ଓଡ଼ିଶା ପାଇଁ ସତର୍କ ଘଣ୍ଟି: ଜଳ ସଂରକ୍ଷଣ ଓ ପରିଚାଳନାରେ ପଛୁଆ

ନୀତି ଆୟୋଗଙ୍କ ଜଳ ପରିଚାଳନା ସୂଚକାଙ୍କରେ ତଳକୁ ଖସୁଛି ଓଡ଼ିଶା

ନୀତି ଆୟୋଗଙ୍କ ଦ୍ବାରା ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ଜଳ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଆଗକୁ ଯିବା ପରିବର୍ତ୍ତେ ଖସିବାରେ ଲାଗିଛି। ୨୦୧୫-୧୬ରେ ଏ କ୍ଷେତ୍ରରେ ଓଡ଼ିଶା ୯ମ ରାଙ୍କରେ ଥିବା ବେଳେ ୨୦୧୬-୧୭ରେ ୧୩ତମ ସ୍ଥାନକୁ ଖସିଆସିଛି। ରାଜ୍ୟ ଜଳ ସମ୍ପଦ ବିଭାଗ ଏହି ବିଫଳତାକୁ ସ୍ବୀକାର କରିନେଇଛି। କିନ୍ତୁ ଜଳ ପରିଚାଳନା ରାଙ୍କରେ ଓଡ଼ିଶାର ଲଗାତର ଖରାପ ପ୍ରଦର୍ଶନ ଚିନ୍ତା ବଢ଼ାଇଛି।

ଭୂତଳ ଜଳସ୍ତର, ଜଳାଶୟ ଗୁଡ଼ିକର ପୁନରୁଦ୍ଧାର, ପରିମଳ ଓ ପରିଚ୍ଛନ୍ନତା, ଜଳସେଚନ, କୃଷି ଅଭ୍ୟାସ, ପାନୀୟ ଜଳ, ଜଳ ନୀତି ଓ ପରିଚାଳନା ଆଦି ୨୮ଟି ଭିନ୍ନ ଭିନ୍ନ ସୂଚକକୁ ନେଇ ନୀତି ଆୟୋଗ ପକ୍ଷରୁ ରାଙ୍କ ପ୍ରଦାନ କରାଯାଇଥାଏ। ଜଳ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ବିରୋଧୀ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଓଡ଼ିଶା କଂଗ୍ରେସ ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ବିଗତ ୨୦ ବର୍ଷ ଧରି ଜଳ ସମ୍ପଦ ପରିଚାଳନାରେ ଓଡ଼ିଶା ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ବିଗତ ୨୦ ବର୍ଷ ଧରି ଓଡ଼ିଶା ଭୂତଳ ଜଳକୁ ଶୋଷିଛି ସିନା ପୁନଃର୍ଭରଣା କରିବା ଦିଗରେ କୌଣସି ପ୍ରଭାବୀ ଭୂମିକା ନିର୍ବାହ କରିନାହିଁ। ଦିନ ଆସିବ ଓଡ଼ିଶା ରାଙ୍କର ୨୮ତମ ସ୍ଥାନରେ ପହଞ୍ଚିଯିବ ବୋଲି ନିରଞ୍ଜନ କଟାକ୍ଷ କରିଛନ୍ତି। ବିଜେପିର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ରାଜ୍ୟ ସରକାରଙ୍କ ଜଳ ପରିଚାଳନା ଦୁର୍ଭାଗ୍ୟଜନକ ଦର୍ଶାଇଛନ୍ତି। ନୀତି ଆୟୋଗ ଇଣ୍ଡେକ୍ସରେ ରାଙ୍କ ହ୍ରାସ ପାଇବା ଏକ ଗଭୀର ଚିନ୍ତାର ବିଷୟ ବୋଲି ହରିଚନ୍ଦନ ସୂଚାଇଛନ୍ତି। କେନ୍ଦ୍ରୀୟ ସହାୟତା ନ ଦେଇ ବିଜେପି ରାଜ୍ୟ ସରକାରଙ୍କୁ ପରିଚାଳନାଗତ ସମସ୍ୟାରେ ଛନ୍ଦିବା ଶୋଭନୀୟ ନୁହେଁ ବୋଲି ବିଜେଡି ସଫେଇ ଦେଇଛି। ଜଳ ସମ୍ପଦ ପରିଚାଳନା ଦିଗରେ କେନ୍ଦ୍ର ରାଜ୍ୟକୁ କେତେ ଅର୍ଥ ଦେଇଛି ପ୍ରଥମେ କହୁ ଓ ପରେ କାମର ହିସାବ ମାଗୁ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ।

ଭାରତ ଭୋଗିବ ଉତ୍କଳ ଜଳକଷ୍ଟ
ଯଦି ବର୍ତ୍ତମାନ ଠାରୁ ପଦକ୍ଷେପ ନିଆ ନ ଯାଏ, ତେବେ ଭାରତକୁ ପିଇବା ପାଣି ପାଇଁ ଗୋଟିଏ ବଡ଼ ସଂଘର୍ଷର ସାମ୍ନା କରିବାକୁ ପଡ଼ିବ ବୋଲି ନୀତି ଆୟୋଗ ପକ୍ଷରୁ କୁହାଯାଇଛି। ୨୦୨୦ ସୁଦ୍ଧା ଦିଲ୍ଲୀ, ବେଙ୍ଗାଳୁରୁ, ଚେନ୍ନାଇ, ହାଇଦ୍ରାବାଦ ଭଳି ୨୧ଟି ସହରର ଭୂତଳ ଜଳ ଭଣ୍ଡାର ଶୂନ୍ୟ ହୋଇଯିବ ଏବଂ ୧୦୦ ମିଲିଅନ ସଂଖ୍ୟକ ଜନଗଣ ଏହାଦ୍ବାରା ପ୍ରଭାବିତ ହେବେ ବୋଲି ନୀତି ଆୟୋଗର ଏକ ସଦ୍ୟ ରିପୋର୍ଟରୁ ଜଣାଯାଇଛି। ଯଦି ଏପରି ହୁଏ, ତେବେ ୨୦୫୦ ମସିହା ସୁଦ୍ଧା ଦେଶର ମୋଟ ଘରୋଇ ଉତ୍ପାଦ ୬ ପ୍ରତିଶତ ହ୍ରାସ ଘଟିବ ବୋଲି ଏହି ରିପୋର୍ଟ ସୂଚାଇଛି।

୭୦ ପ୍ରତିଶତ ପ୍ରଦୂଷଣ
ନୀତି ଆୟୋଗ ଦ୍ବାରା ପ୍ରକାଶିତ ଏହି ରିପୋର୍ଟରେ ଆଉ ଏକ ବିସ୍ଫୋରକ ସ୍ଥିତି ସାମ୍ନାକୁ ଆସିଛି। ସେଥିରେ ଦର୍ଶାଯାଇଛି ଯେ ମୋଟ ଜଳ ଯୋଗାଣ ଉତ୍ସ ମଧ୍ୟରୁ ୪୦ ପ୍ରତିଶତ ଜଳ ଭୂତଳ ଜଳରୁ ଆହରଣ ହୋଇଥାଏ। ଭାରତର ୭୦ ପ୍ରତିଶତ ପାଇପ ଜଳ ଯୋଗାଣ ପ୍ରଦୂଷିତ। ଭୂତଳ ଜଳ ଆହରଣ ମନଇଚ୍ଛା ହେବା ଦ୍ବାରା ତାହା କ୍ରମାଗତ ଭାବେ ହ୍ରାସ ପାଉଛି ଏବଂ ପାଇପ ଜରିଆରେ ଯୋଗାଣ ହେଉଥିବା ୭୦ ପ୍ରତିଶତ ଜଳ ପ୍ରଦୂଷିତ ହେବା କାରଣରୁ ଜଳଜନିତ ରୋଗ ମହାମାରୀ ଭାବେ ଠିଆ ହୋଇଛି। ନୀତି ଆୟୋଗ ଏହି ପୃଷ୍ଠଭୂମିରେ ୨୪ଟି ରାଜ୍ୟ କିଏ କିପରି ଜଳ ପରିଚାଳନା କରୁଛି, ତାକୁ ନିରୀକ୍ଷଣ କରି ରିପୋର୍ଟ ପ୍ରକାଶ କରିଛନ୍ତି। ଗୁଜରାଟ, ଆନ୍ଧ୍ର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶ ଜଳ ପରିଚାଳନା, ଜଳ ସଂରକ୍ଷଣ ଓ ଜଳ ବ୍ୟବହାର କ୍ଷେତ୍ରରେ ସବା ଉପରେ ଥିବା ବେଳେ ଝାଡ଼ଖଣ୍ଡ, ବିହାର, ହରିୟାଣା ଅଣ ହିମାଳୟାନ ରାଜ୍ୟ ଭିତରେ ସବା ପଛରେ ଅଛନ୍ତି।

ପଛୁଆ ରାଜ୍ୟ
୬୦ ପ୍ରତିଶତ ରାଜ୍ୟକୁ ଲୋ ପରଫର୍ମର ଭାବେ ଚିହ୍ନଟ କରାଯାଇଛି। ଏହି ରାଜ୍ୟଗୁଡ଼ିକ ପାଇଁ ନୀତି ଆୟୋଗ ସତର୍କ ଘଣ୍ଟି ବଜାଇଛନ୍ତି। ଅନେକ ରାଜ୍ୟ ସୂଚକାଙ୍କରେ ଭଲ ସ୍ଥିତିରେ ନାହାନ୍ତି। ଉତ୍ତର ପ୍ରଦେଶ, ଓଡ଼ିଶା ଓ ଛତିଶଗଡ଼ ଭାରତର କୃଷି ଆଉଟପୁଟରେରେ ୨୦ରୁ ୩୦ ପ୍ରତିଶତ ଅବଦାନ ଦେଇଥାନ୍ତି। ଭୂତଳ ଜଳ ସ୍ତର ହ୍ରାସ ଦିଗରେ ଓଡ଼ିଶା ଠୋସ୍‌ ପଦକ୍ଷେପ ନେଇ ନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଦେଶର ଖାଦ୍ୟ ନିରାପତ୍ତାକୁ ବିପନ୍ନ କରାଇବାରେ ଏହି ସ୍ଥିତି ବାଟ କଢ଼ାଇ ନେଇପାରେ ବୋଲି ନୀତି ଆୟୋଗ ସତର୍କ କରାଇଛନ୍ତି।

ଗୁଜରାଟ, ମଧ୍ୟ ପ୍ରଦେଶ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ତେଲେଙ୍ଗାନା ନିକଟ ବର୍ଷ ମାନଙ୍କରେ ଉତ୍କଟ ମରୁଡ଼ିର ସାମ୍ନା କରିଛନ୍ତି। ଗୁଜରାଟର ୩୩ଟି ଜିଲା ମଧ୍ୟରୁ ୨୧ଟି ଜିଲାର ୫୦୦ ଗ୍ରାମ ଅତ୍ୟନ୍ତ ଜଳକଷ୍ଟକୁ ସାମ୍ନା କରୁଛି। ସେଠାରେ ଟ୍ୟାଙ୍କର ଜରିଆରେ ପାଣି ଯୋଗାଯାଉଛି। ଗୁଜରାଟ ସରକାର ଭୂତଳ ଜଳ ପୁନଃଭରଣା ଓ ବର୍ଷାଜଳ ଅମଳ ପ୍ରତି ଧ୍ୟାନ ଦେଇ ଅନେକ କାମ କରୁଛନ୍ତି। ମେଘାଳୟରେ ଦେଶର ପ୍ରଥମ ଜଳନୀତି କରାଯାଇଛି। ହରିୟାଣାରେ କମ୍‌ ଜଳରେ ହେଉଥିବା ଚାଷକୁ ପ୍ରୋତ୍ସାହନ କରାଯାଉଛି। ବର୍ଷାଜଳ ଅମଳ, ପାନୀୟ ଜଳ ବିତରଣ, ଜଳସେଚନ ବ୍ୟବସ୍ଥା, ସହଭାଗୀ ଜଳସେଚନ ଅଭ୍ୟାସ, ମଧ୍ୟମ ଓ ବୃହତ ଜଳସେଚନ ପ୍ରକଳ୍ପ, ଜଳନୀତି ଓ ସ୍ବ-ଶାସନ ବ୍ୟବସ୍ଥା କ୍ଷେତ୍ରରେ ଓଡ଼ିଶା କିଭଳି ଆଗକୁ ଯିବ, ତାକୁ ନେଇ ଜଳ ସମ୍ପଦ ବିଭାଗ ଚଳିତ ମାସ ଶେଷ ସପ୍ତାହରେ ମାନସ ମନ୍ଥନ ପାଇଁ ପ୍ରସ୍ତୁତ ହେଉଥିବା ଜଣାଯାଇଛି। ତେବେ ଯୋଜନାର ଫାଇଲ ଭିତରୁ ବାହାରି ଓଡ଼ିଶା ରୂପାୟନ କ୍ଷେତ୍ରରେ କିଭଳି ଅଗ୍ରଗତି କରୁଛି, ତାହା ଆଗକୁ ଜଣାପଡ଼ିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ