ମୋଦିଙ୍କୁ ଶ୍ରେୟ: ଭାରତ ଏବେ ବିଶ୍ବର ତୃତୀୟ ଷ୍ଟାର୍ଟଅପ୍‌ ହବ୍‌

ୟୁନିକର୍ନ କ୍ଲବ୍‌ରେ ସାମିଲ ଦୌଡ଼ରେ ଆମେରିକାକୁ ଟପିଛି ଭାରତ

ଦ୍ୱିତୀୟ ଥର କ୍ଷମତାକୁ ଆସିଥିବା ମୋଦି ସରକାର ସିଧାସଳଖ ନିଯୁକ୍ତି ଦେବା ବଦଳରେ ଷ୍ଟାର୍ଟଅପ୍‌ ଉପରେ ପ୍ରାଥମିକତା ଦେଇଆସୁଛନ୍ତି। ମାତ୍ର ୪ ବର୍ଷ ପୁରୁଣା ଷ୍ଟାର୍ଟଅପ୍‌ ଇଣ୍ଡିଆ ଏବେ କ୍ରମଶଃ ସୁଦୃଢ ହେବାରେ ଲାଗିଛି। ଭାରତୀୟ ଯୁବାବର୍ଗ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଆହ୍ବାନକୁ ଫଳବତୀ କରାଇବା ପାଇଁ ବିଶେଷ ଯତ୍ନ ନେଇଛନ୍ତି। ସାରା ଦେଶରେ ଏବେ ୨୦ ହଜାରରୁ ଅଧିକ ଷ୍ଟାର୍ଟଅପ୍‌ ଠିଆହୋଇଛି। ଦିନେ ଯେଉଁମାନେ ନିଯୁକ୍ତି ପାଇଁ ବିଭିନ୍ନ ସଂସ୍ଥା ଆଗରେ ବେକ ଭାଙ୍ଗି ଠିଆ ହେବାର ଚିନ୍ତାରେ ଥିଲେ, ସେମାନେ ଏବେ ନିଯୁକ୍ତିଦାତା ଭାବେ ନିଜସ୍ୱ ପରିଚୟ ତିଆରି କଲେଣି। ସରକାରଙ୍କ ଲକ୍ଷ୍ୟ ମଧ୍ୟ ଏବେ ନିଯୁକ୍ତି ସୃଷ୍ଟି କରିବା ଅପେକ୍ଷା ନିଯୁକ୍ତିଦାତାଙ୍କ ସଂଖ୍ୟା ବୃଦ୍ଧି କରିବା ଉପରେ ଫୋକସ ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୨୦୧୫ରେ ନବସର୍ଜନା ଓ ଉଦ୍ୟୋଗ ବିକାଶ ପାଇଁ ଜାତୀୟ ସ୍ତରରେ ଷ୍ଟାର୍ଟଅପ୍‌ ଇଣ୍ଡିଆ ଅଭିଯାନ ନାମରେ ଏକ ନୂଆ ଅଭିଯାନ ଘୋଷଣା କରିଥିଲେ। ୧୬ ଜାନୁଆରୀ ୨୦୧୬ରେ ଷ୍ଟାର୍ଟଅପ୍‌ ଇଣ୍ଡିଆର ଅୟମାରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୨୦ ହଜାରରୁ ଢେର ଅଧିକ ଷ୍ଟାର୍ଟଅପ୍‌ର ସଫଳତାର ସହ କାର୍ଯ୍ୟନ୍ୱୟନ ହୋଇଛି। ସଂଖ୍ୟା ଦୃଷ୍ଟିରୁ ୨୦୧୮ରେ ମହାରାଷ୍ଟ୍ର ସବୁଠୁ ଆଗରେ ଥିଲା। ମହାରାଷ୍ଟ୍ରରେ ୮୪୦୧, ଦିଲ୍ଲୀରେ ୭୯୦୩, କର୍ଣ୍ଣାଟକ ଏବଂ କେରଳରେ ୫୫୧୧ ଷ୍ଟାର୍ଟଅପ୍‌ ଆରମ୍ଭ ହୋଇଥିଲା। ସବୁଠୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶ ୪୩୨୮ଟି ଷ୍ଟାର୍ଟଅପ୍‌ ଆରମ୍ଭ କରି ତାଲିକାର ପଞ୍ଚମ ସ୍ଥାନରେ ଥିଲା। ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଘରୋଇ ରାଜ୍ୟ ଗୁଜରାଟରେ ୨୬୯୩ଟି ଷ୍ଟାର୍ଟଅପ୍‌ ଆରମ୍ଭ ହୋଇଥିଲା। ପଞ୍ଜାବରେ ମାତ୍ର ୪୯୮ ଓ ବିହାରରେ ୭୦୦ ଷ୍ଟାର୍ଟଅପ୍‌ ପଞ୍ଜୀକୃତ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ୧୫୧୧ ଷ୍ଟାର୍ଟଅପ୍‌ ପଞ୍ଜୀକୃତ ହୋଇପାରିଥିଲା। ଡିପାର୍ଟମେଣ୍ଟ ଇଣ୍ଡଷ୍ଟ୍ରିଆଲ ପଲିସି ଆଣ୍ଡ ପ୍ରମୋସନ ଗତ ଡିସେମ୍ବର ମାସରେ ପ୍ରଥମ ଷ୍ଟାର୍ଟଅପ୍‌ ରାଙ୍କିଙ୍ଗ ଜାରି କରିଥିଲା ଯେଉଁଥିରେ ୬ଟି ଭିନ୍ନ ଭିନ୍ନ ବର୍ଗ ଉପରେ ଆଧାରିତ ରାଙ୍କିଙ୍ଗରେ ଗୁଜୁରାଟକୁ ପ୍ରଥମ ସ୍ଥାନ ମିଳିଥିଲା। ଗୁଜୁରାଟକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟର ମାନ୍ୟତା ମିଳିଥିଲା। ଏହା ପରେ ଶ୍ରେଷ୍ଠ ସମ୍ପାଦନକାରୀ ରାଜ୍ୟ ଭାବେ କର୍ଣ୍ଣାଟକ, କେରଳ, ଓଡ଼ିଶା ଏବଂ ରାଜସ୍ଥାନକୁ ସ୍ଥାନ ମିଳିଥିଲା। ପଛକୁ ପଛ ଆନ୍ଧ୍ର ପ୍ରଦେଶ, ବିହାର, ଛତିଶଗଡ଼, ମଧ୍ୟ ପ୍ରଦେଶ ଓ ତେଲେଙ୍ଗାନା ଥିଲେ।

ଫୋର୍ବସ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ୨୦୧୯ ବର୍ଷରେ ସବୁଠୁ ଅଧିକ ଷ୍ଟାର୍ଟଅପ୍‌ କରିବା କ୍ଷେତ୍ରରେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଳୁରୁ ସବା ଆଗରେ ରହିଛି। ୨୦୧୯ରେ ବେଙ୍ଗାଳୁରୁରେ ୩୨୮୨ଟି ଷ୍ଟାର୍ଟଅପ୍‌ ଆରମ୍ଭ ହୋଇପାରିଛି। ଏହା ପଛକୁ ଦିଲ୍ଲୀ(୨୮୬୫), ମୁମ୍ବାଇ(୨୩୬୩), ହାଇଦ୍ରାବାଦ(୧୨୨୫) ଏବଂ ପୁନେ(୧୧୧୪) ରହିଛି। ଅନ୍ୟ ୫ଟି ବଡ଼ ସହର ମଧ୍ୟରେ ଗୁରୁଗ୍ରାମ (୧୦୪୨), ଚେନ୍ନାଇ(୯୬୫), ନୋଏଡା(୭୪୫), ଅହମଦାବାଦ(୬୩୭) ଏବଂ କୋଲକାତା(୪୮୭) ରହିଛି। କିନ୍ତୁ ନୋଏଡାର ଗୋଟିଏ କମ୍ପାନୀ ବି ୟୁନିକର୍ନ ନୁହଁ। ଷ୍ଟାର୍ଟଅପ୍‌ରେ ରାଜସ୍ବ ଆଧାରରେ କମ୍ପାନୀ ଗୁଡିକୁ ୩ ଭାଗରେ ବିଭକ୍ତ କରାଯାଇଥାଏ। ପ୍ରଥମଟି ହେଉଛି ୟୁନିକର୍ନ। ଯେଉଁ ଷ୍ଟାର୍ଟଅପ୍‌ରେ ୧ ବିଲିୟନ ଡଲାରରୁ ଅଧିକ ନିବେଶ ହୋଇଥିବ, ତାହାକୁ ୟୁନିକର୍ନ ବର୍ଗର ଷ୍ଟାର୍ଟଅପ୍‌ ବୋଲି ବିବେଚିତ କରାଯାଏ। ଦିତୀୟଟି ସୁନିକର୍ନ ଓ ତୃତୀୟଟି ମିନିକର୍ନ। ୟୁନିକର୍ନ ହେବା ରାସ୍ତାରେ ଯାଉଥିବା ଷ୍ଟାର୍ଟଅପ୍‌କୁ ସୁନିକର୍ନ ବର୍ଗର ବୋଲି ବିବେଚିତ କରାଯାଏ। ଶୀର୍ଷ ୧୦ ଷ୍ଟାର୍ଟଅପ୍‌ ସହରରେ ୩୩ ଷ୍ଟାର୍ଟଅପ୍‌ ୟୁନିକର୍ନ ପର୍ଯ୍ୟାୟର। ଯେଉଁଥିରେ ବେଙ୍ଗାଳୁରୁର ସବୁଠୁ ଅଧିକ ୧୪ଟି ଷ୍ଟାର୍ଟଅପ୍‌ ସାମିଲ। ପଛକୁ ପଛ ଦିଲ୍ଲୀ ଓ ମୁମ୍ବାଇ ରହିଛି। ଦିଲ୍ଲୀରେ ୭ଟି ୟୁନିକର୍ନ ବର୍ଗର ଷ୍ଟାର୍ଟଅପ୍‌ ଥିବାବେଳେ ମୁମ୍ବାଇରେ ଏହି ବର୍ଗର ୬ଟି ଷ୍ଟାର୍ଟଅପ୍‌ ରହିଛି। ସଂଖ୍ୟା ଦୃଷ୍ଟିରୁ ଶୀର୍ଷ ୧୦ ଷ୍ଟାର୍ଟଅପ୍‌ ସହରରେ ସାମିଲ ନୋଏଡା, ଅହମଦାବାଦ ଓ କୋଲକାତାରେ ଗୋଟିଏ ବି ୟୁନିକର୍ନ ବର୍ଗର ଷ୍ଟାର୍ଟଅପ୍‌ ନାହିଁ।

ଷ୍ଟାର୍ଟଅପ୍‌ ଅଭିଯାନ ଧୀରେ ଧୀରେ ନିଜର ପରିଚିତି ସୃଷ୍ଟି କରିବାରେ ଲାଗିଛି ଏବଂ ଦେଶର ଯୁବା ବର୍ଗ ଏହାକୁ ଗ୍ରହଣ କରି ନିଜର ସ୍ଥିତି ପରିବର୍ତ୍ତନରେ ମନୋନିବେଶ କରିଛନ୍ତି। ନାସକମ ଅନୁଯାୟୀ ଭାରତ ବିଶ୍ୱରେ ତୃତୀୟ ବୃହତ୍‌ ଷ୍ଟାର୍ଟଅପ୍‌ ହବ ଭାବେ ନିଜକୁ ପ୍ରତିଷ୍ଠା କରିଛି। ଶୀର୍ଷ ଦୁଇ ସ୍ଥାନରେ ଥିବା ଆମେରିକା ଓ ଚୀନ ଠାରୁ ଭାରତ ବହୁ ପଛରେ ରହିଛି। ଯଦି ୟୁନିକର୍ନ ସଂଖ୍ୟା ଦେଖାଯିବ ତେବେ ଆମେରିକାରେ ୧୨୬ଟି ୟୁନିକର୍ନ ଥିବା ବେଳେ ଚୀନରେ ୭୭ଟି ୟୁନିକର୍ନ କମ୍ପାନୀ ରହିଛି। ଭାରତରେ ଏଭଳି ବର୍ଗର କମ୍ପାନୀଙ୍କ ସଂଖ୍ୟା ମାତ୍ର ୧୮। ଜର୍ମାନୀରେ ୬ଟି ୟୁନିକର୍ନ କମ୍ପାନୀ ଅଛନ୍ତି। ୨୦୦୮ରେ ଭାରତରେ ମାତ୍ର ୮ଟି ୟୁନିକର୍ନ କମ୍ପାନୀ ଥିଲା। ଆଉ ଗୋଟିଏ ବର୍ଷ ମଧ୍ୟରେ ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିପାରିଛି। ୟୁନିକର୍ନ କ୍ଳବ୍‌ରେ ସାମିଲ ହେବା ଦୌଡ଼ରେ ଭାରତ ଆମେରିକା ଠାରୁ ଦ୍ରୁତ ଗତିରେ ଆଗକୁ ବଢୁଛି। କିନ୍ତୁ ଚୀନ ଏପରି କ୍ଷେତ୍ରରେ ଭାରତ ଠାରୁ ଆଗରେ। ଗୋଟିଏ ଷ୍ଟାର୍ଟଅପ୍‌ କମ୍ପାନୀ ଭାରତରେ ୟୁନିକର୍ନ ହେବାକୁ ୫ରୁ ୭ ବର୍ଷ ଲାଗୁଥିବା ବେଳେ ଚୀନରେ ଏହା ୪ରୁ ୬ ବର୍ଷ ମଧ୍ୟରେ ହୋଇପାରୁଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।