ଚର୍ଚ୍ଚିତ ଖବର
ସିବିଏସ୍ଇ ପରୀକ୍ଷା ଫି’ ବୃଦ୍ଧିକୁ ଓଡ଼ିଶା ଅଭିଭାବକ ମହାସଂଘର ବିରୋଧ

ଭୁବନେଶ୍ବର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫି’ ବୃଦ୍ଧି କରିଛନ୍ତି। ହଠାତ୍ ଏପରି ପରୀକ୍ଷା ଫି’ ବୃଦ୍ଧିକୁ ଓଡ଼ିଶା ଅଭିଭାବକ ମହାସଂଘ ସୋମବାର ବିରୋଧ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଛି। ଏଥିସହ ମାନବସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖି ସିବିଏସ୍ଇ ପରୀକ୍ଷା ଫି’ ବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ମହାସଂଘ ଦାବି କରିଛି। ଓଡ଼ିଶାରେ ସିବିଏସ୍ଇରେ ପ୍ରାୟ ୯ରୁ ୧୦ ଲକ୍ଷ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ପ୍ରାୟ ଦୁଇ ଲକ୍ଷ ଛାତ୍ରଛାତ୍ରୀ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ ଯେପରି ଭାବରେ ପରୀକ୍ଷା ‘ଫି’ ବୃଦ୍ଧି କରାଯାଉଛି ନିମ୍ନ ଓ ମଧ୍ୟମ ବର୍ଗ ପରିବାରର ପିଲାମାନେ ସିବିଏସ୍ଇ ନାମ ଲେଖାଇବାରୁ ବଞ୍ଚିତ ରହିବେ।
ସୂଚନାଯୋଗ୍ୟ, ପାଞ୍ଚ ବର୍ଷ ପର ସିବିଏସ୍ଇ ପକ୍ଷରୁ ପରୀକ୍ଷା ‘ଫି’ ବୃଦ୍ଧି କରାଯାଇଛି। ଭାରତରେ ସିବିଏସ୍ଇ ମାନ୍ୟତା ପ୍ରାପ୍ତ ସ୍କୁଲ୍ରେ ସମସ୍ତ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଏହି ବର୍ଦ୍ଧିତ ‘ଫି’ଲାଗୁ କରାଯାଇଛି। ଅନୁସୂଚିତ ଜାତି ଓ ଜନଜାତି (ଏସ୍ସି/ଏସ୍ଟି) ପିଲାଙ୍କ ଲାଗି ପରୀକ୍ଷା ଫି’ ୨୪ ଗୁଣ ବୃଦ୍ଧି ପାଇଛି। ସେମାନେ ପୂର୍ବରୁ ୫୦ ଟଙ୍କା ଦେଉଥିବା ବେଳେ ଏଣିକି ୧୨୦୦ ଟଙ୍କା ଦେୟ ପୈଠ କରିବେ। ସାଧାରଣ ବର୍ଗର ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫି’ ଦୁଇଗୁଣ କରାଯାଇଛି। ସେମାନଙ୍କୁ ଏଣିକି ୧୫୦୦ ଟଙ୍କା ପୈଠ କରିବାକୁ ପଡ଼ିବ। ପୂର୍ବରୁ ସେମାନେ ୭୫୦ ଟଙ୍କା ଦେଉଥିଲେ। ସେହିପରି ମାଇଗ୍ରେସନ୍ ଫି ୧୫୦ ଟଙ୍କା ବଦଳରେ ୩୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। ତେବେ ଦୃଷ୍ଟିହୀନ ଛାତ୍ରୀଛାତ୍ରଙ୍କୁ କୌଣସି ପରୀକ୍ଷା ଫି’ ଦେବାକୁ ପଡ଼ିବ ନାହିଁ ବୋଲି ସିବିଏସ୍ଇ ପକ୍ଷରୁ ଘୋଷଣା କରାଯାଇଛି। ବହୁ ମଧ୍ୟବିତ୍ତ ଶ୍ରେଣୀର ଲୋକ ନିଜ ପିଲାଙ୍କୁ ପଢ଼ାଉଥିବା ବେଳେ ବାରମ୍ବାର ଫି’ ବୃଦ୍ଧି କାରଣରୁ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଶୁଳ୍କ ବୃଦ୍ଧି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଓଡ଼ିଶା ଅଭିଭାବକ ମହାସଂଘ ଦାବି କରିଛି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ