ହଟ୍ ଲାଇନ୍


କାହିଁ କେତେ ବର୍ଷ ତଳର କଥା। ଜଣେ ମୁଲ୍ଲା ଥିଲେ। ଲୋକଙ୍କର  ବିଶ୍ୱାସ - ପ୍ରତି ମୁହୂର୍ତ୍ତରେ ସେ ଆଲ୍ଲାଙ୍କ ସହିତ ବାର୍ତ୍ତାଳାପ କରନ୍ତି। ସଂସାରରେ କେଉଁଠି କିଛି ଅଘଟଣ ହେଲେ, ସୁଧାରିବା ସକାଶେ ଆଲ୍ଲା ତାଙ୍କୁ ହିଁ ନିର୍ଦେଶ ଦିଅନ୍ତିା  ଲୋକେ ଆହୁରି ମଧ୍ୟ ବିଶ୍ୱାସ କରୁଥିଲେ - ମୁଲ୍ଲାଙ୍କର ପାଦ ପଡିଗଲେ, ଘର ସ୍ବର୍ଗ ପାଲଟିଯାଏ। ତେଣୁ ଏମନ୍ତ ଦିବ୍ୟ ବ୍ୟକ୍ତିଙ୍କର ବହୁତ କାଟତି ଥିଲା।  ଦିନେ ଜଣେ ବ୍ୟକ୍ତି ମୁଲ୍ଲାଙ୍କ ନିକଟରେ ପହଞ୍ଚି ତାଙ୍କୁ ମଧ୍ୟାହ୍ନଭୋଜନ ପାଇଁ ଆମନ୍ତ୍ରଣ କଲେ। ଡାଏରୀରୁ ଜଣାପଡିଲା ଛ ମାସ ପରେ ତାଙ୍କ ପାଳିପଡିବ। ଲୋକଟି ଆଶ୍ୱସ୍ତ ହେଲା - ଯାହାହେଉ ଛ ମାସ ପରେ ତା ଭାଗ୍ୟ ବଦଳିଯିବ।

ନିର୍ଦ୍ଦିଷ୍ଟ ଦିନ ମୁଲ୍ଲା ସାହେବ ସେହି ଲୋକଟିର ଦାଣ୍ଡ ଦୁଆରେ ପହଞ୍ଚି ଚିତ୍କାର କଲେ- ପାଣି ଆଣ, ପାଣି ଆଣ। ଚଞ୍ଚଳ ଆଣ ଲୋକଟି ତୁରନ୍ତ ପାନୀୟ ଜଳ ଗୁରୁଙ୍କ ହାତକୁ ବଢ଼ାଇ ଦେବା ମାତ୍ରେ ସେ ପାଣି ତକ ତଳେ ଢ଼ାଳିଦେଲେ। ସମସ୍ତଙ୍କୁ ଚକିତ କରି ଗୃହସ୍ବାମୀଙ୍କର ୬ ବର୍ଷର ଛୁଆଟିଏ ପଚାରିଲା - ମୌଲବୀ ସାହେବ ! ମୋ ମା ଆପଣଙ୍କ ପାଇଁ କେତେ ଯତ୍ନରେ ସୁବାସିତ ଜଳ ତିଆରି କରିଥିଲା। ଆପଣ ତଳେ ଢ଼ାଳି ଦେଲେ? ମୌଲବୀ ସାହେବ ହସି ହସି କହିଲେ - ତୁ ସେ ଗୁଢ଼ କଥା କାହୁଁ ବୁଝିବୁ? ଏଠାରୁ ହଜାର ମାଇଲ ଦୂରରେ ଲୋକଟିଏ ଶୋଷରେ ଆଉଟୁପାଉଟୁ ହେଉଥିଲା। ତାକୁ ପାଣି ଦେବା ପାଇଁ ଆଲ୍ଲା ମୋତେ ନିର୍ଦେଶ ଦେଲେ। ମୁଁ  ବି ଦେଖିଲି - ଲୋକଟି ମରିଯିବା ଉପରେ। ଯାହାହେଉ ପାଣି ପିଇବା ପରେ ଏବେ ସୁସ୍ଥ ଅଛି।

କିଛି ସମୟ ପରେ ମୁଲ୍ଲା ସାହେବ ପୁଣି ଚିତ୍କାର କଲେ - ଗୋଟିଏ ବାଡି ଆଣ। ତୁରନ୍ତ ତାଙ୍କ ହାତକୁ ବାଡି ବଢ଼େଇ ଦିଆଗଲା। ସେ ତଳେ ଦି ଚାରି ପାହାର ପିଟି ବାଡିଟାକୁ ଫୋପାଡି ଦେଲେ। ପିଲାଟି କୌତୁହଳରେ ପୁଣି ପଚାରିଲା - କାହାକୁ ପିଟିଲ? ମୌଲବୀ ସାହେବ ସଂକ୍ଷିପ୍ତରେ କହିଲେ - ଗୋଟିଏ ମସଜିଦ୍ ଭିତରେ କୁକୁରଟେ ପଶି ଯାଇଥିଲା। ମୁଁ ଦେଖିଦେଲି। ଦି ପାହାର ପିଟିବାରୁ ପଳେଇଗଲା।

ସମସ୍ତେ ଖାଇବସିଲେ। ଗୃହସ୍ବାମୀ ଏବଂ ତାଙ୍କ ପୁଅଙ୍କ ଭାତ ଥାଳି ଚାରିପଟେ କେତେ ରକମର ତରକାରୀ  ଗିନାରେ ରଖାଯାଇଥାଏ। କିନ୍ତୁ ମୁଲ୍ଲା ସାହେବଙ୍କ ଆଗରେ କେବଳ ଭାତ ଥାଳି। ଖାଇବା ଆରମ୍ଭ କରିବା ପାଇଁ ଗୃହ ପତ୍ନୀ ନିବେଦନ କଲେ। ମୁଲ୍ଲା ସାହେବ  ରାଗରେ ନିଆଁ ବାଣ ହୋଇ କହିଲେ - ମୋତେ ଖାଲି ଭାତ ଦେଇ ଅପମାନ କରୁଛୁ! ଅଭିଶାପ ଦେବି ସିଧା ନର୍କକୁ ଯିବୁ।’ ଗୃହପତ୍ନୀ ବିନମ୍ର ସ୍ବରରେ କହିଲେ - ‘ହେ ଗୁରୁ ! ଆପଣ ତ  କେତେ ହଜାର ମାଇଲ ଦୂର କଥା ଦେଖିପାରନ୍ତି। ଏଇ ଭାତ ତଳେ ରକମ ରକମର ତରକାରୀ ଅଛି। ସେତିକି କ’ଣ ନଜରକୁ ଆସୁନି?

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ