ପ୍ରେମ ବିବାହ ପାଇଁ ସୁଷମାଙ୍କୁ ବେଲିବାକୁ ପଡ଼ିଥିଲା ପାମ୍ପଡ଼

ସୁଷମାଙ୍କ ଅକାଳ ବିୟୋଗ ଲାଗି ଅଧୁରା ରହିଗଲା ପତିଙ୍କ ଇଚ୍ଛା

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସୁଷମା ସ୍ବରାଜଙ୍କର ମଙ୍ଗଳବାର ରାତିରେ ହୃଦ୍‌ଘାତରେ ପରଲୋକ ଘଟିଛି। ସୁଷମା ନିଜ ଜୀବନରେ କେବଳ ଜଣେ ଭଲ ରାଜନେତ୍ରୀ ନ ଥିଲେ, ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ଜଣେ ବହୁତ ଭଲ ପତ୍ନୀ ଓ ମା’ ମଧ୍ୟ ଥିଲେ। ରାଜନୀତିରେ ତାଙ୍କ ଛବି ଯେତିକି ସଚ୍ଚୋଟ, ବଳିଷ୍ଠ ଓ ପ୍ରଭାବୀ ମହିଳା ନେତ୍ରୀ ଭାବେ ଥିଲା, ସେହିପରି ସେ ତାଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେତିକି ଖୁସ୍‌ ମିଜାଜର ବ୍ୟକ୍ତି ଥିଲେ। ବିଜେପିର ଏହି ଲୋକପ୍ରିୟ ଓ ତେଜସ୍ବୀ ନେତାଙ୍କ ପ୍ରେମ ବିବାହ ହୋଇଥିଲା। ସୁଷମାଙ୍କ ମା’ ବାପା ତାଙ୍କର ଏହି ପ୍ରେମ ବିବାହ ପାଇଁ ରାଜି ହୋଇ ନ ଥିଲେ। ଏହାସତ୍ତ୍ବେ ସ୍ବରାଜ କୌଶଲଙ୍କୁ ସୁଷମା ୧୩ ଜୁଲାଇ ୧୯୭୫ରେ ବିବାହ କରିଥିଲେ।

ବାହାଘର ପାଇଁ କରିବାକୁ ପଡ଼ିଥିଲା କଷ୍ଟ

ହରିୟାଣାର ଏହି ଲଳନାଙ୍କୁ ପ୍ରେମ ବିବାହ କରିବାକୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ଯେଉଁ ସମୟରେ ହରିୟାଣାରେ ପ୍ରେମ ବିବାହର ନାଁ ନେବାକୁ ପାପ ବୋଲି କୁହାଯାଉଥିଲା, ସେହି ସମୟରେ ସୁଷମା ପ୍ରେମ ବିବାହ କରିବାକୁ ଚାହିଥିଲେ। ସେତେବେଳେ ପ୍ରେମ ସମ୍ପର୍କରେ କଥା ହେବାକୁ ମଧ୍ୟ ଭୁଲ୍‌ ବୋଲି କୁହାଯାଉଥିଲା। ଏପରିସ୍ଥଳେ ମାତ୍ର ୨୫ ବର୍ଷ ବୟସରେ ହରିୟାଣାର କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିବା ସୁଷମା ନିଜ ସାହସ ଦେଖାଇ ଏହି ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ। ତାଙ୍କର ବାଂଶୁରୀ ନାମକ ଜଣେ ଝିଅ ମଧ୍ୟ ଅଛି।

ଅଲଗା ଥିଲା ବିଚାର, ତଥାପି ଏକାଠି ରହିଥିଲେ
ସୁଷମା ଓ ସ୍ବରାଜ କୌଶଲଙ୍କ ପ୍ରେମ କାହାଣୀ ତାଙ୍କ କଲେଜ୍‌ ଜୀବନରୁ ଆରମ୍ଭ ହୋଇଥିଲା। ସେମାନଙ୍କ ସାକ୍ଷାତ ଚଣ୍ଡିଗଡ଼ ସ୍ଥିତ ପଞ୍ଜାବ ୟୁନିଭର୍ସିଟିର ଲ’ ବିଭାଗରେ ହୋଇଥିଲା। ଭିନ୍ନ ଚିନ୍ତାଧାରା, ଭିନ୍ନ ବିଚାର, ସିଦ୍ଧାନ୍ତ ଥିବା ସତ୍ତ୍ବେ ଦୁଇ ଜଣ ଅଲଗା ଅଲଗା ପ୍ରକୃତିର ଲୋକଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା। କେବଳ ସେତିକି ନୁହେଁ, ସୁଷମା ହିନ୍ଦୀରେ ପ୍ରବୀଣ ଥିବାବେଳେ ସ୍ବରାଜ ଇଂରାଜୀରେ ପ୍ରବୀଣ ଥିଲେ। ସ୍ବରାଜ କୌଶଲ ସୁପ୍ରିମ୍‌କୋର୍ଟର ଜଣେ ଜଣାଶୁଣା ଓକିଲ ଅଟନ୍ତି। ମାତ୍ର ୩୪ ବର୍ଷ ବୟସରେ ତାଙ୍କୁ ଦେଶର ସବୁଠାରୁ ଯୁବ ଆଡ୍‌ଭୋକେଟ୍‌ ଜେନେରାଲ ଭାବେ ନିଯୁକ୍ତି ଦିଆଯାଇଥିଲା। ଏହାପରେ ୩୭ ବର୍ଷ ବୟସରେ ସ୍ବରାଜ କୌଶଲଙ୍କୁ ମିଜୋରାମର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା। ୧୯୯୦ରୁ ୧୯୯୩ ଯାଏ ସ୍ବରାଜ ଏହି ପଦବୀରେ ଥିଲେ।

ପତିଙ୍କ ଇଚ୍ଛା ରହିଗଲା ଅଧୁରା
ସୁଷମା ସ୍ବରାଜ ଅବସର ନେବାବେଳେ ଜଣେ ବ୍ୟକ୍ତି ବହୁତ ଖୁସି ଥିଲେ, ସେ ହେଉଛନ୍ତି ତାଙ୍କ ପତି ସ୍ବରାଜ କୌଶଲ। ସ୍ବରାଜ ଚାହୁ୍‌ଥିଲେ ଅବସର ନେବା ପରେ ସୁଷମା ତାଙ୍କୁ ଅଧିକ ସମୟ ଦେବେ। ନିକଟରେ ହୋଇଥିବା ସାଧାରଣ ନିର୍ବାଚନରେ ସୁଷମା ଘୋଷଣା କରିଥିଲେ ଯେ ସେ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ। ଏହି ଘୋଷଣା ପରେ ସ୍ବରାଜ କୌଶଲ ବହୁତ ଖୁସି ହୋଇଯାଇଥିଲେ। ସେ ଅନେକଗୁଡ଼ିଏ ଟ୍ବିଟ୍‌ କରି ସୁଷମାଙ୍କୁ ଧନ୍ୟବାଦ ଜଣାଇଥିଲେ।

ସ୍ବରାଜ କୌଶଲ ଲେଖିଥିଲେ ଯେ ମ୍ୟାଡାମ ଏବେ ଆଉ କୌଣସି ନିର୍ବାଚନ ଲଢ଼ିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବହୁତ ବହୁତ ଧନ୍ୟବାଦ। ମିଲ୍‌ଖା ସିଂ ଯେତେବେଳେ ଦୌଡ଼ିବା ବନ୍ଦ କରି ଦେଇଥିଲେ, ଏବେ ତାଙ୍କୁ ସେହି ସମୟ ମନେ ପଡ଼ୁଛି। ସୁଷମାଙ୍କ ମାରାଥାନ ୧୯୭୭ରୁ ଚାଲୁଛି। ଯେତେବେଳେ ସୁଷମାଙ୍କୁ ମାତ୍ର ୨୫ ବର୍ଷ ହୋଇଥିଲା, ସେବେଠାରୁ ସେ ନିର୍ବାଚନ ଲଢ଼ୁଛନ୍ତି। ଏହି ୪୧ ବର୍ଷ ମଧ୍ୟରେ ସେ ୧୧ ଥର ସିଧାସଳଖ ନିର୍ବାଚନ ଲଢ଼ି ସାରିଛନ୍ତି। ମୁଁ ମ୍ୟାଡାମଙ୍କ ପଛରେ ଗତ ୪୬ ବର୍ଷ ହେଲାଣି ଦୌଡ଼ୁଛି। ମୁଁ ଆଉ ୧୯ ବର୍ଷ ବୟସର ନୁହେଁ, ତେଣୁ ଏବେ ମୁଁ ଥକିଗଲିଣି ବୋଲି ସ୍ବରାଜ କୌଶଲ ଲେଖିଥିଲେ। ସ୍ବରାଜ କୌଶଲ ଏଥିପାଇଁ ଅଧିକ ଖୁସି ଥିଲେ ଯେ ଏବେ ତାଙ୍କ ପତ୍ନୀ ସୁଷମା ତାଙ୍କ ସହିତ ଅଧିକ ସମୟ ବିତାଇପାରିବେ। କିନ୍ତୁ ସୁଷମା ପତିଙ୍କର ଏହି ଶେଷ ଇଚ୍ଛା ପୂରଣ କରିପାରି ନ ଥିଲେ। ମାତ୍ର ୬୭ ବର୍ଷ ବୟସରେ ସେ ସ୍ବରାଜଙ୍କୁ ଛାଡ଼ି ପରଲୋଗ ଗମନ କରିଛନ୍ତି। 

ଅନେକରେ ପ୍ରଥମ ଥଲେ ସୁଷମା
୧୪ ଫେବ୍ରୁଆରୀ ୧୯୫୨ରେ ଜନ୍ମିତ ସୁଷମା ବିଧାୟକଠାରୁ ଆରମ୍ଭ କରି ସାସଂଦ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ହେବାର ସଫଳତା ପାଇଛନ୍ତି। ସେ ୭ ଥର ସଂସଦକୁ ନିର୍ବାଚିତ ହୋଇ ଆସିଥିବାବେଳେ ୩ ଥର ହରିୟାଣା ବିଧାନସଭାର ସଦସ୍ୟ ମଧ୍ୟ ଥିଲେ। ମାତ୍ର ୨୫ ବର୍ଷ ବୟସରେ ହରିୟାଣାରେ ସର୍ବକନିଷ୍ଠ କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିବା ସୁଷମା ପରବର୍ତ୍ତୀ ସମୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବା ସାଙ୍ଗକୁ ସଂସଦରେ ବିରୋଧୀ ଦଳ ନେତା ମଧ୍ୟ ହୋଇଛନ୍ତି। ସେ ବିଜେପିର ପ୍ରଥମ ମହିଳା ପ୍ରବକ୍ତା ହୋଇଥିବାବେଳେ ସ୍ବୟଂ ସମ୍ପୂର୍ଣ୍ଣ ଭାବେ ଦେଶର ପ୍ରଥମ ମହିଳା ବୈଦେଶିକ ମନ୍ତ୍ରୀ ହୋଇଥିଲେ। କାରଣ ଏହା ପୂର୍ବରୁ ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ ଥିବାବେଳେ ତାଙ୍କ ହାତରେ ବୈଦେଶିକ ବିଭାଗର ଅତିରିକ୍ତ ଦାୟିତ୍ବ ରହିଥିଲା। ସେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବାଧୀନ ଏନ୍‌ଡିଏ ସରକାରରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ, ସ୍ବାସ୍ଥ୍ୟ ମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଥିବାବେଳେ ମୋଦିଙ୍କ ପ୍ରଥମ ସରକାରରେ ବୈଦେଶିକ ମନ୍ତ୍ରୀ ଭାବେ ବେଶ୍‌ ସଫଳତାର ସହ ତାଙ୍କ ଦାୟତ୍ବ ନିର୍ବାହ କରିଥିଲେ।କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ସମ୍ଭାଳିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ