ମୁଖ୍ୟ ଖବର
ବନ୍ୟାରେ ବିପଜ୍ଜନକ ଦୃଶ୍ୟ: ଛାତ ଉପରେ ବିଶାଳ କୁମ୍ଭୀର

ବେଙ୍ଗାଳୁରୁ: ସମଗ୍ର ଉତ୍ତର ଓ ପଶ୍ଚିମ ଭାରତରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ଉଦ୍ବେଗଜନକ ରହିଥିବା ବେଳେ ଜଳଚରମାନେ ଜନପଦ ମଧ୍ୟକୁ ପ୍ରବେଶ କରୁଥିବାର ଦୃଶ୍ୟ ଲଗାତର ଦେଖିବାକୁ ମିଳୁଛି। ନିକଟରେ ବଡୋଦରାରେ ଗୋଟିଏ କୁମ୍ଭୀର ରାସ୍ତାରେ ଚାଲୁଥିବା ପାଣିରେ ଗୋଟିଏ କୁକୁରକୁ ଆକ୍ରମଣ କରୁଥିବାର ଦୃଶ୍ୟ ବେଶ୍ ଭାଇରାଲ୍ ହୋଇଥିଲା। ଏବେ କର୍ଣ୍ଣାଟକରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକୁ ବିଶ୍ବାସ କରିବା ସହଜ ନୁହେଁ। କିନ୍ତୁ ଏହା ନିରାଟ ସତ୍ୟ। ଏକ ବିଶାଳକାୟ କୁମ୍ଭୀର ଗୋଟିଏ ଆଜବେଷ୍ଟସ୍ ଘରର ଛାତ ଉପରେ ବିଶ୍ରାମ ନେଉଥିବାର ଦୃଶ୍ୟ ଏବେ ଭାଇରାଲ୍ ହୋଇଛି। ଏପରି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି କର୍ଣ୍ଣାଟକର ବନ୍ୟା ପ୍ରଭାବିତ ଅଞ୍ଚଳରେ।
କର୍ଣ୍ଣାଟକର ବେଲଗାମ୍ର ରେବାଗ୍ ତାଲୁକାରେ ବନ୍ୟା ପାଣି ମାଡ଼ିଥିବା ବେଳେ ଗୋଟିଏ ଘରର ଛାତ ଉପରେ ଏହି କୁମ୍ଭୀରଟି ଶୋଇଥିବାର ଦୃଶ୍ୟ ଉକ୍ତ ଭିଡିଓରେ ରହିଛି। ଘରଟି ପୂରାପୂରି ପାଣିରେ ବୁଡ଼ିରହିଥିବା ବେଳେ କେବଳ ଏହାର ଛାତ ଦେଖାଯାଉଛି। କୁମ୍ଭୀରଟି ପାଟି ମେଲା କରି ଶୋଇ ରହିଥିବା ସମ୍ବଳିତ ଦୃଶ୍ୟର ଏହି ଭିଡିଓଟିକୁ ଏକ ଗଣମାଧ୍ୟମ ପକ୍ଷରୁ ଶେୟାର୍ କରାଯାଇଛି। ମାତ୍ର କେଇ ଘଣ୍ଟା ଭିତରେ ଏହି ଭିଡିଓକୁ ୩୭ ହଜାର ଲୋକ ଦେଖିସାରିଲେଣି ଓ ଦର୍ଶକଙ୍କ ସଂଖ୍ୟା କ୍ରମଶଃ ବଢ଼ିଚାଲିଛି। ରବିବାର ଏହି କୁମ୍ଭୀରଟିକୁ ଦେଖିବାକୁ ମିଳିଥିବା ବେଳେ ବନ ବିଭାଗର ଅଧିକାରୀମାନେ ସେଠାରେ ପହଞ୍ଚିବା ପୂର୍ବରୁ କୁମ୍ଭୀରଟି ସେଠାରୁ ଖସି ପଳାଇଯାଇଥିବା ଉକ୍ତ ଗଣମାଧ୍ୟମ ତା’ର ରିପୋର୍ଟରେ ପ୍ରକାଶ କରିଛି। ସୂଚନାଯୋଗ୍ୟ ଯେ କର୍ଣ୍ଣାଟକରେ ଅଦ୍ୟାବଧି ୫ ଲକ୍ଷ ୮୧ ହଜାର ୭୦୨ ଜଣ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ