ଲଭ୍‌ ଲାଇଫ୍‌ ଉପଭୋଗ କରିପାରୁ ନାହାନ୍ତି କି? ଜାଣନ୍ତୁ କାରଣ


ଯେଉଁ ପିଲାମାନେ ସମୟ ପୂର୍ବରୁ ଜନ୍ମ ହୋଇଥାଆନ୍ତି, ସେମାନଙ୍କଠାରେ ରୋମାଣ୍ଟିକ୍‌ ହେବା, ଯୌନ ସମ୍ପର୍କ ସ୍ଥାପନ କରିବା ଓ ପିତୃତ୍ବ ଲାଭ କରିବା ସମ୍ଭାବନା ଠିକ୍‌ ସମୟରେ ଜନ୍ମ ହୋଇଥିବା ପିଲାଙ୍କ ତୁଳନାରେ କମ୍‌ ହୋଇଥାଏ। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ନିକଟରେ ପ୍ରକାଶ ପାଇଥିବା ରିପୋର୍ଟରୁ ଏହା ଜଣାପଡ଼ିଛି। ଏହି ରିପୋର୍ଟ ଅନୁସାରେ ସମୟ ପୂର୍ବରୁ ଜନ୍ମ ନେଉଥିବା ପିଲାଙ୍କ କ୍ଷେତ୍ରରେ ଭାରତ ଆଗରେ ରହିଛି। ଏଠାରେ ୩୭ ସପ୍ତାହ ଗର୍ଭରେ ରହିବା ପୂର୍ବରୁ ଅଧିକାଂଶ ପିଲା ଜନ୍ମ ହେଉଛନ୍ତି ଓ ଏହି ସଂଖ୍ୟା ବଢ଼ିବାରେ ଲାଗିଛି ବୋଲି ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଛି।

ଜାମା ନେଟ୍‌ୱର୍କ ଓପନ୍‌ ପତ୍ରିକାରେ ପ୍ରକାଶିତ ଗବେଷଣା ଫଳାଫଳ ଅନୁସାରେ ୪୪ ଲକ୍ଷ ଲୋକଙ୍କ ଉପରେ କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁ ଲୋକମାନେ ସମୟ ପୂର୍ବରୁ ଜନ୍ମଗ୍ରହଣ କରିଥାନ୍ତି, ସେମାନଙ୍କଠାରେ ରୋମାଣ୍ଟିକ୍‌ ସମ୍ପର୍କ ରଖିବା ସମ୍ଭାବନା ୨୮ ପ୍ରତିଶତ କମ୍‌ ରହିଥାଏ। ଏହାବ୍ୟତୀତ ଏହି ଲୋକଙ୍କଠାରେ ଅନ୍ୟ ସାଧାରଣ ଲୋକଙ୍କ ତୁଳନାରେ ମା’ ବାପା ହେବାର ସମ୍ଭାବନା ୨୨ ପ୍ରତିଶତ କମ୍‌ ମିଳିଥିଲା। ୟୁନିଭର୍ସିଟି ଅଫ୍‌ ୱାର୍‌ୱିକ୍‌ର ଗବେଷକଙ୍କ କହିବାନୁସାରେ ସମୟ ପୂର୍ବରୁ ଜନ୍ମ ହେବା ଫଳରେ ପିଲାମାନଙ୍କଠାରେ ଲାଜୁଆ ସ୍ବଭାବ, ସମାଜଠାରୁ ଦୂରେଇ ରହିବା ସହିତ କିଶୋରାବସ୍ଥାରେ କଷ୍ଟ ଉଠାଇବାରେ ସମସ୍ୟା ଦେଖାଯାଇଥାଏ।

ବିଶେଷଜ୍ଞଙ୍କ କହିବାନୁସାରେ ସମୟ ପୂର୍ବରୁ ଜନ୍ମ ହେଉଥିବା ପିଲାଙ୍କୁ ସେମାନଙ୍କ ସ୍କୁଲ୍‌ରୁ ଆରମ୍ଭ କରି ମାତା ପିତାଙ୍କ ଦ୍ବାରା କମ୍‌ ବୟସରେ ହିଁ ସାମାଜିକ ସମ୍ପର୍କ ସୃଷ୍ଟି କରିବା ଲାଗି ପ୍ରୋତ୍ସାହିତ କରିବା ଉଚିତ। ଯାହାଫଳରେ କିଶୋରାବସ୍ଥାରେ ପହଞ୍ଚିବା ପରେ ସେମାନଙ୍କୁ କାହାରି ସହିତ ମିଳାମିଶା କରିବା ଓ ସାମାଜିକ ବ୍ୟକ୍ତି ପାଲଟିବାରେ ସାହାଯ୍ୟ ମିଳିପାରିବ। ଦିଲ୍ଲୀସ୍ଥିତ ଶ୍ରୀବାଲାଜୀ ଆକ୍ସନ୍‌ ମେଡିକାଲ ଇନ୍‌ଷ୍ଟିଚ୍ୟୁଟ୍‌ର ମନୋବିଜ୍ଞାନୀ ଅମିତ ଗର୍ଗ କହିଛନ୍ତି ଯେ ପର୍ଯ୍ୟାପ୍ତ ସମୟ ପୂର୍ବରୁ ଜନ୍ମ ନେବା ଫଳରେ ଏହା କେବଳ ପିଲାଙ୍କ ଶାରୀରିକ ବୃଦ୍ଧିକୁ ପ୍ରଭାବିତ କରି ନ ଥାଏ, ଏହା ମାନସିକ ବିକାଶ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଏ। ଏଭଳି ପିଲାଙ୍କୁ ପୋଷକତତ୍ତ୍ବ ଓ ଅନ୍ୟ ରୋଗକୁ ନେଇ ସାବଧାନତା ଅବଲମ୍ବନ କରିବା ଉଚିତ। ସମୟ ପୂର୍ବରୁ ଜନ୍ମ ହେଉଥିବା ପିଲାମାନଙ୍କୁ ଯୁବାବସ୍ଥାରେ ସାମାଜିକ ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ପଡ଼ିପାରେ। ଏଥିସହିତ ସେମାନଙ୍କର ରୋମାଣ୍ଟିକ୍‌ ସମ୍ପର୍କ ଓ ପିଲା ଜନ୍ମ କରିବା ଉପରେ ପ୍ରଭାବ ପଡ଼ିପାରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ