ସାଦା ପାନମସଲା ବି ପ୍ରାଣଘାତୀ: ୪୦ ବିପଜ୍ଜନକ ରାସାୟନିକ ଦ୍ରବ୍ୟର ମିଶ୍ରଣ

ପ୍ରତିଦିନ ବଳିପଡ଼ୁଛି ୨୨୦୦ ମୂଲ୍ୟବାନ ଜୀବନ

ଗୁଟ୍‌ଖାକୁ ନେଇ ସାରା ଦେଶରେ କଟକଣା ସିନା ରହିଛି, ହେଲେ ସାଦା ପାନମସଲା ଓ ମୁଖବାସ ବଜାରରେ ତା’ର ଆଡ୍ଡା ଜମାଇ ବସିଛି। ଏଗୁଡିକ ଗୁଟ୍‌ଖା ଠାରୁ କିଛି କମ୍‌ ବିପଦଜନକ ନ ଥିବା କହିଛନ୍ତି ବିଶେଷଞ। ସାଦା କୁହାଯାଉଥିବା ଏହି ପାନମସଲାର ଛୋଟ ଏକ ପୁଡ଼ିଆରେ ୪୦ ପ୍ରକାର ବିପଜ୍ଜନକ ରାସାୟନିକ ଦ୍ରବ୍ୟର ମିଶ୍ରଣ ହୋଇଥାଏ। ନିକଟରେ ଦେଶର ପ୍ରତିଷ୍ଠିତ ୧୦ଟି ବଡ଼ ପାନମସଲା କମ୍ପାନୀର ତନଖି ବେଳେ ଏଥିରେ ଭୟାନକ ରାସାୟନିକ ଦ୍ରବ୍ୟ ଥିବା ସାମ୍ନାକୁ ଆସିଥିଲା। ଏଥିରୁ ୭ଟି ବ୍ରାଣ୍ଡ ଉତ୍ତର ପ୍ରଦେଶର କାନପୁରରେ ତିଆରି ହୋଇଥାଏ। ଲୋକଙ୍କୁ ଏହାର ସ୍ୱାଦ ଓ ସୁଗନ୍ଧ ସହିତ ବଶୀଭୂତ କରି ରଖିବା ପାଇଁ ମାଗ୍ନେସିୟମ କାର୍ବୋନେଟର ୧୦ ଗୁଣା ଅଧିକ ବ୍ୟବହାର ହୋଇଥାଏ, ଯାହାକି ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ। ସ୍ୱାଦ, ସୁଗନ୍ଧ, ରଙ୍ଗ ଓ ଆକର୍ଷଣୀୟ କରିବା ପାଇଁ ଏଥିରେ ବ୍ୟବହୃତ ରାସାୟନିକ ଦ୍ରବ୍ୟର ମିଶ୍ରଣ ଭୟଙ୍କର ରୋଗର କାରଣ ହୋଇଥାଏ। ଇଣ୍ଟରନ୍ୟାସନାଲ ଜର୍ନାଲ ଅଫ କରେଣ୍ଟ ଫାର୍ମାର ଗବେଷଣାରେ ଏହି ଭୟଙ୍କର ଛବି ପ୍ରକାଶ ପାଇଛି।

କେବଳ କାନପୁର ନୁହେଁ, ସାରା ଦେଶରେ ଏବେ ପଲ୍ଲୀରୁ ଦିଲ୍ଲୀ ଯାଏ ପାନମସଲାର ବିଶାଳ ବଜାର ଠିଆହୋଇଛି। ୭୦ରୁ ଅଧିକ ନାମୀ ଦାମୀ ବ୍ରାଣ୍ଡର ପାନମସଲାର ମାଳ ଗାଁ ଦୋକାନରେ ଝୁଲିବା ଦେଖାଯାଉଛି। ଏସବୁ ମସଲାର ବାର୍ଷିକ କାରବାର ୨୦ ହଜାର କୋଟିରେ ପହଞ୍ଚିଛି। ତିଆରି କରିବା ପାଇଁ ବିଶେଷ ପୁଞ୍ଜି, ଯନ୍ତ୍ରପାତି ଓ ମାନବ ସମ୍ବଳର ଆବଶ୍ୟକତା ନ ଥିବାରୁ କୁଟୀର ଶିଳ୍ପ ଭଳି ପାନମସଲା ଉଦ୍ୟୋଗ ଗଢିଉଠିଛି। ପ୍ରତିଦିନ ଏହାର ବ୍ୟବସାୟ ବଢ଼ିବାରେ ଲାଗିଛି। ସାରା ଦେଶରେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଗୁଟ୍‌ଖା ବ୍ୟାନ ହେବା ପରେ ଏହାର ଅସାଧୁ ନିର୍ମାତା ମାନେ ମୁଖବାସ ଓ ସାଦା ପାନମସଲା ନାଁରେ ମୁଖାପିନ୍ଧି ବଜାରରେ ପ୍ରବେଶ କରିଛନ୍ତି। ଗୁଟ୍‌ଖା ଓ ପାନମସଲା ଉପରେ କଟକଣା ଥିବା ସତ୍ତ୍ବେ ଏହାର ଖୁଲ୍ଲମ ଖୁଲ୍ଲା ବେପାର ଚାଲିଛି। ବିପୁଳ ରାଜସ୍ବ ହାନି ଓ ନାଗରିକ ମାନଙ୍କର ସ୍ୱାସ୍ଥ୍ୟ ସଙ୍କଟ ଜାଣି ସୁଦ୍ଧା ଏହାକୁ କିପରି ରୋକି ହେଉନି, ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି। କଥାଟି କିନ୍ତୁ ସତ।

ଅଫିସ ପରିସରକୁ ପାନମସଲା ଖାଇ ନିୟମିତ ଆସୁଥିବାରୁ ଜଣେ କର୍ମଚାରୀଙ୍କୁ ତାଙ୍କର ବାର୍ଷିକ ଇନକ୍ରିମେଣ୍ଟ ରୋକି ଦିଆଗଲା। ଏହା ପରେ ସେହି କର୍ମଚାରୀ ଜଣକ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଏକ ମାମଲା ରୁଜୁ କଲେ। ମାମଲାର ଶୁଣାଣି କରି ହାଇକୋର୍ଟ ଗୁଟ୍‌ଖା ଖାଇଥିବାରୁ ବାର୍ଷିକ ଇନକ୍ରିମେଣ୍ଟ ବନ୍ଦ କରିବା ବେଆଇନ ବୋଲି ରାୟ ଶୁଣାଇଥିଲେ। ଭାରତୀୟ ରେଳ ଓ କେତେକ ସହରର ସ୍ଥାନୀୟ ପ୍ରଶାସନ ଗୁଟ୍‌ଖା ଖାଇ ଛେପ ପକାଇବା ଉପରେ ଜରିମାନା ଆଦାୟ ବ୍ୟବସ୍ଥା କରିଛନ୍ତି, କିନ୍ତୁ ଏହା ତଦାରଖ କରିବା ପାଇଁ ମାନବ ସମ୍ବଳ ନିୟୋଜିତ କରିନାହାନ୍ତି। କେବଳ ଗଣମାଧ୍ୟମରେ ସାବାସୀ ପାଇବା ପାଇଁ ଏଭଳି ଘୋଷଣା ହୋଇଛି।

ପାନମସଲାରେ କ୍ଷତିକାରକ ରସାୟନ
ସାଦା ପାନମସଲା କୁହାଯାଉଥିବା ପୁଡିଆରେ ଅନଡାଇଲୁଟେଡ ହାଇଡ୍ରୋକ୍ଳରିକ ଏସିଡ, ଟୋଟାଲଏସ,ଏସ ଇନସଲ୍ୟୁବଲ, ମ୍ୟାଗ୍ନେସିୟମ କାର୍ବୋନେଟ, ଟବାକୋ ସ୍ପେସିଫିକଏନ ନାଇଟିରୋସେମାଇନ୍ସ , ସୀସା ଏବଂ ତମ୍ବା ପରି ଭାରି ଧାତୁର ମିଶ୍ରଣ ହୋଇଥାଏ। ଗୁଟ୍‌ଖା ଓ ଟବାକୋରେ ଭାରୀ ମାତ୍ରାରେ ନିକୋଟିନ, କାର୍ବନ ମନୋକ୍‌ସାଇଡ ଆର୍ସେନିକ, ଆମୋନିଆ, ମିଥାନଲ , କାଡମିୟମ, ବ୍ୟୁଟେନ ଓ ଓ ଷ୍ଟିୟରିକ ଏସିଡ ପ୍ରମୁଖ ତତ୍ତ୍ବ ରହିଥାଏ, ଯାହାକି କର୍କଟ ରୋଗର କାରଣ ହୋଇଥାଏ। ବିପଦଜନକ କେମିକାଲରୁ ତିଆରି ପାନମସଲା ପୁରୁଷଙ୍କୁ ନଂପୁସକ କରିଦେଇଥାଏ। ଉଚ୍ଚ ରକ୍ତଚାପ, ହୃଦ୍‌ଗତି ବୃଦ୍ଧି, ହୃଦଘାତ, ବ୍ୟସ୍ତ ବିବ୍ରତ ହୋଇଯିବା, ମୁଣ୍ଡ ବୁଲାଇବା ଏବଂ ଛାତି ଯନ୍ତ୍ରଣାର କାରଣ ମଧ୍ୟ ଏହି ପାନମସଲା। ଭାରତୀୟ ଚିକିତ୍ସା ଗବେଷଣା ସଂସ୍ଥାର ରିପୋର୍ଟ ଅନୁଯାୟୀ ଭାରତରେ ପ୍ରତିବର୍ଷ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ୨୦୧୬ରେ ଆମ ଦେଶରେ ୧୪ ଲକ୍ଷ ୫୧ ହଜାର କ୍ୟାନ୍‌ସର ରୋଗୀ ଥିବା ବେଳେ ୨୦୧୭ରେ ଏହି ସଂଖ୍ୟା ୧୫ ଲକ୍ଷ ୧୭ ହଜାର ଓ ୨୦୧୮ରେ ୧୫ ଲକ୍ଷ ୮୬ ହଜାରରେ ପହଞ୍ଚିଥିଲା। ଅଧିକାଂଶ କର୍କଟ ରୋଗର କାରଣ ପାନ ପୁଡିଆ ବୋଲି ଗବେଷକ ମାନେ କହିଛନ୍ତି। ଜେକେ କ୍ୟାନ୍‌ସର ସଂସ୍ଥାନର ପୂର୍ବତନ ନିର୍ଦେଶକ ପ୍ରଫେସର ଏକେ ଦୀକ୍ଷିତଙ୍କ ଅନୁଯାୟୀ ପାନମସଲାରେ ଜୀବନ ହାନି କାରକ କେମିକାଲ ପାଟି ଭିତରର କୋମଳ ତ୍ୱଚା ଉପରେ ପ୍ରଭାବ ପକାଏ। କେତେକଙ୍କୁ ଶୀଘ୍ର ତ ଆଉ କେତେକଙ୍କୁ ବିଳମ୍ବରେ ଏହାର ପ୍ରଭାବ ଜଣାପଡେ।

ଓଡ଼ିଶାରେ ନକଲି ପାନମସଲାର ବଢୁଛି କାୟା
ରାଜ୍ୟରେ ଗୁଟ୍‌ଖା ଉପରେ କେବଳ ଘୋଷଣାରେ ସୀମିତ ଅଛି କଟକଣା। ଅସଲରେ ଯୁଆଡେ ଯେଉଁଠି ଯେତେ ପରିମାଣରେ ଖୋଜିଲେ ବି ମିଳି ଯାଉଛି ଏହି ଦ୍ରବ୍ୟ। ରାଜଧାନୀର ଛାତି ଉପରେ ଥିବା ପାନ ଦୋକାନରୁ ଆରମ୍ଭ କରି କିରାନା ଦୋକାନ ଯାଏ ଗୁଟ୍‌ଖା କାୟା ମେଳିଛି। ରାଜଧାନୀର ୭୩ ପ୍ରତିଶତ ବସ୍ତି ପିଲା ଗୁଟ୍‌ଖା, ପାନମସଲା ଓ ଅନ୍ୟାନ୍ୟ ତମାଖୁ ଜାତୀୟ ଦ୍ରବ୍ୟ ଖାଉଛନ୍ତି। ତମାଖୁ ସେବନ କରୁଥିବା ପିଲାଙ୍କ ହାରାହାରି ବୟସ ୧୨ ବର୍ଷ ବୋଲି ଜଣାପଡିଛି। ସ୍ବେଚ୍ଛାସେବୀ ସଂଗଠନ ସଲାମ ଜୀବନ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ରାଜଧାନୀରେ କିମ୍ବା ରାଜ୍ୟର ଅନ୍ୟ କୌଣସି ଭାଗରେ ଗୁଟ୍‌ଖା ଏବେ ବି ସମ୍ପୂର୍ଣ୍ଣ ଭାବରେ ବ୍ୟାନ ହୋଇପାରି ନାହିଁ। ବେଧଡ଼କ କିଣାବିକା ଚାଲିଛି। ମନଇଛା ଯେଉଁଠି ପାରିଲେ ଛେପ ପକାଇବା ଚାଲିଛି। ସର୍ଭେରୁ ଜଣାପଡିଛି ଯେ ୬୨.୭୦ ପ୍ରତିଶତ ପିଲାଙ୍କୁ ସେମାନଙ୍କ ବାପାମା ମାନେ ବିଭିନ୍ନ ସମୟରେ ତମାଖୁ କିଣିବା ପାଇଁ ପଠାଇଥାନ୍ତି। ୬୭.୨୦ ପ୍ରତିଶତ ପିଲା ତମାଖୁର କୁପ୍ରଭାବ ସମ୍ପର୍କରେ ଅବଗତ ନ ଥିବା କହନ୍ତି ସଲାମ ଜୀବନର ମୁଖ୍ୟ ଇମ୍ରାନ ଅଲୀ। ତମାଖୁ ବ୍ୟବହାର ଦ୍ୱାରା ଦେଶରେ ପ୍ରତିବର୍ଷ ୮ ଲକ୍ଷ ଲୋକ ଜୀବନ ହରାନ୍ତି। ହିସାବକୁ ନେଲେ ପ୍ରତିଦିନ ୨୨ଶହ ଭାରତୀୟ ତମାଖୁ ଜନିତ ରୋଗରେ ଆଖିବୁଜନ୍ତି। ତମାଖୁ ସେବନ ଦ୍ୱାରା ଫୁସଫୁସ, ମୁଖଗହ୍ଵର, ଜିଭ, ବାକ୍‌ଯନ୍ତ୍ର ଓ ମୂତ୍ରାଶୟରେ କର୍କଟ ରୋଗ ଦେଖାଯାଇଥାଏ। ସାଦା ପାନମସଲାରେ ୪୦ରୁ ଅଧିକ ବିଷାକ୍ତ ରାସାୟନିକ ଦ୍ରବ୍ୟ ଥିବା ବେଳେ ତମାଖୁରେ ୭ ହଜାରରୁ ଅଧିକ ବିଷାକ୍ତ ତତ୍ତ୍ବ ରହିଥାଏ, ଯାହା ମୃତ୍ୟୁର ଉପହାର ଦେଇଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଟେଷ୍ଟି ଏଣ୍ଡ କ୍ରିସ୍‌ପୀ ଗୁଡ଼ ଚକୁଳିର
ଅଧିକାଂଶ ଭାରତୀୟ ସକାଳ ଜଳଖିଆରେ ଚକୁଳି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଠାରେ ଗୁଡ଼ରେ ତିଆରି କରାଯାଇଥିବା ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ସାଧାରଣତଃ ଚକୁଳିକୁ ବିରି ଓ ଚାଉଳରେ ତିଆରି କରାଯାଉଥିବାବେଳେ ଏହି ଚକୁଳିରେ ଗୁଡ଼ ମିଶାଯାଇଥାଏ। ଏହାକୁ ଆପଣ ପିଲାଙ୍କ ଟିଫିନ୍‌ ବକ୍ସରେ ଦେଇପାରିବେ କିମ୍ବା ସକାଳ ବ୍ରେକ୍‌ଫାଷ୍ଟ ଓ ସନ୍ଧ୍ୟା ସ୍ନାକ୍‌ସ ଭାବେ ମଧ୍ୟ ଖାଇପାରିବେ। ଏହି ଚକୁଳି ଗୁଡ଼, ଚାଉଳ ଚୁନା ଓ ଅଟାର ମିଶ୍ରଣରେ ତିଆରି କରାଯାଇଥାଏ। ଗୁଡ଼ରେ ଆଇରନ୍‌ର ଉତ୍ତମ ସ୍ରୋତ ଥିବାବେଳେ ଅଟାରେ ଅନେକ ପ୍ରକାରର ପୋଷକତତ୍ତ୍ବ ଓ ଫାଇବର ରହିଛି। ଚାଲନ୍ତୁ ଜାଣିବା ଏହି ଗୁଡ଼ ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।