ଶେଷନିଦ୍ରାରେ ସ୍ନେହମୟୀ ସୁଷମା, ଭୁଲିପାରିବନି ଭାରତ


ନୂଆଦିଲ୍ଲୀ: ଅଗଷ୍ଟ ୬, ୨୦୧୯, ମଙ୍ଗଳବାର। ବାରଟି ମଙ୍ଗଳ ହୋଇଥିଲେ ମଧ୍ୟ ଏହା ଶେଷ ମୁହୂର୍ତ୍ତରେ ଅମଙ୍ଗଳ ସାବ୍ୟସ୍ତ ହୋଇଛି। କାରଣ ଦେଶର ଜଣେ ଟାଣୁଆ ନେତ୍ରୀ ଇହଧାମ ତ୍ୟାଗ କରିଛନ୍ତି। ବିଜେପି ପରି ଏକ ପୁରୁଷପ୍ରଧାନ ଦଳରେ ସେ ସଫଳତାର ଶିଖରରେ ପହଞ୍ଚିପାରିଥିଲେ। ତିନି ଥର ବିଧାନସଭାକୁ ନିର୍ବାଚିତ ହେବା ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରହିଥିଲେ। କେନ୍ଦ୍ର ମନ୍ତ୍ରୀ ଭାବେ ନିଜର ଦାୟିତ୍ବ ସଠିକ୍‌ ରୂପେ ସମ୍ପାଦନ କରିବା ସହ ଜଣେ ନାରୀ ଭାବେ ଦରଦୀ ହୃଦୟର ପରିଚୟ ଦେଇଥିଲେ। ପଡ଼ୋଶୀ ପାକିସ୍ତାନ ହେଉ କିମ୍ବା ଅନ୍ୟାନ୍ୟ କୌଣସି ଦେଶ ହେଉ, କେହି ବି ଭାରତୀୟ ସମସ୍ୟାରେ ପଡ଼ିଥିଲେ ତାଙ୍କୁ ଯୋଗାଯୋଗ କରିବା ପରେ ବେଶ୍‌ ସହଜରେ ନିଜ ଦେଶକୁ ଫେରିପାରିଥିଲେ। କାରଣ ସ୍ନେହମୟୀ ସୁଷମା ସେମାନଙ୍କୁ ନିଜ ପରିବାରର ସଦସ୍ୟ ପରି ବିଦେଶରୁ ସ୍ବଦେଶ ଫେରାଇ ଆଣିବା ସକାଶେ ବ୍ୟକ୍ତିଗତ ସ୍ତରରେ ଉଦ୍ୟମ କରୁଥିଲେ। ଆଇନଜୀବୀରୁ ରାଜନୀତିରେ ପ୍ରବେଶ କରିଥିବା ଏହି ମହିୟସୀ ମହିଳା ମଙ୍ଗଳବାର ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଆରପାରିକୁ ଚାଲିଯାଇଛନ୍ତି। ସେ ହେଉଛନ୍ତି ବିଜେପିର ପ୍ରଥମ ମହିଳା ମୁଖପାତ୍ର ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ। ୬୭ ବର୍ଷ ବୟସରେ ନୂଆଦିଲ୍ଲୀସ୍ଥିତ ଏମ୍ସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଦେଶସେବା ସହ ସାଧାରଣ ମଣିଷ ପ୍ରତି ତାଙ୍କର ଭଲ ପାଇବାକୁ କଦାପି ଭାରତ ଭୁଲିପାରିବ ନାହିଁ।

ଆଇନଜୀବୀରୁ ରାଜନୀତି, ରାଜ୍ୟ କ୍ୟାବିନେଟ୍‌ରୁ କେନ୍ଦ୍ର କ୍ୟାବିନେଟ୍‌
୧୯୫୨ ମସିହାରେ ହରିୟାଣାରେ ଜନ୍ମଗ୍ରହଣ କରିଥିବା ସୁଷମା ପଞ୍ଜାବ ୟୁନିଭର୍ସିଟିରୁ ତାଙ୍କର ଶିକ୍ଷା ସମାପ୍ତ କରିବା ପରେ ୧୯୭୩ରେ ସୁପ୍ରିମ୍‌କୋର୍ଟରେ ଆଇନଜୀବୀ ଭାବେ ପ୍ରାକ୍ଟିସ୍‌ ଆରମ୍ଭ କରିଥିଲେ। କିନ୍ତୁ ତାଙ୍କ ପିତା ହରଦେବ ଶର୍ମା ଆର୍‌ଏସ୍‌ଏସ୍‌ ସଦସ୍ୟ ଥିବାରୁ ସୁଷମା କିପରି ବା ଏହାଠାରୁ ଦୂରେଇ ରହିପାରିଥାନ୍ତେ! ସେ ୧୯୭୦ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସହ ଜଡ଼ିତ ହୋଇଥିଲେ। ପରେ ସେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡେଜ୍‌ଙ୍କ ଲିଗାଲ୍‌ ଡିଫେନ୍ସ ଟିମ୍‌ର ସଦସ୍ୟ ହୋଇଥିଲେ। ଏମର୍ଜେନ୍ସି ପରେ ସେ ବିଜେପିରେ ଯୋଗ ଦେଇ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ିଚାଲିଥିଲେ। ୧୯୭୭ରେ ସେ ହରିୟାଣା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେତେବେଳକୁ ତାଙ୍କୁ ମାତ୍ର ୨୫ ବର୍ଷ ବୟସ ହୋଇଥିଲା। ପରେ ସେ ୧୯୮୭ରେ ବି ବିଧାୟିକା ହୋଇଥିଲେ। ଅଧିକନ୍ତୁ ୧୯୭୭ରେ ଦେବୀ ଲାଲ୍‌ଙ୍କ କ୍ୟାବିନେଟ୍‌ରେ ସୁଷମାଙ୍କୁ ମନ୍ତ୍ରୀପଦ ବି ମିଳିଥିଲା। ସେତେବେଳେ ସେ ସର୍ବକନିଷ୍ଠ କ୍ୟାବିନେଟ୍‌ ମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ।

୧୯୭୯ରେ ସେ ହରିୟାଣା ଜନତା ପାର୍ଟିର ସଭାପତି ମଧ୍ୟ ହୋଇଥିଲେ। ପରେ ୧୯୮୭ରେ ହରିୟାଣାର ବିଜେପି-ଲୋକ ଦଳ ମେଣ୍ଟ ସରକାରରେ ସେ ଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୧୯୯୮ରେ ଏନ୍‌ଡିଏ ସରକାର ଅମଳରେ ସେ କେନ୍ଦ୍ର ମନ୍ତ୍ରୀ ଭାବେ ସୂଚନା ଓ ପ୍ରସାରଣ ବିଭାଗ ଦାୟିତ୍ବ ପାଇଥିଲେ। ପରେ ସେପ୍ଟେମ୍ବର ୨୦୦୦ରେ ପୁନର୍ବାର ତାଙ୍କୁ ଏହି ବିଭାଗ ମିଳିଥିଲା। ସୁଷମା ୨୦୦୩ରୁ ୨୦୦୪ ପର୍ଯ୍ୟନ୍ତ କେନ୍ଦ୍ରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ବିଭାଗର ଦାୟିତ୍ବ ପାଇଥିଲେ। ତାଙ୍କ ସମୟରେ ଦେଶର ୬ଟି ରାଜ୍ୟରେ ଏମ୍ସ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଏଥିରେ ଭୁବନେଶ୍ବରରେ ଏମ୍ସ ମଧ୍ୟ ରହିଥିଲା। ୨୦୧୪ରେ ଏନ୍‌ଡିଏ ସରକାର ପୁଣି କ୍ଷମତାକୁ ଫେରିବା ପରେ ସୁଷମା ବୈଦେଶିକ ମନ୍ତ୍ରାଳୟ ଦାୟିତ୍ବ ବେଶ୍‌ ସଫଳତାର ସହ ତୁଲାଇଥିଲେ।

କୋହରେ ବଦଳିଗଲା ସନ୍ଧ୍ୟାର ଖୁସି
ଭାରତୀୟ ସମ୍ବିଧାନରୁ ୩୭୦ ଧାରା ଉଚ୍ଛେଦ ନେଇ ସୋମବାର ଆରମ୍ଭ ହୋଇଥିବା ପ୍ରକ୍ରିୟା ମଙ୍ଗଳବାର ସନ୍ଧ୍ୟାରେ ଶେଷ ହୋଇଥିଲା। ପ୍ରଥମେ ଏହି ଧାରା ଉଚ୍ଛେଦ ପାଇଁ ଆଗତ ପ୍ରସ୍ତାବ ରାଜ୍ୟସଭାରେ ମଞ୍ଜୁରୀ ପାଇଥିଲା ଓ ମଙ୍ଗଳବାର ସନ୍ଧ୍ୟାରେ ଲୋକସଭାରେ ବି ବହୁମତ ହାସଲ କରିଥିଲା। ଫଳରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାର ଏକ ଐତିହାସିକ ନିଷ୍ପତ୍ତିକୁ ସାକାର ରୂପ ଦେଇପାରିଥିଲା। ଏଥିରେ ସମଗ୍ର ଦେଶବାସୀ, ବିଶେଷ କରି ବିଜେପି ଓ ଏନ୍‌ଡିଏ ସହ ଜଡ଼ିତ ବ୍ୟକ୍ତିବିଶେଷମାନେ ସେମାନଙ୍କ ଖୁସି ଜାହିର୍‌ କରିଥିଲେ। ଏହା ସମଗ୍ର ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ଓ ଭାରତ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବା ଭଳି ଅବସର ବୋଲି ମତ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ପରି ବେଶ୍‌ ଖୁସି ପ୍ରକଟ କରିଥିଲେ ସୁଷମା। ତେଣୁ ସନ୍ଧ୍ୟାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବା ସହ ଏପରି ଏକ ମୁହୂର୍ତ୍ତକୁ ସେ ଅପେକ୍ଷା କରିଥିଲେ ବୋଲି ଟ୍ବିଟ୍‌ କରିଥିଲେ। କିନ୍ତୁ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବାର ଅସଲ ମୁହୂର୍ତ୍ତର ମୂକସାକ୍ଷୀ ହେବା ସକାଶେ ସେ ଆଉ ଜୀବିତ ନ ଥିଲେ। କାରଣ ଟ୍ବିଟ୍‌ କରିବାର କେଇ ଘଣ୍ଟା ପରେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଯାଇଥିଲା। ତେଣୁ ସମଗ୍ର ବିଜେପି ପାଇଁ ସନ୍ଧ୍ୟାର ଖୁସି ରାତିରେ କୋହରେ ବଦଳିଯାଇଥିଲା।

ଏକାଧିକ କ୍ଷେତ୍ରରେ ପ୍ରଥମ ଥିଲେ
ରାଜନୀତିରେ ବେଶ୍‌ ପାରଙ୍ଗମ ଥିବା ସୁଷମା ବିଜେପିରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିବା ବେଳେ ଏକାଧିକ କ୍ଷେତ୍ରରେ ପ୍ରଥମ ମହିଳା ଭାବେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଥିଲେ। ସେ ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ୧୯୯୮ରେ ଶପଥ ଗ୍ରହଣ କରିଥିଲେ। ସେହିପରି ୨୦୦୯ରେ ବିଜେପି ଲୋକସଭାରେ ମୁଖ୍ୟ ବିରୋଧୀ ଦଳର ଭୂମିକା ପାଇବା ପରେ ସୁଷମା ଏହାର ନେତୃତ୍ବ ନେଇଥିଲେ। ଏଲ୍‌କେ ଆଡଭାନୀଙ୍କ ସ୍ଥାନରେ ସେ ବିରୋଧୀ ଦଳ ନେତ୍ରୀ ଭାବେ ମନୋନୀତ ହୋଇଥିଲେ। ୨୦୧୪ ପର୍ଯ୍ୟନ୍ତ ସେ ଏହି ପଦ ସମ୍ଭାଳିଥିବା ବେଳେ ଏ କ୍ଷେତ୍ରରେ ମଧ୍ୟ ପ୍ରଥମ ମହିଳା ହୋଇଥିଲେ। ସେହିପରି ୨୦୧୪ରେ ନରେନ୍ଦ୍ର ମୋଦି ସରକାରରେ ତାଙ୍କୁ ବୈଦେଶିକ ମନ୍ତ୍ରାଳୟ ଦାୟିତ୍ବ ଦିଆଯାଇଥିଲା। ଏଥିସହ ଏହି ବିଭାଗର ପୂର୍ଣ୍ଣକାଳୀନ ଦାୟିତ୍ବ ନେବାରେ ସୁଷମା ପ୍ରଥମ ମହିଳା ଥିଲେ। ପୂର୍ବରୁ ଯଦିଓ ମହିଳା ଭାବେ ଇନ୍ଦିରା ଗାନ୍ଧି ଏହି ବିଭାଗ ସମ୍ଭାଳିଥିଲେ, କିନ୍ତୁ ପ୍ରଧାନମନ୍ତ୍ରୀ ଥିବା ଇନ୍ଦିରା ଅତିରିକ୍ତ ଭାବେ ଏହି ବିଭାଗ ନିଜ ହାତରେ ରଖିଥିଲେ। ଏହାଛଡ଼ା ସୁଷମା ବିଜେପିର ଜାତୀୟ ମୁଖପାତ୍ର ହେବାରେ ମଧ୍ୟ ପ୍ରଥମ ମହିଳା ରହିଥିଲେ।

ଟ୍ବିଟର୍‌ରେ ଶୁଣୁଥିଲେ ଦୁଃଖ, ନେଉଥିଲେ ତ୍ବରିତ ପଦକ୍ଷେପ
ସୁଷମା ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ମୋଦି ସରକାରଙ୍କ ବୈଦେଶିକ ନୀତିକୁ ସଠିକ୍‌ ଦିଗରେ ପରିଚାଳନା କରିବାରେ ବେଶ୍‌ ସକ୍ଷମ ହୋଇଥିଲେ। ତାଙ୍କ ସମୟରେ ଭାରତର ବିଭିନ୍ନ ରାଷ୍ଟ୍ର ସହ କୂଟନୈତିକ ସମ୍ପର୍କରେ ଜବରଦସ୍ତ ଉନ୍ନତି ଆସିଛି। ତେବେ ନିଜ ବିଭାଗର ସମସ୍ତ ଦାୟିତ୍ବ ସଠିକ୍‌ ଭାବେ ତୁଲାଇବା ବ୍ୟତୀତ ବୈଦେଶିକ ମନ୍ତ୍ରୀ ଭାବେ ସୁଷମା ଏକାଧିକ ବାର ବିଦେଶରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବାରେ ସକ୍ରିୟ ଭୂମିକା ନେଇଥିଲେ। ସେ ସୋସାଲ୍‌ ମିଡିଆ ଟ୍ବିଟର୍‌ରେ ବେଶ୍‌ ସକ୍ରିୟ ଥିବା ବେଳେ କେହି ବି ତାଙ୍କୁ ଟ୍ବିଟ୍‌ କରି ନିଜର ଦୁଃଖ ସମ୍ପର୍କରେ ଅବଗତ କରାଇଲେ, ସେ ସମ୍ପୂର୍ଣ୍ଣ ଆନ୍ତରିକତାର ସହ ସାହାଯ୍ୟର ହାତ ବଢ଼ାଉଥିଲେ। ଇରାକ୍‌ରେ ୧୬୮ ଜଣ ଭାରତୀୟ ଫସିଥିବା ବେଳେ ସେମାନଙ୍କୁ ମୁକ୍ତ କରି ସୁଷମା ବେଶ୍‌ ପ୍ରଶଂସା ସାଉଁଟିଥିଲେ। ସେଠାରେ ଫସିଥିବା ଲୋକମାନେ ତାଙ୍କୁ ଏକ ଭିଡିଓ ଟ୍ବିଟ୍‌ କରିବା ପରେ ସୁଷମା ତ୍ବରିତ ପଦକ୍ଷେପ ନେଇଥିଲେ। ସେହିପରି ଦୋହା ଏୟାର୍‌ପୋର୍ଟରେ ପ୍ରାଂଶୁ ସିଙ୍ଘଲ ନାମକ ଜଣେ ବ୍ୟକ୍ତିଙ୍କ ଭାଇ ଫସିରହିଥିବା ନେଇ ସୁଷମା ସୂଚନା ପାଇବା ପରେ ତାଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପଦକ୍ଷେପ ନେଇଥିଲେ ଓ ଶେଷରେ ଉକ୍ତ ବ୍ୟକ୍ତି ଜଣକ ସେଠାରୁ ମୁକ୍ତି ପାଇଥିଲେ। ଆହୁରି ମଧ୍ୟ ଜର୍ମାନୀ ବୁଲିବାକୁ ଯାଇଥିବା ଜଣେ ମହିଳା ନିଜର ପାସ୍‌ପୋର୍ଟ ଓ ଟଙ୍କା ହଜାଇଦେବା ପରେ ସୁଷମାଙ୍କୁ ସହାୟତା ମାଗିଥିଲେ। ଅନ୍ୟ ଘଟଣା ପରେ ଏଥିରେ ମଧ୍ୟ ସୁଷମା ଆଗକୁ ଆସିଥିଲେ ଓ ମହିଳା ଜଣଙ୍କୁ ସାହାଯ୍ୟ କରିଥିଲେ। ଏହାଛଡ଼ା ୟୁଏଇରେ ଡକାୟତଙ୍କ କବଳରେ ତାଙ୍କ ଭଉଣୀ ଫସିଥିବା ନେଇ ଦେବ ତମ୍ବୋଲି ନାମକ ଜଣେ ବ୍ୟକ୍ତି ଟ୍ବିଟ୍‌ କରିବା ସହ ସୁଷମାଙ୍କୁ ସାହାଯ୍ୟ ମାଗିଥିଲେ। ସୁଷମା ମଧ୍ୟ ଅନୁରୂପ ସହାୟତା ଯୋଗାଇ ଦେଇ ତମ୍ବୋଲିଙ୍କ ଭଉଣୀଙ୍କୁ ରକ୍ଷା କରିଥିଲେ।

ସେହିପରି ଦକ୍ଷିଣ ଆଫ୍ରିକାରେ ଜଣେ ମୂଳ ଭାରତୀୟ ଯୁବତୀଙ୍କୁ ଅଟକ ରଖାଯାଇ ନିର୍ଯାତନା ଦିଆଯାଉଥିବା ନେଇ ଗୋପାଲ କେଶରୀ ନାମକ ଜଣେ ବ୍ୟକ୍ତି ଟ୍ବିଟ୍‌ କରିବା ପରେ ସୁଷମା ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉକ୍ତ ଯୁବତୀଙ୍କୁ ସେଠାରୁ ମୁକୁଳାଇବାରେ ସକ୍ଷମ ହୋଇଥିଲେ। ଆହୁରି ମଧ୍ୟ ଯୁଦ୍ଧଗ୍ରସ୍ତ ୟେମେନ୍‌ରେ ୪୭୪୧ ଜଣ ଭାରତୀୟ ଫସିଥିବା ବେଳେ ସବୁଠାରୁ ବଡ଼ ଉଦ୍ଧାର କାର୍ଯ୍ୟ ଚଳାଇ ସୁଷମା ସେମାନଙ୍କୁ ସଫଳତାପୂର୍ବକ ଆକାଶମାର୍ଗ ଓ ସାମୁଦ୍ରିକ ମାର୍ଗ ମାଧ୍ୟମରେ ଭାରତ ଫେରାଇ ଆଣିଥିଲେ। ତେଣୁ ଜଣେ ଦକ୍ଷ ରାଜନେତ୍ରୀ ହେବା ସହ ଜଣେ ଦରଦୀ ମଣିଷ ଭାବେ ତାଙ୍କର ବେଶ୍‌ ସୁଖ୍ୟାତି ରହିଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।