କଶ୍ମୀର ପ୍ରସଙ୍ଗ ଉଠାଇଲା ଚୀନ: ଜୟଶଙ୍କର କହିଲେ ଆଭ୍ୟନ୍ତରୀଣ ବ୍ୟାପାର


ବେଜିଂ: ଧାରା ୩୭୦ ବଳରେ ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳୁଥିବା ବ୍ୟବସ୍ଥାକୁ କେନ୍ଦ୍ର ସରକାର ହଟାଇବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ତୀବ୍ରତର ହୋଇଛି। ଏହାରି ଭିତରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ତିନି ଦିନିଆ ଚୀନ ଗସ୍ତର ଗୁରୁତ୍ବ ବଢ଼ିଛି। କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଚୀନର ସହଯୋଗ ଲୋଡିଥିବା ବେଳେ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ  ଗସ୍ତ ବେଳେ ଏହି ପ୍ରସଙ୍ଗ ଉଠାଇଛନ୍ତି ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍‌ ୟି। ଏହାର ଜବାବରେ ଜୟଶଙ୍କର କହିଛନ୍ତି ଯେ ଧାରା ୩୭୦ ଉଚ୍ଛେଦ ସମ୍ପୂର୍ଣ୍ଣ ଭାବେ ଭାରତର ଆଭ୍ୟନ୍ତରୀଣ ବ୍ୟାପାର। ତେଣୁ ପାକିସ୍ତାନ କିମ୍ବା ଚୀନ ସହ ସୀମା ସମ୍ପର୍କିତ ବୈଠକ ଏହା ଦ୍ବାରା ଆଦୌ ପ୍ରଭାବିତ ହେବ ନାହିଁ।

ବୈଠକ ପରେ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି ଯେ ଆଲୋଚନା ବେଳେ ଉଭୟ ଦେଶର ସାର୍ବଭୌମତ୍ବ ଓ ଅଖଣ୍ଡତା ପ୍ରତି ସମ୍ମାନ ଦେବା ନେଇ ଆଲୋଚନା ହୋଇଛି। ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା କମ୍‌ ହେବା ନେଇ ମଧ୍ୟ ଆଲୋଚନା କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଚୀନ ଭାରତ-ପାକିସ୍ତାନ ଉତ୍ତେଜନା କମ୍‌ କରିବା ଉପରେ ଗୁରୁତ୍ବାରୋପ କରିଥିଲା ବେଳେ ସେପଟେ ଚୀନ ନିୟନ୍ତ୍ରଣରେ ଥିବା ହଂକଂରେ ଚୀନ ସରକାରଙ୍କ ଦମନମୂଳକ କାର୍ଯ୍ୟକୁ ନେଇ ବ୍ୟାପକ ହିଂସାକାଣ୍ଡ ଆରମ୍ଭ ହୋଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚୀନ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଜୟଶଙ୍କର କହିଥିଲେ ଯେ ଧାରା ୩୭୦ ଭାରତୀୟ ସମ୍ବିଧାନରେ ଏକ ଅସ୍ଥାୟୀ ବ୍ୟବସ୍ଥା ଭାବେ ଗ୍ରହଣ କରାଯାଇଥିଲା। ଭାରତ ସରକାର ଏହାକୁ ଉଚ୍ଛେଦ କରି ସେଠାକାର ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। କାରଣ ଏହି ଧାରା ୩୭୦ ପାଇଁ ସେଠାରେ ବିକାଶ ଅଟକି ଯାଇଥିଲା। ମାତ୍ର ଏବେ ସେଠାରେ ସର୍ବାଙ୍ଗୀନ ଉନ୍ନତି ପାଇଁ ସୁଯୋଗ ପାଇବେ। ଭାରତ ଚୀନ ସମୀରରେ କୌଣସି ଅଧିକ ଅଞ୍ଚଳ ଦାବି କରୁ ନାହିଁ। ତେଣୁ ଚୀନ ସହ ଆମର ସୀମାକୁ ନେଇ ବିବାଦର ପ୍ରଶ୍ନ ଉଠୁ ନାହିଁ ବୋଲି ଜୟଶଙ୍କର କହିଛନ୍ତି।

ଏହି ଦ୍ବିପାକ୍ଷିକ ଆଲୋଚନାରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ତାଙ୍କ ଚୀନ ଗସ୍ତ କାଳରେ କଶ୍ମୀର ସମସ୍ୟାର ସମାଧାନ ପାଇଁ ମିଳିତ ଜାତିସଂଘର ଘୋଷଣାନାମା ଓ ୧୯୪୮ ଚୁକ୍ତିନାମା ସମ୍ପର୍କରେ ଚୀନ ଠାରୁ ସହାୟତା ଲୋଡ଼ିଥିଲେ ବି ତାହା ଆଲୋଚନାରେ ସ୍ଥାନ ପାଇ ନାହିଁ। ମାତ୍ର ଭାରତ ଲଦାଖକୁ ସ୍ବତନ୍ତ୍ର ଭାବେ ଏକ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରିବା ନିଷ୍ପତ୍ତିକୁ ଚୀନ କର୍ତ୍ତୃପକ୍ଷ ବିରୋଧ କରିଛନ୍ତି। ଏହାଦ୍ବାରା ଲଦାଖ ସୀମାକୁ ଲାଗିଥିବା ଅକ୍ସାଇ ଚୀନ ନେଇ ଚିନ୍ତା କରିବାକୁ ପଡ଼ିବ ବୋଲି ଚୀନ କହିଛି। ଏଠାରେ ସୂଚନାଯୋଗ୍ୟ ଯେ ୧୯୬୩ରେ ଏହି ଭୂଖଣ୍ଡକୁ ପାକିସ୍ତାନ ଚୀନକୁ ଦେଇଥିଲା। ଯାହାକୁ ଆଜି ଅକ୍ସାଇ ଚୀନ ବୋଲି କୁହାଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ