ଲଗାତର ପଞ୍ଚମ ମାସରେ ଉତ୍ପାଦନ କମାଇଲା ମାରୁତି ସୁଜୁକି


ଦେଶର ସର୍ବବୃହତ୍‌ ଚାରିଚକିଆ ଯାନ ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ (ଏମ୍‌ଏସ୍‌ଆଇ) ଲଗାତର ପଞ୍ଚମ ବର୍ଷ ପାଇଁ ଉତ୍ପାଦ କମାଇଛି। ପୂର୍ବ ଚାରି ମାସ ପରି ଗତ ଜୁନ୍‌ ମାସରେ ବି କମ୍ପାନୀ ପୂର୍ବାପେକ୍ଷା ଯଥେଷ୍ଟ କମ୍ ସଂଖ୍ୟାରେ ଚାରିଚକିଆ ଯାନ ନିର୍ମାଣ କରିଛି ବୋଲି ଏକ ନିୟମିତ ଫାଇଲିଂରୁ ସ୍ପଷ୍ଟ ହୋଇଛି। ଏ ସଂକ୍ରାନ୍ତରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଗତ ମାସରେ ସୁପର୍‌ କ୍ୟାରି ଏଲ୍‌ସିଭି ବର୍ଗରେ ପାଖାପାଖି ୧୫.୬ ପ୍ରତିଶତ କମ୍‌ ଯାନ ଉତ୍ପାଦନ କରାଯାଇଛି। ଅର୍ଥାତ୍‌ ଗୋଟିଏ ମାସ ତଳେ ଜୁନ୍‌ ମାସରେ ୧ ଲକ୍ଷ ୩୨ ହଜାର ୬୧୬ଟି ଗାଡ଼ି ଉତ୍ପାଦନ କରାଯାଇଥିବା ବେଳେ ଚଳିତ ବର୍ଷ ଜୁନ୍‌ରେ ଏହା ୧ ଲକ୍ଷ ୧୧ ହଜାର ୯୧୭କୁ ହ୍ରାସ ପାଇଛି।

ସେହିପରି ଯାତ୍ରୀବାହୀ ଯାନ ଉତ୍ପାଦନରେ ମଧ୍ୟ ୧୬.୩୪ ପ୍ରତିଶତ ହ୍ରାସ ଘଟିଛି। ଗତ ବର୍ଷ ଜୁନ୍‌ ମାସରେ କମ୍ପାନୀ ପକ୍ଷରୁ ୧ ଲକ୍ଷ ୩୧ ହଜାର ୬୮ଟି ଯାତ୍ରୀବାହୀ ଯାନ ନିର୍ମାଣ କରାଯାଇଥିବା ବେଳେ ଚଳିତ ବର୍ଷ ଜୁନ୍‌ରେ ଏହା ୧ ଲକ୍ଷ ୯ ହଜାର ୬୪୧ଟି ଗାଡ଼ିକୁ ହ୍ରାସ ପାଇଛି। ଅଧିକନ୍ତୁ କ୍ଷୁଦ୍ର କାର୍‌ ନିର୍ମାଣ କ୍ଷେତ୍ରରେ ଉତ୍ପାଦନ ବିଶେଷ ଭାବେ ହ୍ରାସ ପାଇଛି। କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, ଗତ ବର୍ଷ ୨୯ ହଜାର ୧୩୧ଟି ଗାଡ଼ି ଉତ୍ପାଦିତ ହୋଇଥିବା ବେଳେ ଚଳିତ ବର୍ଷ ଜୁନ୍‌ରେ ଏହାଠାରୁ ୪୮.୨ ପ୍ରତିଶତ କମ୍‌ ଅର୍ଥାତ୍‌ ୧୫ ହଜାର ୮୭ଟି କ୍ଷୁଦ୍ର ଯାନ ନିର୍ମାଣ କରାଯାଇଛି। ଏହାଛଡ଼ା କମ୍ପାକ୍ଟ ସେଗ୍‌ମେଣ୍ଟ୍‌ କାର୍‌ ଯଥା ୱାଗନ୍‌ଆର୍‌, ସ୍ବିଫ୍ଟ ଓ ଡିଜାୟର୍‌ ଆଦି କ୍ଷେତ୍ରରେ ୧.୪୬ ପ୍ରତିଶତ ହ୍ରାସ ଘଟିଛି। ଗତ ୨୦୧୮ ଜୁନ୍‌ରେ ଏହି ସେଗ୍‌ମେଣ୍ଟ୍‌ କାର୍‌ ଉତ୍ପାଦନ ପରିମାଣ ୬୭ ହଜାର ୪୨୬ ଥିବା ବେଳେ ବେଳେ ଗତ ଜୁନ୍‌ରେ ଏହା ୬୬ ହଜାର ୪୩୬ରେ ପହଞ୍ଚିଛି।

ଆହୁରି ମଧ୍ୟ କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, ଏମ୍‌ଏସ୍‌ଆଇ ତା’ର ୟୁଟିଲିଟି ଭେହିକିଲ୍‌ ଉତ୍ପାଦନ ପରିମାଣରେ ୫.୨୬ ପ୍ରତିଶତ ହ୍ରାସ କରାଯାଇଛି। ଗତ ବର୍ଷ ଜୁନ୍‌ରେ ୧୮ ହଜାର ୨୩ଟି ୟୁଟିଲିଟି ଭେହିକିଲ୍‌ର ଉତ୍ପାଦନ କରାଯାଇଥିଲେ ହେଁ ଚଳିତ ବର୍ଷ ଜୁନ୍‌ରେ ଏହି ପ୍ରକାର ଚାରିଚକିଆ ଯାନର ଉତ୍ପାଦନ ସଂଖ୍ୟା ୧୭ ହଜାର ୭୪କୁ ହ୍ରାସ ଘଟିଛି। ସେହିପରି ୨୦୧୮ ଜୁନ୍‌ରେ ଭ୍ୟାନ୍‌ ଉତ୍ପାଦନ ପରିମାଣ ୧୧ ହଜାର ୭୮୭ ରହିଥିବା ବେଳେ ଚଳିତ ବର୍ଷ ଜୁନ୍‌ରେ ଏହା ୨୭.୮୭ ପ୍ରତିଶତ କମି ୮ ହଜାର ୫୦୧ରେ ପହଞ୍ଚିଛି। ସୂଚନାଯୋଗ୍ୟ ଯେ ଗତ ମେ’ରେ କମ୍ପାନୀ ପକ୍ଷରୁ ପୂର୍ବ ବର୍ଷ ତୁଳନାରେ ୧୮ ପ୍ରତିଶତ ଓ ଏପ୍ରିଲ୍‌ ମାସରେ ପୂର୍ବ ବର୍ଷ ତୁଳନାରେ ୧୦ ପ୍ରତିଶତ ଉତ୍ପାଦନ ହ୍ରାସ କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।