ମାଞ୍ଚେଷ୍ଟରରେ ବର୍ଷା: ରିଜର୍ଭ ଡେ’କୁ ଘୁଞ୍ଚିଲା ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା


ମାଞ୍ଚେଷ୍ଟର: ଓଲ୍ଡ ଟ୍ରାଫର୍ଡରେ ବର୍ଷା ଯୋଗୁ ଭାରତ-ନ୍ୟୁଜିଲାଣ୍ଡ୍‌ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଛି। ମଙ୍ଗଳବାର ମ୍ୟାଚ୍‌ ଶେଷ ହୋଇ ନ ପାରିବା କାରଣରୁ ଏହାକୁ ଆଇସିସି ନିୟମ ଅନୁସାରେ ରିଜର୍ଭ ଡେ’କୁ ସ୍ଥାନାନ୍ତରିତ କରାଯାଇଛି। ଅର୍ଥାତ୍‌ ବୁଧବାର ଅସମ୍ପୂର୍ଣ୍ଣ ମ୍ୟାଚଟି ସମ୍ପୂର୍ଣ୍ଣ କରାଯାଇ ଫଇସଲା କରାଯିବାକୁ ନିଷ୍ପତ୍ତି ହୋଇଛି। ତେଣୁ ନ୍ୟୁଜିଲାଣ୍ଡ ବୁଧବାର ତା’ର ଅସମାପ୍ତ ଇନିଂସରୁ ଖେଳ ଆରମ୍ଭ କରି ଶେଷ କରିବା ପରେ ଭାରତ ବିଜୟ ଲକ୍ଷ୍ୟକୁ ପିଛା କରିବ। ଯଦି ବର୍ଷା ଯୋଗୁ ପୁଣି ମ୍ୟାଚ୍‌ ବାଧାପ୍ରାପ୍ତ ହୁଏ ତେବେ, ଆଉ କୌଣସି ମତେ ଭାରତକୁ ଅତିକମ୍‌ରେ ଡି/ଏଲ୍‌ ମେଥଡ୍‌ରେ ୨୦ ଓଭର ପାଇଁ ଖେଳିବାର ସୁଯୋଗ ନ ମିଳେ, ତାହେଲେ ଭାରତ ପଏଣ୍ଟ ଟେବଲର ଶୀର୍ଷ ଦଳ ଭାବେ ଫାଇନାଲକୁ ଉନ୍ନୀତ ହେବ।

ମାଞ୍ଚେଷ୍ଟରରେ ଟସ୍‌ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା ଓ ଭୁବନେଶ୍ବର କୁମାର ଚମତ୍କାର ବୋଲିଂ ଜରିଆରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ। ଓପ୍‌ନର ଗପ୍ଟିଲ ମାତ୍ର ଗୋଟିଏ ରନ୍‌ କରିଥିଲା ବେଳେ ବୁମ୍‌ରା ତାଙ୍କୁ ପ୍ୟାଭିଲିଅନ ଫେରାଇ ଦେଇଥିଲେ। ଦ୍ବିତୀୟ ୱିକେଟ୍‌ରେ ନ୍ୟୁଜିଲାଣ୍ଡ ୬୯ ରନ୍‌ ପର୍ଯ୍ୟନ୍ତ ଯାଇଥିଲେ ବି ରବୀନ୍ଦ୍ର ଜାଡେଜା ଯୋଡ଼ି ଭାଙ୍ଗି ଓପ୍‌ନର ନିକୋଇଲ୍ସଙ୍କୁ ୨୮ ରନ୍‌ରେ ଆଉଟ୍‌ କରିଥିଲେ। ଅଧିନାୟକ କେନ୍‌ ୱିଲିୟମସନ୍‌ ଦାୟିତ୍ବପୂର୍ଣ୍ଣ ବ୍ୟାଟିଂ ଜରିଆରେ ଅର୍ଦ୍ଧଶତକ ପୂରଣ କରି ଦଳର ସ୍କୋରକୁ ଆଗେଇ ନେଉଥିଲା ବେଳେ ଚହଲ ତାଙ୍କୁ ୬୭ ରନ୍‌ରେ ଆଉଟ କରି ବଡ଼ ସଫଳତା ହାସଲ କରିଥିଲେ। ସେହିପରି ଜେମ୍ସ ନୀଶନ ଓ କଲିନ୍‌ ଡି’ ଗ୍ରାଣ୍ଡହୋମ୍‌ ଯଥାକ୍ରମେ ୧୨ ଓ ୧୬ ରନ୍‌ କରି ପ୍ୟାଭିଲିଅନ ଫେରିଥିଲେ। ଅନ୍ୟପକ୍ଷରେ ଅଭିଜ୍ଞ ରସ୍‌ ଟେଲର ଅପରାଜିତ ରହି ୬୭ ରନ୍‌ ଓ ଟ୍‌ ଲାଥାମ୍‌ ଅପରାଜିତ ୩ ରନ୍‌ କରିଥିଲା ବେଳେ ନ୍ୟୁଜିଲାଣ୍ଡ ୪୬.୧ ଓଭର ସୁଦ୍ଧା ୫ ୱିକେଟ୍‌ରେ ୨୧୧ ରନ ସଂଗ୍ରହ କରିଛି। ଭାରତ ପକ୍ଷରୁ ସମସ୍ତ ବୋଲର ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି।

ବୁଧବାର ନ୍ୟୁଜିଲାଣ୍ଡ ଅବଶିଷ୍ଟ ୩.୫ ଓଭର ଖେଳିବା ପରେ ଭାରତୀୟ ଦଳ ବ୍ୟାଟିଂ କରିବ। ନ୍ୟୁଜିଲାଣ୍ଡ ଇନିଂସରେ କେବଳ ଭୁବନେଶ୍ବର କୁମାର ଓ ଜସପ୍ରୀତ ବୁମ୍‌ରା ହିଁ ସେମାନଙ୍କର ଅବଶିଷ୍ଟ ଓଭର ବୋଲିଂ କରିବାର ସୁଯୋଗ ପାଇବେ। ବୁଧବାର ୧୦ ଓଭର କୋଟା ପୂରଣ କରିଥିବା ଭାରତୀୟ ବୋଲର ବୋଲିଂ କରିପାରିବେ ନାହିଁ। ଲଣ୍ଡନର ପାଣିପାଗ ବିଭାଗ ସୂଚନା ଅନୁଯାୟୀ ମଙ୍ଗଳବାର ଭଳି ବୁଧବାର ମଧ୍ୟ ବର୍ଷା ସମ୍ଭାବନା ଥିବାରୁ ପୁଣି  ପାଣିପାଗ ଉପରେ ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚର ଭାଗ୍ୟ ନିର୍ଭର କରୁଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।