ଜିଆଇ ଝିନ୍‌ଝଟ୍‌: ଓଡ଼ିଶାର ଦ୍ରବ୍ୟକୁ ନିଜର କହିବାରେ ସରକାର କୁଣ୍ଠିତ କାହିଁକି?


ଭୁବନେଶ୍ବର: ସ୍ବତନ୍ତ୍ରତା ଥିବା ନିଜ ଜିନିଷ ଉପରେ ଭୌଗଳିକ ପରିଚୟ(ଜିଆଇ)ର ଷ୍ଟାମ୍ପ୍‌ ମାରି ଏହାକୁ ନିଜସ୍ବ କରିବା ଲାଗି ସମସ୍ତେ ତତ୍ପର। ଜିଆଇ ମିଳିଗଲେ ପୂରାପୂରି ନିରାପଦ। ଆମେ ଜାଣିଲେ ଆମ ଜିନିଷ ସୁରକ୍ଷିତ। ଏହା ନ କଲେ ଆମ ଜିନିଷକୁ ଆମେ ଆମର ଜିନିଷକୁ ନିଜର କହିବା ପୂର୍ବରୁ ଆଉ କେହି ତା’ ଉପରେ ଅଧିକାର ସାବ୍ୟସ୍ତ କରିସାରିଥିବ। ଏଥିପାଇଁ ସାମଗ୍ରୀକ ଭାବେ ଉଦ୍ୟମର ଆବଶ୍ୟତା ଥିଲେ ହେଁ ସରକାରୀ ସ୍ତରରେ ଅଧିକ ପ୍ରୟୋଜନୀୟତା ଆବଶ୍ୟକ। କାରଣ ଲୋକେ ସେମାନଙ୍କ ସୁଖ ଦୁଃଖକୁ ବୁଝିବା ପାଇଁ ଲୋକପ୍ରତିନିଧି ବାଛି ସରକାର ଗଠନ କରାଇଛନ୍ତି। ଏପରିସ୍ଥଳେ ନିଜର ଜିନିଷକୁ ନିଜସ୍ବ କହିବା ପାଇଁ ସରକାରୀ ସ୍ତରରେ ପ୍ରଥମେ ପ୍ରଚେଷ୍ଟା ଆବଶ୍ୟକ। ତେବେ ଅଧିକାଂଶ କ୍ଷେତ୍ରରେ ଜିଆଇ ମାନ୍ୟତା ପାଇଁ ପ୍ରଥମେ ବେସରକାରୀ ଉଦ୍ୟମ ହେଉଥିବା ଦେଖାଯାଇଥିବା ବେଳେ ସରକାରୀ ପଛରେ ରହିଛନ୍ତି। ନିଜର ସାମଗ୍ରୀକୁ ନିଜସ୍ବ କହିବାରେ ସରକାର ଏତେ କୁଣ୍ଠିତ କାହିଁକି, ତାହା ବୁଝାପଡ଼ୁନି।

ଯେମିତି ଓଡ଼ିଶା ରସଗୋଲା ଉପରେ ପଶ୍ଚିମବଙ୍ଗ ସରକାର ଅଧିକାର ସାବ୍ୟସ୍ତ କରିଥିଲେ। ପରେ ଅବା ରସଗୋଲା ଉପରେ ଆମର ବିଜୟ ହୋଇଛି। ୪ ବର୍ଷର ଲଢ଼େଇରେ ପୂର୍ଣ୍ଣଛେଦ ପଡ଼ିଛି। ରସଗୋଲା ଯୁଦ୍ଧରେ ବାଜି ମାରି ନେଇଛି ଓଡ଼ିଶା। ତେବେ ରସଗୋଲାକୁ ଏନେଇ ଏବେ ବି ପୂର୍ଣ୍ଣ ମାତ୍ରାରେ ବିବାଦ ଥମିନି। ରସଗୋଲା ଯୁଦ୍ଧ ଅଧୁରା ରହିଛି। ଓଡ଼ିଶାକୁ ରସଗୋଲା ଲାଗି ଜିଆଇ ମାନ୍ୟତା ନୁହେଁ, ବରଂ ଓଡ଼ିଶା ରସଗୋଲା ନାଁରେ ମାନ୍ୟତା ମିଳିବାକୁ ନେଇ ଅନେକେ ପ୍ରଶ୍ନ କରିଛନ୍ତି। ଜିଆଇକୁ ନିଷ୍ପତ୍ତି କରିବାର ଥିଲା, ରସଗୋଲାର ଉତ୍ପତ୍ତିସ୍ଥଳ ଓଡ଼ିଶା ନା ପଶ୍ଚିମବଙ୍ଗ। ହେଲେ ପ୍ରଥମେ ଏହାକୁ ପଶ୍ଚିମବଙ୍ଗର ଦର୍ଶାଯିବା ଓ ଓଡ଼ିଶାର ଆପତ୍ତି ପରେ ଓଡ଼ିଶା ରସଗୋଲା ନାଁରେ ଆଉ ଏକ ଜିଆଇ ମାନ୍ୟତା ମିଳିବାର ଅର୍ଥ କଣ? ଯଦି ରସଗୋଲାର ଜିଆଇ ମାନ୍ୟତା ଓଡ଼ିଶାକୁ ମିଳିଲା ତା ହେଲେ ପଶ୍ଚିମବଙ୍ଗର ରଦ୍ଦ କରାଯାଉ ବୋଲି ଦାବି ଉଠିଛି। ଦୁଇବର୍ଷ ତଳେ ପଶ୍ଚିମବଙ୍ଗକୁ ‘ବାଂଲାର ରସଗୋଲା’ ନାଁରେ ମିଳିଥିବା ଜିଆଇ ମାନ୍ୟତା ହଟିବାର ଆଶଙ୍କା ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗକୁ ରସଗୋଲା ପାଇଁ ମିଳିଥିବା ଜିଆଇ ଟ୍ୟାଗ୍‌ର ପୁନଃ ବିଚାର କରାଯିବ। କେନ୍ଦ୍ର ସରକାରଙ୍କ ଜିଓଗ୍ରାଫିକାଲ୍ ଇଣ୍ଡିକେଟର୍ ରେଜଷ୍ଟ୍ରି ପକ୍ଷରୁ ଏନେଇ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ୍ କରାଯାଇଛି। ପଶ୍ଚିମବଙ୍ଗ ସରକାରଙ୍କ ଖାଦ୍ୟ ଓ ପ୍ରକ୍ରିୟାକରଣ ଏବଂ ଉଚ୍ଚଶିକ୍ଷା ବିଭାଗକୁ  ଏହି ନୋଟିସ୍ ଜାରି କରିଛି ଜିଆଇ ବିଭାଗ। ସେପ୍ଟେମ୍ବର ୬ ତାରିଖରେ ଏହି ମାମଲାରେ ଶୁଣାଣି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଜିଆଇ ଟ୍ୟାଗ୍ କ’ଣ ?
ଜିଆଇ ଟ୍ୟାଗ୍‌ ହେଉଛି କୌଣସି ଉତ୍ପାଦ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ବା ସମାଜରୁ ଉତ୍ପତ୍ତିର ପ୍ରମାଣ। ଜିଆଇ ଟ୍ୟାଗ୍ ଟ୍ରେଡ୍ ମାର୍କ ଭଳି ବ୍ୟବହାର ହୋଇଥାଏ। ଜିଆଇ ଟ୍ୟାଗ୍ ମିଳିଲେ ଏହାକୁ ଅନ୍ୟ କେହି ନିଜସ୍ୱ ବୋଲି ଦାବି କରିପାରିନି। ବହୁ ଦେଶରେ ଜିଆଇ ଟ୍ୟାଗକୁ ଟ୍ରେଡ ମାର୍କ ଭଳି ଆଇନଗତ ସୁରକ୍ଷା ମିଳେ। ବ୍ୟବସାୟ ଦୃଷ୍ଟିରୁ ଏହା ଉତ୍ପାଦକ ଏବଂ ବେପାରୀଙ୍କ ପାଇଁ ଲାଭଦାୟକ ହୋଇଥାଏ।

ଜିଆଇ ମାନ୍ୟତା ପାଇଁ ଦାବି
ଏଯାବତ୍‌ ଓଡ଼ିଶା ସରଗୋଲାକୁ ମିଶାଇ ଓଡ଼ିଶାର ୧୭ଟି ସାମଗ୍ରୀକୁ ଜିଆଇ ମାନ୍ୟତା ମିଳିସାରିଥିବା ବେଳେ ଆହୁରି ଅନେକ ଜିନିଷର ସ୍ବତନ୍ତ୍ରତା ରହିଛି, ଯାହାକୁ କି ଜିଆଇ ଟ୍ୟାଗ୍‌ ମିଳିବା ନେଇ ଦାବି ଉଠିଛି। ଆସ କିଏ ଖାଇବ ହୋ ଆମ ରାଜା ବାବୁଘର ଖାନା…ଓଡ଼ିଆ ସିନେମାରେ ବ୍ୟବହୃତ ଏହି ଲୋକପ୍ରିୟ ଗୀତଟି ଦିନେ ଘରେଘରେ ପରିଚିତ ଥିଲା। ଓଡ଼ିଆ ପରମ୍ପରାଗତ ଖାଦ୍ୟକୁ ନେଇ କେତେ ଗୀତ, କେତେ କଥା, କେତେ କାହାଣୀ ରଚନା ହୋଇଛି। ଆଉ ଏଭିତରେ ଯେତେବେଳେ ରସଗୋଲାରେ ଜିଆଇ ଟ୍ୟାଗ୍ ଝୁଲିଲାଣି, ସେତେବେଳେ ରାଜ୍ୟର ବିଭିନ୍ନ ସ୍ଥାନର ପ୍ରସିଦ୍ଧ ଖାଦ୍ୟକୁ ମଧ୍ୟ ଅନୁରୂପ ମାନ୍ୟତା ପାଇଁ ପଦକ୍ଷେପ ଲାଗି ଦାବି ପ୍ରବଳ ହେଲାଣି। ନୟାଗଡ଼ର ପ୍ରସିଦ୍ଧ ଛେନାପୋଡ଼ ହେଉ କି କଟକ ଟାଙ୍ଗିର ପ୍ରସିଦ୍ଧ କାକରା ଓ କେନ୍ଦ୍ରାପଡ଼ା ବଦଳଦେବ ଜିଉଙ୍କ ପାଖରେ ଲାଗି ହେଉଥିବା ରସରସିଆ ରସାବଳି ଆଦିକୁ ମଧ୍ୟ ଟ୍ୟାଗ୍‌ ମିଳିବାକୁ ଦାବି ହେଲାଣି। ସେହିପରି ବିରଳ ହସ୍ତଶିଳ୍ପ କଳାକୃତି ମଧ୍ୟରେ ଡଙ୍ଗରିଆଙ୍କ ଦ୍ବାରା ଉତ୍ପାଦିତ ଶାଲ୍‌ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ତେଣୁ ଏହାକୁ ଜିଆଇ ଟ୍ୟାଗ୍‌ ଅର୍ନ୍ତଭୁକ୍ତ କରିବା ପାଇଁ ମଧ୍ୟ ଅଣ୍ଟା ଭିଡ଼ିଲେଣି ସରକାର। ସେହିପରି ଅନ୍ୟ ସାମଗ୍ରୀ ମଧ୍ୟରେ ଓଡ଼ିଶାର ପ୍ରସିଦ୍ଧ ତାଳଗୁଡ଼, ମହାପ୍ରଭୁ ଜଗନ୍ନାଥଙ୍କ ଖୁଖିଲା ଫେଣି ବା ଖଜାକୁ ମଧ୍ୟ ଜିଆଇ ମାନ୍ୟତା ପ୍ରଦାନ କରାଯିବା ପାଇଁ ଦାବି ଉଠିଛି। ସେହିପରି ରାୟଗଡ଼ାରେରେ ମିଳୁଥିବା ସଉରା ପେଣ୍ଟିଂକୁ ମଧ୍ୟ ଜିଆଇ ମାନ୍ୟତା ଦେବା ଉପରେ ଯୋଜନା ହେଉଛି।

ନୟାଗଡ଼ ଛେନାପୋଡ଼
ରସଗୋଲା ଲଢ଼େଇରେ ଓଡ଼ିଶାର ବିଜୟ ପରେ ଏବେ ନୟାଗଡ଼ ଛେନାପୋଡ଼କୁ ନେଇ ଉତ୍କଣ୍ଠା ବଢ଼ିଯାଇଛି। ସ୍ୱାଧୀନତା ପୁର୍ବରୁ ନୟାଗଡ଼ ଛେନାପୋଡ଼ ଜନ୍ମ ନେଇଥିଲା। ଛେନାପୋଡ଼ ନାଁ କହିଲେ ଲୋକଙ୍କ ନଜର ନୟାଗଡ଼ ଉପରେ ପଡ଼ିଥାଏ। ତେବେ ଏହି ପ୍ରସିଦ୍ଧ ଛେନାପୋଡ଼ର ଜନ୍ମ ହୋଇଥିଲା ୧୯୪୫ ମସିହାରେ ଦଶପଲ୍ଲାର ସାତପାଟଣା ଗାଁରୁ। ତତ୍କାଳୀନ ଦଶପଲ୍ଲା ଗଡ଼ଜାତ ରାଜ୍ୟର ବ୍ୟବସାୟିକ ପେଣ୍ଠସ୍ଥଳୀ ଥିଲା ସାତପାଟଣା। ସ୍ଥାନୀୟ ଜଳଖିଆ ଦୋକାନୀ ବିଦ୍ୟାଧର ସାହୁ ସବୁଦିନ ଭଳି ଛେନାରୁ ବିଭିନ୍ନ ମିଠା ପ୍ରସ୍ତୁତ କରୁଥିଲେ। ତେବେ ଦିନେ ବିଦ୍ୟାଧର ମିଠା ପ୍ରସ୍ତୁତ କରିବା ପରେ କିଛି ଛେନା ବଳି ପଡ଼ିଥିଲା। ଏହି ବଳକା ଛେନାକୁ କ’ଣ କରିବେ ଭାବି ତାଙ୍କ ମନକୁ ଏକ ଅଜବ କଥା ଆସିଥିଲା। ଏହି ବଳକା ଛେନାକୁ ଫୋପାଡ଼ି ନ ଦେଇ ଓଡ଼ିଶାର ପ୍ରିୟ ପୋଡ଼ପିଠା ପରି ତାକୁ ପୋଡ଼ି ପିଠା କରିବା କଥା ସେ ଭାବିଲେ। ବିଦ୍ୟାଧର ବଳକା ଛେନାରେ କିଛି ଚାଉଳଗୁଣ୍ଡ, ଚିନି, ଗୁଜୁରାତି ଓ ଅଳେଇଚ ଆଦି ସାମଗ୍ରୀ ମିଶାଇ ତାକୁ ଏକ ଜାଗାରେ ରଖି ରଡ଼ ନିଆଁ ଉପରେ ବସାଇ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ପରଦିନ ଛେନାରୁ ତିଆରି ଏହି ପିଠାକୁ ସେ ନିଜେ ଚାଖିବା ସହ ପରିବାର ଲୋକ ଏବଂ ଗ୍ରାହକମାନଙ୍କୁ ଚାଖିବାକୁ ଦେଇଥିଲେ। ଏହି ନୂଆ ମିଠା ସମସ୍ତଙ୍କୁ ବେଶ୍ ଭଲ ଲାଗିଥିଲା। ଛେନାକୁ ପୋଡ଼ ପିଠା ଭଳି ରଡ଼ ନିଆଁରେ ପୋଡ଼ା ଯାଇଥିବାରୁ ତାର ନାଁ ରହିଲା ଛେନାପୋଡ଼। ବିଦ୍ୟାଧର ଏହି ବ୍ୟବସାୟକୁ ଦଶପଲ୍ଲାରେ ସୀମିତ ନ ରଖି ନିଜର ପୁଅ ସୁଦର୍ଶନଙ୍କ ସହଯୋଗରେ ନୟାଗଡ଼ କଚେରୀ ବଜାରରେ ଏକ ସ୍ବତନ୍ତ୍ର ଛେନାପୋଡ଼ ଦୋକାନ ଖୋଲିଲେ। ବାପାଙ୍କଠାରୁ  ସୁଦର୍ଶନ କ୍ରମେ ଶିଖିନେଲେ ଛେନାପୋଡ଼ ପ୍ରସ୍ତୁତି ରହସ୍ୟ। ସେ ଧୀରେଧୀରେ ତାଙ୍କ ହାତ ତିଆରି ଛେନାପୋଡ଼ ପାଇଁ ନୟାଗଡ଼ ଏବଂ ବାହାର ଅଞ୍ଚଳରେ ପରିଚିତ ହେଲା। ତା’ ପରେ ପ୍ରସିଦ୍ଧ ହୋଇଗଲା ନୟାଗଡ଼ ଛେନାପୋଡ଼। ବର୍ତ୍ତମାନ ଯଦିଓ ରାଜ୍ୟ ତଥା ରାଜ୍ୟ ବାହାରେ ଛେନାପୋଡ଼ ମିଳୁଛି ତେବେ ନୟାଗଡ଼ ଛେନାପୋଡ଼ର ଆଦର କମିନାହିଁ।

ନୟାଗଡ଼ର ଅନେକ ମିଠା କାରିଗର ପରିବାର ଛେନାପୋଡ଼ ପ୍ରସ୍ତୁତ ପ୍ରତିଦିନ କରି ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହରକୁ ୫୦ରୁ ୭୦ କ୍ବିଣ୍ଟାଲ୍‌ ଛେନାପୋଡ଼ ପଠାଉଛନ୍ତି। ନୟାଗଡ଼ ତିଆରି ଛେନାପୋଡ଼ ଆଜି ଭୁବନେଶ୍ୱର, ବାରିପଦା, ଢ଼େଙ୍କାନାଳ, ତାଳଚେର, ରାଇରଙ୍ଗପୁର, ଝାରସୁଗୁଡ଼ା, ସମ୍ବଲପୁର, ରାଉରକେଲା, କୋରାପୁଟ, ମାଲକାନଗିରି, ବ୍ରହ୍ମପୁର, ଫୁଲବାଣୀ, ବୌଦ୍ଧ ଓ ସୋନପୁର ଏବଂ ରାଜ୍ୟ ବାହାରେ ଛତିଶଗଡ଼, ଜାମସେଦପୁର ଓ ଆନ୍ଧ୍ର ପ୍ରଦେଶର ବିଭିନ୍ନ ସହରକୁ ପଠାଯାଉଛି। ‘ନୟାଗଡ଼ ଛେନାପୋଡ଼’ ଏକ ସ୍ୱତନ୍ତ୍ର ବ୍ରାଣ୍ଡ ଭାବେ ତିଆରି କରି ଏହି ବ୍ୟବସାୟର ପ୍ରଚାର ପ୍ରସାର କରାଗଲେ ଏହା ସ୍ଥାନୀୟ ଶହଶହ ପରିବାରର ସମ୍ମାନ ଜୀବିକାରେ ପରିଣତ ହେବା ସହ ଓଡ଼ିଶାର ନିଆରା ଖାଦ୍ୟ ପରମ୍ପରାର ପରିଚୟ ପ୍ରତିଷ୍ଠିତ ହୋଇପାରିବ। ନୟାଗଡ଼ର ଛେନାପୋଡ଼କୁ ଜାତୀୟ ସ୍ତରରେ ମାନ୍ୟତା ଦେବା ପାଇଁ ନିଶ୍ଚିତ ଭାବେ ଏହାର ଜିଆଇ ଟ୍ୟାଗ୍ ହେବା ଆବଶ୍ୟକ। ଏଥିପାଇଁ ସରକାରୀ ଓ ବେସରକାରୀ ଉଭୟ ସ୍ତରରେ ଉଦ୍ୟମ ଜରୁରୀ।

ଡଙ୍ଗରିଆ ଶାଲ୍‌
ରାୟଗଡା ଜିଲ୍ଲାର ବିଷମ କଟକ, କଲ୍ୟାଣସିଂହପୁର, ମୁନିଗୁଡ଼ା ଏବଂ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ୍‌ ଅଞ୍ଚଳରେ ଡଙ୍ଗରିଆ ସମ୍ପ୍ରଦାୟର ଲୋକମାନେ ବସବାସ କରୁଛନ୍ତି। ଜୀବନଜୀବିକାର ଅଂଶ ଭାବେ ଶହ ଶହ ବର୍ଷ ତଳୁ ଡଙ୍ଗରିଆ ପାରମ୍ପରିକ ବୃତ୍ତି ହିସାବରେ ଶାଲ୍ ତିଆରି କରି ଆସୁଛନ୍ତି। ବିରଳ ହସ୍ତଶିଳ୍ପ କଳାକୃତି ମଧ୍ୟରେ ଡଙ୍ଗରିଆଙ୍କ ଦ୍ବାରା ଉତ୍ପାଦିତ ଶାଲ୍‌ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଶାଲ୍‌ର ଆକର୍ଷଣୀୟ ଡିଜାଇନ୍ ସାଙ୍ଗକୁ ଡଙ୍ଗରିଆଙ୍କ କଳା, ସଂସ୍କୃତି ଓ ଐତିହ୍ୟର କଥା କହୁଥିବାରୁ ଓଡ଼ିଶା ସମେତ ଦେଶ, ବିଦେଶରେ ଏହାର ଚାହିଦା ବଢ଼ିବାରେ ଲାଗିଛି। ଡଙ୍ଗରିଆଙ୍କ ଆର୍ଥିକ ଓ ସାମାଜିକ ବିକାଶ ପାଇଁ ଏହି ବିରଳ କଳାକୃତିକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ୨୦୧୮ ମସିହାରୁ ଉଦ୍ୟମ ଆରମ୍ଭ ହୋଇଛି।  ଧୀରେଧୀରେ ଓଡ଼ିଶାର କଳା, ସ୍ଥାପତ୍ୟ ଓ ନୈପୁଣ୍ୟକୁ ପଡ଼ୋଶୀ ରାଜ୍ୟ କପି କରି ନେଉଥିବାରୁ ରାଜ୍ୟ ସରକାର ଡଙ୍ଗରିଆ ସାଲ୍‌କୁ ଜିଆଇ ଟ୍ୟାଗ୍ ପ୍ରଦାନ ଦିଗରେ ତତ୍ପରତା ପ୍ରକାଶ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ତାଳଗୁଡ଼
ରାଜ୍ୟରେ ତାଳଗୁଡ଼ର ଇତିହାସ ବହୁତ ପୁରୁଣା। ମହାତ୍ମା ଗାନ୍ଧି ମଧ୍ୟ ତାଳଗୁଡ଼ର ପ୍ରଚାର ପ୍ରସାର ଉପରେ ଗୁରୁତ୍ବ ଦେଇଥିଲେ। ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ମଧ୍ୟ ତାଳଗୁଡ଼ ପ୍ରସ୍ତୁତ ହେଉଛି। ତେବେ ରାଜ୍ୟରେ ପ୍ରସ୍ତୁତ ହେଉଥିବା ତାଳଗୁଡ଼ ଭିନ୍ନ। ରାଜ୍ୟରେ ପାରମ୍ପରିକ ଢଙ୍ଗରେ ପ୍ରସ୍ତୁତ ହେଉଥିବା ତାଳଗୁଡ଼ର ରଙ୍ଗ, ସ୍ବାଦ ସ୍ବତନ୍ତ୍ର। ୧୯୫୯ ମସିହାରେ ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘର ଗଠନ ହୋଇଥିଲା। ଏହାର ଅଧୀନରେ ରାଜ୍ୟରେ ୬୭ଟି ସମବାୟ ସଂସ୍ଥା କାର୍ଯ୍ୟ କରୁଛି। ବାର୍ଷିକ ୧୦୦-୧୫୦ କ୍ବିଣ୍ଟାଲ୍‌ ତାଳଗୁଡ଼ ପ୍ରସ୍ତୁତ ହେଉଛି। ତାଳ ସହିତ ଖଜୁରୀରୁ ଏହି ଗୁଡ଼ ତିଆରି ହୋଇଥାଏ। ପାରାଳାଖେମୁଣ୍ଡିରେ ୨ ହଜାର ଓ ଢେଙ୍କାନାଳରେ ୧ ହଜାରରୁ ଅଧିକ ତଳଗୁଡ଼ ଚାଷୀ ଅଛନ୍ତି। ରାଜ୍ୟରେ ତାଳଗୁଡ଼ର ୪ଟି ବିକ୍ରି ପଏଣ୍ଟ ରହିଛି। ଖଣ୍ଡଗିରି,  ୟୁନିଟ-୨, କଟକ ଓ ସାଲେପୁରସ୍ଥିତ ବହୁଗ୍ରାମରେ ତାଳଗୁଡ଼ ବିକ୍ରି ହେଉଛି। ଏହାସହ ରାଜ୍ୟବ୍ୟାପୀ ହେଉଥିବା ବିଭିନ୍ନ ପ୍ରଦର୍ଶନୀରେ ଏହାକୁ ବିକ୍ରି କରାଯାଉଛି।  ତାଳଗୁଡ଼କୁ ଭୌଗୋଳିକ ଉତ୍ପତ୍ତି ବା ଜିଆଇ ମାନ୍ୟତା ଦେବା ପାଇଁ ଯୋଜନା ହୋଇଛି। ତେଣୁ ଜିଆଇ ମାନ୍ୟତା ଦ୍ବାରା ଏହାର ବିକ୍ରି ବଢ଼ିବା ସହିତ ରାଜ୍ୟ ତଥା ରାଜ୍ୟ ବାହାରେ ଚାହିଦା ବଢ଼ିବ ବୋଲି ଆଶା କରାଯାଉଛି।

ପୁରୀ ଖଜା
ଖଜାର ଉତ୍ପତ୍ତି ଏବଂ ଶ୍ରୀମନ୍ଦିର ମଧ୍ୟରେ ଥିବା ସମ୍ପର୍କ ବେଶ ପୁରୁଣା। ଶ୍ରୀମନ୍ଦିରରେ ଏହି ଶୁଖିଲି ଭୋଗର ସୃଷ୍ଟି ଅନ୍ୟୁନ ୬୦୦ ବର୍ଷ ପୁରୁଣା। କାରଣ ଶ୍ରୀମନ୍ଦିରରେ ପ୍ରାଚୀନ ଦ୍ୱାଦଶ ଯାତ୍ରା ମଧ୍ୟରେ ଅନ୍ତର୍ଭୁକ୍ତ ମକର ସଂକ୍ରାନ୍ତି ଦିନ ସର୍ବାଧିକ ୮୪ ପ୍ରକାରର ଉଭୟ ସଙ୍ଖୁଡି ଓ ନିସଙ୍ଖୁଡି ଭୋଗ ଶ୍ରୀବିଗ୍ରହଙ୍କ ନିକଟରେ ଅର୍ପଣ ହୋଇଥାଏ। ଏହି ୮୪ ପ୍ରକାର ଭୋଗ ମଧ୍ୟରେ ରହିଛି ଖଜା। ୧୯୧୦ ମସିହା ବେଳେ ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପରେ ଖଜା ଭୋଗ ହେଉଥିବା ସ୍ୱତ୍ୱଲିପିରୁ ଜଣାଯାଏ। ଇତିହାସର ପୃଷ୍ଠାରେ ଶ୍ରୀମନ୍ଦିରର ୫୬ ଭୋଗର ବିବରଣୀରେ ସ୍ଥାନ ପାଇଛି ଖଜା। ଏସବୁ ସତ୍ୱେ ଜଗନ୍ନାଥ ପରମ୍ପରା ସହିତ ଜଡ଼ିତ ଖଜାକୁ ଜିଆଇ ଟ୍ୟାଗ୍‌ ଦେବାପାଇଁ ଦାବି ଛଠିଛି। ବିହାରର ଖଜାକୁ ଜିଆଇ ମାନ୍ୟତା ମିଳିବା ପରେ ଏବେ ପୁରୀ ଖଜାକୁ ଜିଆଇ ମାନ୍ୟତା ଦେବା ପାଇଁ ସରକାର ତତ୍ପରତା ପ୍ରକାଶ କରିବା ଦରକାର। ତେବେ ଖଜାର ଉତ୍ପତ୍ତି ବିହାରରେ ବୋଲି ସରକାରୀ ମାନ୍ୟତା ମିଳିବା ପରେ ଏବେ ରାଜ୍ୟ ସରକାରଙ୍କ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ କିପରି ଉଦ୍ୟମ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ରସାବଳି
ରସାବଳି ଏହା ଏକ ଖାଣ୍ଟି ଓଡ଼ିଆ ଖାଦ୍ୟ। ରସାବଳି ବଳଦେବଜିଉ ମନ୍ଦିରରେ ଭୋଗ ଲାଗି ହୁଏ। ଏହା ଜଗନ୍ନାଥ ମନ୍ଦିରରେ ପରଷା ଯାଉଥିବା ୫୬ ଭୋଗ ମଧ୍ୟରୁ ଗୋଟିଏ। କେନ୍ଦ୍ରାପଡ଼ାରେ ମହାପ୍ରଭୁ ବଳଦେବଜିଉଙ୍କ ଆବିର୍ଭାବ ୩ୟ ଶତାଦ୍ଦୀରୁ ହୋଇଥିଲେ ମଧ୍ୟ ମରହଟ୍ଟା ଶାସନ କାଳରେ ନାଗା ସନ୍ୟାସୀ ରଘୁଜୀ ଭୋନ୍ସଲାଙ୍କ ନାତି ମହନ୍ତ ସଡ଼ ଗୋପୀ ଦାଶ ବଳଦେବଜିଉଙ୍କ ପାଇଁ ସମସ୍ତ ପୂଜା ରୀତିନୀତି ଖଞ୍ଜା କରିଥିଲେ। ୧୭୮୦ ମସିହାରେ ମହାପ୍ରଭୁଙ୍କ ପାଇଁ ପ୍ରଥମେ ପ୍ରଚଳନ କରାଗଲା ରସାବଳି ଭୋଗ। ବଳଦେବଜିଉଙ୍କ ନିକଟରେ କେତେକ ବିଶିଷ୍ଟ ପୂଜା ପାର୍ବଣରେ ରସାବଳି ଭୋଗ କରାଯାଇ ଆସୁଥିଲା। ସ୍ଥାନୀୟ ନାନକାର ଜମିଦାରୀ ବଳଦେବଜିଉଙ୍କ ଅଧୀନକୁ ଆସିବାପରେ ଦାୟିତ୍ବରେ ଥିବା ପୁରୀ ଏମାର ମଠର ମହନ୍ତ ରାମପ୍ରସନ୍ନ ରାମାନୁଜ ଦାଶ ୧୯୦୨ ମସିହାରେ ଠାକୁରଙ୍କ ନିକଟରେ ପ୍ରତିଦିନ ରସାବଳି ଭୋଗର ନୀତି ଖଞ୍ଜା କରାଇଥିଲେ। କେନ୍ଦ୍ରାପଡ଼ା ରସାବଳିର ରହିଥିବା ନିଆରା ସ୍ବାଦ ପାଇଁ ଏହା ବିଶ୍ବ ପ୍ରସିଦ୍ଧ ହୋଇପାରିଛି। କେନ୍ଦ୍ରାପଡା ସହରର ବିଭିନ୍ନ ସ୍ଥାନରେ ମିଠା କାରିଗରମାନେ ଏହି ରସାବଳି ପ୍ରସ୍ତୁତ କରିଥାନ୍ତି। ସହରର ଇଛାପୁର ରଥଦାଣ୍ଡ, ପୁରୁଣା ମଟରଷ୍ଟାଣ୍ଡ, ତିନି ମୁହାଣି ଆଦି ସ୍ଥାନ ମାନଙ୍କରେ ଏହା ପ୍ରସ୍ତୁତ କରାଯାଉଥିବାବେଳେ ସହରର ଗୋପ ବଜାରରେ ପ୍ରସ୍ତୁତ ହେଉଥିବା ରସାବଳି ବିଶ୍ବ ପ୍ରସିଦ୍ଧ ହୋଇପାରିଛି। ପ୍ରତିଦିନ ଏହି ସ୍ଥାନରୁ ଦେଶର ବିଭିନ୍ନ ରାଜ୍ୟ ତଥା ବାହାର ଦେଶକୁ ରସାବଳି ପଠାଯାଇଥାଏ। ତେଣୁ ରସାବଳିକୁ ଜିଆଇ ମ୍ୟାନତା ପ୍ରଦାନ କରିବା ଲାଗି ସରକାରୀ ସ୍ତରରେ ମଧ୍ୟ ଉଦ୍ୟମ ଆରମ୍ଭ କରିଛି। ଏମ୍ଏସ୍ଏମ୍ଇ ମନ୍ତ୍ରୀ କ୍ୟାପ୍ଟେନ୍‌ ଦିବ୍ୟଶଙ୍କର ମିଶ୍ର ରସାବଳି ବାବଦରେ ତଥ୍ୟ ସଂଗ୍ରହ କରାଯିବା ପରେ ଆବେଦନ କରାଯିବ ବୋଲି କହିଛନ୍ତି।

ତାରକସି
ତାରକସି କାମ ଓଡ଼ିଶାର କଟକ ସହରର ଏକ ପୁରାତନ ଅଳଙ୍କାର ଗଠନ କଳା। ଏହା ୫୦୦ ବର୍ଷରୁ ଅଧିକ ପୁରୁଣା ଏକ ପାରମ୍ପରିକ କଳା ଯାହା କଟକ ଓ ଆଖ ପାଖର ସ୍ଥାନୀୟ କାରିଗରମାନେ ଅନେକ ପିଢ଼ି ଧରି କରିଆସୁଛନ୍ତି। ଅତୀତରେ ଓଡ଼ିଶାର ସାଧବମାନେ ସେମାନଙ୍କ ବେପାର ବଣିଜରେ ଇଣ୍ଡୋନେସିଆ ସମେତ ଦକ୍ଷିଣ ଏସିଆର ଅନେକ ଦେଶକୁ ଏହାକୁ ନେଇ ବିକ୍ରିବଟା କରିବା ପରେ ଏହି କଳା ସମୃଦ୍ଧି ଲାଭ କରିଥିଲା। ତେବେ କଟକର ଏହି ପ୍ରସିଦ୍ଧ ତାରକସିକୁ ଭୌଗୋଳିକ ମାନ୍ୟତା ମିଳିଲେ କଟକର ତାରକସି କାରିଗରମାନଙ୍କର କାମ କେବଳ ଦୁର୍ଗା ପୂଜା ସମୟରେ ମା’ ଙ୍କ ମେଢ ତିଆରିରେ ସୀମିତ ହେବ ନାହିଁ। ଏହା ସାରା ବିଶ୍ବରେ ଆଦୃତ ଲାଭ କରିପାରିବ।

ଓଡ଼ିଶାର ୧୭ଟି ସାମଗ୍ରୀକୁ ମିଳିଛି ଜିଆଇ ଟ୍ୟାଗ୍‌
ଏଯାବତ୍ ଓଡ଼ିଶା ରସଗୋଲାକୁ ମିଶାଇ ଓଡ଼ିଶାର ୧୭ଟି ସାମଗ୍ରୀକୁ ଜିଆଇ ମାନ୍ୟତା ମିଳି ସାରିଛି। ୫ଟି ବୟନଶିଳ୍ପ ଓ ହସ୍ତତନ୍ତ, ୮ଟି ହସ୍ତଶିଳ୍ପ ଏବଂ ୩ ଟି କୃଷିଜାତ ସାମଗ୍ରୀକୁ ଜିଆଇ ଟ୍ୟାଗ୍‌ ମିଳିଥିବା ବେଳେ ପ୍ରଥମ ଥର ପାଇଁ ରାଜ୍ୟର କୌଣସି ଖାଦ୍ୟ ସାମଗ୍ରୀ ଏହି ବର୍ଗରେ ସାମିଲ୍‌ ହୋଇଛି। ୨୦୦୫ରୁ -୦୬ରୁ ୨୦୧୯-୨୦ ମଧ୍ୟରେ ଓଡ଼ିଶା ଜିଆଇ ମାନ୍ୟତା ହାସଲ କରିଛି। ସର୍ବପ୍ରଥମେ କୋଟପାଡ଼ର ହ୍ୟାଣ୍ଡଲୁମ୍‌ ଫ୍ୟାବ୍ରିକ୍‌ ଓ ଓଡ଼ିଶା ଇକ୍କତ ଶାଢ଼ି ୨୦୦୫-୦୬ ବର୍ଷରେ ଜିଆଇ ମାନ୍ୟତା ହାସଲ କରିଥିଲା। ସେହିପରି ଅନ୍ୟ ସାମଗ୍ରୀ ମଧ୍ୟରେ ୨୦୦୮-୦୯ରେ କୋଣାର୍କ ଷ୍ଟୋନ୍ କାର୍ଭିଙ୍ଗ୍, ଓଡ଼ିଶା ପଟ୍ଟଚିତ୍ର, ପିପିଲି ଚାନ୍ଦୁଆ, ୨୦୧୦-୧୧ ମସିହାରେ ଖଣ୍ଡୁଆ ଶାଢ଼ି ଓ ପରିଧାନ, ୨୦୧୧-୧୨ରେ ଗୋପାଳପୁର ଟସର ଓ ପରିଧାନ, ଗଞ୍ଜାମ କିଆଫୁଲ ଓ ଅତରକୁ ମଧ୍ୟ ଜିଆଇ ଟ୍ୟାଗ୍ ମିଳିଥିଲା। ସେହିପରି ୨୦୧୨-୧୩ରେ ଧଳାପଥର ପରଦା ଓ ପରିଧାନ, ସମ୍ବଲପୁରୀ ବାନ୍ଧ ଶାଢ଼ି, ବୋମକାଇ ଶାଢ଼ି, ହବସପୁରୀ ଶାଢ଼ି, ବ୍ରହ୍ମପୁର ପାଟ ଶାଢ଼ି ଓ ଯୋଡ଼, ୨୦୧୩-୧୪ରେ ଓଡ଼ିଶା ପଟ୍ଟଚିତ୍ର(ଲୋଗୋ)କୁ ଜିଆଇ ଟ୍ୟାଗ୍ ମିଳିଥିଲା।  ୨୦୧୯-୨୦ ଆର୍ଥିକ ବର୍ଷରେ କନ୍ଧମାଳ ହଳଦୀକୁ ‘କୃଷି’ ସାମଗ୍ରୀ ବର୍ଗ ଓ ସରଗୋଲାକୁ ଖାଦ୍ୟ ସାମଗ୍ରୀ ବର୍ଗରେ ଜିଆଇ ଟ୍ୟାଗ୍‌ ମିଳିଛି।

କୋଟପାଡ଼ ହ୍ୟାଣ୍ଡଲୁମ୍
କୋରାପୁଟ ଜିଲ୍ଲାର କୋଟପାଡ଼ ଗାଁରେ ତିଆରି ହେଉଥିବା ଏହି ସୂତା ଶାଢ଼ିର ରଙ୍ଗ ପ୍ରାକୃତିକ ଉପାଦାନରେ ପ୍ରସ୍ତୁତ। ୨୦୦୫ରେ ଏହାକୁ ଜିଆଇ ମାନ୍ୟତା ମିଳିଛି। ସ୍ଥାନୀୟ ଅଞ୍ଚଳର ମିରଗାନ୍ ସମ୍ପ୍ରଦାୟର ବୁଣାକାରମାନେ ଏହାକୁ ପ୍ରସ୍ତୁତ କରିଥିବାବେଳେ ଭୋତଡ଼ା, ଧରୁଆ ଏବଂ ପାଖାପାଖି ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟ ଏହି ଶାଢ଼ିକୁ ନିୟମିତ ପରିଧାନ କରିଥାନ୍ତି। ନିକଟରେ ବିଶ୍ୱନାଥ ରଥଙ୍କ ଦ୍ୱାରା ପ୍ରସ୍ତୁତ ପ୍ରାମାଣିକ ଚଳଚ୍ଚିତ୍ର ‘କୋଟପାଡ ୱିଭିଙ୍ଗସ୍‌’ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପ୍ରଦର୍ଶିତ ହୋଇ ପ୍ରଶଂସିତ ହୋଇଛି। ୨୪ ମାର୍ଚ୍ଚ ୨୦୧୮ରେ ଦୂରଦର୍ଶନରେ ଏହା ପ୍ରସାରିତ ହୋଇଥିଲା। ବଡ଼ କଥା ହେଲା ଗତବର୍ଷ କୋଟପାଡ଼ ହ୍ୟାଣ୍ଡଲୁମ୍ ପ୍ରସ୍ତୁତକାରୀ ଗୋବର୍ଦ୍ଧନ ପାଣିକରଙ୍କୁ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରାଯାଇଛି।

ଓଡ଼ିଶା ଇକ୍କତ୍
ଓଡ଼ିଶାର ପୂର୍ବ ଏବଂ ପଶ୍ଚିମାଞ୍ଚଳରେ ପ୍ରସ୍ତୁତ ହେଉଥିବା ଓଡ଼ିଶା ଇକ୍କତ୍ ‘ବାନ୍ଧ ଅଫ୍ ଓଡ଼ିଶା’ ଭାବେ ପରିଚିତ। ସମ୍ବଲପୁରୀ ଶାଢ଼ି ଏକ ପାରମ୍ପରିକ ହାତବୁଣା ଇକ୍କତ୍‌ ଶାଢ଼ି ହେଉଁଥିରେ ସୂତା ସବୁକୁ ପ୍ରାକୃତିକ ରଙ୍ଗରେ ରଙ୍ଗାଯାଏ ଓ ସେଥିରେ ଶାଢ଼ି ବୁଣାଯାଇଥାଏ, ଯାହାକି ଓଡ଼ିଶାର ସୋନପୁର, ସମ୍ବଲପୁର ଆଦି ଅଞ୍ଚଳରେ ବୁଣାଯାଇଥାଏ। ଶାଢ଼ି ଏକ ପାରମ୍ପରିକ ଭାରତୀୟ ନାରୀମାନଙ୍କ ଲୁଗା ଯାହା ସିଲାଇ ନ କରାଯାଇ ପିନ୍ଧା ହୋଇଥାଏ ଓ ଏହାର ଆକାର ୪-୯ ମିଟର ହୋଇଥାଏ । ୨୦୦୭ରେ ଏହାକୁ ଜିଆଇ ମାନ୍ୟତା ମିଳିଛି।

ପିପିଲି ଚାନ୍ଦୁଆ
ପୁରୀ ଜିଲ୍ଲା ପିପିଲି ପ୍ରସିଦ୍ଧ ହସ୍ତଶିଳ୍ପ ଭାବେ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି ପିପିଲି ଚାନ୍ଦୁଆ। ଶ୍ରୀଜଗନ୍ନାଥ ସଂସ୍କୃତି ସହ ୧୨ଶହ ଶତାବ୍ଦୀରୁ ଏହି ହସ୍ତଶିଳ୍ପ ଜଡ଼ିତ। ମହାପ୍ରଭୁଙ୍କ ବିଭିନ୍ନ ଯାନିଯାତ୍ରାରେ ଚାନ୍ଦୁଆରେ ପ୍ରସ୍ତୁତ ଛତ୍ରୀଠାରୁ ଆରମ୍ଭ କରି ଅନେକ ସାମଗ୍ରୀ ବ୍ୟବହୃତ ହୋଇଥାଏ। ଏହା କେବଳ ଜିଆଇ ମାନ୍ୟତା ପାଇନି ବରଂ ୨୦୦୪ରେ ‘ଲିମ୍‌କା ବୁକ୍ ଅଫ୍ ରେକର୍ଡସ’ରେ ସ୍ଥାନିତ ହୋଇଛି। ଓଡ଼ିଶାର ପିପିଲି ଚାନ୍ଦୁଆ ଉପରେ ଆଧାରିତ ପୁସ୍ତକ ସେଲିବ୍ରେଟିଙ୍ଗ କଲର୍ସ ପୁସ୍ତକ ମଧ୍ୟ ପ୍ରସ୍ତୁତ କରାଯାଇଛି। ପିପିଲି ଏବେ ସମଗ୍ର ଦେଶର ଆପ୍ଲିକ୍ ହବ୍ ଭାବେ ପରିଗଣିତ ହେଉଛି। ଉଭୟ ହିନ୍ଦୁ ଏବଂ ମୁସଲ୍‌ମାନ ପ୍ରାୟ ୫୦୦୦ କାରିଗର ଏହି କୌଳିକ ବୃତ୍ତିରେ ନିୟୋଜିତ ଅଛନ୍ତି।

କୋଣାର୍କ ପ୍ରସ୍ତର ଶିଳ୍ପ
ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ପ୍ରସ୍ତର ଶିଳ୍ପୀ କାରୁକାର୍ଯ୍ୟ ପାଇଁ ମିଳିଛି ଜିଆଇ ମାନ୍ୟତା। ଲୋକକଥା ଏବଂ ଗବେଷଣାତ୍ମକ ଆଲୋଚନାରୁ ମିଳିଥିବା ତଥ୍ୟ ଆଧାରରେ ୧୨ ଶହ ବଢ଼େଇଙ୍କ ନିହାଣ ମୁନରେ ଜୀବନ୍ତ ଏହି ପ୍ରସ୍ତର କାରୁକାର୍ଯ୍ୟ। ଯାହା ଥରେ ନୁହେଁ ବାରମ୍ବାର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସିଛି।

ଓଡ଼ିଶା ପଟ୍ଟଚିତ୍ର
ରାଜ୍ୟର ବିଭିନ୍ନ ସ୍ଥାନରେ ପଟ୍ଟଚିତ୍ର ପ୍ରସ୍ତୁତ ହେଉଥିବାବେଳେ ପୁରୀ ରଘୁରାଜପୁର ଓ ଦାଣ୍ଡସାହି ବିଶେଷ ପରିଚୟ ବହନ କରିଛି। ଏହି ଶିଳ୍ପକଳା ବି ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ। ଅଣବସର ଘରେ ଠାକୁର ଥିବାବେଳେ ପଟ୍ଟି ଦିଅଁଙ୍କୁ ପୂଜା କରାଯାଇଥାଏ। ୨୦୦୮ ମସିହାରେ ଏହି ଶିଳ୍ପକଳାକୁ ଜିଆଇ ମାନ୍ୟତା ମିଳିଛି। ଶିଳ୍ପୀମାନେ ପୌରାଣିକ କଥାବସ୍ତୁକୁ ଅତି ସୁନ୍ଦର ଭାବେ ପଟ୍ଟଚିତ୍ରରେ ବର୍ଣ୍ଣନା କରିଥାନ୍ତି।

ଖଣ୍ଡୁଆ ଶାଢ଼ି
କଟକ ମାଣିଆବନ୍ଧରେ ତିଆରି ହୁଏ ଏହି ଖଣ୍ଡୁଆ ଶାଢ଼ି। ଯାହାକୁ ପାରମ୍ପରିକ ବାନ୍ଧ ଶାଢ଼ି ବୋଲି କୁହାଯାଏ। ଖଣ୍ଡୁଆ ହିଁ ଏକମାତ୍ର ବସ୍ତ୍ର ଯେଉଁଥିରେ ଗୀତଗୋବିନ୍ଦ ଲେଖାଯାଇ ମହାପ୍ରଭୁଙ୍କୁ ଲାଗି ହୁଏ। ପରମ୍ପରା ଓ ସଂସ୍କୃତି ସହ ଜଡ଼ିତ ଏହି ଶାଢ଼ିକୁ ମିଳିଛି ଜିଆଇ ମାନ୍ୟତା।

ଗୋପାଳପୁର ଟସର
ଗୋପାଳପୁର ଟସର ବସ୍ତ୍ର ଓଡ଼ିଶାର ଏକ ପ୍ରସିଦ୍ଧ ହସ୍ତକଳା ବସ୍ତ୍ର। ଯାଜପୁର ଜିଲ୍ଲାର ଗୋପାଳପୁର ଗ୍ରାମ ଟସର ରେଶମ ବସ୍ତ୍ର ପାଇଁ ପ୍ରସିଦ୍ଧ। ଏହି ହସ୍ତତନ୍ତ କଳା ୨୦୦୯ରେ ଭାରତ ସରକାରଙ୍କ ଅଧିନରେ ଭାରତୀୟ ଭୌଗଳିକ ସଙ୍କେତ ଭାବେ ଚିହ୍ନଟ ହୋଇଥିଲା। ଧୋତି, ଯୋଡ଼, ଶାଲ୍, ଓଢ଼ଣୀ ଆଦି ଏଥିରେ ପ୍ରସ୍ତୁତ ହୋଇଥାଏ। ମୁଖ୍ୟତଃ ବୟନିକା, ସମ୍ବଲପୁରୀ ବସ୍ତ୍ରାଳୟ ଓ ସେରିଫେଡରେ ଟସରରେ ପ୍ରସ୍ତୁତ ସାମଗ୍ରୀ ବିକ୍ରି ହୋଇଥାଏ।

ଧଳାପଥର ପରଦା ଓ କପଡ଼ା
ଖୋର୍ଦ୍ଧା ବୋଲଗଡ଼ର ଧଳାପଥର ଗାଁରେ ପ୍ରସ୍ତୁତ ହେଉଥିବା ଧଳାପଥର ପ୍ରରଦା ଜିଆଇ ମାନ୍ୟତା ପାଇଛି। ପରଦା କଳା ଭାବେ ପରିଚିତ ଏହି ହସ୍ତତନ୍ତ ଡିଜାଇନକୁ ଗଣେଶ ପୂଜାରୀ ଉଦ୍ଭାବନ କରିଥିବାବେଳେ ରୂପ ଦେଇଥିଲେ ଉଦୟନାଥ ସାହୁ। ଧଳପଥର ପ୍ରଦାରେ ବୁଣା ହେଉଥିବା ଶାଢ଼ି, ଗାମୁଛା ଆଦିରେ ପ୍ରାକୃତିକ ରଙ୍ଗ ଭାବେ ଆମ୍ବ ଓ ଜାମୁ ଗଛର ଛାଲିକୁ ବ୍ୟବହାର କରାଯାଏ। ଧଳାପଥର ଗାଁର ପ୍ରାୟତଃ ଅଧିକାଂଶ ପରିବାର ଏହି କାମରେ ନିୟୋଜିତ।

ସମ୍ବଲପୁରୀ ବାନ୍ଧ ଶାଢ଼ି
ବରଗଡ଼, ସୋନପୁର, ସମ୍ବଲପୁର, ବଲାଙ୍ଗିର, ବୌଦ୍ଧ ଆଦି ଅଞ୍ଚଳରେ ସାଧାରଣତଃ ସମ୍ବଲପୁରୀ ଶାଢ଼ି ପ୍ରସ୍ତୁତ ହୋଇଥାଏ। ଗୁଣାତ୍ମକ ମାନ, ରଙ୍ଗ ଓ ସୂତା ପାଇଁ ଏହି ଶାଢ଼ି ଜିଆଇ ମାନ୍ୟତା ହାସଲ  କରିଛି। ଏହି ଶାଢ଼ିରେ ପାରମ୍ପରିକ ହସ୍ତକଳାର ଛାପ ଭାବେ ଶଙ୍ଖ, ଚକ୍ର, ଫୁଲ ବ୍ୟବହାର ହୋଇଥାଏ। ଯେତେବେଳେ ଏହାକୁ ଇନ୍ଦିରା ଗାନ୍ଧୀ ପରିଧାନ କଲେ ସେତେବେଳେ ବେଶ୍ ଚର୍ଚ୍ଚାକୁ ଆସିଥିଲା ଏହି ଶାଢ଼ି। ଆଜି ବିଶ୍ୱରେ ଏହି ଶାଢ଼ି ସର୍ବାଧିକ ଲୋକପ୍ରିୟତା ହାସଲ କରିବା ସହ ଅଧିକ ଚାହିଦା ରହିଛି। ଏହି ଶାଢ଼ି ବୁଣି କୈଳାସ ମେହେର, କୁଞ୍ଜବିହାରୀ, ଚତୁର୍ଭୁଜ ମେହେର, କୃତାର୍ଥ ଆଚାର୍ଯ୍ୟ ପ୍ରମୁଖ ‘ପଦଶ୍ରୀ’ ପାଇଛନ୍ତି। ୧୯୩୦ରେ ବରଗଡ଼ଠାରେ ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟଙ୍କଦ୍ୱାରା ସ୍ଥାପିତ ଏହା ଗରିବ ଆଦିବାସୀ ଓ ହରିଜନମାନଙ୍କୁ ହାତବୁଣା ସମ୍ବଲପୁରୀ ଶାଢ଼ି ତିଆରି କରି ସେମାନଙ୍କ ଜୀବନ ଧାରଣର ମାନ ବଢ଼ାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ବମକାଇ ଶାଢ଼ି
ଗଞ୍ଜାମ ଜିଲ୍ଲାରେ ସାଧାରଣତଃ ବମକାଇ ଶାଢ଼ି ପ୍ରସ୍ତୁତ ହୋଇଥାଏ । କେହି କେହି ଏହାକୁ ସୋନପୁରୀ ଶାଢ଼ୀ ବୋଲି କହିଥାନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ଭୁଲିଆ ବୁଣାକାରମାନେ ଏହାକୁ ପ୍ରସ୍ତୁତ କରିଥାନ୍ତି। ପାଟଣାର ରାଜା ରମାଇ ଦେବ ଏହି ଶାଢ଼ିକୁ ସୋନପୁରରେ ପ୍ରଚଳନ କରାଇଥିଲେ। ଖୁସିର କଥା ଚତୁର୍ଭୁଜ ମେହେରଙ୍କ ଦ୍ୱାରା ପ୍ରସ୍ତୁତ ‘ରାଧାକୁଞ୍ଜ’ ନାମକ ଏହି ଶାଢ଼ି ପିନ୍ଧି ଅଭିଷେକ ବଚ୍ଚନଙ୍କୁ ବାହାହୋଇଥିଲେ ବଲିଉଡ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ।

ହବସପୁରୀ ଶାଢ଼ି
ହବସପୁରୀ ଓଡ଼ିଶାର ଏକ ପାରମ୍ପରିକ ସୂତା ବସ୍ତ୍ର। ବୟନ ଶିଳ୍ପରେ ହବସପୁରୀ ଏକ ପ୍ରମୁଖ ଉତ୍ପାଦ। କଳାହାଣ୍ଡି ଜିଲ୍ଲାର ହବସପୁର ଗାଁରେ ବହୁ ପ୍ରାଚୀନ କାଳରୁ ଏହି ଶାଢ଼ି ପ୍ରସ୍ତୁତ ହୋଇ ଆସୁଛି। ଚିଚେଗୁଡ଼ା ଗାଁର କନ୍ଧ ସମ୍ପ୍ରଦାୟ ବୁଣାକାରମାନେ ଏହାକୁ ପ୍ରସ୍ତୁତ କରିଥାନ୍ତି। ବର୍ତ୍ତମାନ ୩୦ରୁ ଊର୍ଦ୍ଦ୍ବ ପରିବାର ଏହି ହସ୍ତତନ୍ତ କଳା ସହ ଜଡ଼ିତ ରହିଛନ୍ତି। ଏହି ଲୁଗାମାନଙ୍କରେ ପାରମ୍ପରିକ ଆକୃତିର କୁମ୍ଭ (ମନ୍ଦିର), ମାଛ, ଏବଂ ଫୁଲ ଚିତ୍ରିତ ହୋଇଥାଏ। ହବସପୁରୀ ହସ୍ତକଳା ସେହି ଗ୍ରାମର ନାମ ଅନୁସାରେ ନାମିତ ହୋଇଛି ଯେଉଁଠାରେ ୧୯ ଶତାବ୍ଦୀ ପୁର୍ବରୁ ଏହି ଶୈଳୀରେ ବୁଣାହେଉଥିଲା। ହବସପୁରୀ ଲୁଗା ଏକାକୀ ଜଣେ ବୁଣାକାର କାରିଗର ହାତରେ ତିଆରି ହୋଇ ଭାରତ ସରକାରଙ୍କ ବୟନ ଶିଳ୍ପ ବିଭାଗ ଜରିଆରେ ସ୍ଥାପିତ ହୋଇଥିବା ବିକ୍ରୟ କେନ୍ଦ୍ରମାନଙ୍କରେ ବିକ୍ରୟ ହୋଇଥାଏ। ଏପରି ଏକ ସ୍ୱତନ୍ତ୍ର କାରୀଗରୀ ଓ ବୁଣାଶୈଳୀ ପାଇଁ ଏହା ଭାରତର ଭୌଗଳିକ ସଙ୍କେତ ଭାବେ ପଞ୍ଜୀକୃତ ହୋଇଛି।

ବ୍ରହ୍ମପୁରୀ ପାଟ (ଫୋଡ଼ା କୁମ୍ଭ) ଶାଢ଼ି ଏବଂ ଯୋଡ଼ା
ବ୍ରହ୍ମପୁରର ରେଶମ ଶାଢି ଏକ ଉତ୍କୃଷ୍ଟ ମାନର ଉତ୍ପାଦ ଭାବେ ଶତାବ୍ଦୀ ଶତାବ୍ଦୀ ଧରି ଦେଶ ବିଦେଶରେ ପରିଚିତ ହେବା ସହ ସହରର ଗୌରବ ବଢ଼ାଉଛି। ସ୍ୱତନ୍ତ୍ର ପାରମ୍ପରିକ ଓଡ଼ିଶୀ ଶୈଳୀରେ ପ୍ରସ୍ତୁତ ଏହି ହସ୍ତତନ୍ତ୍ରରେ କୁମ୍ଭ, ଫୋଡ଼ ଆଉ ମନ୍ଦିର ଶୋଭାପାଏ।  ଏଥିପାଇଁ ବ୍ରହ୍ମପୁରକୁ ରେଶମ ନଗରୀ ଆଖ୍ୟା ଦିଆଯାଏ। ଜରି କାମ ବି ଏହି ଶାଢ଼ିରେ ଦେଖିବାକୁ ମିଳିଥାଏ। ଯାହା ରାଜ୍ୟର ଅନ୍ୟ ହସ୍ତତନ୍ତଠାରୁ ଭିନ୍ନ। ବ୍ରହ୍ମପୁରୀ ରେଶମ ପାଟଶାଢ଼ି ଭାରତ ସରକାରଙ୍କଠାରେ ଭାରତୀୟ ଭୌଗଳିକ ସଙ୍କେତ ଭାବେ ପଞ୍ଜୀକୃତ ହୋଇଛି। ବ୍ରହ୍ମପୁରୀ ଶାଢ଼ି ତା’ର ସ୍ୱତନ୍ତ୍ର କାରିଗରୀଦ୍ୱାରା ପରିଚିତ ଯହିଁରେ କୁମ୍ଭ ଫୋଡ଼ା ଓଡ଼ିଶୀ ଶୈଳୀରେ ବୁଣାଯାଇଥାଏ। ଏଠାର ଜରି କାମ ଭିନ୍ନ ଏକ ଛାପ ରଖେ। ଏଠାର ମାନକ ବୁଣାଶୈଳୀ ପାଖାପାଖି ୨୦୦ ବର୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଏ। ସୂକ୍ଷ୍ମ ତନ୍ତବୁଣା ଶାଢୀ ଦକ୍ଷିଣ ଏସିଆ ଦେଶ ସମୂହକୁ ଗୋପାଳପୁର ବନ୍ଦର ଦେଇ ରପ୍ତାନୀ କରାଯାଏ। ଏହି ବସ୍ତ୍ର ପୁରୀରେ ଥିବା ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରାଙ୍କ ବେଶ ଆଦିରେ ବ୍ୟବହୃତ ହୁଏ।

ଗଞ୍ଜାମ କିଆଫୁଲ ଓ ଅତର
ଏହା ସ୍ୱତନ୍ତ୍ର ଭାବେ ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ନଦୀର ଉତ୍ତର ପାର୍ଶ୍ବରେ ଏବଂ ବାହୁଦା ନଦୀର ଦକ୍ଷିଣ ପାର୍ଶ୍ବରେ ଏହି କିଆ ଗଛ ଦେଖାଯାଏ। ଏହି ଗଛର ଫୁଲରୁ ପ୍ରସ୍ତୁତ ହେଉଥିବା ଅତର, ଜଳ ଓ ତେଲ ସୌଖୀନ ପ୍ରସାଧନ ସାମଗ୍ରୀ ଭାବେ ବ୍ୟବହାର କରାଯାଏ। ବଡ଼ କଥା ହେଲା ପୁରୁଷ କିଆ ଗଛର ଫୁଲରୁ ଏହା ପ୍ରସ୍ତୁତ ହେଉଥିବାରୁ ଜିଆଇ ମାନ୍ୟତା ମିଳୁଛି। ଭାରତରେ ବ୍ୟବହୃତ ଏହି ଅତରର ପ୍ରାୟ  ୯୦ ଭାଗ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ମିଳିଥାଏ। ଗଞ୍ଜାମ ଜିଲ୍ଲାର ଛତ୍ରପୁର, ବ୍ରହ୍ମପୁର, ଗୋପାଳପୁର ରଙ୍ଗାଇଲୁଣ୍ଡା ଓ କେଲୁଆ ପଲ୍ଲୀରେ ଏହି ଅତର ପ୍ରସ୍ତୁତ କରାଯାଏ। ପ୍ରାୟ ୨୦୦ ବର୍ଷ ତଳେ ପ୍ରଥମେ ଉତ୍ତର ଭରତରୁ ମୁସଲ୍‌ମାନମାନେ ଓଡ଼ିଶାକୁ ଆସି ଅତର ପ୍ରସ୍ତୁତ ଆରମ୍ଭ କରିଥିଲେ।  ବର୍ତ୍ତମାନ ପ୍ରାୟ ଦୁଇ ଟନ୍‌ କିଆଫୁଲ ଅତର ଆମ ରାଜ୍ୟରେ ଉତ୍ପାଦିତ ହେଉଛି। ଏହା ବ୍ୟତୀତ ୨୦ ଟନ୍‌ କିଆଫୁଲରୁ ସୁବାସିତ ପାଣି ତିନି କିଲୋ ସୁଗନ୍ଧ ତେଲ ମଧ୍ୟ ଏହି ଫୁଲରୁ ମିଳିଥାଏ। ଏହି ଅତରର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। କାରଣ ଏହା ବେଶୀ ପରିମାଣରେ ଆରବ ଦେଶକୁ ରପ୍ତାନି କରାଯାଇଥାଏ ଓ ପ୍ରାୟ ତିରିଶ କୋଟି ଟଙ୍କା ଆମକୁ ଏହି ଶିଳ୍ପରୁ ମିଳିଥାଏ।

କନ୍ଧମାଳ ହଳଦୀ
କନ୍ଧମାଳ ଜିଲ୍ଲାର ୬୦ ହଜାରରୁ ଅଧିକ ଆଦିବାସୀ ପରିବାର ଏହି ହଳଦୀ ଚାଷ କରୁଛନ୍ତି। କନ୍ଧମାଳ ଜିଲ୍ଲାରେ ଆଦିବାସୀମାନେ ଏହାକୁ ଚାଷ କରିଥାନ୍ତି। ଏହାର ଔଷଧୀୟଗୁଣ ଥିବାରୁ ୨୦୧୮ ଡିସେମ୍ବରରେ ଏହାକୁ ଜିଆଇ ମାନ୍ୟତା ମିଳିଛି। ଏହି ହଳଦୀ ଦେଖିବାକୁ ସୁନା ଭଳି ହଳଦିଆ ଯାହାକି, ଅନ୍ୟ ହଳଦୀଠାରୁ ଭିନ୍ନ। ଏଥିରେ କୁରକୁମିନ୍, ଓଲେରେସିନ୍ ଓ ଭୋଲାଟାଇଲ ତେଲ ଭରି ରହିଛି। ଯାହାଫଳରେ କନ୍ଧମାଳର ହଳଦୀ ଔଷଧୀୟ ବ୍ୟବହାରଠାରୁ ଆରମ୍ଭ କରି ପ୍ରସାଧାନ ସାମଗ୍ରୀ ପାଇଁ ରାଜ୍ୟରେ ଘରେ ଘରେ ପରିଚିତ ହୋଇପାରିଛି। ‘କସମ’ ନାମକ ଏକ ଚାଷୀ ସଂଗଠନ ଏହାର ପ୍ରଚାର ପ୍ରସାର ଦାୟିତ୍ବରେ ରହିଛି। ଯାହାର ମୁଖ୍ୟ କନ୍ଧମାଳର ଜିଲ୍ଲାପାଳ ରହିଛନ୍ତି। କନ୍ଧମାଳ ହଳଦୀ ଜିଆଇ ମାନ୍ୟତା ପାଇବା ପରେ ଏହାର ବଜାର ମୂଲ୍ୟ ବୃଦ୍ଧି ପାଇବା ସହିତ ବାହାରକୁ ରପ୍ତାନୀ ବଢ଼ିବ ଆଶା ରଖିଛନ୍ତି ହଳଦୀ ବ୍ୟବସାୟୀ। ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ଏହାର ଚାହିଦା ଥିବାବେଳେ ରାଜ୍ୟ ସରକାର ପ୍ରୋତ୍ସାହନ ସ୍ୱରୂପ ବିଭିନ୍ନ ଉତ୍ସବ ଏବଂ ମହୋତ୍ସବରେ କନ୍ଧମାଳ ହଳଦୀର ବିକ୍ରିବଟା ଲାଗି ସ୍ୱତନ୍ତ୍ର ଷ୍ଟଲ୍ କରିଥାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଟେଷ୍ଟି ଏଣ୍ଡ କ୍ରିସ୍‌ପୀ ଗୁଡ଼ ଚକୁଳିର
ଅଧିକାଂଶ ଭାରତୀୟ ସକାଳ ଜଳଖିଆରେ ଚକୁଳି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଠାରେ ଗୁଡ଼ରେ ତିଆରି କରାଯାଇଥିବା ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ସାଧାରଣତଃ ଚକୁଳିକୁ ବିରି ଓ ଚାଉଳରେ ତିଆରି କରାଯାଉଥିବାବେଳେ ଏହି ଚକୁଳିରେ ଗୁଡ଼ ମିଶାଯାଇଥାଏ। ଏହାକୁ ଆପଣ ପିଲାଙ୍କ ଟିଫିନ୍‌ ବକ୍ସରେ ଦେଇପାରିବେ କିମ୍ବା ସକାଳ ବ୍ରେକ୍‌ଫାଷ୍ଟ ଓ ସନ୍ଧ୍ୟା ସ୍ନାକ୍‌ସ ଭାବେ ମଧ୍ୟ ଖାଇପାରିବେ। ଏହି ଚକୁଳି ଗୁଡ଼, ଚାଉଳ ଚୁନା ଓ ଅଟାର ମିଶ୍ରଣରେ ତିଆରି କରାଯାଇଥାଏ। ଗୁଡ଼ରେ ଆଇରନ୍‌ର ଉତ୍ତମ ସ୍ରୋତ ଥିବାବେଳେ ଅଟାରେ ଅନେକ ପ୍ରକାରର ପୋଷକତତ୍ତ୍ବ ଓ ଫାଇବର ରହିଛି। ଚାଲନ୍ତୁ ଜାଣିବା ଏହି ଗୁଡ଼ ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।