ବଦଳୁଛି ଯୁଗ: ଏବେ ପୁଅ-ଝିଅଙ୍କ ମଧ୍ୟରେ ବନ୍ଧୁତ୍ବ ଉପରେ ନାହିଁ ଅଙ୍କୁଶ


ବଲିଉଡ୍‌ ଦବଙ୍ଗ ସଲମାନ ଖାନଙ୍କ ପ୍ରଥମ ସିନେମା ‘ମୈନେ ପ୍ୟାର୍‌ କିୟା’ର ଏକ ଲୋକପ୍ରିୟ ସଂଳାପ ଥିଲା ‘ଏକ୍‌ ଲଡ୍‌କା ଔର ଏକ୍‌ ଲଡ୍‌କୀ କଭୀ ଦୋସ୍ତ ନହୀ ହୋତେ’। କିନ୍ତୁ ଆପଣ ଏ ସମ୍ପର୍କରେ କେବେ ବି ଭାବିଛନ୍ତି କି ଜଣେ ପୁଅ ଓ ଜଣେ ଝିଅ ଉତ୍ତମ ବନ୍ଧୁ ହୋଇପାରିବେ କି ନାହିଁ। ବର୍ତ୍ତମାନ ସମୟରେ ଏହି କଥାର କେତେ ତାତ୍ପର୍ଯ୍ୟ ରହିଛି, ଚାଲନ୍ତୁ ଜାଣିବା।

ବିଶ୍ବାସର ଡୋରରେ ବନ୍ଧୁତ୍ବ ବାନ୍ଧି ହୋଇଛି
ଦିନ ଥିଲା ଲୋକେ ଜଣେ ପୁଅ ଓ ଝିଅର ବନ୍ଧୁତ୍ବକୁ ନେଇ ବିଭିନ୍ନ ପ୍ରକାରର କଥା କହୁଥିଲେ। କିନ୍ତୁ ଏବେ ଯୁଗ ବଦଳିଯାଇଛି। ଏବେ ଜରୁରୀ ନୁହେଁ ଯେ ଜଣେ ପୁଅ କେବଳ ଅନ୍ୟ ଜଣେ ପୁଅ ଉପରେ ବିଶ୍ବାସ କରିପାରିବ କିମ୍ବା ବନ୍ଧୁତା କରିପାରିବ। ଏବେ ପୁଅମାନେ ମଧ୍ୟ ଝିଅଙ୍କ ଉତ୍ତମ ବନ୍ଧୁ ହୋଇପାରିଛନ୍ତି ଓ ସମ୍ପର୍କକୁ ମଜ୍‌ବୁତର ସହ ଆଗକୁ ବଢ଼ାଉଛନ୍ତି।

ଚାଲିଛି ପରିବର୍ତ୍ତନର ହାୱା
ଏବେ ଆମେ ଯେଉଁ ଯୁଗରେ ଗତି କରୁଛୁ, ସେଠାରେ ଝିଅମାନେ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢ଼ିବାରେ ଲାଗିଛନ୍ତି। ସ୍କୁଲ୍‌ କଲେଜ୍‌ରୁ ଆରମ୍ଭ କରି ଅଫିସ୍‌ ପର୍ଯ୍ୟନ୍ତ କାନ୍ଧରେ କାନ୍ଧ ମିଶାଇ କାମ କରୁଛନ୍ତି। ଏପରିସ୍ଥିତିରେ ପୁଅ ଓ ଝିଅ ଯେ ଭଲ ବନ୍ଧୁ ହୋଇପାରିବେ ନାହିଁ, ଏପରି ଚିନ୍ତାଧାରା ରଖିବା ଠିକ୍‌ ନୁହେଁ। ଲିଙ୍ଗ ଆଧାରରେ ଭେଦଭାବ ଯଦିଓ ଏବେ ବି ଆମ ସମାଜରେ ରହିଛି, କିନ୍ତୁ ପୁଅ ଓ ଝିଅଙ୍କ ବନ୍ଧୁତା ଏବେ ବହୁତ ନର୍ମାଲ ଭାବେ ଗ୍ରହଣ କରାଯାଉଛି। ପୁଅ ଓ ଝିଅମାନେ ମଧ୍ୟ ନିଜ ସମ୍ପର୍କକୁ ନେଇ ଅଧିକ ସହଜ ମନେ କରୁଥିବା ଦେଖିବାକୁ ମିଳୁଛି।

ସବୁ ଆକର୍ଷଣ ପ୍ରେମ ନୁହେଁ
ଯେ କୌଣସି ସମ୍ପର୍କର ଆରମ୍ଭ ଆକର୍ଷଣରୁ ହୋଇଥାଏ। କାରଣ ବେଳେବେଳେ କୌଣସି ବ୍ୟକ୍ତିର କିଛି କଥା, ଅଭ୍ୟାସ, ଅନ୍ଦାଜ, କଥା କହିବା ଷ୍ଟାଇଲ୍‌, ହସ ଆଦି ସମ୍ପର୍କର ଆରମ୍ଭ କରିଦିଏ। ଯଦିଓ ଏବେ ସେ ଯୁଗ ଆଉ ନାହିଁ। ଜଣେ ପୁଅ ଓ ଝିଅ ପରସ୍ପର ପ୍ରତି ଆକୃଷ୍ଟ ହୋଇ ପ୍ରେମରେ ପଡ଼ି ଯାଉଥିବାବେଳେ ଏବେ ସେମାନେ ବନ୍ଧୁତ୍ବ ଓ ପ୍ରେମ ଭିତରେ ଥିବା ପ୍ରଭେଦକୁ ବୁଝି ପାରୁଛନ୍ତି।

ସୋସାଲ ମିଡିଆ ଆଣିଲା ପରିବର୍ତ୍ତନ
ଡିଜିଟାଲ ଦୁନିଆରେ ସୋସାଲ ମିଡିଆ ପୂରା ବିଶ୍ବକୁ ନିଜ ସହିତ ନେଇ ଚାଲିଛି। ଏହି ନେଟୱର୍କିଂ ସାଇଟ୍‌ରେ ବିଭିନ୍ନ ପ୍ରକାରର ବନ୍ଧୁତା ଦେଖିବାକୁ ମିଳୁଛି। କେତେକ ବନ୍ଧୁତା କାମକୁ ନେଇ ହେଉଥିବାବେଳେ ଆଉ କେତେକ କେବଳ ବନ୍ଧୁତ୍ବ ପାଇଁ ବନ୍ଧୁତା ସୃଷ୍ଟି କରିଥିବା ଦେଖିବାକୁ ମିଳୁଛି। ଏଠାରେ ବନ୍ଧୁତାର କୌଣସି ସୀମା ମଧ୍ୟ ନାହିଁ। କେହି କାହାରି ବି ବନ୍ଧୁ ହୋଇପାରୁଛନ୍ତି। ଛୋଟ ହୁଅନ୍ତୁ ବା ବଡ଼, ପୁଅ ହୁଅନ୍ତୁ ବା ଝିଅ, ସମେସ୍ତେ ସୋସାଲ ମିଡିଆରେ ବନ୍ଧୁ ହୋଇପାରୁଛନ୍ତି। ଏଠାରେ ବନ୍ଧୁ କେବଳ ବନ୍ଧୁ ହୋଇଥାନ୍ତି। ସେମାନଙ୍କୁ ପୁଅ କିମ୍ବା ଝିଅ ଦେଖି ଅଲଗା କରାଯାଉନାହିଁ।

ଜଣେ ପୁଅ ଓ ଜଣେ ଝିଅ ଭଲ ବନ୍ଧୁ ହୋଇପାରିବେ
ସମୟ ସହିତ ଲୋକଙ୍କ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଆସିଛି। କଥା ବନ୍ଧୁତାର ହେଉ ବା ସମ୍ପର୍କର, ଲୋକେ ଖୋଲାଖୋଲି ଚିନ୍ତା କରିବା ଆରମ୍ଭ କଲେଣି। ବନ୍ଧୁତ୍ବର ସମ୍ପର୍କ ପ୍ରେମ ସମ୍ପର୍କ ଉପରେ ଭାରୀ ପଡ଼ିବା ଦେଖିବାକୁ ମିଳୁଛି। ଏବେ ପୁଅ ଓ ଝିଅମାନେ ବନ୍ଧୁତାର ଏହି କମ୍ଫର୍ଟକୁ ବୁଝିବାରେ ଲାଗିଲେଣି। ବ୍ୟସ୍ତ ଓ ଚାପପୂର୍ଣ୍ଣ ଜୀବନରେ ଜଣେ ଭଲ ବନ୍ଧୁଙ୍କୁ କେହି ହରାଇବାକୁ ଚାହୁ ନାହାନ୍ତି। ପୁଅ ଓ ଝିଅଙ୍କ ବନ୍ଧୁତ୍ବକୁ ଏବେ ସମାଜ ବି ଗ୍ରହଣ କରିସାରିଲାଣି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ