ଆଇଆଇଟିରେ ପଢ଼ି ସରକାରୀ କିରାଣି: ଉଚ୍ଚଶିକ୍ଷିତ ପେସାଦାର ଛାଡ଼ୁଛନ୍ତି ବେସରକାରୀ ଚାକିରି

ଦାୟିତ୍ବ, ସୁରକ୍ଷା ଓ ଅନିଶ୍ଚିତତାର ଚାପରେ ଯୁବବର୍ଗ ଏବେ ସରକାରୀ ଚାକିରି ମୁହାଁ

ନିକଟରେ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ପକ୍ଷରୁ ୫୦୦ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦବୀ ପୂରଣ ଲାଗି ଆବେଦନ କରାଯାଇଥିଲା। ଏହା ଭିତରେ ସାକ୍ଷାତକାର ସରି ନିଯୁକ୍ତି ପ୍ରଦାନ ସରିଛି। ତେବେ ନବନିଯୁକ୍ତ ଏଏସ୍‌ଓଙ୍କୁ ନେଇ ଥମିନି ଚର୍ଚ୍ଚା। ଚାକିରି ପାଇଥିବା ଏହି ୫୦୦ ଯୁବବର୍ଗଙ୍କ ମଧ୍ୟରୁ କିଏ ଆଇଆଇଟିରୁ ବିଟେକ୍‌ /ଏମ୍‌ଟେକ୍‌ ତ କିଏ ଡାକ୍ତର ତ ପୁଣି ଆଉ କିଏ ଫାର୍ମାସିଷ୍ଟ ପରେ ବ୍ୟାଙ୍କ ପିଓ ଏବଂ ବହୁରାଷ୍ଟ୍ରୀୟ କମ୍ପାନୀର ଚାକିରି ଛାଡ଼ି ରାଜ୍ୟ ସରକାରଙ୍କ ସଚିବାଳୟର କିରାଣି ପଦବୀରେ ଯୋଗଦେଇଛନ୍ତି। ଆଇଆଇଟି ପଢ଼ି କିରାଣି ଚାକିରି ପସନ୍ଦ ପଛର ରହସ୍ୟ କ’ଣ, ତାକୁ ନେଇ ସାରା ରାଜ୍ୟ ଖୋଜୁଛି କାରଣ।

ଚାକିରିର ସୁରକ୍ଷା ଓ ଘରୋଇ କ୍ଷେତ୍ରରେ ଅନିଶ୍ଚିତତାର ଚାପରେ ଫସି ଓଡ଼ିଶାର କେତେକ ପେସାଦାର ଡିଗ୍ରୀଧାରୀ ସରକାରୀ କିରାଣି ଚାକିରିକୁ ପସନ୍ଦ କରିଥିବା ଭଳି ଏକ ଖବର ସାମ୍ନାକୁ ଆସିଛି। ସେମାନଙ୍କ ମଧ୍ୟରୁ କେତେକ ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଆକର୍ଷଣୀୟ ଚାକିରିକୁ ଛାଡ଼ି ସଚିବାଳୟର ଏହି ଗ୍ରୁପ-ଡି ଏଏସ୍‌ଓ ପଦବୀରେ ଯୋଗଦେଇଛନ୍ତି। ୫୦୦ ଆସିଷ୍ଟାଣ୍ଟ ସେକ୍ସନ ଅଫିସରଙ୍କ ନିଯୁକ୍ତି ପରେ ଏଭଳି ତଥ୍ୟ ଏବେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ରାଜ୍ୟ ରାଜଧାନୀ ଭୁବନେଶ୍ବରର ସଚିବାଳୟରେ ନୂଆକରି ଯୋଗଦାନ କରିଥିବା ଏହି ଯୁବବର୍ଗଙ୍କ ମଧ୍ୟରୁ ୭୦ ପ୍ରତିଶତ ହେଉଛନ୍ତି ବିଟେକ୍‌ ଇଞ୍ଜିନିଅର। ଏମାନଙ୍କ ମଧ୍ୟରୁ ୩ ଜଣ ଆଇଆଇଟି ଗ୍ରାଜୁଏଟ। ୫ ଜଣ ନିଜର ଏମ୍‌ଟେକ୍‌ ଶିକ୍ଷା ସମାପ୍ତ କରିଥିବା ବେଳେ ୧୨ ଜଣ ବିଭିନ୍ନ ବ୍ୟାଙ୍କର ପିଓ (ପ୍ରୋବେସନାରୀ ଅଫିସର)। ସେମାନଙ୍କ ମଧ୍ୟରୁ ୨ ଜଣ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ପିଓ ପଦବୀରେ ଅବସ୍ଥାପିତ ଥିଲେ। ଜଣେ ବିଏଚ୍‌ଏମଏସ୍‌ (ହୋମିଓପାଥିକ ଡାକ୍ତର)। ୩ ଜଣ ବି.ଫାର୍ମା ଗ୍ରାଜୁଏଟ ଏବଂ ଆହୁରି ଅନେକ ଯେଉଁମାନେ ଟିସିଏସ, ଇନଫୋସିସ, ଆଇବିଏମ ଏବଂ ୱିପ୍ରୋ ପରି ବହୁରାଷ୍ଟ୍ରୀୟ କମ୍ପାନୀ ଗୁଡ଼ିକରେ ସିଷ୍ଟମ ଇଞ୍ଜିନିୟର ଭାବେ ଅବସ୍ଥାପିତ ଥିଲେ ଏବଂ ସେଠାରେ କାମର ଚାପ, ଟାର୍ଗେଟ ପୂରଣର ବାଧ୍ୟବାଧକତା, ଅଧିକ ସମୟ କାମ କରିବାର ଚାପ ଓ ସର୍ବୋପରି ଚାକିରିର ସ୍ଥାୟିତ୍ବ, ସୁରକ୍ଷା ଓ ନିରାପତ୍ତା ନ ଥିବା ଦର୍ଶାଇ ଚାକିରି ଛାଡ଼ି ସଚିବାଳୟର ଏହି କିରାଣି ଚାକିରି ସର୍ବୋତ୍କୃଷ୍ଟ ବୋଲି ସ୍ବୀକାର କରିଛନ୍ତି। ଯେଉଁସବୁ ଯୁବକମାନେ ଏବେ ଏଏସ୍‌ଓର ନବନିଯୁକ୍ତି ପାଇଛନ୍ତି, ସେମାନେ କିଛି ବର୍ଷ ତଳେ ଘରୋଇ କ୍ଷେତ୍ରର ଚାକିରିକୁ ଆକର୍ଷଣୀୟ ବୋଲି ମନେକରିଥିଲେ। କିଛିବର୍ଷ ତଳେ ବ୍ୟାଙ୍କ ଚାକିରିକୁ ସବୁଠୁ ଭଲ ବୋଲି ମନେ କରାଯାଉଥିଲା। ଏବେ ଷ୍ଟେଟ୍‌ ବ୍ୟାଙ୍କର ପିଓ ଚାକିରି ସଚିବାଳୟର କିରାଣି ଚାକିରି ଠାରୁ ଭଲ ନୁହେଁ ବୋଲି ବିବେଚନା କରାଯାଉଛି। ସେହିପରି ଅଟୋମୋବାଇଲ କ୍ଷେତ୍ରରେ ଏବେ ବ୍ୟାପକ ଅସ୍ଥିରତା ଆରମ୍ଭ ହୋଇଛି। ସାଢ଼େ ତିନିଲକ୍ଷ ଲୋକ ବଡ଼ ଚାକିରି ହରାଇଲେଣି। ଆଗକୁ ଆଇଟି ସେକ୍ଟରରେ ଏଭଳି ହେବ। ବଡ଼ ବଡ଼ ଆଇଟି କମ୍ପାନୀମାନେ ନିଜ କମ୍ପାନୀର ୧୦-୧୨ ବର୍ଷର ପୁରୁଣା କର୍ମଚାରୀଙ୍କୁ ବାହାରର ରାସ୍ତା ଦେଖାଉଛନ୍ତି। ଏଭଳି ସ୍ଥିତିରେ ଜବ୍‌ ସିକ୍ୟୁରିଟି ଥିବା ସରକାରୀ କିରାଣି ଚାକିରି ନିଶ୍ଚିତ ଭଲ ବୋଲି ମତ ପ୍ରକାଶ ପାଇଛଇ। ଗୃହ ବିଭାଗର ଆଡିସନାଲ ସେକ୍ରେଟାରୀ ପାର୍ଥ ସାରଥୀ ମିଶ୍ର କହନ୍ତି, ବିଟେକ୍‌ ଇଞ୍ଜିନିୟର, ବ୍ୟାଙ୍କ ପ୍ରୋବେସନାରୀ ଅଫିସର ଏବଂ ତିନି ତିନି ଜଣ ଆଇଆଇଟିଆନ ଓଡ଼ିଶା ସଚିବାଳୟ ସେବାରେ ଯୋଗଦେବା ପେସାଦାର ମନୋବୃତ୍ତି ଓ କାମର ଗୁଣାତ୍ମକ ମାନକୁ ବୃଦ୍ଧି କରିବ।

ଏବେ ଆଉ ଏଏସ୍‌ଓମାନଙ୍କୁ କିରାଣି କୁହାଯାଉ ନାହିଁ। ସେମାନଙ୍କ ସହକାରୀ ସେକ୍ସନ ଅଧିକାରୀ ଭାବେ କୁହାଯାଉଥିବାରୁ ଆବେଦନକାରୀଙ୍କ ମଧ୍ୟରେ ଏଭଳି ଯୋଗ୍ୟତା ସମ୍ପନ୍ନ ପ୍ରାର୍ଥୀମାନେ ରାଜ୍ୟ ସରକାରୀ ଚାକିରି ଆଡ଼କୁ ମୁହଁ ଫେରାଇ ଚାହିଁଲେଣି। ଗୋଟିଏ ସ୍ଥାନରେ ଚାକିରିର ଶେଷ ପର୍ଯ୍ୟନ୍ତ ରହିବାର ସୁଯୋଗ ମିଳୁଥିବାରୁ ଏବଂ କାମର ଚାପ କମ୍‌ ଥିବା ତଥା ଅଧିକ ଛୁଟି ଓ କମ୍‌ ସମୟ କାମ କରିବାକୁ ହେଉଥିବାରୁ ଆମେ ଏଭଳି ଚାକିରି ପାଇଁ ଆକର୍ଷିତ ହୋଇଛୁ ବୋଲି ଅନେକ ନବନିଯୁକ୍ତ ଅଧିକାରୀ ମତ ଦେଇଥିଲେ। ବ୍ୟାଙ୍କ ପିଓ ଭଳି ଚାକିରି ଛାଡ଼ି ଏଏସ୍‌ଓ ଚାକିରିରେ ଯୋଗଦେଇଥିବା ବିଟେକ୍‌ ଇଞ୍ଜିନିୟର ଅନିଲ ପ୍ରଧାନ ନିଜ ପ୍ରତିକ୍ରିୟାରେ ବ୍ୟାଙ୍କର ବଦଳି ନୀତି ଓ ଅସୁରକ୍ଷିତ ଚାକିରି ମୋତେ ବ୍ୟାଙ୍କ ଚାକିରି ଛାଡ଼ିବା ପାଇଁ ବାଧ୍ୟ କରାଇଥିଲା ବୋଲି କହିଥିଲେ। ଏହାଠାରୁ ଅଧା ଦରମା ମିଳୁଥିବାରୁ ମୋର ଜଣେ ବନ୍ଧୁ ପୂର୍ବ ଚାକିରି ଛାଡ଼ି ସଚିବାଳୟରେ ଯୋଗ ଦେଇଥିବା ଅନିଲ ସୂଚାଇଥିଲେ।

ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଭାବେ ଚାକିରି ଜୀବନ ଆରମ୍ଭ କରିଥିବା ଜଣେ ବ୍ୟକ୍ତି କଠିନ ପରିଶ୍ରମ ଏବଂ ବିଭାଗୀୟ ପରୀକ୍ଷାରେ ଭଲ କରି ଅତିରିକ୍ତ ସଚିବ (ସିନିଅର କ୍ଲାସ ୱାନ) ପଦବୀକୁ ଯାଇପାରିବେ ବୋଲି ଜଣେ ଅଧିକାରୀ କହିଥିଲେ। ଏ ଦୃଷ୍ଟିରୁ ଏଏସ୍‌ଓ ଚାକିରି ବିଟେକ୍‌ ଇଞ୍ଜିନିଅର ଓ ବ୍ୟାଙ୍କ ପିଓ ତୁଳନାରେ ଭଲ ବୋଲି ତାଙ୍କର ଯୁକ୍ତି ଥିଲା। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରୁ ଚାକିରି ଛାଡ଼ିଥିବା ବିଟେକ୍‌ ଗ୍ରାଜୁଏଟ ରାଜଲକ୍ଷ୍ମୀ ସାହୁ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଶାନ୍ତି ନ ଥିବା ସୂଚାଇଥିଲେ। ଏଠାରେ ବଦଳି ନାହିଁ। ରାଜଧାନୀରେ ଚାକିରି ଆରମ୍ଭ ଆଉ ରାଜଧାନୀରେ ଶେଷ। ତା’ ସହ ଚାକିରିର ସୁରକ୍ଷା ଓ ନିରାପତ୍ତା ଅଛି। ନିଜ ନାମ ପ୍ରକାଶ ନ କରିବାକୁ ଅନୁରୋଧ କରି ଆଉ ଜଣେ ନିବନିଯୁକ୍ତ ଏଏସ୍‌ଓ କହିଲେ ଯେ ମୁଁ ବହୁରାଷ୍ଟ୍ରୀୟ କମ୍ପାନୀର ଚାକିରି ଭୟ ପାଇଁ ଛାଡ଼ିଛି। ଏଠି କେହି ସିନିଅର ଆମକୁ ମନଇଛା କଥା କଥାରେ ଶବ୍ଦର ଗୁଳିଫୁଟାଇ ପାରିବେ ନାହିଁ। ୧୦ରୁ ୫ଟା ପର୍ଯ୍ୟନ୍ତ କାମ କରିବା ପରେ ଆମେ ଅନ୍ୟକିଛି କରିବା ପାଇଁ ପ୍ରଚୁର ସମୟ ପାଇବୁ। ଅଧିକାଂଶ ଘରୋଇ ଚାକିରି କଣ୍ଟ୍ରାକ୍ଟ ଜବ୍‌। ଏଠି ଅନ୍ୟ ଚାକିରି ପାଇଁ ପ୍ରସ୍ତୁତ ହେବାକୁ ସମୟ ମିଳେନା। ସେ କହିଲେ ଯେ କଟକ ଜଜ୍‌ଙ୍କ ଦ୍ବାରା ବିଞପିତ ଏକ ଗ୍ରୁପ-ଡି ଚାକିରି ପାଇଁ ୩୨ ହଜାର ଆବେଦନକାରୀ ଥିବା କଥା ଆପଣମାନେ ଜାଣନ୍ତି। ଯେଉଁଠି ଏମ୍‌ସିଏ, ଏମ୍‌ବିଏ ଏବଂ ବିଟେକ୍‌ ଡିଗ୍ରୀଧାରୀମାନେ ବହୁ ସଂଖ୍ୟାରେ ଆବେଦନ କରିଥିଲେ।

ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ଆସୋସିଏସନର ସମ୍ପାଦକ ବିନୋଦ ଦାସ କହନ୍ତି, ପ୍ରାଇଭେଟ କମ୍ପାନୀଗୁଡ଼ିକର ହାଏର-ଆଣ୍ଡ ଫାଏର ନୀତି ଯୁବବର୍ଗଙ୍କୁ ସରକାରୀ ଚାକିରିରେ ଯୋଗଦେବାକୁ ବାଧ୍ୟ କରାଉଛି। ଚଳିତ ବର୍ଷ ଦେଶର ଦୁଇ ନମ୍ବର କୁହାଯାଉଥିବା ସଫ୍ଟୱେୟର କମ୍ପାନୀ ଇନଫୋସିସ କ୍ୟାମ୍ପସ ଜରିଆରେ ୧୫ ହଜାର ଗ୍ରାଜୁଏଟଙ୍କୁ ନିଯୁକ୍ତି ପ୍ରଦାନ କରି ଗତ ଜୁନ ମାସ ଠାରୁ ଜୁଲାଇ ୩୦ ସୁଦ୍ଧା ମାସକୁ ୨୫ ହଜାର ଦରମା ଦେବାର ଚୁକ୍ତିବଦ୍ଧ କରି ମାସକୁ ୨୦ ହଜାର ଟଙ୍କା ଦେଉଛି ଏବଂ ସକାଳ ୯ଟାରୁ ରାତି ୯ ଯାଏ ପ୍ରଶିକ୍ଷଣ ଦେବା ନାମରେ ମାନସିକ ନିର୍ଯାତନା ଦେଉଛି ବୋଲି ସୋସାଲ ପ୍ଲାଟଫର୍ମରେ ଗୁରୁତର ଅଭିଯୋଗ ଉଠିଛି। ଏହି କାରଣକୁ ନେଇ ବିଟେକ୍‌ ଗ୍ରାଜୁଏଟ ଅରୁଣ ଦାସ କହିଛନ୍ତି ଯେ ଘରୋଇ ଚାକିରି ପ୍ରତି ବିଶ୍ବାସ ନ ଥିବାରୁ ମେଧାମାନଙ୍କ ସ୍ବପ୍ନଭଙ୍ଗ ହୋଇଛି ଏବଂ ଅତୀତରେ ଡାକ୍ତର ଓ ଇଞ୍ଜିନିୟରମାନେ ବହୁରାଷ୍ଟ୍ରୀୟ କମ୍ପାନୀ ଆଡ଼କୁ ଯେଭଳି ଅଗ୍ରସର ହେଉଥିଲେ, ଏବେ ସେତିକି ଗତିରେ ସରକାରୀ ଚାକିରି ଆଡ଼କୁ ଫେରୁଛନ୍ତି।

ସଚିବାଳୟର ସୁରକ୍ଷିତ ଚାକିରି ବନାମ ଘରୋଇ କ୍ଷେତ୍ରର ଅସୁରକ୍ଷିତ ଚାକିରି, ଏଭଳି ଦ୍ବନ୍ଦ୍ବ ଚାଲିଥିବା ବେଳେ ସମାଜସେବୀ ପ୍ରଭାତ ମିଶ୍ର ବେରୋଜଗାରମାନେ ଏହି ପ୍ରକ୍ରିୟାରେ ପେଷି ହୋଇଥିବା ନେଇ ମତବ୍ୟକ୍ତ କରନ୍ତି। ବ୍ୟାଙ୍କ ପିଓ ଚାକିରି ଛାଡ଼ିଲେ ଏଏସ୍‌ଓ ହେଲେ। ଇଞ୍ଜିନିୟର ବହୁରାଷ୍ଟ୍ରୀୟ କମ୍ପାନୀ ଛାଡ଼ିଲେ କିରାଣି ଚାକିରିରେ ଯୋଗଦେଲେ। ଡାକ୍ତର, ଫାର୍ମାସିଷ୍ଟ ନିଜ ନିଜ ପେସା ବଦଳାଇ କିରାଣି ହେଲେ କାହିଁକି? କାହିଁକି ଜଣେ ଆଇଆଇଟି ଗ୍ରାଜୁଏଟ ଏଏସ୍‌ଓ ହେଲେ? ଯେଉଁଦିନ ସେ ଆଇଆଇଟିରେ ଯୋଗଦେଇଥିଲେ, କ’ଣ ସେଦିନ ତାଙ୍କର ଏହି ସ୍ବପ୍ନ ଥିଲା? ଏହା ଭାରତୀୟ ଶିକ୍ଷା ବ୍ୟବସ୍ଥାର ଗୁରୁତର ତ୍ରୁଟି ନୁହେଁ ତ! ଫଳରେ ଏହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଙ୍କି ମାରିବାରେ ଲାଗିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଟେଷ୍ଟି ଏଣ୍ଡ କ୍ରିସ୍‌ପୀ ଗୁଡ଼ ଚକୁଳିର
ଅଧିକାଂଶ ଭାରତୀୟ ସକାଳ ଜଳଖିଆରେ ଚକୁଳି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଠାରେ ଗୁଡ଼ରେ ତିଆରି କରାଯାଇଥିବା ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ସାଧାରଣତଃ ଚକୁଳିକୁ ବିରି ଓ ଚାଉଳରେ ତିଆରି କରାଯାଉଥିବାବେଳେ ଏହି ଚକୁଳିରେ ଗୁଡ଼ ମିଶାଯାଇଥାଏ। ଏହାକୁ ଆପଣ ପିଲାଙ୍କ ଟିଫିନ୍‌ ବକ୍ସରେ ଦେଇପାରିବେ କିମ୍ବା ସକାଳ ବ୍ରେକ୍‌ଫାଷ୍ଟ ଓ ସନ୍ଧ୍ୟା ସ୍ନାକ୍‌ସ ଭାବେ ମଧ୍ୟ ଖାଇପାରିବେ। ଏହି ଚକୁଳି ଗୁଡ଼, ଚାଉଳ ଚୁନା ଓ ଅଟାର ମିଶ୍ରଣରେ ତିଆରି କରାଯାଇଥାଏ। ଗୁଡ଼ରେ ଆଇରନ୍‌ର ଉତ୍ତମ ସ୍ରୋତ ଥିବାବେଳେ ଅଟାରେ ଅନେକ ପ୍ରକାରର ପୋଷକତତ୍ତ୍ବ ଓ ଫାଇବର ରହିଛି। ଚାଲନ୍ତୁ ଜାଣିବା ଏହି ଗୁଡ଼ ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।