ଜଙ୍ଗଲରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଃସାହସିକ ଯାତ୍ରାକୁ ଭୂରି ଭୂରି ପ୍ରଶଂସା


ନୂଆଦିଲ୍ଲୀ: ବିଭିନ୍ନ କ୍ଷେତ୍ରରେ ଦେଶର ଅନ୍ୟ ପ୍ରଧାନମନ୍ତ୍ରୀଙ୍କ ଠାରୁ ନିଜକୁ ଅଲଗା ବୋଲି ପ୍ରମାଣିତ କରି ସାରିଥିବା ପ୍ରଧାନମନ୍ତ୍ରୀ ମୋଦି ଆଉ ଏକ ପଦକ୍ଷେପ ଜରିଆରେ ସମସ୍ତଙ୍କୁ ବିସ୍ମିତ କରିଛନ୍ତି। ଡିସକଭରୀ ଚ୍ୟାନେଲରେ ପ୍ରସାରିତ ବହୁ ଚର୍ଚ୍ଚିତ କାର୍ଯ୍ୟକ୍ରମ ମ୍ୟାନ ଭର୍ସେସ୍ ୱାଇଲ୍ଡ କାର୍ଯ୍ୟକ୍ରମରେ ବିଅର ଗ୍ରିଲ୍ସଙ୍କ ସହ ଜଙ୍ଗଲ ଯାତ୍ରାରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାର ସିଧା ପ୍ରସାରଣ ଦେଖିବା ପରେ ମୋଦି ଯେ କେବଳ ଜାତୀୟ ସୁରକ୍ଷା, ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଉଦ୍‌ବିଗ୍ନ ତାହା ନୁହେଁ, ତାଙ୍କର ପରିବେଶ ପ୍ରୀତି ମଧ୍ୟ ପ୍ରମାଣିତ ହୋଇଛି।

ଉତ୍ତରାଖଣ୍ଡର ଜିମ୍‌ କର୍ଭେଟ୍‌ ଜାତୀୟ ଉଦ୍ୟାନରେ ପ୍ରଧାନମନ୍ତ୍ରୀ ମୋଦି ବନ୍ୟଜନ୍ତୁଙ୍କୁ ଦେଖିଛନ୍ତି, ସେମାନଙ୍କ ଜୀବନ ଶୈଳୀକୁ ଅତି ନିକଟରୁ ଲକ୍ଷ୍ୟ କରିଛନ୍ତି। ଆଉ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତାଙ୍କ ଜୀବନର ଅନୁଭୂତି ବର୍ଣ୍ଣନା କରିଛନ୍ତି। ଗୁଜରାଟରେ ଏକ ସାଧାରଣ ପରିବାରରେ ଜନ୍ମ ହୋଇ ସେ କିପରି ଜୀବନ ବିତାଇଥିଲେ ସେକଥା କହିଛନ୍ତି। କିପରି ଚା ଦୋକାନ କରି ପରିବାର ଚଳୁଥିଲା ଏବଂ ରେଳଷ୍ଟେସନରେ ଚା’ ବିକ୍ରି କରୁଥିଲେ ତା’ର ଅନୁଭୁତି ବର୍ଣ୍ଣନା କରିଛନ୍ତି। ମୋଦି ଆହୁରି ମଧ୍ୟ ପ୍ରକୃତି ସହିତ ତାଙ୍କ ସମ୍ପର୍କର କାହାଣୀ କହିଛନ୍ତି । ଯେତେବେଳେ ଲୁଗା ସଫା କରିବା ଏବଂ ଗାଧେଇବା ପାଇଁ ପାଖରେ ସାବୁନ ନ ଥିଲା, ସେତେବେଳେ କାକର ବୁନ୍ଦାକୁ ସାବୁନ ଭାବେ ବ୍ୟବହାର କରୁଥିଲେ ବୋଲି ମୋଦି କହିଛନ୍ତି ।

ଜୀବନର କଷ୍ଟ ବର୍ଣ୍ଣନା କରିବାକୁ ଯାଇ ମୋଦି କହିଛନ୍ତି ଯେ ସେ ତମ୍ବା ବାସନରେ ଗରମ କୋଇଲାକୁ ବ୍ୟବହାର କରି କିପରି ପୋଷାକ ଆଇରନ୍ କରିଛନ୍ତି। ଛାତ୍ର ଜୀବନରେ ହିମାଳୟର ପାଦଦେଶରେ ବୁଲିବାର ଅନୁଭୂତି ମଧ୍ୟ ବଖାଣିଛନ୍ତି। ସେ ଯେତେବେଳେ ମାତ୍ର ୧୮ ବର୍ଷ ବୟସରେ ଘର ଛାଡି ହିମାଳୟ ଚାଲିଆସିଥିଲେ, ସବୁଠାରୁ କମ୍‌ ସାମଗ୍ରୀରେ ଜୀବନ ଅତିବାହିତ କରିବାର କଳା ସେ ହିମାଳୟରେ ରହିବା ସମୟରୁ ହିଁ ଶିଖିଥିଲେ ବୋଲି ମୋଦି କହିଛନ୍ତି। ଏହି କାର୍ଯ୍ୟକ୍ରମର ଉପସ୍ଥାପକ ବିଅର ଗ୍ରିଲ୍ସଙ୍କୁ ମୋଦି କହିଛନ୍ତି ଯେ  ତାଙ୍କ ଦୀର୍ଘ ବର୍ଷର ରାଜନୈତିକ କ୍ୟାରିଅରରେ ସେ କେବେ ଛୁଟି ନେଇ ନାହାନ୍ତି । ତେବେ ଏହି ଜଙ୍ଗଲ ଯାତ୍ରାକୁ ଆପଣ ପ୍ରଥମ ଛୁଟି ବୋଲି ଧରି ପାରିବେ । ଆଉ କାର୍ଯ୍ୟକ୍ରମର ଶେଷରେ ମୋଦି  ବସୁଧୈବ କୁଟୁମ୍ବକମ୍ କଥା ଦୋହରାଇଥିବା ଦେଖିବାକୁ ମିଳିଛି।

ମୋଦିଙ୍କ ଏହି ଦୁଃସାହସିକ ଯାତ୍ରାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ଅନେକ ବଲିଉଡ୍‌ ଷ୍ଟାର ଓ ଅନ୍ୟାନ୍ୟ ବର୍ଗର ଲୋକେ ସୋସାଲ ମିଡିଆ ଜରିଆରେ ମୋଦିଙ୍କୁ ପ୍ରଶଂସା ଅଜାଡ଼ି ଦେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ