ଏହି ଟପ୍‌ ୧୦ ଦେଶରେ ଭାରତୀୟ ପାସପୋର୍ଟଧାରୀଙ୍କୁ ପହଞ୍ଚିବା କ୍ଷଣି ମିଳିଥାଏ ଭିସା


ଭ୍ରମଣ ଯୋଜନା କରିବା ପାଇଁ ମାତ୍ରାଧିକ ଶକ୍ତି ଓ ଧୈର୍ଯ୍ୟର ଆବଶ୍ୟକତା ପଡ଼ିଥାଏ। ଯଦି ଆପଣ ଗ୍ରୁପ୍‌ ସହିତ ଭ୍ରମଣ ଯୋଜନା କରୁଛନ୍ତି, ତେବେ ସମସ୍ତଙ୍କ ବଜେଟ୍‌ ମ୍ୟାନେଜ୍‌ କରିବାକୁ ପଡ଼ିବ। ଯେଉଁ ସ୍ଥାନକୁ ଭ୍ରମଣ କରିବାକୁ ଯିବେ, ସେହି ସ୍ଥାନ ସମସ୍ତଙ୍କୁ ପସନ୍ଦ ଆସିବା ମଧ୍ୟ ଦରକାର, ସମସ୍ତଙ୍କ ସହମତି ରହିବା ମଧ୍ୟ ଦରକାର। ଅନେକ ସମୟରେ ବିଦେଶ ଭ୍ରମଣ କରିବାକୁ ଯିବାବେଳେ ଅଧିକାଂଶ ଲୋକେ ଭିସା ଚକ୍କରରେ ପଡ଼ିଯାଆନ୍ତି। ଯାହାଫଳରେ ସେମାନଙ୍କୁ ଏ ଅଫିସ୍‌ରୁ ସେ ଅଫିସ୍‌ ଚକ୍କର କାଟିବାକୁ ପଡ଼ିଥାଏ। କିନ୍ତୁ ଏପରି କେତେକ ଦେଶ ରହିଛି, ଯେଉଁଠି ଭାରତୀୟ ପାସପୋର୍ଟଧାରୀମାନେ ପହଞ୍ଚିବା କ୍ଷଣି ସେମାନଙ୍କୁ ଭିସା ମିଳିଯାଏ। କିନ୍ତୁ ଏଥିପାଇଁ ଆପଣଙ୍କୁ ସାଙ୍ଗରେ କେତେକ ଦସ୍ତାବିଜ (ଡକ୍ୟୁମେଣ୍ଟ)ରଖିବାକୁ ପଡ଼ିବ। ଏଠାରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଏଥିସହିତ କେତେକ ଦେଶର ଭିସା ଫି’ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଛି। ଯାହା କି ସମୟାନୁସାରେ ବଦଳିବାର ସମ୍ଭାବନା ରହିଛି।

ସେଶେଲ୍ସ
ଭାରତୀୟ ପାସପୋର୍ଟ ହୋଲ୍ଡରଙ୍କୁ ଭିସା ଅନ୍‌ ଆରାଇଭାଲ ସୁବିଧା ପ୍ରଦାନ କରୁଥିବା ଦେଶ ମଧ୍ୟରେ ସେଶେଲ୍ସ ଅନ୍ୟତମ। ଏହା ଅତ୍ୟନ୍ତ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ହୋଇ ନ ଥିଲେ ମଧ୍ୟ ଏଠାରେ ଥିବା କେତେକ ଆକର୍ଷଣୀୟ ତଥା ସୁନ୍ଦର ଓ ସଫାସୁତୁରା ବେଳାଭୂମିରେ ଆପଣ ଏକାନ୍ତରେ କିଛି ସମୟ ବିତାଇପାରିବେ। ଏଠାରେ ଭାରତୀୟ ନାଗରିକଙ୍କୁ ୩୦ ଦିନ ପାଇଁ ଭିସା ଅନ୍‌ ଆରାଇଭାଲ ସୁବିଧା ଦିଆଯାଇଥାଏ। ଭିସା ଅନ୍‌ ଆରାଇଭାଲ ପାଇଁ ଭାରତୀୟ ନାଗରିକଙ୍କୁ ପାସପୋର୍ଟ, ଟ୍ରାଭେଲ୍‌ ଟିକେଟ୍‌ର ଫଟୋକପି, ଫାଇନାନ୍ସିଆଲ ଷ୍ଟେଟ୍‌ମେଣ୍ଟର ଆବଶ୍ୟକତା ରହିଛି। ଏଠି ବୁଲିବାକୁ ହେଲେ ଆପଣଙ୍କ ଆକାଉଣ୍ଟରେ ଅତିକମ୍‌ରେ ୧୦,୩୩୦ ଟଙ୍କା ରହିଥିବା ଆବଶ୍ୟକ।

ଥାଇଲ୍ୟାଣ୍ଡ

ଥାଇଲ୍ୟାଣ୍ଡ ମଧ୍ୟ ଭାରତୀୟ ନାଗରିକଙ୍କୁ ଭିସା ଅନ୍‌ ଆରାଇଭାଲ ସୁବିଧା ପ୍ରଦାନ କରୁଛି, ମାତ୍ର କେବଳ ୧୫ ଦିନ ପାଇଁ। ତେଣୁ ଏହି ସୁନ୍ଦର ଦେଶ ବୁଲିବା ଲାଗି ଏକ ଛୋଟ ଭ୍ୟାକେସନ୍‌ ଯୋଜନା କରିବା ଦରକାର। ଭିସା ଅନ୍‌ ଆରାଇଭାଲ ପାଇଁ ପାସପୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ଓ ଏହାର ଭ୍ୟାଲିଡିଟି ଅତିକମ୍‌ରେ ୬ ମାସ ରହିଥିବା ଦରକାର। ସାଙ୍ଗରେ ଦୁଇଟି ରିସେଣ୍ଟ କ୍ଲିକ୍‌ ହୋଇଥିବା ଫଟୋଗ୍ରାଫ୍‌, ରିଟର୍ଣ୍ଣ ଟିକେଟ୍‌, ହୋଟେଲ୍‌ ବୁକିଂ ଓ ଆର୍ଥିକ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଏଠାରେ ୬୦ ଦିନର ଟୁରିଷ୍ଟ ଭିସା ପାଇଁ ଜଣପିଛା ୨,୫୦୦ ଟଙ୍କା ଲାଗିଥାଏ। ଭିସାର ପ୍ରକାରଭେଦ ଅନୁଯାୟୀ ଏହା ବଦଳିଥାଏ।

କାମ୍ବୋଡ଼ିଆ
କାମ୍ବୋଡିଆରେ ମଧ୍ୟ ଭାରତୀୟଙ୍କୁ ଭିସା ଅନ୍‌ ଆରାଇଭାଲ ମିଳିଥାଏ। ତେବେ ଭିସା ଫି’ ଆପଣଙ୍କ ଭିସା ଟାଇପ୍‌ ଉପରେ ନିର୍ଭର କରେ। ଏହି ଭିସା ଅନ୍‌ ଆରାଇଭାଲ ପାଇବା ପାଇଁ ଆପଣଙ୍କୁ ସାଙ୍ଗରେ ପାସପୋର୍ଟ, ଆର୍ଥିକ ଷ୍ଟେଟ୍‌ମେଣ୍ଟ, ଟିକେଟ୍‌ ଓ କେଉଁଠି ରହିବେ, ତାହାର ଡିଟେଲ୍ସ ରଖିବାକୁ ପଡ଼ିବ। ଏଠାରେ ଜଣପିଛା ୧୩୮୮ ଟଙ୍କା ଭିସା ଫି’ ଲାଗିଥାଏ।

ଜୋର୍ଡାନ୍‌
ଅନ୍ୟ ଦେଶ ଭଳି ଜୋର୍ଡାନ ମଧ୍ୟ ଭାରତୀୟଙ୍କ ପାଇଁ ୩୦ ଦିନିଆ ଭିସା ଅନ୍‌ ଆରାଇଭାଲ ସୁବିଧା ଦେଉଛି। ଏଥିପାଇଁ ଭାରତୀୟଙ୍କୁ ପାସପୋର୍ଟ, ଫଟୋଗ୍ରାଫସ୍‌, ଯେଉଁଠି ରହିବେ ତାହାର କାଗଜପତ୍ର, ରିଟର୍ଣ୍ଣ ଟିକେଟ୍‌, କେଉଁ ଟ୍ରିପ୍‌ରେ ଯାଉଛନ୍ତି ତାହାର କାଗଜପତ୍ର ସବ୍‌ମିଟ୍‌ କରିବାକୁ ପଡ଼ିବ। କାମ୍ବୋଡ଼ିଆରେ ଭାରତୀୟ ନାଗରିକଙ୍କୁ ୩୦ ଦିନରୁ ଅଧିକ ରହିବା ଲାଗି ଅନୁମତି ଦିଆଯାଏ ନାହିଁ। ଏଠାରେ ଭାରତୀୟ ନାଗରିକଙ୍କୁ ୩୦ ଦିନିଆ ଭିସା ପାଇଁ ଜଣପିଛା ୧୩୮୮ ଟଙ୍କା ଦେବାକୁ ପଡ଼ିଥାଏ।

କେନିଆ
କେନିଆରେ ମଧ୍ୟ ଭାରତୀୟ ନାଗରିକଙ୍କୁ ଭିସା ଅନ୍‌ ଆରାଇଭାଲ ସୁବିଧା ଦିଆଯାଏ। ତେଣୁ ଆପଣଙ୍କୁ ପାସପୋର୍ଟ, ଫଟୋଗ୍ରାଫସ୍‌, ଭ୍ରମଣ କାର୍ଯ୍ୟକ୍ରମ, ୟେଲୋ ଫିଭର ଭ୍ୟାକ୍ସିନେସନ୍‌ ସାର୍ଟିଫିକେଟ୍‌, ପୋଲିଓ ସାର୍ଟିଫିକେଟ୍‌, ହୋଟେଲ୍‌ ବୁକ୍‌ସ ଓ ପ୍ଲେନ୍‌ ଟିକେଟ୍‌ ଡିଟେଲ୍‌ ଜମା କରିବାକୁ ପଡ଼ିବ। ବିଜ୍‌ନେସ୍‌ ଟ୍ରିପ୍‌ରେ ଯାଉଥିଲେ, ଆପଣଙ୍କ କମ୍ପାନୀର ଲେଟର ସାଙ୍ଗରେ ନେବାକୁ ପଡ଼ିବ। କମ୍ପାନୀର ସାଇନ୍‌ ଥିବା ଲେଟର ମଧ୍ୟ ସାଙ୍ଗରେ ନେଇଯିବାକୁ ପଡ଼ିବ। ଏଠାରେ ଜଣପିଛା ୩,୪୬୮ ଟଙ୍କା ଓ ମଲ୍ଟିପଲ ଏଣ୍ଟ୍ରି ପାଇଁ ୬୦୦୦ ଟଙ୍କା ଭିସା ଫି’ ଦେବାକୁ ପଡ଼ିଥାଏ।

ଇଣ୍ଡୋନେସିଆ
ଇଣ୍ଡୋନେସିଆ ବିଶେଷକରି ବାଲି ବେଶ୍‌ କିଛି ବର୍ଷ ହେଲାଣି ପର୍ଯ୍ୟଟକଙ୍କ ପାଇଁ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ପାଲଟିଛି। ଏହାର ମୁଖ୍ୟ କାରଣ ଏଠାରେ ସହଜରେ ଭିସା ମିଳିବା, ଶସ୍ତାରେ ରହିବା, ସୁନ୍ଦର ଦ୍ବୀପ ଓ ଏଠାରେ ଥିବା କେତେକ ସଫା ସୁତୁରା ବେଳାଭୂମି। ଭିସା ଅନ୍‌ ଆରାଇଭାଲ ସୁବିଧା ପାଇବା ପାଇଁ ଆପଣଙ୍କୁ ୬ ମାସର ଭ୍ୟାଲିଡିଟି ଥିବା ପାସପୋର୍ଟ, ହୋଟେଲ୍‌ ଷ୍ଟେର ପ୍ରୁଫ୍‌, ରିଟର୍ଣ୍ଣ ଟିକେଟ୍‌, ଫାଇନାନ୍ସିଆଲ ରେକର୍ଡ ଓ ଏଠାରେ ରହିବା ପାଇଁ ଯଥେଷ୍ଟ ଅର୍ଥ ରହିଥିବା ଦରକାର। ଏଠାରେ ୩୦ରୁ ୬୦ ଦିନ ରହିବା ପାଇଁ ଟୁରିଷ୍ଟ ଭିସା ଫି’ ୨,୫୧୭ ଟଙ୍କା ଦେବାକୁ ପଡ଼ିଥାଏ। ତେବେ ଯଦି ଆପଣଙ୍କର ରହଣୀ ୩୦ ଦିନରୁ କମ୍‌ ହୋଇଥାଏ, ତେବେ ଏଥିପାଇଁ କୌଣସି ଭିସା ଫି’ ଦେବାକୁ ପଡ଼ିବ ନାହିଁ। କେବଳ ଦସ୍ତାବିଜ ଯାଞ୍ଚ କରିବାକୁ ପଡ଼ିଥାଏ।

ନେପାଳ
ଭାରତୀୟ ପାସପୋର୍ଟ ହୋଲ୍ଡରଙ୍କୁ ନେପାଳରେ ପ୍ରବେଶ କରିବା ଲାଗି ଭିସାର ଆବଶ୍ୟକତା ନାହିଁ। ଆପଣଙ୍କୁ ନେପାଳରେ ଭ୍ରମଣ କରିବା ଲାଗି ଭାଲିଡ ପାସପୋର୍ଟ, ଭୋଟର ଆଇଡେଣ୍ଟିଟି କାର୍ଡ, ଆଧାର କାର୍ଡ, ପ୍ୟାନ୍‌ କାର୍ଡ ଓ ପରିଚୟ ପତ୍ର ଆବଶ୍ୟକ। ଏଠାରେ ଭିସା ଲାଗୁ ନ ଥିବାରୁ ଏ ବାବଦକୁ କୌଣସି ଫି’ ଦେବାକୁ ପଡ଼େ ନାହିଁ।

ମାଳଦ୍ବୀପ
ମାଳଦ୍ବୀପରେ ଭ୍ରମଣ କରିବା ସମୟରେ ଆପଣଙ୍କୁ ସ୍ବର୍ଗର ଅନୁଭବ ମିଳିବ। କୁହାଯାଏ ମାଳଦ୍ବୀପରେ ଭ୍ରମଣ କରିବା ବହୁତ ବ୍ୟୟବହୁଳ ହୋଇଥାଏ। କିନ୍ତୁ ଏଠାରେ ବୁଲିବା ଓ ରହିବାର କେତେକ ଶସ୍ତା ବିକଳ୍ପ ମଧ୍ୟ ରହିଛି। ଏଠାରେ ମଧ୍ୟ ଭ୍ରମଣ କରିବା ଲାଗି ଭାରତୀୟ ନାଗରିକଙ୍କୁ ଭିସାର ଆବଶ୍ୟକତା ପଡ଼ି ନ ଥାଏ। ଏଠାରେ ୯୦ ଦିନିଆ ଫ୍ରି ଟ୍ୟୁରିଷ୍ଟ ଭିସା ପାଇଁ ଭାରତୀୟଙ୍କୁ ଅନୁମତି ଦିଆଯାଏ।

ମରିସସ୍‌
ମରିସସ୍‌ ଯିବା ଲାଗି ମଧ୍ୟ ଆପଣଙ୍କୁ କୌଣସି ଭିସାର ଆବଶ୍ୟକତା ପଡ଼ିବ ନାହିଁ। ଆପଣଙ୍କୁ କେବଳ ପାସପୋର୍ଟ ସାଙ୍ଗରେ ରଖିବାକୁ ପଡ଼ିଥାଏ। ଏହାର ଭାଲିଡିଟି ୬୦ ଦିନ ରହିଥାଏ। ଆପଣଙ୍କୁ ଭାଲିଡ ପାସପୋର୍ଟ, ରହିବା ପ୍ରମାଣପତ୍ର, ରାଉଣ୍ଡ ଟ୍ରିପ୍‌ ଟିକେଟ୍‌ ଓ ଆର୍ଥିକ ପ୍ରମାଣପତ୍ର ସାଙ୍ଗରେ ରଖିବାକୁ ପଡ଼ିବ।

ଭୁଟାନ୍‌
ନେପାଳ ଭଳି ଭୁଟାନ ମଧ୍ୟ ଭାରତର ପଡ଼ୋଶୀ ଦେଶ। ଏଠାରେ ମଧ୍ୟ ଭାରତୀୟ ନାଗରିକଙ୍କୁ ଭିସା ଅନ୍‌ ଆରାଇଭାଲ ସୁବିଧା ପ୍ରଦାନ କରାଯାଏ। ଏଠାରେ କେବଳ ଆପଣଙ୍କୁ ଭାଲିଡ ପାସପୋର୍ଟ, ଭୋଟର ପ୍ରମାଣପତ୍ରର ଆବଶ୍ୟକତା ରହିଛି।

ଏହାବ୍ୟତୀତ ଏଲ୍‌ ସାଲ୍‌ଭାଡର, ହାଇତି, ଭାନୁଆତୁ, ଗ୍ରେନାଡା, ମାଡାଗାସ୍କର,  କୋମୋରସ୍‌, ଡୋମିନିକା, ମାଇକ୍ରୋନେସିଆ, ସେଣ୍ଟ ଲୁସିଆ, ଟୁଭାଲୁ, ଫିଜି, ହଂକଂ, ଇରାକ୍‌, ମୋଜାମ୍ବିକ୍‌, ଲାଓସ୍‌, ଉଗାଣ୍ଡା ଭଳି ଅନେକ ଦେଶରେ ଭାରତୀୟ ନାଗରିକଙ୍କୁ ଭିସା ଅନ୍‌ ଆରାଇଭାଲ ସୁବିଧା ପ୍ରଦାନ କରାଯାଇଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ