ପାକିସ୍ତାନରେ ଟ୍ରେନ୍‌ ଦୁର୍ଘଟଣା: ୧୦ ଯାତ୍ରୀ ମୃତ, ୬୪ ଆହତ


ମୁଲତାନ‌: ପାକିସ୍ତାନରେ ଗୁରୁବାର ଗୋଟିଏ ଯାତ୍ରୀବାହୀ ଟ୍ରେନ୍‌ ଏକ ମାଲ୍‌ବାହୀ ଟ୍ରେନ୍‌ ସହ ଧକ୍କା ଲାଗିବା ଫଳରେ ୧୦ ଜଣ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି। ଏହାଛଡ଼ା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୬୪ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଦକ୍ଷିଣ ପାକିସ୍ତାନର ପଞ୍ଜାବ ପ୍ରଦେଶର ରହିମ୍‌ ୟାର୍‌ ଖାନ୍‌ସ୍ଥିତ ୱାଲହାର୍‌ ରେଳଷ୍ଟେସନ୍‌ରେ ମାଲବାହୀ ଟ୍ରେନ୍‌ଟି ଛିଡ଼ା ହୋଇ ରହିଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଯାତ୍ରୀବାହୀ ଟ୍ରେନ୍‌ ତାକୁ ଧକ୍କା ଦେଇଥିଲା। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି।

ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଆହତମାନଙ୍କୁ ଯଥାସାଧ୍ୟ ଚିକିତ୍ସା ଯୋଗାଇଦେବାକୁ ନିର୍ଦେଶ ଦେବା ସହ ଏପରି ଏକ ଅଘଟଣରେ ମୃତ୍ୟୁବରଣ କରିଥିବା ଯାତ୍ରୀମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ରେଳ ମନ୍ତ୍ରୀ ଶେଖ୍‌ ରଶିଦ୍‌ ଅହମଦଙ୍କୁ ମଧ୍ୟ ରେଳ ବିଭାଗରେ ଦୀର୍ଘଦିନ ଧରି ଚାଲିଆସିଥିବା ଅବ୍ୟବସ୍ଥାର ଅନ୍ତ ଘଟାଇବା ଦିଗରେ ପଦକ୍ଷେପ ନେବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଦୁର୍ଘଟଣାସ୍ଥଳରେ ପହଞ୍ଚି ସେନାବାହିନୀର ଯବାନମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ପାକିସ୍ତାନରେ ରେଳ ବିଭାଗ ସବୁବେଳେ ଅବହେଳିତ ହୋଇ ରହିଥିବା ବେଳେ ଭିତ୍ତିଭୂମିର ବିକାଶ ଦିଗରେ କୌଣସି ପ୍ରକାର ଉଦ୍ୟମ ହେଉ ନ ଥିବାରୁ ଏଠାରେ ରେଳ ଦୁର୍ଘଟଣା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ