ଟି-୨୦ରେ ଦୀପକ ଓ ପନ୍ତ୍‌ଙ୍କ ରେକର୍ଡ


ସମ୍ପ୍ରତି ୱେଷ୍ଟ୍‌ଇଣ୍ଡିଜ୍‌ ଗସ୍ତରେ ଭାରତ ଥିବା ବେଳେ ମଙ୍ଗଳବାର ଟି-୨୦ ସିରିଜ୍‌ ମୂଳପୋଛ କରିଛି। ପ୍ରଥମେ ଭାରତ ଫ୍ଲୋରିଡାରେ ଖେଳିଥିବା ଦୁଇଟି ମ୍ୟାଚ୍‌କୁ ଜିତିନେବା ସହ ଗୟାଠାରେ ଖେଳାଯାଇଥିବା ଶେଷ ଟି-୨୦ରେ ମଧ୍ୟ ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ଭାରତ ୫ଟି ବଲ୍‌ ଓ ୭ଟି ୱିକେଟ୍‌ ବାକି ଥିବା ବେଳେ ବିଜୟୀ ହୋଇ ଘରୋଇ ଇଣ୍ଡିଜ୍‌କୁ ସମଗ୍ର ସିରିଜ୍‌ରେ ବିଜୟଶୂନ୍ୟ ରଖିପାରିଛି। ଦଳର ଏହି ବିଜୟରେ ଦ୍ରୁତ ବୋଲର୍‌ ଦୀପକ ଚହର୍‌ ଓ ୱିକେଟ୍‌କିପର୍‌-ବ୍ୟାଟ୍ସମ୍ୟାନ୍‌ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ଚହର୍‌ ତାଙ୍କ ୩ ଓଭର୍‌ରେ ମାତ୍ର ୪ ରନ୍‌ ଦେଇ ୩ଟି ୱିକେଟ୍‌ ନେଇଥିବା ବେଳେ ପନ୍ତ୍‌ ଅପରାଜିତ ୬୫ ରନ୍‌ କରିଥିଲେ। ଏଥିସହ ଉଭୟ ଖେଳାଳି ଟି-୨୦ କ୍ରିକେଟ୍‌ରେ ଭାରତ ପାଇଁ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି।

ଖଲିଲ୍‌ ଅହମଦଙ୍କ ସ୍ଥାନରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିବା ଦୀପକ ଚହର୍‌ ଇନିଂସର ଦ୍ବିତୀୟ ଓଭର୍‌ ବୋଲିଂ କରି ଇଣ୍ଡିଜ୍‌ର ଉଭୟ ଓପନରଙ୍କୁ ବିଦାୟ ପଥ ଦେଖାଇଥିଲେ।  ସେ ୩ ଓଭର୍‌ରେ ମାତ୍ର ୪ ରନ୍‌ ଦେଇ ୩ଟି ୱିକେଟ୍‌ ନେବା ଜଣେ ଭାରତୀୟ ବୋଲର୍‌ ଭାବେ ଇଣ୍ଡିଜ୍‌ ବିପକ୍ଷରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ। ପୂର୍ବରୁ ସ୍ପିନର୍‌ କୁଲଦୀପ ଯାଦବଙ୍କ ନାମରେ ଏହି ରେକର୍ଡ ଥିଲା। ସେ ଗତ ୨୦୧୮ ନଭେମ୍ବର ୪ ତାରିଖରେ କୋଲ୍‌କାତାଠାରେ ଖେଳାଯାଇଥିବା ଟି-୨୦ରେ ୪ ଓଭର୍‌ରେ ୧୩ ରନ୍‌ ଦେଇ ୩ଟି ୱିକେଟ୍‌ ନେଇଥିଲେ। ସେହିପରି ଚହର୍‌ ଓଭର୍‌ ପିଛା ମାତ୍ର ୧.୩୩ ରନ୍‌ ବ୍ୟୟ କରି ଏ କ୍ଷେତ୍ରରେ ଭୁବନେଶ୍ବର କୁମାରଙ୍କ ପରେ ଦ୍ବିତୀୟ ଶ୍ରେଷ୍ଠ ଇକୋନମି ରେଟ୍‌ ହାସଲ କରିଛନ୍ତି। ଭୁବନେଶ୍ବର ଇଣ୍ଡିଜ୍‌ ବିପକ୍ଷରେ ଏକ ନିର୍ଦ୍ଦିଷ୍ଟ ମ୍ୟାଚ୍‌ରେ ଓଭର୍‌ ପିଛା ମାତ୍ର ୧ ରନ୍‌ ଲେଖାଏଁ ବ୍ୟୟ କରିଥିଲେ।

ସେହିପରି ୪୨ଟି ବଲ୍‌ରେ ୪ଟି ଲେଖାଏଁ ଚୌକା ଓ ଛକା ମାରିଥିବା ପନ୍ତ୍‌ ଇଣ୍ଡିଜ୍‌ ବିପକ୍ଷରେ ଜଣେ ୱିକେଟ୍‌କିପର୍‌ ଭାବେ ଭାରତ ପକ୍ଷରୁ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ କରିଛନ୍ତି। ସେ ଏ କ୍ଷେତ୍ରରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି। ଧୋନି ୨୦୧୭ରେ ବେଙ୍ଗାଲୁରୁଠାରେ ଇଂଲଣ୍ଡ ବିପକ୍ଷରେ ୫୬ ରନ୍‌ କରିଥିଲେ। ମଙ୍ଗଳବାର ପନ୍ତ୍‌ ଅପରାଜିତ ୬୫ ରନ୍‌ କରି ଏ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛନ୍ତି। ଏହି ଇନିଂସରେ ପନ୍ତ୍‌ ଅଧିନାୟକ ବିରାଟ କୋହଲିଙ୍କ ସହ ୧୦୬ ରନ୍‌ ଯୋଡ଼ି ଭାରତୀୟ ଦଳର କ୍ଲିନ୍‌ସୁଇପ୍‌କୁ ସହଜ କରିଦେଇଥିଲେ। ଅବଶ୍ୟ ପୂର୍ବରୁ ପନ୍ତ୍‌ଙ୍କର ଇଣ୍ଡିଜ୍‌ ବିପକ୍ଷରେ ୫୮ ରନ୍‌ର ବ୍ୟକ୍ତିଗତ ସ୍କୋର୍‌ ରହିଛି। କିନ୍ତୁ ଚେନ୍ନାଇଠାରେ ଗତ ୨୦୧୮ରେ ଖେଳାଯାଇଥିବା ଉକ୍ତ ମ୍ୟାଚ୍‌ରେ ସେ ସ୍ପେଶାଲିଷ୍ଟ୍‌ ବ୍ୟାଟ୍ସମ୍ୟାନ୍‌ ଭାବେ ଖେଳୁଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ