ପବିତ୍ର ଶ୍ରାବଣ ସୋମବାରରେ କରନ୍ତୁ ମହାକାଳେଶ୍ବରଙ୍କ ଦର୍ଶନ


ଶ୍ରାବଣ ମାସ ଚାଲିଛି। ଏହି ମାସରେ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଥାଏ। ଏହି ମନ୍ଦିର ମଧ୍ୟରେ ଗୋଟିଏ ହେଉଛି ମହାକାଳେଶ୍ବର ମନ୍ଦିର। ଭଗବାନ ଶିବଙ୍କୁ ସମର୍ପିତ ଏହି ସ୍ବୟମ୍ଭୁ ଜ୍ୟୋତିର୍ଲିଙ୍ଗ ମନ୍ଦିର ମଧ୍ୟ ପ୍ରଦେଶର ଉଜ୍ଜୈନ ସହରରେ ଅବସ୍ଥିତ। ଯାହାଙ୍କ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁ ଦେଶ ବିଦେଶରୁ ଆସିଥାଏ। ଏହି ମନ୍ଦିର ସମ୍ପର୍କରେ ଅନେକ ପୌରାଣିକ ଗ୍ରନ୍ଥରେ ବହୁତ ସୁନ୍ଦର ବର୍ଣ୍ଣନା ଦେଖିବାକୁ ମିଳିଥାଏ।

ଦେଶ ବିଦେଶରୁ ଆସିଥାନ୍ତି ପର୍ଯ୍ୟଟକ
ଭଗବାନ ଶିବଙ୍କ ୧୨ ଜ୍ୟେତିର୍ଲିଙ୍ଗ ମଧ୍ୟରୁ ଉଜ୍ଜୈନର ମହାକାଳେଶ୍ବର ମନ୍ଦିର ୩ ଭାଗରେ ବିଭାଜିତ। ଏହାର ଉପର ଅଂଶରେ ନାଗା ଚନ୍ଦ୍ରେଶ୍ବର, ମଧ୍ୟ ଭାଗରେ ଓଁକାରେଶ୍ବର ଓ ସବା ନିମ୍ନରେ ମହାକାଳେଶ୍ବର ମୁଖ୍ୟ ଜ୍ୟୋତିର୍ଲିଙ୍ଗ ସ୍ଥାପିତ ହୋଇଛନ୍ତି। ଏଠାରେ ଆପଣ ଭଗବାନ ଶିବଙ୍କ ସହିତ ଗଣେଶ, କାର୍ତ୍ତିକ ଓ ମା’ ପାର୍ବତୀଙ୍କ ଦର୍ଶନ କରିପାରିବେ। ଏହାସହିତ ଏଠାରେ ଏକ କୁଣ୍ଡ ମଧ୍ୟ ରହିଛି, ଯେଉଁଠି ସ୍ନାନ କଲେ ସମସ୍ତ ପାପ ଧୋଇଯାଏ ବୋଲି କୁହାଯାଏ।

ଅସୁର ବଧ ପାଇଁ ହୋଇଥିଲେ ପ୍ରକଟ
କୁହାଯାଏ ଦୂଷଣ ନାମକ ଏକ ରାକ୍ଷସ କବଳରୁ ଲୋକଙ୍କୁ ରକ୍ଷା କରିବା ଲାଗି ମହାକାଳ ଏଠାରେ ପ୍ରକଟ ହୋଇଥିଲେ। ଯେତେବେଳେ ମହାକାଳେଶ୍ବର ଅସୁରକୁ ବଧ କରିଥିଲେ, ଲୋକେ ଏଠାରେ ମହାକାଳେଶ୍ବରଙ୍କୁ ବାସ କରିବା ଲାଗି ପ୍ରାର୍ଥନା କରିଥିଲେ। ଯାହାପରେ ଭଗବାନ ଜ୍ୟୋତିର୍ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ।

ଭସ୍ମରେ ହୋଇଥାଏ ଆରତୀ

ପ୍ରତ୍ୟେକ ଦିନ ସକାଳେ ମହାକାଳେଶ୍ବର ମନ୍ଦିରରେ ଭସ୍ମ ଆରତୀ କରି ତାଙ୍କ ଶୃଙ୍ଗାର ହୋଇଥାଏ। କୁହାଯାଏ, ଏହି ଆରତୀରେ ସାମିଲ୍‌ ହେଉଥିବା ଲୋକଙ୍କ ସମସ୍ତ କଷ୍ଟ ଦୂର ହୋଇଯାଏ। ଏହା ବିନା ଆପଣଙ୍କ ଦର୍ଶନ ପୂରା ହୋଇ ନ ଥାଏ ବୋଲି କୁହାଯାଏ। ଏହାବ୍ୟତୀତ ଏଠାରେ ନାଗ ଚନ୍ଦ୍ରେଶ୍ବର ମନ୍ଦିର ଓ ମହାକାଳେଶ୍ବରଙ୍କ ଶାହୀ ସବାରୀ ମଧ୍ୟ ଖୁବ୍‌ ଲୋକପ୍ରିୟ ଅଟେ।

ମହିଳାଙ୍କ ପାଇଁ ସ୍ବତନ୍ତ୍ର ନିୟମ

ଏହି ମନ୍ଦିରରେ ଦର୍ଶନ କରିବା ଲାଗି ମହିଳାଙ୍କୁ ଏକ ସ୍ବତନ୍ତ୍ର ନିୟମ ପାଳନ କରିବାକୁ ପଡ଼ିଥାଏ। ମହିଳାଙ୍କୁ ଏଠାରେ ଆରତୀରେ ସାମିଲ୍‌ ହେବା ଲାଗି ଓଢ଼ଣୀ ପକାଇବାକୁ ପଡ଼ିଥାଏ। ସେହିପରି ଏଠାରେ ଅନ୍ୟ କୌଣସି ପ୍ରକାରର ବସ୍ତ୍ର ଅର୍ଥାତ୍‌ ଜିନ୍ସ ଭଳି ପୋଷାକ ପିନ୍ଧିବା ଉପରେ କଟକଣା ରହିଛି।

କିପରି ଯିବେ

ଆପଣ ଏହି ମନ୍ଦିରକୁ ଯିବା ଲାଗି ଆପଣ ସଡ଼କ ମାର୍ଗ କିମ୍ବା ରେଳ ମାର୍ଗ ଚୟନ କରିପାରିବେ। ଏହାବ୍ୟତୀତ ଏହି ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିବା ଲାଗି ବିମାନ ଯାତ୍ରାର ସହାୟତା ମଧ୍ୟ ନେଇପାରିବେ। ଯଦିଓ ଉଜ୍ଜୈନରେ କୌଣସି ବିମାନବନ୍ଦର ନାହିଁ, ତେବେ ଏହାର ନିକଟସ୍ଥ ବିମାନବନ୍ଦର ହେଉଛି ଇନ୍ଦୋର। ଏଠାରୁ ମାତ୍ର ୫୮ କିମି ଦୂରରେ ଉଜୈନ ଅବସ୍ଥିତ। ବିମାନବନ୍ଦରରୁ ମନ୍ଦିର ଯିବା ଲାଗି ଟ୍ୟାକ୍ସି ମଧ୍ୟ ସହଜରେ ମିଳିଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ