ଶାହ ଭର୍ସେସ୍‌ ଚିଦାମ୍ବରମ୍‌: କଡ଼ ଲେଉଟାଇଲା ଇତିହାସ


ନୂଆଦିଲ୍ଲୀ: ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟିଥାଏ। ସମୟ ବଦଳିବା ସହ କେତେବେଳେ କ’ଣ ଘଟିବ, କାହି ହେବନହିଁ। ଇତିହାସ ମୁକସାକ୍ଷୀ। ଏବେ ଗୃହମନ୍ତ୍ରୀ ଅମିତ୍‌ ଶାହ ଏବଂ ପୂର୍ବତନ ଗୃହମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ କ୍ଷେତ୍ରରେ ପୁଣି ଥରେ ଇତିହାସ କଡ଼ ଲେଉଟାଇଥିବା ଦେଖିବାକୁ ମିଳିଛି। ୟୁପିଏ ସରକାର ଅମଳରେ ୨୦୧୦ରେ ପି ଚିଦାମ୍ବରମ୍‌ ଗୃହମନ୍ତ୍ରୀ ଥିବା ବେଳେ ସୋହରାବୁଦ୍ଦିନ୍‌ ଫେକ୍‌ ଏନ୍‌କାଉଣ୍ଟର୍‌ ମାମଲାରେ ତତ୍କାଳୀନ ଗୁଜୁରାଟ ଗୃହମନ୍ତ୍ରୀ ଅମିତ୍‌ ଶାହ ଗିରଫ ହୋଇଥିଲେ। ଏବେ ଏନ୍‌ଡିଏ ସରକାର କେନ୍ଦ୍ରରେ ରହିଥିବା ବେଳେ ଗୃହମନ୍ତ୍ରୀ ଅଛନ୍ତି ଅମିତ୍‌ ଶାହ। ସମାନ ଡଙ୍ଗରେ ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର ସନ୍ଦେହ ଘେରାରେ ଥିବା ପି ଚିଦାମ୍ବରମ୍‌ ଗିରଫ ହୋଇଛନ୍ତି। ଅଧିକ ପଚରା ଉଚରା ପାଇଁ ସିବିଆଇ ତାଙ୍କୁ ହେପାଜତକୁ ନେଇଛି। ସେତେବେଳେ କେନ୍ଦ୍ରରେ ଶାସନାଧୀନ ୟୁପିଏ ସରକାର ସିବିଆଇ ଅପବ୍ୟବହାର କରୁଥିବା ଅଭିଯୋଗ ବିଜେପି ଆଣିଥିବା ବେଳେ ଏବେ ଏନ୍‌ଡିଏ ସରକାର ବିରୋଧରେ ସମାନ ଅଭିଯୋଗ କଂଗ୍ରେସ ଆସିଛି। ଫଳରେ ମାତ୍ର ୯ ବର୍ଷର ବ୍ୟବଧାନରେ ରାଜନୀତିରେ ପକ୍ଷ ପରିବର୍ତ୍ତନ ହୋଇଛି। ଶାହ-ଚିଦାମ୍ବରମ୍‌ ଲଢ଼େଇ ରୋଚକ ହେବାରେ ଲାଗିଛି।

ଆଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ୩୦୫ କୋଟି ଟଙ୍କାର ଅର୍ଥ ହେରଫେର ଅଭିଯୋଗରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚାଦାମ୍ବରକଙ୍କୁ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଜାମିନ୍‌ ଦେବାକୁ ଅଗ୍ରାହ୍ୟ କରିବାରୁ ଏହାର ତଦନ୍ତକାରୀ ସଂସ୍ଥା ସିବିଆଇ ଓ ଇଡିର ଟିମ୍‌ ଚିଦାମ୍ବରମ୍‌ଙ୍କୁ ପଚରାଉଚରା କରିବା ପାଇଁ ତାଙ୍କ ଦିଲ୍ଲୀର ଜୋରବାଗ୍‌ ସ୍ଥିତ ବାସଭବନରେ ପହଞ୍ଚିଥିଲେ। ତେବେ ଚିଦାମ୍ବରମ୍‌ ସେଠାରୁ ନିଖୋଜ ହୋଇ ବୁଧବାର ସୁପ୍ରିମ୍‌କୋର୍ଟରେ ଆଗୁଆ ଜାମିନ୍‌ ପାଇଁ ଆବେଦନ କରିଥିଲେ। ଏହି ମାମଲାର ଶୁଣାଣି କରି ଜଷ୍ଟିସ୍‌ ରମନା ଏ ବାବଦରେ କୌଣସି ତତ୍କାଳ ଆଦେଶ ଦେଇପାରିବେନି ବୋଲି କହିବା ସହ ଏହାକୁ ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଇ ଦେଇଥିଲେ। ଏହାପରେ ଇଡି ଚିଦାମ୍ବରମ୍‌ଙ୍କ ନାମରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଥିବା ବେଳେ ସିବିଆଇ ଓ ଇଡି ଟିମ୍‌ ତାଙ୍କ ଘରକୁ ବାରମ୍ବାର ଚକ୍କର୍‌ କାଟିଥିଲେ। ଶେଷରେ ବୁଧବାର ସନ୍ଧ୍ୟାରେ ସିବିଆଇ ଟିମ୍‌ ଚିଦାମ୍ବରମ୍‌ଙ୍କୁ ବାସଭବନରୁ ଗିରଫ କରି ଅଧିକ ପଚରା ଉଚରା ପାଇଁ ହେପାଜତକୁ ନେଇଛି। ୟୁପିଏର ୧୦ ବର୍ଷର ଶାସନ କାଳରେ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଭାବେ ପରିଚିତ ପୂର୍ବତନ ଗୃହ ଓ ଅର୍ଥମନ୍ତ୍ରୀ ଚିଦାମ୍ବରମ୍‌ଙ୍କ ବିରୋଧରେ ଏନ୍‌ଡିଏ ସରକାର ସିବିଆଇକୁ ଉଦ୍ଦେଶ୍ୟମୂଳକ ଭାବେ ଅପବ୍ୟବହାର କରୁଥିବା ଅଭିଯୋଗ କଂଗ୍ରେସ ଆଣିଛି।

ଆଜିକୁ ୯ ବର୍ଷ ତଳେ ଠିକ୍‌ ଏମିତି କିଛି ଘଟିଥିଲା ଅମିତ୍‌ ଶାହଙ୍କ କ୍ଷେତ୍ରରେ। ୨୦୧୦ରେ ସେ ଗୁଜୁରାଟର ଗୃହମନ୍ତ୍ରୀ ଥିବା ବେଳେ କେନ୍ଦ୍ରରେ ୟୁପିଏ ସରକାରର ଗୃହମନ୍ତ୍ରୀ ଥିଲେ ପି ଚିଦାମ୍ବରମ୍‌। ୨୫ ଜୁଳାଇ ୨୦୧୦ରେ ଶାହ ସାମ୍ବାଦିକ ସମ୍ମିଳନୀ କରୁଥିବା ବେଳେ ସିବିଆଇ ତାଙ୍କୁ ସୋହରାବୁଦ୍ଦିନ୍‌ ଫେକ୍‌ ଏନ୍‌କାଉଣ୍ଟର୍‌ ମାମଲାରେ ଗିରଫ କରିଥିଲା। ସୂଚନାଯୋଗ୍ୟ, ପୋଷ୍ଟ୍‌ ୱାଣ୍ଟେଡ୍‌ ଅପରାଧୀ ସୋହରାବୁଦ୍ଦିନ୍‌ ସେଖ୍‌ ନାଁରେ ସେତେବେଳେ ୬୦ଟି ଅପରାଧିକ ମାମଲା ରହିଥିଲା। ୨୦୦୫ରେ ଶାହଙ୍କ ଗୃହମନ୍ତ୍ରୀଙ୍କ କାଳରେ ପୋଲିସ୍‌ ହେପାଜତରେ ଥିବାବେଳେ ସୋହରାବୁଦ୍ଦିନ୍‌ଙ୍କୁ ଫେକ୍‌ ଏନ୍‌କାଉଣ୍ଟର୍‌ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା, ଯେଉଁଥିରେ ଶାହଙ୍କୁ ଅଭିଯୁକ୍ତ କରାଯାଇଥିଲା। ତେବେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶରେ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯିବାର ୬ ମାସ ପରେ ଶାହଙ୍କ ନାମରେ ହତ୍ୟା, ଦାଦାବଟି ଓ ଅପହରଣ ଆଦି ଚାର୍ଜ ଲଗାଯାଇ ତାଙ୍କୁ ଗିରଫ କରାଯାଇଥିଲା। ଶାହଙ୍କ ଜାମିନ୍‌ ଅଗ୍ରାହ୍ୟ ହେବାରୁ ସେ ୩ ମାସ ଜେଲ୍‌ରେ ରହିବା ସହ ୨ ବର୍ଷ ପାଇଁ ଗୁଜୁରାଟ ବାହାରେ ରହିବାକୁ ଗୁଜୁରାଟ ହାଇକୋର୍ଟ ସେତେବେଳେ ନିର୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ଏହି ମାମଲା ଗୁଜୁରାଟ ହାଇକୋର୍ଟରୁ ମୁମ୍ବାଇ ହାଇକୋର୍ଟକୁ ସ୍ଥାନାନ୍ତର ହୋଇଥିଲା। ୨୦୧୪ ଡିସେମ୍ବରରେ ସିବିଆଇର ସ୍ବତନ୍ତ୍ର କୋର୍ଟ ଶାହଙ୍କୁ ନିର୍ଦୋଷରେ ଖଲାସ କରିଥିଲା। ସେତେବେଳେ ବିଜେପି ପକ୍ଷରୁ ୟୁପିଏ ସରକାର ଓ ଚିଦାମ୍ବରମ୍‌ ସିବିଆଇର ଅପବ୍ୟବହାର କରି ଶାହଙ୍କୁ ଫସାଇଥିବା ଅଭିଯୋଗ ହୋଇଥିଲା।

ବିଜେପି ଓ କଂଗ୍ରେସର ଏହି ଦୁଇ ପ୍ରଭାବଶାଳୀ ନେତାଙ୍କ ଲଢ଼େଇ ଏବେ ରୋଚକ ହେବାରେ ଲାଗିଛି। ଫେକ୍‌ ଏନ୍‌କାଉଣ୍ଟର୍‌ କେଶ୍‌ରେ ଫସିଥିବା ଅମିତ୍‌ ଶାହ ସମୟକ୍ରମେ ନିଜକୁ ଦୋଷମୁକ୍ତ କରିଥିବା ବେଳେ ରାଜ୍ୟ ଗୃହମନ୍ତ୍ରୀରୁ ଏବେ କେନ୍ଦ୍ର ଗୃହମନ୍ତ୍ରୀ ହୋଇପାରିଛନ୍ତି। ଅପରପକ୍ଷେ ଗୃହ ଓ ଅର୍ଥ ମନ୍ତ୍ରାଳୟ ଧରି ଗୁରୁତ୍ବପୂର୍ଣ୍ଣ ପଦବୀ ସମ୍ଭାଳିଥିବା ଚିଦାମ୍ବରମ୍‌ ଏବେ ଅର୍ଥ ତୋଷରପାତ ମାମଲାରେ ଫସିଛନ୍ତି। ଶାହଙ୍କ ଭଳି ସେ ନିଜକୁ ଦୋଷମୁକ୍ତ କରିପାରୁଛନ୍ତି କି ନାହିଁ, ତାହା ଆଗାମୀ ସମୟ କହିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ