ତାତି ଛଡ଼ାଇନେବ ୩.୪ କୋଟି ଚାକିରି!


ନିକଟରେ ମିଳିତ ଜାତିସଙ୍ଘ ଏକ ରିପୋର୍ଟ ପ୍ରକାଶ କରିଛି। ସେଥିରେ ଜଳବାୟୁ ପରିବର୍ତ୍ତନକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ବିଶେଷ କରି ଭାରତରେ ବଢୁଥିବା ରୌଦ୍ରତାପ ଆଗାମୀ ଦିନରେ ଗରିବ ଓ ମେହନତୀ ଜନଗଣଙ୍କ ଜୀବନ ଓ ଜୀବିକା ଉପରେ ନକାରାତ୍ମକ ପ୍ରଭାବ ପକାଇବ ବୋଲି କୁହାଯାଇଛି। ରୌଦ୍ରତାପ କାରଣରୁ ୨୦୩୦ ମସିହା ସୁଦ୍ଧା ୩.୪ କୋଟି ଚାକିରିର ପରିସମାପ୍ତି ଘଟିବ ବୋଲି ଏହି ରିପୋର୍ଟରେ ପୂର୍ବାନୁମାନ କରାଯାଇଛି। ବଢୁଥିବା ରୌଦ୍ରତାପ ଶ୍ରମ ସମୟ ଓ ଉତ୍ପାଦନକୁ କମାଇ ଦେଇଛି। ଧୁ ଧୁ ତାତିରେ ୪୫-୫୦ ଡ଼ିଗ୍ରୀ ତାତିରେ ଶ୍ରମଜୀବୀ ମାନେ କାମ କରିବାକୁ ଯାଇପାରୁ ନାହାନ୍ତି। ନିର୍ଦ୍ଧାରିତ ସମୟରେ କାମ କରି ନ ପାରିଲେ ସେମାନଙ୍କ ଆୟ କମିଯାଉଛି ଓ ସ୍ୱାସ୍ଥ୍ୟ ବ୍ୟୟ ବଢ଼ିଯାଉଛି। ୪୦ ବର୍ଷ ତଳେ କୋରାପୁଟର ସେମିଳିଗୁଡ଼ା ପାହାଡ଼ ଉପରେ ଜଣେ ଶ୍ରମିକଙ୍କୁ ମେ ଓ ଜୁନ ମାସରେ ଦିନ ୧୨ଟା ବେଳକୁ କାମ କରୁଥିବାର ଦେଖାଯାଉଥିଲା। ଏବେ ଦିନ ୧୧ଟାରେ ଘରବାହାରେ ଦେଖିବାକୁ ମିଳୁନାହାନ୍ତି ଶ୍ରମିକ। ଚଳିତ ବର୍ଷ ଓଡ଼ିଶାର ତତଲାଗଡ଼ ବୋଲି କୁହାଯାଉଥିବା ଟିଟିଲାଗଡ଼ରେ ଏଭଳି ଦୃଶ୍ୟକୁ ସାମ୍ନା କରାଯାଇଛି।

ଆମ ଦେଶରେ ସବୁଠୁ ଅଧିକ ଲୋକ ଚାଷ କ୍ଷେତରେ କାମ କରିଥାନ୍ତି। ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ମାନେ ଶାରୀରିକ ଶ୍ରମ ନ କଲେ ନିଜ ପରିବାର ପ୍ରତିପୋଷଣ ବା କୁଆଡୁ କରିବେ? ଏଭଳି ବର୍ଗର ଲୋକେ ସକାଳୁ ସଞ୍ଜ ଯାଏ ଚାଷ କ୍ଷେତରେ କାମ କରନ୍ତି। ମଝିରେ ଖାଦ୍ୟ ଓ ବିଶ୍ରାମ ପାଇଁ ଖୁବ୍‌ କମ୍‌ ସମୟ ମିଳେ। ଶ୍ରମିକ ଜଣକର ଶ୍ରମ ସମୟ କମିଗଲେ ମାଲିକ ତା’ର ପ୍ରାପ୍ୟ ମଜୁରିରୁ ନିଶ୍ଚିତ କାଟି ନେଇଥାଏ। ରିପୋର୍ଟ ଦର୍ଶାଇଛି ଯେ ରୌଦ୍ରତାପ ବୃଦ୍ଧି କାରଣରୁ ଶ୍ରମିକମାନେ ଧାର୍ଯ୍ୟ କରାଯାଇଥିବା ସମୟ ଖଟି ପାରନ୍ତି ନାହିଁ। ଦିନ ୧୧ରୁ ୨ଟା ଯାଏ ଯେତେବେଳେ ପାରା ସର୍ବୋଚ୍ଚ ସ୍ତରରେ ଥାଏ, ସେତେବେଳେ ଏମାନେ କାମ ଉପରକୁ ଯାଇପାରନ୍ତି ନାହିଁ। ଏହି କାରଣରୁ କମ୍‌ ସମୟ ଖଟି କମ୍‌ ମଜୁରି ପାଇଥାନ୍ତି। ମିଳିତ ଜାତିସଙ୍ଘର ଏହି ରିପୋର୍ଟରୁ ସ୍ପଷ୍ଟ ଯେ ଜଳବାୟୁ ପରିବର୍ତ୍ତନର ବଡ଼ ପ୍ରଭାବ ନିର୍ମାଣ ଶ୍ରମିକ, କୃଷକ, ବୁଲା ବେପାରୀ, ଠିକା କର୍ମଚାରୀ, ବୀମା ଏଜେଣ୍ଟ ଓ ଅନ୍ୟାନ୍ୟ ଶ୍ରମଜୀବୀଙ୍କ ଉପରେ ପଡ଼ିବ। ଭାରତରେ ୯୦ ପ୍ରତିଶତ ଶ୍ରମିକ ଅସଂଗଠିତ କ୍ଷେତ୍ରରେ କାମ କରିଥାନ୍ତି। ଯେଉଁଥିରେ ଚାଷ ଓ କୋଠାନିର୍ମାଣ ଭଳି କ୍ଷେତ୍ର ଗୁଡ଼ିକ ସାମିଲ। ଏହି କ୍ଷେତ୍ରରେ କାମ କରୁଥିବା ଶ୍ରମିକ ଓ ଚାଷୀ ଖରାତାତି ଓ ଝାଞ୍ଜି ପବନ ସହିତ ଦିନସାରା ସଂଘର୍ଷ କରିଥାନ୍ତି। ରିପୋର୍ଟ ଅନୁଯାୟୀ ଖରାତାତି ବଢୁଥିବା କାରଣରୁ ସାରା ବିଶ୍ୱରେ ଶ୍ରମ ସମୟର ୨.୨ ପ୍ରତିଶତ ହ୍ରାସ ପାଇବ। ଏହାର ସବୁଠୁ ଅଧିକ ପ୍ରଭାବ ଭାରତ ଉପରେ ପଡ଼ିବ। ଏହି କ୍ରମରେ ୧୯୯୫ରେ ଭାରତରେ ଶ୍ରମ ସମୟର ୪.୩ ପ୍ରତିଶତ ହ୍ରାସ ଘଟିଥିଲା। କିନ୍ତୁ ୨୦୩୦ ସୁଦ୍ଧା ଏହି ପରିମାଣ ୫.୮ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିବାର ଆଶଙ୍କା ରହିଛି। ଗ୍ରୀଷ୍ମ ପ୍ରବାହ କାରଣରୁ କାମର ଉପଲବ୍ଧତା ଓ କାମ ଚାହୁଁଥିବା ଶ୍ରମିକଙ୍କ ସଂଖ୍ୟା କମୁଥିବା ଏହି ରିପୋର୍ଟ କହିଛି। ଭାରତରେ କୋଟିଏରୁ ଅଧିକ ଲୋକ ଇଟାଭାଟିରେ କାମ କରନ୍ତି। କାମ ପାଇଁ ଏମାନେ ନିଜ ଗାଁ ଛାଡ଼ି ପ୍ରବାସୀ ହୁଅନ୍ତି। ଘର ଛାଡ଼ି ଖୋଲା ଆକାଶ ତଳେ ତମ୍ବୁ ଟାଣି ତା’ ଭିତରେ ରହନ୍ତି। ମୁଣ୍ଡ ଉପରେ ତାତି ଓ ପାଦ ତଳେ ତାତି। ଜଳନ୍ତା ଇଟାଭାଟି ନିକଟରେ ଏମାନଙ୍କ ଜୀବିକା। କେବଳ ଶ୍ରମିକ ଏକାକୀ ନୁହେଁ, ତା’ରି ପିଲାଛୁଆ ଓ ପରିବାର ମଧ୍ୟ ଅସହ୍ୟ ଗରମ ଓ ଝାଞ୍ଜି ପବନ ସହିତ ସଂଘର୍ଷ କରିଥାନ୍ତି।

ଏବେ କିଛି ବର୍ଷ ହେଲା ଖରାଦିନେ ଏହି ଶ୍ରମିକ ମାନଙ୍କ ଶ୍ରମ ସମୟ ଖସିଆସିଛି। ଏବେ ଦେଶରେ ପ୍ରାୟ ୧୪ରୁ ୧୫ ପ୍ରତିଶତ ଘରେ ଶୀତ ତାପ ନିୟନ୍ତ୍ରିତ ବ୍ୟବସ୍ଥା ରହିଛି। ଆଗକୁ ଆହୁରି ଅଧିକ ଘରେ ଏପରି ବ୍ୟବସ୍ଥା ହେବ। ଏପରି ହେଲେ ମଧ୍ୟବିତ୍ତ ବର୍ଗଙ୍କ ରୋଜଗାର ଘରକୁ ଥଣ୍ଡା କରିବାରେ ଚାଲିଯିବ। ବିକାଶଶୀଳ ଦେଶଗୁଡ଼ିକର ଅର୍ଥ ବ୍ୟବସ୍ଥା ଉପରେ ପ୍ରଭାବ ପଡ଼ିବ। ଧନୀ ଓ ଗରିବଙ୍କ ଆୟ ଉପରେ ବଡ଼ ଧରଣର ପ୍ରଭାବ ପଡ଼ିବ। ଧନୀକ ବର୍ଗ ଥଣ୍ଡା ଘରେ ବସି ତା’ର ଜୀବିକାକୁ ସମ୍ଭାଳି ନେବା ବେଳେ କୋଟି କୋଟି ଗରିବ ଅସଂଗଠିତ ଶ୍ରମଜୀବୀ, ଡ୍ରାଇଭର, ଟେଲର, ନିର୍ମାଣ ଶ୍ରମିକ, ଚାଷୀ, କ୍ଷୁଦ୍ର ବ୍ୟବସାୟୀଙ୍କ ଜୀବିକାକୁ ତାତି ଛଡ଼ାଇନେବ। ସେମାନେ ପ୍ରବଳ ତାତିରେ କାମ କରିବେ ନାହିଁ କିମ୍ବା ସେମାନଙ୍କୁ କାମ ମିଳିବ ନାହିଁ। ଯେଉଁ ମାନେ କାମ ପାଇବେ, ସେମାନଙ୍କ ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ବ୍ୟୟଭାର ବଢ଼ିବ ବୋଲି ଏହି ରିପୋର୍ଟ ସତର୍କ କରାଇଦେଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ