ଅପରେସନ୍‌ ଥିଏଟର ନୁହେଁ, ସର୍ଜରୀ ପରର ଜଟିଳତା ରୋଗୀଙ୍କ ପାଇଁ କାଳ


ରୋଗୀର ସର୍ଜରୀ ହେବାକୁ ଥିବାବେଳେ ନିଜେ ରୋଗୀ ଓ ତାଙ୍କ ସମ୍ପର୍କୀୟ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତି ଯେ ଅପରେସନ୍‌ ଥିଏଟରରୁ ସେ ସୁରକ୍ଷିତ ଭାବରେ ବାହାରି ଯାଆନ୍ତୁ। ଏକ ଗବେଷଣାରୁ ଜଣାପଡ଼ିଛି ଯେ ରୋଗୀଙ୍କ ଜୀବନ ଯିବାର ସବୁଠାରୁ ଅଧିକ ଆଶଙ୍କା ଅପରେସନ୍‌ ଥିଏଟରରେ ନୁହେଁ, ସର୍ଜରୀ ପରେ ହସ୍ପିଟାଲ ବେଡ୍‌ରେ କିମ୍ବା ଘରକୁ ଯିବା ପରେ ହୋଇଥାଏ। କାନାଡ଼ାର ଏକ ୟୁନିଭର୍ସିଟି ଦ୍ବାରା କରାଯାଇଥିବା ଗବେଷଣାରୁ ଏହା ଜଣାପଡ଼ିଛି।

ଏହି ଗବେଷଣାରେ ରୋଗୀଙ୍କ ସର୍ଜରୀ ହେବା ପରେ ୩୦ ଦିନ ଯାଏ ନଜର ରଖାଯାଇଥିଲା। ଯେଉଁଥିରେ ହେଲ୍‌ଥ କମ୍ପ୍ଲିକେସନ୍‌ (ଜଟିଳତା) ଓ ମୃତ୍ୟୁ ତଥ୍ୟ ରେକର୍ଡ କରାଯାଇଥିଲା। ଏହି ଗବେଷଣାରୁ ଜଣାପଡ଼ିଥିଲା ଯେ ଏକ ପ୍ରତିଶତରୁ ମଧ୍ୟ କମ୍‌ ରୋଗୀଙ୍କ ସର୍ଜରୀ ସମୟରେ ମୃତ୍ୟୁ ହୋଇଥାଏ। ସେହିପରି ୭୦ ପ୍ରତିଶତ ରୋଗୀଙ୍କ ମୃତ୍ୟୁ ସର୍ଜରୀ ପରେ ହସ୍ପିଟାଲ ବେଡ୍‌ରେ ହୋଇଥାଏ। ୨୯ ପ୍ରତିଶତ ରୋଗୀଙ୍କ ମୃତ୍ୟୁ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇ ଘରକୁ ଆସିବା ପରେ ହୋଇଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି।

ଏଥିମଧ୍ୟରୁ ଅଧିକାଂଶ ରୋଗୀଙ୍କ ମୃତ୍ୟୁର କାରଣ ହେଲ୍‌ଥ ଜଟିଳତା,ମାତ୍ରାଧିକ ବ୍ଲିଡିଙ୍ଗ, ହୃତ୍‌ପିଣ୍ଡ ଦୁର୍ବଳ ଓ ରକ୍ତ କୋଷିକାରେ ସଂକ୍ରମଣ କାରଣରୁ ହୋଇଥାଏ। ଗବେଷଣା ମୁତାବକ ସାରା ବିଶ୍ବରେ ପ୍ରତ୍ୟେକ ବର୍ଷ ୪୫ ବର୍ଷ କିମ୍ବା ତାହାଠାରୁ ଅଧିକ ବୟସର ୧୦୦ ମିଲିଅନ୍‌ ଲୋକ କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ସର୍ଜରୀ କରିଥାନ୍ତି। ଏମାନଙ୍କ ମଧ୍ୟରୁ ୧.୮ ମିଲିଅନ୍‌ ଲୋକଙ୍କ ସର୍ଜରୀ ପରେ ଜଟିଳତା କାରଣରୁ ମୃତ୍ୟୁ ହୋଇଥାଏ। ଏହାର ଅର୍ଥ ହେଉଛି, ମେଡିକାଲ୍‌ ୱାର୍ଲ୍ଡ ପାଇଁ ସର୍ଜରୀ ଅପେକ୍ଷା ଏହାପରେ ରୋଗୀଙ୍କୁ ଜୀବନ୍ତ ରଖିବା ବଡ଼ ଚ୍ୟାଲେଞ୍ଜ। ଗବେଷଣାରେ ଜୋର୍‌ ଦିଆଯାଇଛି ଯେ ସର୍ଜରୀ ପର ସମୟରେ ରୋଗୀଙ୍କ ଧ୍ୟାନ ରଖିବା ଓ ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିବା ଅଧିକ ଜରୁରୀ। ଯାହାଫଳରେ ଅପରେସନ୍‌ ପରେ ହେବାକୁ ଥିବା ମୃତ୍ୟୁ ଆଶଙ୍କା କମ୍‌ କରାଯାଇ ପାରିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ