ସେମିଫାଇନାଲ୍‌ରେ ଭାରତ ନ୍ୟୁଜିଲାଣ୍ଡ୍‌ଠାରୁ ହାରିଲା, ବିଶ୍ବକପ୍‌ ଅଭିଯାନ ଶେଷ

ଧୋନି ଓ ଜାଡେଜାଙ୍କ ଅର୍ଦ୍ଧଶତକ ବେକାର, ହେନ୍‌ରୀ ଓ ବୋଲ୍ଟଙ୍କ ଜବରଦସ୍ତ ବୋଲିଂ

ମାଞ୍ଚେଷ୍ଟର୍‌: ଚଳିତ ବିଶ୍ବକପ୍‌ରେ ଲିଗ୍‌ ପର୍ଯ୍ୟାୟରେ ଶ୍ରେଷ୍ଠ ପ୍ରଦର୍ଶନ ପୂର୍ବକ ଏକ ନମ୍ବର ସ୍ଥାନରେ ରହିଥିଲେ ମଧ୍ୟ ନକ୍‌ଆଉଟ୍‌ରେ ଖରାପ ପ୍ରଦର୍ଶନ କାରଣରୁ ଦୁଇ ଥରର ବିଶ୍ବବିଜେତା ଭାରତକୁ ବିଶ୍ବକପ୍‌ରୁ ବିଦାୟ ନେବାକୁ ପଡ଼ିଛି। କାରଣ ଦଳ ନ୍ୟୁଜିଲାଣ୍ଡ୍‌ଠାରୁ ୧୮ ରନ୍‌ରେ ପରାସ୍ତ ହୋଇଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ୍‌ ସେମିଫାଇନାଲ୍‌ରେ ବିଜୟୀ ହୋଇ ପ୍ରତିଯୋଗିତାର ଫାଇନାଲ୍‌ ଖେଳିବା ସକାଶେ ଯୋଗ୍ୟତା ହାସଲ କରିଛି। ମଙ୍ଗଳବାର ମ୍ୟାଚ୍‌ ଆରମ୍ଭ ହୋଇଥିଲେ ମଧ୍ୟ ବର୍ଷା କାରଣରୁ ରିଜର୍ଭ ଡେ’ରେ ବୁଧବାର ଏହି ମ୍ୟାଚ୍‌ ପୂରଣ ହୋଇଥିଲା। ପ୍ରଥମ ଦିନ ନ୍ୟୁଜିଲାଣ୍ଡ୍‌ ୫ ୱିକେଟ୍‌ ହରାଇ ୨୧୧ ରନ୍‌ କରିଥିବା ବେଳେ ବୁଧବାର ଏହିଠାରୁ ଆରମ୍ଭ କରି ଆଉ ୨୮ ରନ୍‌ ଯୋଡ଼ିଥିଲା। ଫଳରେ ଦଳ ୫୦ ଓଭର୍‌ରେ ୮ ୱିକେଟ୍‌ ହରାଇ ୨୩୯ ରନ୍‌ କରିଥିଲା। ଜବାବରେ ଭାରତ ୪୯.୩ ଓଭର୍‌ରେ ୨୨୧ ରନ୍‌ କରି ଅଲ୍‌ଆଉଟ୍‌ ହେବା ସହ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଛି। ତେବେ ଏହି ମ୍ୟାଚ୍‌ରେ ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ଜବରଦସ୍ତ ବ୍ୟାଟିଂ କରି ୫୯ ବଲ୍‌ରେ ୭୭ ରନ୍ କରିଥିଲେ ମଧ୍ୟ ତାହା ବ୍ୟର୍ଥ ଯାଇଛି।

ମଙ୍ଗଳବାର ଅପରାଜିତ ଥିବା ରସ୍‌ ଟେଲର୍‌ ୯୦ ବଲ୍‌ରେ ୩ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୭୪ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଟମ୍‌ ଲାଥାମ୍‌ ୧୦, ମିଚେଲ୍‌ ସାଣ୍ଟନର୍‌ ଅପରାଜିତ ୯ ଓ ଟ୍ରେଣ୍ଟ୍‌ ବୋଲ୍ଟ ଅପରାଜିତ ୩ ରନ୍‌ କରିଥିଲେ। ଭାରତ ପକ୍ଷରୁ ଭୁବନେଶ୍ବର କୁମାର ସର୍ବାଧିକ ୩ଟି ୱିକେଟ୍‌ ନେଇଥିବା ବେଳେ ଜସପ୍ରୀତ୍‌ ବୁମ୍‌ରା, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା ଓ ୟୁଜବେନ୍ଦ୍ର ଚହଲ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା। ଦଳ ୨୪ ରନ୍‌ ମଧ୍ୟରେ ଦୁଇ ଓପନରଙ୍କ ସହ ଅଧିନାୟକ ବିରାଟ କୋହଲି ଓ ଦିନେଶ କାର୍ତ୍ତିକଙ୍କୁ ହରାଇସାରିଥିଲା। ତେବେ ୠଷଭ ପନ୍ତ୍‌ ଓ ହାର୍ଦ୍ଦିକ ପାଣ୍ଡ୍ୟା ୪୭ ରନ୍‌ ଯୋଡ଼ିବା ପରେ ପନ୍ତ୍‌ ୪ଟି ଚୌକା ସହ ୩୨ ରନ୍‌ କରି ଆଉଟ୍‌ ହୋଇଥିଲେ।

ଏହାପରେ ପାଣ୍ଡ୍ୟା ୨ଟି ଚୌକା ସହ ୩୨ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହି ସମୟରେ ମହେନ୍ଦ୍ର ସିଂହ ଧୋନି ଓ ଜାଡେଜାଙ୍କ ମଧ୍ୟରେ ୧୧୬ ରନ୍‌ର ଭାଗିଦାରୀ ହେବା ଫଳରେ ଭାରତ ୨୦୦ ରନ୍‌ ଅତିକ୍ରମ କରିଥିଲା। କିନ୍ତୁ ଜାଡେଜା ଆଉଟ୍‌ ହେବା ପରେ ଭାରତର ବିଜୟ ସମ୍ଭାବନା କମିଯାଇଥିଲା। ଜାଡେଜା ୪ଟି ଲେଖାଏଁ ଚୌକା ଓ ଛକା ସହ ୭୭ ରନ୍‌ କରିଥିଲେ। ଏହାପରେ ଧୋନି ଗୋଟିଏ ଲେଖାଏଁ ଚୌକା ଓ ଛକା ଜରିଆରେ ୫୦ ରନ୍‌ କରି ଆଉଟ୍‌ ହେବା ଫଳରେ ଭାରତର ସମ୍ଭାବନା ଶେଷ ହୋଇଥିଲା। ନ୍ୟୁଜିଲାଣ୍ଡ୍‌ ପକ୍ଷରୁ ମ୍ୟାଟ୍‌ ହେନ୍‌ରୀ ସର୍ବାଧିକ ୩ଟି ୱିକେଟ୍‌ ନେଇ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିବା ବେଳେ ଟ୍ରେଣ୍ଟ୍‌ ବୋଲ୍ଟ ଓ ମିଚେଲ୍‌ ସାଣ୍ଟନର୍‌ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ଗୁରୁବାର ପ୍ରତିଯୋଗିତାର ଦ୍ବିତୀୟ ସେମିଫାଇନାଲ୍‌ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଏଜ୍‌ବାଷ୍ଟନ୍‌ଠାରେ ଖେଳାଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।