ଅମିତ ଶାହଙ୍କ ମାଷ୍ଟରଷ୍ଟ୍ରୋକ୍‌

ଜମ୍ମୁ-କଶ୍ମୀରରେ ଶାନ୍ତି ଫେରାଇ ଆଣିବା ଲକ୍ଷ୍ୟରେ ହଟାଗଲା ସ୍ବତନ୍ତ୍ର ରାଜ୍ୟ ମାନ୍ୟତା

ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରୁଥିବା ସମ୍ବିଧାନର ୩୭୦ ଧାରାକୁ ମୋଦି ସରକାର ଉଚ୍ଛେଦ କରି ଇତିହାସ ସୃଷ୍ଟି କରିଛନ୍ତି। ଏଥିପାଇଁ ଦେଶବାସୀ ମୋଦି ଓ ଶାହଙ୍କ ଯୋଡିକୁ ସମସ୍ତ ଶ୍ରେୟ ପ୍ରଦାନ କରିଛନ୍ତି। ଏହା ସହିତ ଜମ୍ମୁ-କଶ୍ମୀରରୁ ଲଦାଖକୁ ଅଲଗା କରାଯାଇ ଦୁଇ ଅଞ୍ଚଳକୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏହାକୁ ନେଇ ସୋମବାର ରାଜ୍ୟସଭାରେ ଆଲୋଚନା ହୋଇଥିବା ବେଳେ ମଙ୍ଗଳବାର ଲୋକସଭାରେ ଆଲୋଚନା ଜାରି ରହିଥିଲା। କଂଗ୍ରେସ ସାଂସଦ ମନୀଷ ତିୱାରୀଙ୍କ ଦ୍ୱାରା ଉତ୍‌ଥାପିତ ଯୁକ୍ତିରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଜମ୍ମୁ-କଶ୍ମୀର ପାଇଁ ଜୀବନ ଦେଇଦେବି ବୋଲି କହିବା ପରେ ସଂସଦରେ ଏକ ଆବେଗିକ ପରିବେଶ ସୃଷ୍ଟି ହୋଇଥିଲା। ଗତକାଲି ପରି ମଙ୍ଗଳବାର ମଧ୍ୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କେବଳ ସଂସଦରେ ନୁହଁ, ବରଂ ସାରା ଦେଶବାସୀଙ୍କ ଚର୍ଚ୍ଚାରେ ସ୍ଥାନ ପାଇଥିଲେ। ମୋଦି ଓ ଶାହଙ୍କ ଯୋଡିକୁ ଭୁରି ଭୁରି ପ୍ରଶଂସା କରାଯାଇଥିଲା। ମୁମ୍ବାଇରେ ଶିବସେନାର କର୍ମୀମାନେ ଅମିତ ଶାହଙ୍କ ଫଟୋଚିତ୍ରରେ କ୍ଷୀର ଢାଳି ଅଭିଷେକ କରୁଥିବା ବେଳେ ବିଭିନ୍ନ ସ୍ଥାନରେ ବାଣଫୁଟାଇ ଦୀପାବଳୀର ପରିବେଶ ସୃଷ୍ଟି କରାଯାଇଥିଲା। କେନ୍ଦ୍ରରେ ବିଜେପି ସରକାରର ଏହି ଐତିହାସିକ ନିଷ୍ପତ୍ତିରେ ଏହାର ଘୋର ବିରୋଧୀଦଳ ଭାବେ ପରିଚିତ ସମାଜବାଦୀ ପାର୍ଟି (ସପା), ବହୁଜନ ସମାଜ ପାର୍ଟି (ବସପା), ବିଜୁ ଜନତା ଦଳ (ବିଜେଡି), ଆପ୍‌ ଆଦି ଦଳଗୁଡିକର ସମର୍ଥନ ମିଳିଥିବା ବେଳେ ଏନ୍‌ଡିଏରେ ସାମିଲ ଜେଡି(ୟୁ)ର ସାଂସଦମାନେ ଏହାକୁ ବିରୋଧ କରି ସଂସଦରୁ ବାହାରି ଯାଇଥିଲେ। ସରକାର ଏହି ପ୍ରସ୍ତାବକୁ ଅପ୍ରତ୍ୟାଶିତ ଭାବେ ଉପସ୍ଥାପିତ କରିଥିଲେ ହେଁ ବିଗତ କିଛିଦିନ ଧରି ଅତ୍ୟନ୍ତ ସତର୍କତାର ସହିତ ଏହାର ପ୍ରସ୍ତୁତି ଚାଲିଥିଲା। ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହ ଏହି ବିଲ୍‌କୁ କିଭଳି ଉପସ୍ଥାପିତ କରାଇ ସାରା ଦେଶବାସୀଙ୍କ ପାଇଁ ଏକ ଗୌରବପୂର୍ଣ୍ଣ ମୁହୂର୍ତ୍ତ ଆଣିଦେଲେ, ଆସନ୍ତୁ ଜାଣିବା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବିଧାନରୁ ଜମ୍ମୁ-କଶ୍ମୀର ପାଇଁ ଉଦ୍ଦିଷ୍ଟ ଧାରା-୩୭୦ ଉଚ୍ଛେଦ ଏବଂ ଜମ୍ମୁ-କଶ୍ମୀର ପୁନର୍ଗଠନ କରିବାର କାଉଣ୍ଟ ଡାଉନ ଜୁନ ତୃତୀୟ ସପ୍ତାହରେ ସେତେବେଳେ ଆରମ୍ଭ କରିଥିଲେ, ଯେତେବେଳେ ସେ ୧୯୮୭ ବ୍ୟାଚ୍‌ର ଛତିଶଗଡ଼ କ୍ୟାଡ଼ରର ଆଇଏଏସ୍‌ ଅଧିକାରୀ ବିବି ସୁବ୍ରମଣ୍ୟମଙ୍କୁ ଏହି ରାଜ୍ୟର ମୁଖ୍ୟ ସଚିବ ଭାବେ ନିଯୁକ୍ତ କରିଥିଲେ। ସୁବ୍ରମଣ୍ୟମ ପୂର୍ବରୁ ପିଏମ୍‌ଓରେ ଯୁଗ୍ମ ସଚିବ ଥିଲେ। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମିଶନ କଶ୍ମୀରର ମୁଖ୍ୟଅଧିକାରୀ ମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ। ମିଶନ କଶ୍ମୀରର ସମ୍ପୂର୍ଣ୍ଣ ଦାୟିତ୍ୱ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦିଆଯାଇଥିଲା। ତାଙ୍କ କୋର ଟିମ୍‌ରେ ସୁବ୍ରମଣ୍ୟମ ସାମିଲ୍‌ ଥିଲେ। ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ସହିତ ଏକ ଦଳ ନିୟମିତ ଏହାର ଆଇନଗତ ତର୍ଜମା କରୁଥିଲେ। ଏହି ଟିମ୍‌ରେ ଆଇନ ଏବଂ ନ୍ୟାୟ ସଚିବ ଆଲୋକ ଶ୍ରୀବାସ୍ତବ, ଅତିରିକ୍ତ ସଚିବ ଆଇନ(ଗୃହ) ଆର.ଏସ .ବର୍ମା, ଆଟର୍ଣ୍ଣି ଜେନେରାଲ କେ.କେ.ବେଣୁଗୋପାଳ, କେନ୍ଦ୍ରୀୟ ଗୃହ ସଚିବ ରାଜୀବ ଏବଂ ତାଙ୍କର କଶ୍ମୀର ଡିଭିଜନର ଟିମ୍‌ ବି ସାମିଲ ଥିଲେ। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସଏସ୍‌)କୁ ଏହାର ସୂଚନା ପ୍ରଥମରୁ ଜଣାଥିଲା। ମିଶନ କଶ୍ମୀରର ସମ୍ପୂର୍ଣ୍ଣ ଆର୍କିଟେକ୍‌ଚର ଅମିତ ଶାହଙ୍କ ଉପରେ ନିର୍ଭର କରୁଥିଲା। ସୂଚନା ଅନୁଯାୟୀ ବଜେଟ୍‌ ଅଧିବେଶନ ଆରମ୍ଭ ପୂର୍ବରୁ ଶାହ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ମୁଖ୍ୟ ମୋହନ ଭାଗବତ ଏବଂ ତାଙ୍କର ସହଯୋଗୀ ଭୈୟାଜୀ ଯୋଶୀଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ସେମାନେ ସଙ୍ଘ ନେତୃତ୍ୱଙ୍କୁ ଅନୁଛେଦ ୩୭୦ ଉଚ୍ଛେଦ ଏବଂ ଜମ୍ମୁ ଓ କଶ୍ମୀରକୁ ବିଭାଜିତ କରି ଦୁଇଭାଗରେ ବାଣ୍ଟିବା ଓ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦେବା ପାଇଁ ଦୃଢ଼ ନିଶ୍ଚିତ ଥିବା ସୂଚାଇ ଦେଇଥିଲେ। ୩୭୦ ଉଚ୍ଛେଦ ପରେ ଉପୁଜିବାକୁ ଥିବା ଆଇନଶୃଙ୍ଖଳାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହ ବ୍ୟାପକ ପଦକ୍ଷେପ ନେବା ଦିଗରେ ଚିନ୍ତା କରିଥିଲେ ଏବଂ ଏନଏସ୍‌ଏ ଅଜିତ ଡୋଭାଲଙ୍କ ସହିତ କେତୋଟି ବୈଠକ କରିଥିଲେ। ପର୍ଯ୍ୟଟକଙ୍କୁ ଫେରାଇ ଆଣିବାର କୌଶଳ ଗ୍ରହଣ କରାଯାଇଥିଲା ଓ ଏହାକୁ ଶେଷ ପର୍ଯ୍ୟନ୍ତ ଗୋପନୀୟ ରଖିବାରେ ଅମିତ ସଫଳ ହୋଇଥିଲେ। ଅମିତ ଶାହ ନିଜେ କଶ୍ମୀର ସ୍ଥିତିର ସମୀକ୍ଷା କରିଥିଲେ। ସ୍ଥିତି ଅନୁଧ୍ୟାନ ପାଇଁ ଡୋଭାଲଙ୍କୁ ଶ୍ରୀନଗର ପଠାଇଥିଲେ। ଡୋଭାଲ ଜମ୍ମୁ-କଶ୍ମୀରରେ ଥିବା ପର୍ଯ୍ୟଟକଙ୍କୁ ଫେରାଇ ଆଣିବାର ପରାମର୍ଶ ଦେଇଥିଲେ। ଅମରନାଥ ଯାତ୍ରାକୁ କମ୍‌ କରିବାର ଚୂଡାନ୍ତ ନିଷ୍ପତ୍ତି ନିଆଯାଇଥିଲା। ଅତିରିକ୍ତ ଅର୍ଦ୍ଧସୈନିକ ବଳର ୧୦୦ କମ୍ପାନୀଙ୍କୁ ଘାଟିରେ ମୁତୟନ କରାଯିବାର ନିଷ୍ପତ୍ତି ନେଇଥିଲେ ଶାହ। ସେପଟେ ଜମ୍ମୁ-କଶ୍ମୀରର ମୁଖ୍ୟ ସଚିବ ସୁବ୍ରମଣ୍ୟମଙ୍କୁ ସୁରକ୍ଷା ବ୍ୟବସ୍ଥାର ବ୍ଲୁ ପ୍ରିଣ୍ଟ ପ୍ରଦାନ କରାଯାଇଥିଲା। ଯେଉଁଥିରେ ମୁଖ୍ୟ ପୋଲିସ, ପାରା ମିଲିଟାରୀ ଏବଂ ପ୍ରଶାସନର ପ୍ରମୁଖ ଅଧିକାରୀମାନଙ୍କୁ ସାଟେଲାଇଟ ଫୋନ ଦେବା, ସମ୍ବେଦନଶୀଳ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ କ୍ୟୁଆରଟି ମୁତୟନ, ଏଲଓସିରେ ଆର୍ମି ବ୍ୟବସ୍ଥାକୁ କଡାକଡି କରିବା ଆଦି ଥିଲା। ସେନା ମୁଖ୍ୟ ମଧ୍ୟ କେନ୍ଦ୍ର ସଚିବଙ୍କୁ ସ୍ଥିତି ସମ୍ପର୍କରେ ୨୪ ଘଣ୍ଟିଆ ସୂଚନା ଦେଉଥିଲେ। ଅଗଷ୍ଟ ୪ ତାରିଖ ରାତିରେ ମୁଖ୍ୟ ସଚିବ ଜମ୍ମୁ-କଶ୍ମୀରର ଡିଜିପି ଦିଲବାଗ ସିଂଙ୍କୁ ପ୍ରିଭେଣ୍ଟିଭ ଆକ୍ସନ ନେବାକୁ କହିଥିଲେ।

ଏହି ଅଭିଯାନରେ ରାଜନୈତିକ ଦଳର ନେତାମାନଙ୍କୁ ନଜରବନ୍ଦୀ କରିବା ସହିତ ମୋବାଇଲ-ଲ୍ୟାଣ୍ଡ ଲାଇନ ସେବାକୁ ବିଚ୍ଛିନ୍ନ କରିଦେବା ଓ ଘାଟିରେ ୧୪୪ ଧାରା ଲଗାଯିବା ଆଦି ସାମିଲ ଥିଲା। ସେପଟେ ଦିଲ୍ଲୀରେ ଅମିତ ଶାହ ନିଜର ଦ୍ୱିତୀୟ ଦଳକୁ କାମରେ ଲଗାଇ ଦେଇଥିଲେ। ସେହି ଟିମ୍‌ରେ ସାମିଲ୍‌ ଥିଲେ ରାଜ୍ୟସଭା ସଦସ୍ୟ ଅନିଲ ବଲୁନି ଓ ଭୂପେନ୍ଦ୍ର ଯାଦବ। ରାଜ୍ୟସଭା ସଦସ୍ୟଙ୍କ ଠାରୁ ସମର୍ଥନ ଯୋଗାଡ଼ କରିବାର ଦାୟିତ୍ୱ ଏହି ଦୁଇ ସାଂସଦଙ୍କୁ ନ୍ୟସ୍ତ କରିଥିଲେ ଶାହ। ଏହି ଦୁଇ ସଦସ୍ୟ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି, ତେଲୁଗୁ ଦେଶମ ପାର୍ଟି, ବିଜୁ ଜନତା ଦଳ, ୱାଇଏସ୍‌ଆର କଂଗ୍ରେସ, ଏଆଇଏଡିଏମ୍‌କେ ଆଦି ଦଳର ସଦସ୍ୟ ମାନଙ୍କୁ ମନାଇବାରେ ସଫଳ ହେବା ପରେ ବିଜେପି ତାର ସାଂସଦ ମାନଙ୍କୁ ହ୍ୱିପ ଜାରି କରିଥିଲା । ରାଜ୍ୟସଭା ସଦସ୍ୟ ମାନଙ୍କ ସମର୍ଥନ ହାସଲ ପରେ ଅମିତ ଶାହ ଏହି ବିଲ୍‌କୁ ସୋମବାର ରାଜ୍ୟସଭାରେ ଉପସ୍ଥାପିତ କରାଇବାର ନିଷ୍ପତ୍ତି ନେଇଥିଲେ। ବିଲ୍‌ଟି ଉପସ୍ଥାପିତ କରାଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ ବୈଠକ କରାଯିବାର ନିଷ୍ପତ୍ତି ନିଆଯାଇଥିଲା। ଏହିଭଳି ରାଷ୍ଟ୍ରପତିଙ୍କ ଠାରୁ ଧାରା ୩୭୦କୁ ଉଚ୍ଛେଦ କରିବା ସମ୍ପର୍କିତ ବିଞପ୍ତି ଜାରି କରାଯିବାକୁ ଆଇନ ଓ ନ୍ୟାୟ ମନ୍ତ୍ରାଳୟକୁ ଦାୟିତ୍ୱ ଦିଆଯାଇଥିଲା। ଅମିତ ଶାହଙ୍କ ଦ୍ୱାରା ବିଲ୍‌ ଉଭୟ ଗୃହରେ ଉପସ୍ଥାପିତ ଓ ଆଲୋଚିତ ହୋଇଥିଲା। ଏହାପରେ ବିଜେପିର ଜଣେ ସାଂସଦ କହିଥିଲେ ଶାହଙ୍କ ମିଶନ କେବେ ବିଫଳ ହେବନି। ସେ ଏହାର ସର୍ଦ୍ଦାର ଅଟନ୍ତି।

ମୋଦିଙ୍କ ପ୍ରଶଂସା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବକ୍ତବ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। ବିଲ୍‌ ଉପସ୍ଥାପନ ପରେ ପ୍ରଧାନମନ୍ତ୍ରୀ ମୋଦି ଗୃହମନ୍ତ୍ରୀ ଶାହଙ୍କ ନିକଟକୁ ଆସି ତାଙ୍କ ପିଠି ଥାପୁଡ଼େଇ ଦେଇଥିଲେ। ପରେ ମୋଦି ନିଜ ଟ୍ୱିଟରରେ କହିଥିଲେ ଯେ ଜମ୍ମୁ-କଶ୍ମୀର ଜନସାଧାରଣଙ୍କ ପ୍ରତି ଅତୀତରେ ହୋଇଥିବା ଅନ୍ୟାୟ ଏବଂ ଏ ସମ୍ପର୍କରେ ବର୍ତ୍ତମାନ ସରକାରଙ୍କ ଦୃଷ୍ଟିକୋଣକୁ ସ୍ଵରାଷ୍ଟ୍ର ମନ୍ତ୍ରୀ ସଠିକ୍‌ ଢଙ୍ଗରେ ଉପସ୍ଥାପନା କରିଛନ୍ତି। ଜମ୍ମୁ-କଶ୍ମୀରର ଭାଇ ଓ ଭଉଣୀଙ୍କ ପ୍ରତି ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଗଭୀର ଅନ୍ତର୍ଦୃଷ୍ଟି ଓ ଦୃଷ୍ଟିକୋଣର ବ୍ୟାପକତା ତାଙ୍କ ବକ୍ତବ୍ୟରେ ପ୍ରତିଫଳିତ ହୋଇଛି । ସୂଚନାଯୋଗ୍ୟ ଯେ ଗୁଜୁରାଟର ଶାସନ ହେଉ କି ବିଜେପି ସଂଗଠନକୁ ସାରା ଦେଶରେ ପରିବ୍ୟାପ୍ତ କରିବା ହେଉ, ସବୁଠି ମୋଦି-ଶାହଙ୍କ ଯୋଡିକୁ ସଫଳତା ପରେ ସଫଳତା ମିଳିବାରେ ଲାଗିଛି । ଯେଉଁଠି କେହି ମଧ୍ୟ ବିଗତ ୬୫ ବର୍ଷ ଧରି ଜମ୍ମୁ-କଶ୍ମୀରରେ ୩୭୦ ଧାରାକୁ ଉଚ୍ଛେଦ କରିବାର ସାହସ କରି ନ ଥିଲେ, ସେଠାରେ ମୋଦି-ଶାହ ଯୋଡି ତାକୁ ସଫଳ ରୂପାୟନ ଦେବାର ସାହସ ଦେଖାଇ ୫୬ ଇଞ୍ଚ ଛାତିର ନିଦର୍ଶନ ସୃଷ୍ଟି କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ