ମହାରାଷ୍ଟ୍ର ବନ୍ୟାରେ ୪୩ ମୃତ, ୬୮୦୦ କୋଟି ସହାୟତା ମାଗିଲେ ଫଡନାବୀସ୍‌


ମୁମ୍ବାଇ: ମହାରାଷ୍ଟ୍ର ସମେତ ଦେଶର ୬ଟି ରାଜ୍ୟରେ ଭୟାବହ ବନ୍ୟା କାରଣରୁ ଶତାଧିକ ଲୋକଙ୍କ ଯାଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ବେସାହାରା ହୋଇଛନ୍ତି। ମହାରାଷ୍ଟ୍ରରେ ଦେଖାଦେଇଥିବା ପ୍ରଳୟଙ୍କରୀ ବନ୍ୟାରେ ଅଦ୍ୟାବଧି ୪୩ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ କେନ୍ଦ୍ର ସରକାରଙ୍କ ନିକଟରେ ୬୮୦୦ କୋଟି ଟଙ୍କାର ସହାୟତା ଦାବି କରିଛନ୍ତି। ବନ୍ୟାଜନିତ କ୍ଷୟକ୍ଷତିର ଆକଳନ ଚାଲିଛି ଓ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ଖୁବ୍‌ଶୀଘ୍ର କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଭେଟି ଆବଶ୍ୟକ ସହାୟତା ସମ୍ପର୍କରେ ନିଜର ଦାବି ଉପସ୍ଥାପନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଫଡ଼ନବୀସ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ରାଜ୍ୟର କୋଙ୍କଣ ଓ ନାଶିକ୍‌ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ କୋହ୍ଲାପୁର, ସାଙ୍ଗଲି ଓ ସତାରା ଜିଲ୍ଲା ମଧ୍ୟ କମ୍‌ ପ୍ରଭାବିତ ହୋଇନାହାନ୍ତି। ତେଣୁ କୋଙ୍କଣ ଓ ନାଶିକ୍‌ ବନ୍ୟା ପ୍ରଭାବିତଙ୍କ ଥଇଥାନ ସକାଶେ ୨୧୦୫ କୋଟି ଓ କୋହ୍ଲାପୁର, ସାଙ୍ଗଲି ଓ ସତାରା ଜିଲ୍ଲାର ବନ୍ୟା ପୀଡ଼ିତଙ୍କ ପାଇଁ ୪୭୦୦ କୋଟି ଟଙ୍କାର ସହାୟତା ଫଡନବୀସ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିବାର ସମ୍ଭାବନା ରହିଛି। ବନ୍ୟା ପ୍ରଭାବିତଙ୍କ ସ୍ଥିତି ସୁଧାରିବା ସକାଶେ ଫଡ଼ନବୀସଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ସେମାନଙ୍କ ଗୋଟିଏ ମାସର ଦରମା ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ପ୍ରଦାନ କରିବେ ବୋଲି ଘୋଷଣା କରିସାରିଛନ୍ତି। ବନ୍ୟାରେ ବାସଗୃହ ହରାଇଥିବା ଲୋକମାନଙ୍କୁ ସେମାନଙ୍କ ଘର ତିଆରି କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି ଫଡ଼ନବୀସ କହିଛନ୍ତି।

ସୂଚନାଯୋଗ୍ୟ ଯେ ବନ୍ୟାରେ ଅଦ୍ୟାବଧି ୪୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ନିଖୋଜ ଅଛନ୍ତି। ୫୮୪ଟି ଗ୍ରାମରୁ ୪ ଲକ୍ଷ ୭୪ ହଜାର ୨୨୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୧୨୨୪ଟି ଅସ୍ଥାୟୀ ଶିବିର କାର୍ଯ୍ୟ କରୁଛି, ଯେଉଁଠି ୩ ଲକ୍ଷ ୯୩ ହଜାର ୯୫୬ ଜଣ ଲୋକ ଆଶ୍ରୟ ନେଇଛନ୍ତି। ସେହିପରି ସ୍ବାସ୍ଥ୍ୟସେବା ଯୋଗାଇଦେବା ସକାଶେ ୩୭୨ଟି ମେଡିକାଲ୍‌ ଟିମ୍‌କୁ ମଧ୍ୟ ମୁତୟନ କରାଯାଇଛି। ଆହୁରି ମଧ୍ୟ ୧୦୫ଟି ସ୍ଥଳସେନା, ନୌସେନା ଓ ବାୟୁସେନା, ଏନ୍‌ଡିଆର୍‌ଏଫ୍, ଏସ୍‌ଡିଆର୍‌ଏଫ୍‌ର ୧୦୫ଟି ଟିମ୍‌ ବିଭିନ୍ନ ସ୍ଥାନରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ମୁତୟନ ଅଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ୧୬୪ଟି ଡଙ୍ଗା ଯୋଗାଇ ଦିଆଯାଇଥିବା ସରକାରୀ ଭାବେ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ