ନିଆରା ମନ୍ଦିର: ଏଠି ଚିଠି ଲେଖି ନ୍ୟାୟ ମାଗନ୍ତି ଭକ୍ତ


ଭାରତୀୟ ସଂସ୍କୃତି ଓ ହିନ୍ଦୁଙ୍କ ଧାର୍ମିକ ସ୍ଥଳ ସାରା ବିଶ୍ବରେ ବ୍ୟାପି ରହିଛି। କିନ୍ତୁ ଉତ୍ତରାଖଣ୍ଡରେ ଥିବା ଏକ ମନ୍ଦିର ସବୁଠାରୁ ନିଆରା ଅଟେ। ଉତ୍ତରାଖଣ୍ଡକୁ ଦେବଭୂମି ବୋଲି ମଧ୍ୟ କୁହାଯାଏ। କାରଣ ଏଠାରେ ଦେବଦେବୀଙ୍କ ଅନେକ ଚମତ୍କାରୀ ମନ୍ଦିର ରହିଛି। ଏପରି ଏକ ମନ୍ଦିର ହେଉଛି ଗୋଲୁ ଦେବତା ମନ୍ଦିର, ଯେଉଁଠି ମାନସିକ ପୂରଣ କରିବା ଲାଗି ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଆସିଥାନ୍ତି। ଗୋଲୁ ଦେବତାଙ୍କୁ ସ୍ଥାନୀୟ ଲୋକେ ନ୍ୟାୟ ଦେବତା ବୋଲି ମାନନ୍ତି। ଏହି ମନ୍ଦିରର ମାନ୍ୟତା କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ବ୍ୟାପି ରହିଛି। ଚାଲନ୍ତୁ ଜାଣିବା ଏହି ମନ୍ଦିର ସମ୍ପର୍କରେ କେତେକ ରୋଚକ କଥା।

ଉତ୍ତରାଖଣ୍ଡରେ ଗୋଲୁ ଦେବତାଙ୍କ ଅନେକ ଗୁଡ଼ିଏ ମନ୍ଦିର ରହିଛି। କିନ୍ତୁ ସେମାନଙ୍କ ମଧ୍ୟରୁ ସବୁଠାରୁ ଲୋକପ୍ରିୟ ହେଉଛି ଅଲ୍‌ମୋଡା ଜିଲାରେ ଅବସ୍ଥିତ ଚିତଇ ଗୋଲୁ ଦେବତା ମନ୍ଦିର। ଏହି ଦେବତାଙ୍କୁ ରାଜବଂଶୀ ଦେବତା ବୋଲି ମଧ୍ୟ ସମ୍ବୋଧନ କରାଯାଏ। ଲୋକେ ଦୂରଦୂରାନ୍ତରୁ ପ୍ରାର୍ଥନା ଓ ମାନସିକ ପୂରଣ କରିବା ପାଇଁ ଏହି ମନ୍ଦିରକୁ ଆସିଥାନ୍ତି। ଏଠାରେ ସବୁ ସମୟରେ ଭକ୍ତଙ୍କ ଭିଡ଼ ଓ ଘଣ୍ଟିର ଶବ୍ଦରୁ ବୁଝି ହୁଏ ଯେ ଏହି ଦେବତା କେତେ ଲୋକପ୍ରିୟ।

ଗୋଲୁ ଦେବତାଙ୍କୁ ଉତ୍ତରାଖଣ୍ଡରେ ଶ୍ରଦ୍ଧାଳୁ ଅନେକ ନାମରେ ଡାକନ୍ତି। କେତେକ ଲୋକେ ଗୋଲୁ ଦେବତାଙ୍କୁ ଶିବ ଓ କୃଷ୍ଣଙ୍କ ଅବତାର ବୋଲି ମଧ୍ୟ କହନ୍ତି। ଏହି ମନ୍ଦିରର ବିଶେଷତ୍ବ ହେଉଛି ଶ୍ରଦ୍ଧାଳୁ ମାନସିକ ପୂରଣ କରିବା ଲାଗି ଭଗବାନଙ୍କୁ ଚିଠି ଲେଖନ୍ତି। କେବଳ ସେତିକି ନୁହେଁ, କେତେକ ଲୋକ ଷ୍ଟାମ୍ପ ପେପରରେ ନିଜ ମନୋକାମନା ଲେଖି ମଧ୍ୟ ନ୍ୟାୟ ମାଗନ୍ତି। ଯଦି ଶ୍ରଦ୍ଧାଳୁଙ୍କ ମନୋକାମନା ପୂରଣ ହୁଏ, ତେବେ ସେମାନେ ମନ୍ଦିର ଯାଇ ଘଣ୍ଟି ବାନ୍ଧନ୍ତି। ଏହି କାରଣରୁ ଏହି ମନ୍ଦିରରେ ଆପଣଙ୍କୁ ଲକ୍ଷ ଲକ୍ଷ ଘଣ୍ଟି ଘଣ୍ଟା ଦେଖିବାକୁ ମିଳିବ।

ଚିତଇ ଗୋଲୁ ମନ୍ଦିର ଅଲ୍‌ମୋଡାରୁ ୮ କିମି ଦୂର ପିଥୌରାଗଡ ହାଇୱେରେ ଅବସ୍ଥିତ। ଏହି ମନ୍ଦିରରେ ଧଳା ରଙ୍ଗର ଘୋଡ଼ାରେ ବସିଥିବା ତଥା ମସ୍ତକରେ ଧଳା ରଙ୍ଗର ପଗଡ଼ି ବାନ୍ଧିଥିବା ଗୋଲୁ ଦେବତାଙ୍କ ଅଦ୍ଭୁତ ପ୍ରତିମା ଦେଖିବାକୁ ମିଳିବ। ଯାହାଙ୍କ ହସ୍ତରେ ଧନୁ ମଧ୍ୟ ଶୋଭା ପାଉଛି। ଏହି ମନ୍ଦିର ଦର୍ଶନ କରିବା ଲାଗି ଆପଣଙ୍କୁ ବିହାରରୁ ସିଧା ଅଲ୍‌ମୋଡା ବସ୍‌ ମିଳିଯିବ। ଆପଣ ଚାହିଲେ କାର୍‌ ବୁକ୍‌ କରି ମଧ୍ୟ ଏଠାରେ ପହଞ୍ଚି ପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।