ଅସାଧାରଣ ମନଜିତ: ଜିଇବାର ରାହା ଖୋଜୁ ଖୋଜୁ ପାଲଟିଗଲେ ଆମ୍ବୁଲାନ୍ସ ଡ୍ରାଇଭର


ଯେତେବେଳେ ଡ୍ରାଇଭିଂ କଥା ଉଠେ, ସାଧାରଣତଃ କୁହାଯାଏ ଯେ ମହିଳାମାନେ ଭଲ ଡ୍ରାଇଭିଂ କରିପାରନ୍ତି ନାହିଁ। ଆଜି ଏଠାରେ ଏମିତି ଜଣେ ମହିଳାଙ୍କ ବିଷୟରେ ସୂଚନା ଦିଆଯାଇଛି, ଯିଏ କେବଳ ଡ୍ରାଇଭିଂ କରୁ ନାହାନ୍ତି, ବରଂ ଆମ୍ବୁଲାନ୍ସ ମଧ୍ୟ ଚଳାଉଛନ୍ତି। ପରିବାର, ସମାଜ ଓ ନିଜ ଲୋକଙ୍କଠାରୁ ଦୁଃଖ ପାଇବା ପରେ ପ୍ରତ୍ୟେକ ବ୍ୟକ୍ତି ବହୁତ ଜୋର୍‌ରେ ଭାଙ୍ଗି ପଡ଼ିଥାନ୍ତି। କିନ୍ତୁ ଏହି ମହିଳା ହାର୍‌ ନ ମାନି ନିଜକୁ ପୁଣି ଥରେ ଦୃଢ଼ ଭାବେ ଠିଆ ହୋଇ ସମାଜରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ପ୍ରତିକୂଳ ପରିସ୍ଥିତିରେ ବି ସେ ନିଜ ପରିବାର ଓ ସମାଜ ସହ ଲଢ଼ି ତାଙ୍କ ଅସାଧାରଣ ପ୍ରତିଭାର ପରିଚୟ ଦେଇଛନ୍ତି। ସାଧାରଣତଃ ଆମ୍ବୁଲାନ୍ସ ଭଳି ଭାରୀ ଯାନ ଚଳାଇବାରେ ମହିଳାଙ୍କ କ୍ବଚିତ ଦେଖାଯାଉଥିବାବେଳେ ମନଜିତ ଏହି ଦିଗରେ ନିଜ ଅଦମ୍ୟ ସାହାସର ପରିଚୟ  ଦେଇଛନ୍ତି। ପ୍ରାରମ୍ଭିକ ସମୟରେ ସଉକରୁ ଗାଡ଼ି ଚାଳନା ଆରମ୍ଭ କରିଥିବା ମନଜିତ ପରବର୍ତ୍ତୀ ସମୟରେ ଆମ୍ବୁଳାନ୍ସ ଚାଳନାକୁ ପେସା ଭାବେ ଗ୍ରହଣ କରି ନେଇଛନ୍ତି। ଜଳନ୍ଧରର ଆମ୍ବୁଲାନ୍ସ ଡ୍ରାଇଭର ମନଜିତ କୌର ଗତ ୧୪ ବର୍ଷ ହେଲାଣି ଆମ୍ବୁଲାନ୍ସ ଚଲାଉଛନ୍ତି। ନିଜ ଆମ୍ବୁଲାନ୍ସରେ ରୋଗୀ ଓ ଶବ ନେବା ଆଣିବା କରିବା ଲାଗି ସେ ଉତ୍ତର ପ୍ରଦେଶ, ପଶ୍ଚିମ ବଙ୍ଗ, ମୁମ୍ବାଇ ଭଳି ଅନେକ ରାଜ୍ୟ ଯାତ୍ରା କରିସାରିଛନ୍ତି। ଆମ୍ବୁଲାନ୍ସ ଚଲାଇବା କେବଳ ତାଙ୍କର ସଉକ ନୁହେଁ, ଦୁର୍ବଳତା ମଧ୍ୟ ପାଲଟିଯାଇଛି। ଶାଶୁ ଘରେ ପତି ତାଙ୍କୁ ସାଥୀ ନ ଦେବାରୁ ନିଜ ପୁଅକୁ ପାଳିବା ଲାଗି ପର ଘରେ କାମ କରିବା ଆରମ୍ଭ କରିଥିଲେ। ଏହା ପରେ ସେ ଡ୍ରାଇଭିଂ ଆରମ୍ଭ କରିଥିଲେ। ଚାଲନ୍ତୁ ଜାଣିବା ମନଜିତ କୌର କିଭଳି ଭାବେ ଆମ୍ବୁଲାନ୍ସ ଚଲାଇବା ଆରମ୍ଭ କରିଥିଲେ।

ସଉକ ଥିଲା, ତେଣୁ ଆମ୍ବୁଲାନ୍ସ ଚଲାଇବେ ଶିଖିଲେ
ଅଧିକ ପଢ଼ାଲେଖା ହୋଇ ନ ଥିବା କାରଣରୁ ତାଙ୍କୁ ଅନ୍ୟ କୌଣସି ପ୍ରକାରର କାମ ଆସୁ ନ ଥିଲାତୋଙ୍କୁ କେବଳ ଘର କାମ କରିବା ଜଣାଥିଲା। ତେଣୁ ସେ କ’ଣ କରିବେ ବୁଝି ପାରୁ ନ ଥିଲେ। ତାଙ୍କ ପରିସ୍ଥିତି ଏପରି ଥିଲା ଯେ ତାଙ୍କୁ ଯେ କୌଣସି କାମ ଶିଖିବା ନିହାତି ଦରକାର ଥିଲା ବୋଲି ମନଜିତ କହିଛନ୍ତି।

ପତି ଥିଲେ ମଦ୍ୟପ, ଦୁଇଟି ଝିଅ ବି ମାରି ଦେଇଥିଲେ

ତାଙ୍କୁ ଯେତେବେଳେ ମାତ୍ର ୧୫ ବର୍ଷ ହୋଇଥିଲା, ତାଙ୍କ ବାପା ମା’ ତାଙ୍କର ବିବାହ କରି ଦେଇଥିଲେ। ମନଜିତଙ୍କ ପତି ମଦ୍ୟପ ଥିଲେ। ମନଜିତ ଓ ତାଙ୍କ ଘର ଲୋକଙ୍କ ପ୍ରତି ତାଙ୍କର କୌଣସି ଦାୟିତ୍ବ ନ ଥିଲା। କେବଳ ସେତିକି ନୁହେଁ, ବାହାଘରର ଗୋଟିଏ ବର୍ଷ ପରେ ତାଙ୍କର ଏକ ଝିଅ ଜନ୍ମ ହୋଇଥିଲା। ତାଙ୍କ ଝିଅକୁ ଯେତେବେଳେ ମାତ୍ର ଦେଢ଼ ମାସ ହୋଇଥିଲା ଚଟାଣରେ ପିଟି ତାକୁ ତାଙ୍କ ପତି ମାରି ଦେଇଥିଲା। ଏହାପରେ ପୁଣିଥରେ ତାଙ୍କ ଗର୍ଭରେ ୭ ମାସର ଝିଅ ଥିବାବେଳେ ମନଜିତଙ୍କୁ ପିଟି ପିଟି ଗର୍ଭସ୍ଥ ଶିଶୁକୁ ମଧ୍ୟ ହତ୍ୟା କରିଥିଲା ମଦ୍ୟପ ପତି। ପରେ ୧୯୯୬ରେ ତାଙ୍କର ଏକ ପୁତ୍ର ଜନ୍ମ ହୋଇଥିଲା ବୋଲି ମନଜିତ କହିଛନ୍ତି।

ପରିଚିତ ଭାଇ କରିଥିଲେ ସାହାଯ୍ୟ
ପରିବାରଠାରୁ ଦୂରେଇ ଯିବା ପରେ ତାଙ୍କୁ ତାଙ୍କର ଜଣେ ପରିଚିତ ଭାଇ ସାହାଯ୍ୟ କରିଥିଲେ। ମନଜିତଙ୍କୁ ସେ ଜଳନ୍ଧର ସହର ନେଇ ଆସିଥିଲେ। ସେଠାରେ ତାଙ୍କୁ ସେ ଗାଡ଼ି ଚଲାଇବା ଶିଖାଇଥିଲେ। ଦିନରେ ସେ ପର ଘରେ କାମ କରିବା ସହିତ ରାତିରେ କାର୍‌ ଚଲାଇବା ଶିଖୁଥିଲେ। ଏହାପରେ କିଛି ଟଙ୍କା ସଞ୍ଚୟ କରି ଅପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଭ୍ୟାନ୍‌କୁ ଠିକ୍‌ କରି କାମ ଆରମ୍ଭ କରିଥିଲେ। ଏହାପରେ ସେ ଆମ୍ବୁଲାନ୍ସ ଚଲାଇବା ଆରମ୍ଭ କରିଥିଲେ। କିଛି ଦିନ ପରେ କୌଣସି କାରଣରୁ ସେ ତାଙ୍କ ଆମ୍ବୁଲାନ୍ସ ବିକ୍ରି କରି ଦେଇଥିଲେ। ଏହା ପରଠାରୁ ସେ ଜୋହଲ ହସ୍ପିଟାଲରେ ଆମ୍ବୁଲାନ୍ସ ଚଲାଇବା ଆରମ୍ଭ କରିଛନ୍ତି।

ପାଠ ପଢ଼ି ନ ଥିବାରୁ ସାଇନ୍‌ବୋର୍ଡରୁ ରାସ୍ତା ମନେ ରଖନ୍ତି

ଅଧିକ ପାଠ ପଢ଼ି ନ ଥିବାରୁ ତାଙ୍କୁ ରାସ୍ତା ଖୋଜିବାରେ ଅସୁବିଧା ହେଉଥିଲା। କିନ୍ତୁ ସେ ଥରେ ଯେଉଁ ରାସ୍ତାରେ ଯାଉଥିଲେ, ସେହି ରାସ୍ତା ମନେ ରଖି ଦେଉଥିଲେ। ଯେତେବେଳେ ସେ କୌଣସି ରୋଗୀଙ୍କୁ ଛାଡ଼ିବା ଲାଗି ଅନ୍ୟ ରାଜ୍ୟ କିମ୍ବା ଦୂର ଦୂରାନ୍ତରେ ଥିବା ଗାଁକୁ ଯାଆନ୍ତି, ରାସ୍ତାରେ ପଡ଼ୁଥିବା ସାଇନ୍‌ ବୋର୍ଡକୁ ମନେ ରଖିଥାନ୍ତି। ଯେତେବେଳେ ଏକୁଟିଆ ଫେରନ୍ତି, ପେପରରେ ରାସ୍ତା ସମ୍ପର୍କରେ କାଗଜରେ ଲେଖି ନିଅନ୍ତି। ଏଥିସହିତ ଅନେକ ଜିନିଷ ସେ ନିଜେ ମନେ ରଖିବାକୁ ଚେଷ୍ଟା କରନ୍ତି। ଯାହା ତାଙ୍କ କାମକୁ ସହଜ କରିଦିଏ ବୋଲି ମନଜିତ କହିଛନ୍ତି।

ମିଳୁଛି ପ୍ରଶଂସା
ଆମ୍ବୁଲାନ୍ସ ଚଲାଇବାବେଳେ ପ୍ରଥମେ ପ୍ରଥମେ ତାଙ୍କୁ ଅନେକ ସମସ୍ୟା ହେଉଥିଲା। ଜଣେ ମହିଳା ଆମ୍ବୁଲାନ୍ସ ଚଲାଇବାକୁ ଅନେକ ନାପସନ୍ଦ ମଧ୍ୟ କରୁଥିଲେ। ତାଙ୍କ ଆମ୍ବୁଲାନ୍ସ ଡ୍ରାଇଭିଂ ଉପରେ କେହି ବିଶ୍ବାସ କରୁ ନ ଥିଲେ। ଲୋକେ ରୋଗୀ ନେଇ ତାଙ୍କ ସହିତ ଯିବାକୁ ଚାହୁ ନ ଥିଲେ। ପରେ ଧିରେ ଧିରେ ଲୋକେ ତାଙ୍କ ସହିତ ଯିବା ଆରମ୍ଭ କଲେ। ଅନେକ ଲୋକେ ଏବେ ଆଶୀର୍ବାଦ ମଧ୍ୟ ଦେଉଛନ୍ତି। ଏହି ଭଳି ଭାବେ ଆମ୍ବୁଲାନ୍ସ ଚଲାଇବାକୁ ଲୋକେ ତାଙ୍କୁ ଉତ୍ସାହିତ କରନ୍ତି ବୋଲି ମନଜିତ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ