ଘରୋଇ ଉପାୟରେ କରନ୍ତୁ ମାଉଥ୍‌ ଅଲ୍‌ସରର ଉପଚାର


ପାଟି ଭିତରେ ଛାଲ ହୋଇଗଲେ, ଖାଦ୍ୟର ସ୍ବାଦ ଜଣାପଡ଼ି ନ ଥାଏ କିମ୍ବା ଆରାମ ମଧ୍ୟ ମିଳି ନ ଥାଏ। ଯଦି ଆପଣ ଠିକ୍‌ ସମୟରେ ଏହାର ଉପଯୁକ୍ତ ଢଙ୍ଗରେ ଚିକିତ୍ସା କରିବେ ନାହିଁ, ତେବେ ଯନ୍ତ୍ରଣା ଆହୁରି ବଢ଼ିପାରେ। ପାଟି ଭିତରେ ହେଉଥିବା ଛାଲକୁ ମାଉଥ୍‌ ଅଲ୍‌ସର ମଧ୍ୟ କୁହାଯାଏ। ଗରମ ଦିନେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖାଯାଏ। କେବଳ ପିଲାଙ୍କଠାରେ ନୁହେଁ, ବୟସ୍କଙ୍କଠାରେ ମଧ୍ୟ ମାଉଥ୍‌ ଅଲ୍‌ସର ହୋଇପାରେ।

ମାଉଥ୍‌ ଅଲ୍‌ସରର କାରଣ

ଶରୀରରେ ଆବଶ୍ୟକୀୟ ପୋଷକତତ୍ତ୍ବ ଅଭାବରୁ ମଧ୍ୟ ଅନେକ ସମୟରେ ମାଉଥ୍‌ ଅଲସର ସମସ୍ୟା ଦେଖାଯାଏ। ବେଳେବେଳେ ଡେଣ୍ଟାଲ ଟ୍ରିଟ୍‌ମେଣ୍ଟ ସମୟରେ ମଧ୍ୟ କୌଣସି ଆଘାତ ଲାଗି ଏହା ମାଉଥ୍‌ ଅଲସରର କାରଣ ହୋଇଥାଏ। କୌଣସି ବ୍ୟକ୍ତିଙ୍କ ଅଇଁଠା ଖାଦ୍ୟ ଖାଇବା ଦ୍ବାରା ମଧ୍ୟ ଏହି ସମସ୍ୟା ହୋଇପାରେ। ଯଦି କୌଣସି କାରଣରୁ ଗାଲ ଭିତର ପଟ ଫାଟିଯାଏ, ତେବେ ମାଉଥ୍‌ ଅଲ୍‌ସର ହୋଇପାରେ। ପାଟି ଭିତର ସଫା ନ ରଖିଲେ ମଧ୍ୟ ମାଉଥ୍‌ ଅଲସର ହୋଇପାରେ।

ମାଉଥ୍‌ ଅଲ୍‌ସରର ଘରୋଇ ଉପଚାର
ଯଦି ପାଟି ଭିତରେ ଛାଲ ବା ମାଉଥ୍‌ ଅଲ୍‌ସର ହେଉଛି ଓ ଅସହନୀୟ ଯନ୍ତ୍ରଣା ହେଉଛି, ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏହାବ୍ୟତୀତ ଏଠାରେ ଦିଆଯାଇଥିବାକେତେକ ଘରୋଇ ଉପଚାର ଅନୁସରଣ କରିପାରିବେ। ଏହି ଘରୋଇ ଉପଚାର ମାଉଥ୍‌ ଅଲ୍‌ସର ଠିକ୍‌ କରିବାରେ ସାହାଯ୍ୟ କରେ।

ବରଫ ଓ ଟି’ ବ୍ୟାଗ୍‌
ପାଟି ଭିତରେ ଛାଲ ପଡ଼ିଲେ, ବରଫ ଲଗାଇବା ଦ୍ବାରା ମଧ୍ୟ ବହୁତ ଆରାମ ମିଳିଥାଏ। ତେଣୁ ଖଣ୍ଡେ ବରଫକୁ କିଛି ସମୟ ପାଇଁ ପାଟି ଭିତରେ ରଖନ୍ତୁ କିମ୍ବା ଘଷନ୍ତୁ। ଏହାବ୍ୟତୀତ ଟି’ ବ୍ୟାଗ୍‌ ସହାୟତାରେ ମଧ୍ୟ ମାଉଥ୍‌ ଅଲ୍‌ସରରୁ ଆରାମ ମିଳିଥାଏ।

ଖାଇବା ସୋଡ଼ା
ମାଉଥ୍‌ ଅଲ୍‌ସର ଠିକ୍‌ କରିବା ଲାଗି ଖାଇବା ସୋଡ଼ା ବ୍ୟବହାର କରାଯାଇପାରେ। ଖାଇବା ସୋଡ଼ା କେବଳ ଯନ୍ତ୍ରଣା କମ୍‌ କରି ନ ଥାଏ, ବରଂ ଅଲ୍‌ସରର ଏସିଡ୍‌ ସ୍ତରକୁ କମ୍‌ କରି ଛାଲ ଠିକ୍‌ କରିବାରେ ସାହାଯ୍ୟ କରେ। ଏଥିପାଇଁ ଖାଇବା ସୋଡ଼ାରେ କିଛି ବୁନ୍ଦା ପାଣି ମିଶାଇ ପେଷ୍ଟ ତିଆରି କରନ୍ତୁ ଓ ଛାଲ ଉପରେ ଲଗାନ୍ତୁ। ଏପରି କିଛି ସମୟ ରଖିବା ପରେ କୁଳି କରି ଦିଅନ୍ତୁ।

ନଡ଼ିଆ ତେଲ
ମାଉଥ୍‌ ଅଲ୍‌ସରର ଉପଚାରରେ ନଡ଼ିଆ ତେଲ ମଧ୍ୟ ବହୁତ ସାହାଯ୍ୟ କରେ। ଏଥିରେ ଆଣ୍ଟିମାଇକ୍ରୋବିୟଲ ଓ ଆଣ୍ଟିଇମ୍ଫ୍ଲେମେଟରୀ ଗୁଣ ରହିଛି, ଯାହା ଅଲ୍‌ସର ହୋଇଥିବା ସ୍ଥାନ ପୋଡ଼ିବା ଓ ଯନ୍ତ୍ରଣା ହେବାରୁ ଦୂରେଇ ରଖେ। ଏଥିପାଇଁ ପାଟି ଭିତରର ଛାଲ ଉପରେ ପ୍ରତ୍ୟେକ ଦିନ ନଡ଼ିଆ ତେଲ ଲଗାନ୍ତୁ। ଦେଖିବେ କିଛି ଦିନ ଭିତରେ ଆରାମ ମିଳିବ।

କଦଳୀ ଓ ମହୁ

ପାଚିଲା କଦଳୀକୁ ମହୁ ସହିତ ମିଶାଇ ଛାଲ ଉପରେ ଲଗାନ୍ତୁ। ଦେଖିବେ ବହୁତ ଆରାମ ମିଳିବ।

ଦେଶୀ ଘିଅ
ମାଉଥ୍‌ ଅଲ୍‌ସର ଠିକ୍‌ କରିବା ପାଇଁ ଦେଶୀ ଘିଅ ବହୁତ ସାହାଯ୍ୟ କରେ। ତେଣୁ ରାତିରେ ଶୋଇବା ପୂର୍ବରୁ ଦେଶୀ ଘିଅ ଛାଲ ଉପରେ ଲଗାନ୍ତୁ। ସକାଳ ହେବା ବେଳକୁ ଆପଣଙ୍କୁ ଆରାମ ମିଳିବ।

ରସୁଣ
ମାଉଥ୍‌ ଅଲ୍‌ସର ଠିକ୍‌ କରିବା ଲାଗି ରସୁଣ ବହୁତ ଉପଯୋଗୀ। ତେଣୁ ଦୁଇ ତିନୋଟି ରସୁଣ କୋଲାକୁ ନେଇ ଏହାର ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟକୁ ମାଉଥ୍‌ ଅଲ୍‌ସର ଉପରେ ଲଗାନ୍ତୁ। କିଛି ସମୟ ପରେ ଥଣ୍ଡା ପାଣିରେ କୁଳି କରି ନିଅନ୍ତୁ। ମାଉଥ୍‌ ଅଲ୍‌ସର ଶୀଘ୍ର ଠିକ୍‌ ହୋଇଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ