ବିଳମ୍ବରେ ହେଲା ହେରାପଞ୍ଚମୀ ନୀତି: ଆଜି ଦକ୍ଷିଣମୋଡ଼ ନେବେ ତିନି ରଥ


ପୁରୀ: ଆଡ଼ପ ମଣ୍ଡପରେ ଅବସ୍ଥାନ କରିଛନ୍ତି ଚତୁର୍ଦ୍ଧାବିଗ୍ରହ। ଗୁଣ୍ଡିଚା ମନ୍ଦିରରେ ଲାଗୁଛି ଭକ୍ତଙ୍କ ଗହଳି। ଜନ୍ମବେଦିରେ ଲୀଳାଖେଳା କରୁଛନ୍ତି ଦାରୁବିଗ୍ରହ। ମହାପ୍ରଭୁଙ୍କ ମାନବୀୟ ଲୀଳାର ଏକ ଅଂଶ ହେଉଛି ହେରାପଞ୍ଚମୀ ନୀତି। ସୋମବାର ଗୁଣ୍ଡିଚା ମନ୍ଦିରରେ ଏହି ନୀତି ସମ୍ପନ୍ନ ହୋଇଛି। ହେରାପଞ୍ଚମୀ ଅବସରରେ ଅଭିମାନିନୀ ମା’ ଲକ୍ଷ୍ମୀ ସାଆନ୍ତାଣି ରାଗ ତମ ତମ ହୋଇ ମହାପ୍ରଭୁ କାଳିଆ ସାଆନ୍ତଙ୍କର ନନ୍ଦିଘୋଷ ରଥ ଭାଙ୍ଗିଛନ୍ତି। ନବଦିନାତ୍ମକ ଯାତ୍ରାରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଆସିଛନ୍ତି କାଳିଆ ସାଆନ୍ତ। ହେଲେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଆଣି ନ ଥିବାରୁ ସେ ଅଭିମାନ କରିଛନ୍ତି। ଦଇତାପତି ସେବାୟତ ଓ ଜେଟିପି ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ହେରାପଞ୍ଚମୀ ନୀତିରେ ବିଳମ୍ବ ଅଭିଯୋଗ। ଶ୍ରୀଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ଧୂପ ଡକାଯିବା ପରେ ମଧ୍ୟ ଲକ୍ଷ୍ମୀ ଠାକୁରାଣୀଙ୍କ ବିଜେ ନୀତି ବିଳମ୍ବିତ ରାତିରେ ହୋଇଥିଲା।

ଋକ୍ମିଣୀ ହରଣ ଏକାଦଶୀରେ ବିବାହ ପରେ ମହାପ୍ରଭୁ ଚତୁର୍ଥୀ (ଚତୁର୍ଦ୍ଦଶୀ ତିଥି) ଦିନ ସ୍ନାନବେଦୀରେ ଅତ୍ୟଧିକ ସ୍ନାନ ଯୋଗୁ ଜ୍ୱରରେ ପଡ଼ି ଅଣସର ଘରେ ଥିଲେ। ଭଲ ହୋଇ ଅଣସର ଘରୁ ବାହାରି ଭାଇ-ଭଉଣୀଙ୍କୁ ଧରି ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବୁଲିବାକୁ ଚାଲି ଆସିଛନ୍ତି। ସେପଟେ ମା’ଲକ୍ଷ୍ମୀ ଠାକୁରାଣୀଙ୍କ ଅଙ୍ଗବାସରୁ ବିବାହ ଗଇଣ୍ଠାଳ ଫିଟିନି। ନବବିବାହିତା ମା’ଲକ୍ଷ୍ମୀ ଠାକୁରାଣୀ ୫ ଦିନର ବିରହ ବେଦନା ସହ୍ୟ କରି ନ ପାରି ମା’ ବିମଳାଙ୍କ ପରାମର୍ଶ କ୍ରମେ ସୋମବାର ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନ ଯାତ୍ରା କରିଛନ୍ତି। ଏହି ପରମ୍ପରା ଆଧାରରେ ସୋମବାର ବିଳମ୍ବିତ ରାତିରେ ହେରାପଞ୍ଚମୀ ନୀତି ପାଳିତ ହୋଇଛି। ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ ନ ପାଇବାରୁ ଅଭିମାନୀ ମା’ ଲକ୍ଷ୍ମୀ ଠାକୁରାଣୀ ଅପମାନ ଓ ରାଗରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭାଙ୍ଗିବା ସହ ନିରାଡ଼ମ୍ବର ଶୋଭାଯାତ୍ରାରେ ପୁନର୍ବାର ଶ୍ରୀମନ୍ଦିରକୁ ଫେରି ଆସିଛନ୍ତି।

ପରମ୍ପରା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ମା’ ଏକ ସ୍ୱତନ୍ତ୍ର ବିମାନରେ ଶ୍ରୀମନ୍ଦିରରୁ ବାହାରିଥିଲେ। ଘଣ୍ଟଘଣ୍ଟା, କାହାଳୀ ଶୋଭାଯାତ୍ରାରେ ବଡ଼ଦାଣ୍ଡ ଦେଇ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବା ପରେ ସେଠାରେ ନନ୍ଦିଘୋଷ ରଥ ନିକଟରେ ଦହିପଟି ମଣୋହି ନୀତି ସମ୍ପନ୍ନ ହୋଇଥିଲା। ପରେ ସିଂହଦ୍ୱାର ଦେଇ ମା’ ଲକ୍ଷ୍ମୀ ଜୟବିଜୟ ଦ୍ୱାର ନିକଟରେ ପହଞ୍ଚିଥିଲେ। ଏହି ସମୟରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ଚାଲିଥିବାରୁ ଜୟବିଜୟ ଦ୍ୱାର ନିକଟରେ ମା’ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ଆସିଥିଲେ ମଧ୍ୟ ଧୂପ ଚାଲିଥିବାରୁ ଦୁଇଟି ଯାକ ଦ୍ବାର ବନ୍ଦ କରି ଦିଆଯାଇଥିଲା। ଅପମାନରେ ଜର୍ଜ୍ଜରିତ ମା’ ଲକ୍ଷ୍ମୀ ନାକଚଣା ଦ୍ୱାର ଦେଇ ବାହାରି ଆସିବା ବେଳେ ରାଗ ତମତମ ହୋଇ ମହାପ୍ରଭୁଙ୍କ ରଥ ଭାଙ୍ଗି ଦେଇଥିଲେ। ଯେଉଁ ଘଣ୍ଟଘଣ୍ଟା, କାହାଳୀ ସହ ଶୋଭାଯାତ୍ରାରେ ଯାଇଥିଲେ, ଫେରିବା ସମୟରେ ଆଉ ସେଭଳି ପରିବେଶ ନ ଥିଲା। ରାଗରେ ବଡ଼ଦାଣ୍ଡ ବାଟେ ଶ୍ରୀମନ୍ଦିରକୁ ନ ଆସି ନିରାଡ଼ମ୍ୱର ପରିବେଶ ଭିତରେ ହେରାଗୋହିରି ସାହି ଦେଇ ଫେରିଥିଲେ। ବିଳମ୍ୱିତ ରାତିରେ ପୁନର୍ବାର ସିଂହଦ୍ୱାର ଦେଇ ମା’ ଶ୍ରୀମନ୍ଦିରକୁ ଫେରି ଯାଇଥିଲେ। ଫେରିବା ବାଟରେ ପନ୍ତି ଭୋଗ ଗ୍ରହଣ କରିଥିଲେ।

ଅନ୍ୟପକ୍ଷରେ ଆଉ ଦୁଇ ଦିନ ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଏବଂ ମା’ ସୁଭଦ୍ରା ଶ୍ରୀଗୁଣ୍ଡିଚା ମନ୍ଦିରରୁ ସିଂହଦ୍ୱାର ଅଭିମୁଖେ ବାହୁଡ଼ିବେ। ଏଥିପାଇଁ ସେବାୟତ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବାହୁଡ଼ା ପ୍ରସ୍ତୁତି। ରଥଯାତ୍ରାଠାରୁ ଉତ୍ତରମୁହାଁ ହୋଇ ରହିଥିବା ତିନି ରଥକୁ ଆଜି ଦକ୍ଷିଣ ମୋଡ଼ କରାଯିବ। ରଥ ଦକ୍ଷିଣ ମୋଡ଼ ପାଇଁ ବଡ଼ଦାଣ୍ଡରେ ବାଲି ବିଛାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଏଥି ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରିଛି। ମଧ୍ୟାହ୍ନ ସାଢ଼େ ୧୨ଟାରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ତିନି ରଥ ଦକ୍ଷିଣ ମୋଡ଼ ନେଇ ଶରଧାବାଲିରେ ବାହୁଡ଼ା ପାଇଁ ପ୍ରସ୍ତୁତ ହୋଇ ରହିବେ। ପରମ୍ପରା ଅନୁସାରେ ପ୍ରଥମେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ଼ ପାଇଁ ଶରଧାବାଲିକୁ ନିଆଯିବ। ଏହା ପରେ ବଡ଼ଠାକୁରଙ୍କ ତାଳଧ୍ୱଜ ରଥ ଓ ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଟାଣି ଦକ୍ଷିଣମୁଖୀ କରି ରଖାଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ