ଦୋସା କିଙ୍ଗ୍‌ଙ୍କ ଆବେଦନ ଖାରଜ. ତୁରନ୍ତ ଆତ୍ମସମର୍ପଣ ପାଇଁ ନିର୍ଦେଶ


ନୂଆଦିଲ୍ଲୀ: ଦୋସା କିଙ୍ଗ୍‌ ଭାବେ ପରିଚିତ ରେସ୍ତୋରାଁ ଚେନ୍‌ ସରଭନା ଭବନର ପ୍ରତିଷ୍ଠାତା ପି. ରାଜଗୋପାଲଙ୍କୁ ମଙ୍ଗଳବାର ସୁପ୍ରିମ୍‌କୋର୍ଟରୁ ନିରାଶ ହେବାକୁ ପଡ଼ିଛି। ଏହି ବ୍ୟବସାୟୀ ଜଣକଙ୍କ ବିରୋଧରେ ତାଙ୍କର ଜଣେ କର୍ମଚାରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ପ୍ରମାଣିତ ହୋଇଛି ଓ ତାଙ୍କୁ ସୁପ୍ରିମ୍‌କୋର୍ଟ ଆଜୀବନ କାରାଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି। ତେବେ ଶାରୀରିକ ଭାବେ ଅସୁସ୍ଥ ଥିବାରୁ ତାଙ୍କ କାରାଦଣ୍ଡାଦେଶ ସମୟକୁ ଘୁଞ୍ଚାଇବା ସକାଶେ ରାଜଗୋପାଲ ସୁପ୍ରିମ୍‌କୋର୍ଟଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ଏଥିସହ ତାଙ୍କୁ ତୁରନ୍ତ ଆତ୍ମସମର୍ପଣ କରିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି।

ଜଷ୍ଟିସ୍‌ ଏନ୍‌ଭି ରମନା ଆବେଦନକୁ ଖାରଜ କରିବା ସହ ଗତ ଜୁଲାଇ ୭ ତାରିଖରେ ତାଙ୍କର ଜାମିନ୍‌ ଅବଧି ପୂରଣ ହୋଇସାରିଥିବାରୁ ତୁରନ୍ତ ଆତ୍ମସମର୍ପଣ କରିବାକୁ ନିର୍ଦେଶ ଦେଇଛନ୍ତି। ଗତ ୨୦୦୯ରେ ରାଜଗୋପାଲଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ଜାମିନ୍‌ ଦିଆଯାଇଥିଲା। ଗତ ମାର୍ଚ୍ଚ ମାସରେ ସୁପ୍ରିମ୍‌କୋର୍ଟ ରାଜଗୋପାଲ ତାଙ୍କ କର୍ମଚାରୀ ସାନ୍ତାକୁମାରଙ୍କୁ ହତ୍ୟା କରିବା ଅପରାଧରେ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ। ଏହି ହତ୍ୟା ମାମଲାର ଶୁଣାଣି ଜଷ୍ଟିସ୍‌ ଏନ୍‌ଭି ରମନା, ଜଷ୍ଟିସ୍‌ ମୋହନ ଏମ. ସାନ୍ତାନାଗୌଦାର ଓ ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଗଠିତ ଖଣ୍ଡପୀଠ କରିଥିଲେ।

ଗତ ୨୦୦୧ରେ ରାଜଗୋପାଲ ତାଙ୍କ କର୍ମଚାରୀ ଶାନ୍ତାକୁମାରଙ୍କ ପତ୍ନୀ ଜୀବନଜ୍ୟୋତିଙ୍କୁ ବିବାହ କରିବା ଉଦ୍ଦେଶ୍ୟ ନେଇ ପ୍ରଥମେ ଶାନ୍ତାକୁମାରଙ୍କୁ ଅପହରଣ କରିବା ସହ ପରେ ହତ୍ୟା କରିଥିଲେ। ଜୀବନଜ୍ୟୋତିଙ୍କୁ ରାଜଗୋପାଲ ବିବାହ କରିବାକୁ ଚାହୁଁଥିଲେ ହେଁ ସେ ଏଥିରେ ରାଜି ହୋଇ ନ ଥିଲେ। ଫଳରେ ରାଜଗୋପାଲ ତାଙ୍କୁ ଓ ତାଙ୍କ ସ୍ବାମୀ ଶାନ୍ତାକୁମାରଙ୍କୁ ଧମକଚମକ ଦେବା ସହ ମାଡ଼ ମଧ୍ୟ ମାରିଥିଲେ। କିନ୍ତୁ ନିଜ ଉଦ୍ଦେଶ୍ୟରେ କୌଣସି ପ୍ରକାରେ ସଫଳ ହୋଇ ନ ପାରିବାରୁ ଶେଷରେ ରାଜଗୋପାଲ ତାଙ୍କର କେତେକ ଅନୁଗତଙ୍କ ମାଧ୍ୟମରେ ଶାନ୍ତାକୁମାରଙ୍କୁ ଜୀବନରୁ ଶେଷ କରିଦେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ