ବାର ଦୁଆର ଶୁଣ୍ଢି ପିଣ୍ଡା ହେଉଛି ପାକିସ୍ତାନ, କେହି ଶୁଣୁନାହାନ୍ତି ଗୁହାରୀ

କଶ୍ମୀର ପ୍ରସଙ୍ଗରେ ଏକଘରିକିଆ ହେବା ପରେ ଆତଙ୍କବାଦ ଶେଷ ବାଧ୍ୟବାଧକତା

ଇସଲାମାବାଦ: ଚଳିତ ସପ୍ତାହ ପ୍ରାରମ୍ଭରେ ଭାରତ ସରକାର ସମ୍ବିଧାନରୁ ଧାରା ୩୭୦କୁ ଉଚ୍ଛେଦ କରିବା ଫଳରେ ଜମ୍ମୁ-କଶ୍ମୀର ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ହରାଇବା ସହ ଏହା ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ ହୋଇଛି। ଏହି ରାଜ୍ୟରୁ ଲଦାଖ୍ ଓ ଲେହକୁ ଅଲଗା କରିଦିଆଯାଇଛି ଏବଂ ଲଦାଖ୍‌କୁ ସ୍ବତନ୍ତ୍ର କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ଦିଆଯାଇଛି। ତେବେ ମୋଦି ସରକାରଙ୍କ ଏପରି ନିଷ୍ପତ୍ତିରେ ପଡ଼ୋଶୀ ପାକିସ୍ତାନର ବଦହଜମୀ ବଢ଼ିଯାଇଛି। ସବୁବେଳେ କଶ୍ମୀର ରାଗ ଆଳାପ କରୁଥିବା ପାକିସ୍ତାନ ନିଜକୁ ଏ କ୍ଷେତ୍ରରେ ବର୍ତ୍ତମାନ ସମୟରେ ସମ୍ପୂର୍ଣ୍ଣ ଭାବେ ଅସହାୟ ମନେ କରୁଛି। କାରଣ ବିଗତ ଦିନରେ ଯେଉଁମାନେ ପାକିସ୍ତାନକୁ ସମର୍ଥନ କରୁଥିଲେ, ସେମାନେ ବି କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ହାତ ଛାଡ଼ିଦେଇଛନ୍ତି। ତେଣୁ ବର୍ତ୍ତମାନ ପାକିସ୍ତାନ ପାଖରେ ଆତଙ୍କବାଦ ଏକମାତ୍ର ଅସ୍ତ୍ର ରହିଛି, ଯାହା ମାଧ୍ୟମରେ ଏହା ଭାରତରେ ନାନାଦି ହିଂସାକାଣ୍ଡ ଘଟାଇ ଅସ୍ଥିରତା ସୃଷ୍ଟି କରିପାରିବ। ଏଥିପାଇଁ ନିକଟ ଅତୀତରେ ପାକିସ୍ତାନ ଦେଶରେ ୧୨ରୁ ଊର୍ଦ୍ଧ୍ବ ଆତଙ୍କୀ କ୍ୟାମ୍ପ୍‌କୁ ପୁନଃସକ୍ରିୟ କରିଛି।

କଶ୍ମୀର ପ୍ରସଙ୍ଗରେ ମୋଦି ସରକାର ନେଇଥିବା ନିଷ୍ପତ୍ତିକୁ ପ୍ରଥମେ ବେଆଇନ ଓ ଅଣସାମ୍ବିଧାନିକ ବୋଲି କହୁଥିବା ପାକିସ୍ତାନ ଏନେଇ ଆମେରିକା ଓ ଜାତିସଂଘର ହସ୍ତକ୍ଷେପ ଲୋଡ଼ିଥିଲା। କିନ୍ତୁ ଆମେରିକା ସ୍ପଷ୍ଟ ଭାବେ କହିଦେଇଥିଲା ଯେ ଏହା ଭାରତର ଆଭ୍ୟନ୍ତରୀଣ ବ୍ୟାପାର। ନିଜ ସୀମାରେ ଥିବା କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ଭାରତ ସରକାର ବଦଳାଇପାରିବେ। ନିଜ ଦେଶର ଜନସାଧାରଣଙ୍କୁ ମୌଳିକ ଅଧିକାର ପ୍ରଦାନ ସହ ସେମାନଙ୍କ ସୁବିଧା ପାଇଁ ଭାରତ ସରକାର ଯାହା ପଦକ୍ଷେପ ନେବେ, ତାହା ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତିଗତ ବ୍ୟାପାର ବୋଲି ଆମେରିକା ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି। ଅଧିକନ୍ତୁ ପାକିସ୍ତାନ କଶ୍ମୀର ପ୍ରସଙ୍ଗରେ ଔଷଧ ବିକଳରେ ତାଟିଆ କାମୁଡ଼ି ସୀମାରେ କୌଣସି ପ୍ରକାର ଉତ୍ତେଜନା ବଢ଼ାଇବା ପରିବର୍ତ୍ତେ ନିଜ ମାଟିରେ ବଢ଼ୁଥିବା ଆତଙ୍କବାଦୀମାନଙ୍କୁ ସାବାଡ଼ କରିବାକୁ ଆମେରିକା ପକ୍ଷରୁ ପରାମର୍ଶ ଦିଆଯାଇଛି।

ସେହିପରି ନିକଟରେ ଜାତିସଂଘ ମଧ୍ୟ ପାକିସ୍ତାନକୁ ଜବରଦସ୍ତ ଝଟ୍‌କା ଦେଇଛି। ଆମେରିକା ପାଖରୁ ନିରାଶ ହେବା ପରେ ପାକିସ୍ତାନ ନିରାପତ୍ତା କମିଟି ବୈଠକରେ ପ୍ରସଙ୍ଗରେ ହସ୍ତକ୍ଷେପ ପାଇଁ ଜାତିସଂଘକୁ ଅନୁରୋଧ କରାଯିବା ସକାଶେ ନିଷ୍ପତ୍ତି ହୋଇଥିଲା। ଏନେଇ ଜାତିସଂଘକୁ ଅବଗତ ମଧ୍ୟ କରାଯାଇଥିଲା। କିନ୍ତୁ ଶୁକ୍ରବାର ଜାତିସଂଘ ମଧ୍ୟ ପାକିସ୍ତାନକୁ ନିରାଶ କରିଛି। କଶ୍ମୀର ବିବାଦର ସମାଧାନ କେବଳ ଦ୍ବିପାକ୍ଷିକ ଆଲୋଚନା ମାଧ୍ୟମରେ ହୋଇପାରିବ ବୋଲି ୧୯୭୨ରେ ଦୁଇ ଦେଶ ମଧ୍ୟରେ ସ୍ବାକ୍ଷରିତ ଶିମ୍‌ଲା ରାଜିନାମାରେ ସର୍ତ୍ତ ରହିଛି ବୋଲି ଜାତିସଂଘ ପକ୍ଷରୁ ପାକିସ୍ତାନକୁ ରୋକ୍‌ଠୋକ୍‌ କହିଦିଆଯାଇଛି। ଅଧିକନ୍ତୁ ଜାତିସଂଘ ମଧ୍ୟ ସୀମାରେ ଶାନ୍ତି ବଜାୟ କ୍ଷେତ୍ରରେ ପାକିସ୍ତାନ ଉଦ୍ୟମ କରିବା ଉଚିତ ବୋଲି ପରାମର୍ଶ ଦେଇଛି।

ସେହିପରି ପାକିସ୍ତାନକୁ ବିଗତ ଦିନରେ ଚୀନ୍‌ ଢେର୍‌ ସହାୟତା କରିଆସିଛି। ଭାରତ ନିୟମିତ ଭାବେ ପାକିସ୍ତାନ ଆତଙ୍କବାଦର ଚରାଭୂଇଁ ପାଲଟିଛି ବୋଲି ବିଶ୍ବ ସମୂହ ନିକଟରେ ଅଭିଯୋଗ କରିଆସୁଥିଲେ ମଧ୍ୟ ଚୀନ୍‌ କଦାପି ଏହାକୁ ସମର୍ଥନ କରିନାହିଁ। ବରଂ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର୍‌ମାଇଣ୍ଡ୍‌ ହାଫିଜ୍‌ ସଈଦ୍‌କୁ ଜାତିସଂଘ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବା ପାଇଁ କରୁଥିବା ଉଦ୍ୟମରେ ନିଜର ଭିଟୋ କ୍ଷମତାର ଉପଯୋଗପୂର୍ବକ ଯଥାସାଧ୍ୟ ବ୍ୟାଘାତ ସୃଷ୍ଟି କରିଥିଲା। କିନ୍ତୁ ଶେଷରେ ଏହି ଦେଶର ଉଦ୍ୟମ ପଣ୍ଡ ହୋଇଥିଲା ଓ ସଈଦ୍‌କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରାଯାଇଥିଲା। ତା’ଛଡ଼ା ଚୀନ୍‌ ମଧ୍ୟ ପାକିସ୍ତାନକୁ ଆର୍ଥିକ ସହାୟତା ବି ପ୍ରଦାନ କରିଛି। ଏପରି ସ୍ଥିତିରେ କଶ୍ମୀର ପ୍ରସଙ୍ଗରେ ଆଉ କିଏ ସାହାଯ୍ୟ କରୁ କି ନ କରୁ, ଚୀନ୍‌ ତ ସହାୟତାର ହାତ ବଢ଼ାଇବ ବୋଲି ପାକିସ୍ତାନର ଦୃଢ଼ ବିଶ୍ବାସ ଥିଲା। କିନ୍ତୁ ଦେଶର ଏହି ଦୃଢ଼ ବିଶ୍ବାସ ବର୍ତ୍ତମାନ କେବଳ ନିରାଶାରେ ପରିଣତ ହୋଇଛି।

ଗତ ଗୁରୁବାର ଚୀନ୍‌ ପକ୍ଷରୁ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସହାୟତା କରାଯିବା ଦ ଦୂରର କଥା, ବରଂ ସୀମାରେ ପାକିସ୍ତାନ କୌଣସି ପ୍ରକାର ଉତ୍ତେଜନା ସୃଷ୍ଟି କରିବା ଭଳି ପଦକ୍ଷେପ ନେବାକୁ ବାରଣ କରାଯାଇଛି। ପାକିସ୍ତାନ କଶ୍ମୀର ପ୍ରସଙ୍ଗରେ ଭାରତ ସହ ତା’ର ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କରିସାରିଥିବା ପରିପ୍ରେକ୍ଷୀରେ ଚୀନ୍‌ ଏପରି ପରାମର୍ଶ ଦେଇଛି। ଭାରତ ସହ କୂଟନୈତିକ ସମ୍ପର୍କ ଛିନ୍ନ କରିବା ସାଙ୍ଗକୁ ପାକିସ୍ତାନ ଇସଲାମାବାଦରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଭାରତକୁ ପଠାଇଦେଇଛି। ସେହିପରି ବ୍ୟବସାୟିକ ସମ୍ପର୍କକୁ ଛିନ୍ନ କରିବା ସହ ଶାନ୍ତିର ବାର୍ତ୍ତା ବହନ କରୁଥିବା ସମଝୌତା ଏକ୍ସପ୍ରେସ୍‌ ଓ ଥର୍‌ ଏକ୍ସପ୍ରେସ୍‌କୁ ମଧ୍ୟ ପାକିସ୍ତାନ ବନ୍ଦ କରିଦେଇଛି। ଅଧିକନ୍ତୁ ଦୁଇ ଦେଶ ମଧ୍ୟରେ ଚାଲୁଥିବା ବସ୍‌ ସେବାକୁ ବି ବାତିଲ୍‌ କରିଦିଆଯାଇଛି।

ତେଣୁ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଭାରତ ଉପରେ କେତେଦୂର ଖପ୍ପା, ଏଥିରୁ ତାହା ଜଳଜଳ ଦେଖାଯାଉଛି। ବିଗତ ଦିନରେ ଏକାଧିକ ଆତଙ୍କବାଦୀ କାର୍ଯ୍ୟକଳାପ ଘଟାଇ ପାକିସ୍ତାନ ଯେ ଭାରତର ଶୁଭାକାଂକ୍ଷୀ ନୁହେଁ, ଏହା ପ୍ରମାଣିତ କରିସାରିଛି। ବିଶେଷକରି ଗତ ଫେବ୍ରୁଆରୀରେ ପୁଲ୍‌ୱାମାରେ ପାକିସ୍ତାନଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈଶ୍‌-ଏ-ମହମ୍ମଦ ଆତ୍ମଘାତୀ ବିସ୍ଫୋରଣ ଘଟାଇବା ଫଳରେ ୪୦ ଜଣ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଥିଲେ। ଏହାପରେ ଭାରତ ପ୍ରତିଶୋଧ ନେବାକୁ ଯାଇ ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଅଧୀନସ୍ଥ ବାଲାକୋଟ୍‌ରେ ଜୈଶ୍‌ର ଏକାଧିକ ପ୍ରଶିକ୍ଷଣ ଶିବିରକୁ ନଷ୍ଟ କରିଦେଇଥିଲା। ଏହାର ଜବାବ ଦେବାକୁ ଯାଇ ପାକିସ୍ତାନ ମଧ୍ୟ ଆକାଶମାର୍ଗରେ ଭାରତ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଏହାକୁ ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତମାନ ଓ ଅନ୍ୟ ପାଇଲଟ୍‌ମାନେ ଭଣ୍ଡୁର କରିଦେଇଥିଲେ।

ଅନ୍ତର୍ଜାତୀୟ ଚାପରେ ପାକିସ୍ତାନ ଆଉ ବିଶେଷ କିଛି ପଦକ୍ଷେପ ନେଇ ନ ପାରିଥିବା ବେଳେ ବର୍ତ୍ତମାନ କଶ୍ମୀର ପ୍ରସଙ୍ଗ ଏହାର କ୍ଷତରେ ଲୁଣ ପରି ପୀଡ଼ାଦାୟକ ଅନୁଭବ ଦେଉଛି। ଗୋଟିଏ ପଟେ ବାଲାକୋଟ୍‌ ଆକ୍ରମଣ ଓ ଅନ୍ୟ ପଟେ କଶ୍ମୀରରେ ପାକିସ୍ତାନର ଆଧିପତ୍ୟ କମିଯାଉଥିବାର ଜଳଜଳ ଦୃଶ୍ୟ ପାକିସ୍ତାନ ଆଖିରୁ ନିଦ ହଜାଇ ଦେଇଛି। ଆର୍ଥିକ ଦୁରବସ୍ଥା ମଧ୍ୟ ଦେଇ ଗତି କରୁଥିବା ପାକିସ୍ତାନ ଯେ ବର୍ତ୍ତମାନ କଶ୍ମୀର ପ୍ରସଙ୍ଗରେ ଏକଘରିକିଆ ହୋଇଯାଇଛି, ଏହା କହିଲେ ଅତ୍ୟୁକ୍ତି ହେବ ନାହିଁ। ତା’ଛଡ଼ା ଏହାକୁ ଆତଙ୍କବାଦ କ୍ଷେତ୍ରରେ ମଧ୍ୟ ଅନ୍ୟାନ୍ୟ ଦେଶମାନଙ୍କଠାରୁ ନିୟମିତ ଭାବେ କଡ଼ା ତାଗିଦ୍‌ ସହିବାକୁ ପଡ଼ୁଛି। ଆର୍ଥିକ ଚାପ ସହ ଅନ୍ୟାନ୍ୟ ଏକାଧିକ ପ୍ରସଙ୍ଗରେ ପାକିସ୍ତାନ ବର୍ତ୍ତମାନ ଭରପୂର ଚାପରେ ରହିଛି।

ଏହି ଚାପର ବଶବର୍ତ୍ତୀ ହୋଇ ଆଗାମୀ ଦିନରେ ପାକିସ୍ତାନ ଭାରତରେ ଅଧିକ ଆତଙ୍କବାଦୀ ଆକ୍ରମଣ ଘଟଣା ଘଟାଇବା ନେଇ ଭାରତୀୟ ଗୁଇନ୍ଦା ବିଭାଗ ମଧ୍ୟ ସତର୍କ ସୂଚନା ଜାରି କରିଛି। ଗତ ମେ’ରେ ଫାଇନାସିଆଲ୍‌ ଆକ୍ସନ୍‌ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌) ପକ୍ଷରୁ ପାକିସ୍ତାନକୁ ଆତଙ୍କବାଦୀ ଶିବିର ବନ୍ଦ କରିବା ସକାଶେ ଡେଡ୍‌ଲାଇନ୍‌ ଦିଆଯାଇଥିବା ବେଳେ ପାକିସ୍ତାନ ସରକାର ପିଓକେରେ ସକ୍ରିୟ ଥିବା ଡଜନେରୁ ଊର୍ଦ୍ଧ୍ବ ଶିବିରକୁ ବନ୍ଦ କରିଦେଇଥିଲେ। କିନ୍ତୁ ଗତ ସପ୍ତାହରେ ସେଠାରେ ଆତଙ୍କବାଦୀଙ୍କ ଚଳପ୍ରଚଳ ବଢ଼ିଯାଇଥିବା ଦେଖିବାକୁ ମିଳିଛି। ତେଣୁ ପାକିସ୍ତାନ ସୀମାରେ ହିଂସାକାଣ୍ଡ ଘଟାଇବା ସକାଶେ ପ୍ରସ୍ତୁତ ହେଉଥିବା ଏଥିରୁ ଅନୁମାନ କରାଯାଉଛି। ଅବଶ୍ୟ ବର୍ତ୍ତମାନ ପରିସ୍ଥିତିରେ ପାକିସ୍ତାନ ପାଖରେ ଭାରତରେ ହିଂସାକାଣ୍ଡ ସୃଷ୍ଟି କରିବାଏକମାତ୍ର ବିକଳ୍ପ ଭାବେ ରହିଛି। କିନ୍ତୁ ଏହା ଯେ ଆଗାମୀ ଦିନରେ ଦେଶ ତଣ୍ଟିରେ କଣ୍ଟା ହୋଇ ଲାଗିବ, ଏହା ପାକିସ୍ତାନ ଭୁଲିଯିବା ଅନୁଚିତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।