କା। ସେହିପରି ତିତ୍‌ଲି ପାଇଁ ୩୪୧.୭୨ କୋଟି ଟଙ୍କା ମିଳିଥିବା ବେଳେ ଫୋନି ପାଇଁ ମିଳିଛି ପାଖାପାଖି ୪ ହଜାର ୭ ଶହ କୋଟି ଟଙ୍କା।

କେବେ ଚେତିବେ ସରକାର?
ପ୍ରାକୃତିକ ବିପର୍ଯ୍ୟୟ, ଯଥା- ବାତ୍ୟା, ବନ୍ୟା, ମରୁଡ଼ିରେ ଯେଉଁ କ୍ଷୟକ୍ଷତି ହୁଏ, ତାହା ନିଃସନ୍ଦେହ ରାଜ୍ୟର ଭିତ୍ତିଭୂମି ତଥା ସାଧାରଣ ଲୋକ, ବିଶେଷ କରି ଚାଷୀମାନଙ୍କର ପ୍ରଭୂତ କ୍ଷତି ଘଟାଇଥାଏ। ଧନଜୀବନର କ୍ଷୟକ୍ଷତି ସବୁଥର ଆକଳନ ହୁଏ। ମାତ୍ରା କମ୍ ବା ବେଶୀ ହୋଇଥାଇପାରେ। ପ୍ରଭାବିତ ହୋଇଥିବା ଲୋକେ ସହାୟତା ପାଇଥାନ୍ତି। ହେଲେ ତାହା ସେମାନଙ୍କର ହୋଇଥିବା କ୍ଷତି ଭରଣା ସମ୍ପୂଣ୍ଣ ରୂପେ କରି ନ ଥାଏ। ବାତ୍ୟା, ବନ୍ୟା ଓ ମରୁଡ଼ିକୁ ଟାଳି ଦିଆଯାଇପାରିବ ନାହିଁ। ମାତ୍ର ଏହାର ପ୍ରଭାବକୁ ରୋକାଯାଇପାରିବ। ଆଜି ବି ଏ ଦିଗରେ ସରକାର ଅନେକ କାମ କରିବାକୁ ବାକି ଅଛି। ତେଲେଙ୍ଗାନା ସରକାରଙ୍କୁ ଏ କ୍ଷେତ୍ରରେ ଓଡ଼ିଶା ଅନୁକରଣ କରିବା କଥା। ରାଜ୍ୟ ସରକାର କେନାଲ ବନ୍ଧ, କଟା ବନ୍ଧ ଆଦିର ପୁନରୁଦ୍ଧାର କରିବା ସହିତ ନଦୀ ଉପରେ ଆନିକଟ କରିବାର ଆବଶ୍ୟକତା ରହିଛି। ଏହାଦ୍ବାରା ମରୁଡି ସମୟରେ ଜଳଯୋଗାଣ ହୋଇପାରିବ, ବନ୍ୟା ବେଳେ ଜଳ ସଂରକ୍ଷଣ ବି କରାଯାଇ ପାରିବ। କେବଳ ସେତିକି ନୁହେଁ, ତଟବର୍ତ୍ତୀ ଅଞ୍ଚଳରେ ଅନ୍ୟୂନ ୧୦ କିଲୋମିଟର ବ୍ୟାପୀ ବନୀକରଣର ଆବଶ୍ୟକତା ରହିଛି, ଯାହା ସରକାର ଆଜି ପର୍ଯ୍ୟନ୍ତ କରିପାରିଲେ ନାହିଁ। ଉପକୂଳରେ ୩୨୦ କିଲୋମିଟର ବ୍ୟାପୀ ଜଙ୍ଗଲ ସୃଷ୍ଟି ହୋଇପାରିଲେ, ପ୍ରାକୃତିକ ବିପର୍ଯ୍ୟୟକୁ କିଛି ମାତ୍ରାରେ ରୋକାଯାଇ ପାରନ୍ତା। ପ୍ରକୃତିକୁ ଦୋଷଦେଇ ନିଜ ଅପାରଗତାକୁ ଢାଙ୍କିବା ଏବଂ ବିପର୍ଯ୍ୟୟରୁ ରାଜନୈତିକ ଓ ଅର୍ଥନୈତିକ ଫାଇଦା ହାସଲ କରିବା ଓଡ଼ିଶା ଶାସକ ବର୍ଗଙ୍କର ନିତିଦିନିଆ ଓ ଅତି ପୁରାତନ ଅଭ୍ୟାସରେ ପରିଣତ ହୋଇଥିବା ପରି ମନେ ହୁଏ। ଏହାକୁ ନେଇ ସାଧାରଣ ଲୋକେ ମଧ୍ୟ ଅଭ୍ୟସ୍ତ ହୋଇଯିବା ପରି ମନେ ହୁଏ। କେତେଦିନ ଧରି ଓଡ଼ିଶା କ୍ରମାଗତ ଭାବେ ବିପର୍ଯ୍ୟୟର ସାମ୍ନା କରୁଥିବ? ଫଳରେ ବିକାଶର ଗତି ମନ୍ଥର ହେବା ସାଙ୍ଗକୁ ବିପର୍ଯ୍ୟୟ କ୍ଷୟକ୍ଷତି ଭରଣା ନାଁରେ କରଦାତାଙ୍କ କଷ୍ଟୋପାର୍ଜିତ ଧନର ଅପବ୍ୟୟ ହୋଇ ଚାଲିଥିବ?

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ