ଏଲ୍‌ଜିବିଟିଙ୍କ ଆଦର୍ଶ ଅରୁନ୍ଧତି-ମେନକା ସ୍ବୀକାର କଲେ ସମ୍ପର୍କ


ଏଲ୍‌ଜିବିଟି ସମ୍ପ୍ରଦାୟ ପାଇଁ ଲମ୍ବା ଲଢ଼େଇ କରିଥିବା ଆଡ୍‌ଭୋକେଟ୍‌ ଅରୁନ୍ଧତି କାଟ୍‌ଜୁ ଓ ମେନକା ଗୁରୁସ୍ବାମୀ ସେମାନଙ୍କ ସମ୍ପର୍କକୁ ଏବେ ସାର୍ବଜନୀନ କରିଛନ୍ତି। ସେମାନଙ୍କ ପ୍ରୟାସ ଫଳରେ ସୁପ୍ରିମ୍‌କୋର୍ଟ ଗତ ବର୍ଷ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ଶ୍ରେଣୀରୁ ବାଦ୍‌ ଦେବାକୁ ନିଷ୍ପତ୍ତି ନେଇଥିଲେ। ଆଇପିସିର ଧାରା ୩୭୭ରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧିକ ଦର୍ଶାଯାଇଥିବାବେଳେ ଏହି ଦୁଇ ଆଇନଜୀବୀ ଏହା ବିରୋଧରେ ସଂଘର୍ଷ କରି ସଫଳତା ପାଇଥିଲେ। ଏବେ ଅରୁନ୍ଧତି ଓ ମେନକା କପଲ ହୋଇଥିବା ସର୍ବସମ୍ମୁଖରେ ସ୍ବୀକାର କରିଛନ୍ତି। ମିଡିଆକୁ ଦେଇଥିବା ଏକ ସାକ୍ଷାତକାରରେ ଏହି କପଲ ସେମାନଙ୍କ ସମ୍ପର୍କ ବିଷୟରେ ସୂଚନା ଦେଇଛନ୍ତି।

ମିଡିଆକୁ ଦେଇଥିବା ସାକ୍ଷାତକାରରେ ଅରୁନ୍ଧତି ଓ ମେନକା କହିଛନ୍ତି ଯେ ୨୦୧୮ରେ ଓକିଲ ଭାବେ ଲଢ଼େଇ ଜିତିବା ସହିତ ଏକ କପଲ ଭାବେ ମଧ୍ୟ ସେମାନଙ୍କର ବିଜୟ ହୋଇଥିଲା। ଗତବର୍ଷ ୬ ସେପ୍ଟେମ୍ବରରେ ସୁପ୍ରିମ୍‌କୋର୍ଟ ଆଇପିସି ଧାରା ୩୭୭ରେ ଉଲ୍ଲେଖ ଥିବା ସମଲିଙ୍ଗୀ ସମ୍ପର୍କ ଅନୁଚ୍ଛେଦକୁ ରଦ୍ଦ କରି ଦେଇଥିଲେ। ଯେଉଁଥିରେ ସହମତି ଭିତ୍ତିରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କୁହାଯାଉଥିଲା। ସେହି ସମୟରେ ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ଥିବା ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଖଣ୍ଡପୀଠ ଏହାକୁ ବ୍ୟକ୍ତିଗତ ଓ ମୌଳିକ ଅଧିକାର ଆଖ୍ୟା ଦେଇ ଖଣ୍ଡନ କରି ଦେଇଥିଲେ।

ସୂଚନାଯୋଗ୍ୟ ଯେ ସୁପ୍ରିମ୍‌କୋର୍ଟର ଏହି ଦୁଇ ନାମୀ ଓକିଲ ପ୍ରଥମ ଥର ନିଜ ବ୍ୟକ୍ତିଗତ ସମ୍ପର୍କକୁ ସାର୍ବଜନୀନ କରିଛନ୍ତି। କିଛି ଦିନ ପୂର୍ବରୁ ଟାଇମ୍ସ ମାଗାଜିନ୍‌ ଏହି କପଲଙ୍କ ନାମ ବିଶ୍ବର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ନାମିତ କରିଥିଲା। ବହୁତ କମ୍‌ ଲୋକ ଜାଣନ୍ତି ଯେ ଅରୁନ୍ଧତି କାଟ୍‌ଜୁ ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ମାର୍କଣ୍ଡେୟ କାଟ୍‌ଜୁଙ୍କ ଝିଆରୀ ଅଟନ୍ତି। ସେହିପରି ମେନକା ଗୁରୁସ୍ବାମୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ରାଜନୈତିକ ପରାମର୍ଶଦାତା ମୋହନ ଗୁରୁସ୍ବାମୀଙ୍କ ଝିଅ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ