ସାବଧାନ! ମାରାତ୍ମକ ଆନୋରେକ୍ସିଆ ନର୍ଭୋସା ମାରିଦିଏ ଭୋକ ଓ ଇଚ୍ଛା


ଆନୋରେକ୍ସିଆ ନର୍ଭୋସା ଏକ ମାନସିକ ରୋଗ, ଯାହା ଇଟିଂ ଡିଜଅର୍ଡର ସହିତ ଜଡ଼ିତ। ଏହା ବ୍ୟକ୍ତିଙ୍କ ଜୀବନ ନେବାର କାରଣ ମଧ୍ୟ ପାଲଟିପାରେ। ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ସବୁବେଳେ ଓଜନ ବଢ଼ିବାର ଡର ରହିଥାଏ। ଯେଉଁଥିପାଇଁ ସେମାନେ ଖାଇବା ଛାଡ଼ି ଦେଇଥାନ୍ତି। ଯଦି ସେମାନେ କିଛି ଖାଇ ନିଅନ୍ତି, ତେବେ ତାହାକୁ ଜବରଦସ୍ତ ବାନ୍ତି କରି ବାହାର କରିଦିଅନ୍ତି କିମ୍ବା ମାତ୍ରାଧିକ ବ୍ୟାୟାମ କରିବାରେ ଲାଗିପଡ଼ନ୍ତି। ଏଭଳି ବ୍ୟକ୍ତିଙ୍କ ଓଜନ ବହୁତ କମ୍‌ ହୋଇଯାଏ। କେତେକ ଲୋକଙ୍କ ହାଡ଼ ମଧ୍ୟ ଦେଖାଯାଇଥାଏ। ଏହାସତ୍ତ୍ବେ ମଧ୍ୟ ସେମାନେ ଓଜନ ହ୍ରାସ କରିବାରେ ଲାଗିପଡ଼ନ୍ତି।

ପ୍ରକାର
ଆନୋରେକ୍ସିଆ ଦୁଇ ପ୍ରକାରର ହୋଇଥାଏ। ଗୋଟିଏ ହେଲା ବିଞ୍ଜ ବା ପର୍ଜ ଓ ଅନ୍ୟଟି ହେଲା ରେଷ୍ଟ୍ରିକ୍ଟିଭ୍‌ ଟାଇପ୍‌ ଆନୋରେକ୍ସିଆ। ବିଞ୍ଜ ବା ପର୍ଜ ଆନୋରେକ୍ସିଆରେ ପୀଡ଼ିତ ବ୍ୟକ୍ତି ନିଜ ଉପରେ ଖାଇବାକୁ ନେଇ ଲଗାଯାଇଥିବା କଟକଣା ଭାଙ୍ଗି ଦେବା ଫଳରେ ସେମାନେ ଗ୍ଲାନିବୋଧ କରନ୍ତି। ଓଜନ ବୃଦ୍ଧି ହେବା ଡରରେ ସେମାନେ ମାତ୍ରାଧିକ ବ୍ୟାୟାମ, ଜବରଦସ୍ତ ବାନ୍ତି କରିବା ଓ ଲାକ୍ସେଟିଭ୍‌ସର ସାହାରା ନେଇଥାନ୍ତି। ସେହିପରି ରେଷ୍ଟ୍ରିକ୍ଟିଭ୍‌ ଆନୋରେକ୍ସିଆରେ ବ୍ୟକ୍ତି ନିଜ ଉପରେ ଖାଦ୍ୟକୁ ନେଇ ରେଷ୍ଟ୍ରିକ୍ସନ୍‌ ବା ରୋକ ଲଗାଇଥାନ୍ତି। ସେମାନଙ୍କୁ କେତେ କ୍ୟାଲୋରୀ ଗ୍ରହଣ କରିବା ଉଚିତ ବା ଫ୍ୟାଟ୍‌ ନେବା ଦରକାର, ଏହାକୁ ନେଇ ସେମାନେ ବହୁତ କଠୋର ହୋଇଥାନ୍ତି। କ୍ୟାଲୋରୀ ବା ଫ୍ୟାଟ୍‌ ଗେନ୍‌ କରିବା ଡରରେ ସେମାନେ ଭୋକରେ ମଧ୍ୟ ରହିଯାଆନ୍ତି କିମ୍ବା ଗୋଟିଏ, ଦୁଇଟି ବାଇଟ୍‌ ଖାଇ ଭୋକ ମେଣ୍ଟାଇଥାନ୍ତି।

ଲକ୍ଷଣ
ଏହି ରୋଗ ହେଲେ ଓଜନ ବହୁତ କମ୍‌ ହୋଇଯାଇଥାଏ। ବ୍ଲଡ୍‌ କାଉଣ୍ଟ ଅସନ୍ତୁଳିତ ରହିଥାଏ। ନିଦ ନ ହେବା, ଚକ୍କର ଆସିବା, ବାରମ୍ବାର ବୋହାସ ହେବା, ନଖ ନୀଳ ପଡ଼ିବା କିମ୍ବା ନଖର ରଙ୍ଗ ବଦଳିବା, ଠିକ୍‌ ସମୟରେ ପିରିଅଡ୍‌ ନ ହେବା, ଋତୁ ବଦଳିଲେ ସହି ନ ପାରିବା, ତ୍ବଚା ହଳଦିଆ ପଡ଼ିବା, ପେଟରେ ଲଗାତର ଯନ୍ତ୍ରଣା ହେବା, ଚିଡ୍‌ଚିଡା ହେବା, ଖାଇବାଠାରୁ ଦୂରେଇ ରହିବା, ପାର୍ଟି ଯିବାକୁ ସଙ୍କୋଚ କରିବା, ଏକାଠି ନ ଖାଇବା, ଅବସାଦରେ ଚାଲିଯିବା ଓ ଥକା ଅନୁଭବ କରିବା ଆଦି ଏହି ଆନୋରେକ୍ସିଆ ନର୍ଭୋସାର ଲକ୍ଷଣ ଅଟେ।

ଚିକିତ୍ସା
ଆନୋରେକ୍ସିଆର ଉପଚାର କରିବା ଲାଗି ଇଟିଂ ଡିଜଅର୍ଡର ସ୍ପେସାଲିଷ୍ଟ, କାଉନ୍‌ସେଲର, ଥେରାପିଷ୍ଟ, ଫିଜିସିଆନ୍‌ ଓ ନ୍ୟୁଟ୍ରିସନିଷ୍ଟଙ୍କ ସହାୟତା ନେବା ପାଇଁ ପରାମର୍ଶ ଦିଆଯାଏ। ଏହି ସମୟରେ ରୋଗୀଙ୍କ କାଉନ୍‌ସେଲିଙ୍ଗ କରାଯାଇ ସେମାନଙ୍କୁ ଓଜନ ବଢ଼ିବାର ମାନସିକ ଡରରୁ ବାହାର କରିବାରେ ସାହାଯ୍ୟ କରାଯାଏ। ଏହି ସମୟରେ ଫିଜିସିଆନ୍‌ ଶରୀରର ଉପଯୁକ୍ତ ଓଜନ ରଖିବା ପାଇଁ ଓ ନୁଟ୍ରିସନିଷ୍ଟ ଉପଯୁକ୍ତ ଡାଏଟ୍‌ ପ୍ଲାନ୍‌ କରିବାରେ ସାହାଯ୍ୟ କରିଥାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ