ଓଡ଼ିଶାରେ ନ୍ୟାୟ ବିଳମ୍ବିତ: ବିଚାରାଧୀନ ମାମଲାରେ ଶୀର୍ଷରେ

ବିକାଶ ବାଧାପ୍ରାପ୍ତ, ତ୍ବରିତ୍‌ ପଦକ୍ଷେପ ନେବାକୁ ପରାମର୍ଶ

କୁହାଯାଏ, ବିଳମ୍ବିତ ନ୍ୟାୟ ନ୍ୟାୟ ନୁହେଁ। ଏହି ପରିପ୍ରେକ୍ଷୀରେ ଏବେ ସାରା ବିଚାରାଧାନୀ ମାମଲା ରହିଥିବା ସଦ୍ୟ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପରୋକ୍ଷରେ ଏହା ରାଜ୍ୟର ବିକାଶରେ ବିରାଟ ପ୍ରତିବନ୍ଧକ ସାଜିଛି। ସମୟ ଓ ଅର୍ଥର ଅପଚୟ ହେବା ସହ ନିର୍ଦ୍ଦୋଷ ଜନସାଧାରଣ ସଠିକ ସମୟରେ ନ୍ୟାୟ ପାଉ ନ ଥିବାରୁ ସମାଜରେ ନ୍ୟାୟିକ ବ୍ୟବସ୍ଥାର ଗୁରୁତ୍ବ ଦିନକୁ ଦିନ କମି କମି ଯାଉଛି। ଏପରିସ୍ଥଳେ ଏ ଦିଗରେ ତ୍ବରିତ ପଦକ୍ଷେପ ନିଆଯିବାକୁ ପରାମର୍ଶ ଦିଆଯାଇଛି। ଏହାକୁ ହାଲୁକା ଭାବେ ଗ୍ରହଣ କଲେ ଆଗାମୀ ସମୟରେ ଯେ ରାଜ୍ୟ ବିପର୍ଯ୍ୟୟର ସମ୍ମୁଖୀନ ହେବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।

ଗୁରୁବାର ସଂସଦରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ  ରିପୋର୍ଟ ୨୦୧୯ । ଏହି ରିପୋର୍ଟ  ଅନୁଯାୟୀ ଅଦାଲତରେ ବିଚାରାଧୀନ ମାମଲା ସଂଖ୍ୟାରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥାନ ଶୀର୍ଷରେ ରହିଛି। ଗତ ମେ ୩୧ ସୁଦ୍ଧା ୬୪ ପ୍ରତିଶତ ଉଭୟ ଦେୱାନୀ ଓ ଫୌଜଦାରୀ ମାମଲା ତିନି ବର୍ଷରୁ ଅଧିକ ସମୟ ଧରି ରାଜ୍ୟର ବିଭିନ୍ନ ଅଦାଲତରେ ବିଚାର ଅପେକ୍ଷାରେ ପଡ଼ିରହିଛି। ୨୦୧୮ରେ ପୁରୁଣା ମାମଲା ସଂଖ୍ୟାର ମାତ୍ର ୬୨.୧୮ ପ୍ରତିଶତ ମାମଲାରେ ଫଇସଲା ହୋଇଛି। ଅଦାଲତ ମାମଲା ପରିଚାଳନା ପ୍ରସଙ୍ଗରେ ଓଡ଼ିଶା ସମେତ ଉତ୍ତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ଆଦି ରାଜ୍ୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ସହ ଅତିରିକ୍ତ ବିଚାରପତି ନିଯୁକ୍ତି କରିବାକୁ ସର୍ଭେ ରିପୋର୍ଟରେ କୁହାଯାଇଛି। ବର୍ଷ ବର୍ଷ ଧରି ବିଚାରପତି ସଂଖ୍ୟାରେ ସୁଧାର ଅଣାଯାଇ ପାରିଲା ନାହିଁ। ବିଚାରାଳୟ ଗୁଡ଼ିକରେ ବିଚାରପତିଙ୍କ ସଂଖ୍ୟା ପୂରଣ ହେଉ ନ ଥିବାରୁ ମାମଲା ଗୁଡ଼ିକ ବିଳମ୍ବିତ ହୋଇଛି ଓ ବିକାଶ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି।

ଅଦ୍ୟାବଧି ଓଡ଼ିଶା ହାଇକୋର୍ଟରେ ୧ ଲକ୍ଷ ୬୦ ହଜାର ମାମଲା ପଡ଼ିରହିଛି। ଓଡ଼ିଶା ହାଇକୋର୍ଟରେ ୨ ହଜାର ଫୌଜଦାରୀ ଆବେଦନ, ୬ ହଜାର ମୋଟର ଦୁର୍ଘଟଣା ମାମଲା, ୨ ହଜାର ୨୦୦ ରିଟ୍‌, ଅଢ଼େଇ ହଜାର ସେକେଣ୍ଡ ଅପିଲ, ୨ ହଜାର ରିଭ୍ୟୁ ପିଟିସନ, ୭୮୦ ହେବିୟସ କର୍ପସ, ଦେଢ଼ ହଜାର ବାଣିଜ୍ୟ କର,  ୪ ହଜାରରୁ ଅଧିକ ନିୟମିତ ଜାମିନ ମାମଲା, ଦୁଇ ହଜାରରୁ ଅଧିକ ମିସେଲାନିୟସ ମାମଲା, ୪ ହଜାର ଅଦାଲତ ଅବମାନନା ମାମଲା, ୯ ହଜାର କ୍ରିମିନାଲ ମାମଲା ପଡ଼ିରହିଛି। ୯ ହଜାର ଫୌଜଦାରି ମାମଲାରେ ହାଇକୋର୍ଟ ଭାରାକ୍ରାନ୍ତ ହୋଇଛି। ସମ୍ବିଧାନର ଧାରା ୨୨୬ ଓ ୨୨୭ ଆଧାରରେ ୬୭ ହଜାର ରିଟ୍‌ ଅପିଲ ଭଳି ବହୁ ମାମଲା ପଡ଼ିରହିଛି। ଉଚ୍ଚ ନ୍ୟାୟାଳୟକୁ ବାଦ ଦେଲେ ରାଜ୍ୟର ବାକି ନ୍ୟାୟାଳୟ ଗୁଡ଼ିକରେ ଲକ୍ଷାଧିକ ମାମଲା ଶୁଣିବାକୁ କେହି ନାହାନ୍ତି। ଏ ସମ୍ପର୍କରେ ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ନିକଟରେ ପ୍ରଧାନମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବା ଏବଂ ହାଇକୋର୍ଟ ବିଚାରପତିଙ୍କ ଅବସର ବୟସ ୬୫କୁ ବୃଦ୍ଧି କରିବାକୁ ପତ୍ର ଲେଖିଛନ୍ତି। ଭାରତୀୟ ସମ୍ଭିଧାନର ୨୨୪ (୩ ) ଓ ୧୨୪ (୨)  ଧାରା ଅନୁଯାୟୀ ହାଇକୋର୍ଟ ବିଚାରପତିଙ୍କ ଅବସର ବୟସ ୬୨ ଥିବା ବେଳେ ସୁପ୍ରିମକୋର୍ଟ ବିଚାରପତିଙ୍କ ଅବସର ବୟସ ହେଉଛି ୬୫ ବର୍ଷ ରହିଛି। ସୁପ୍ରିମକୋର୍ଟରେ ଏବେ ୩୧ ଜଣ ବିଚାରପତି ଅଛନ୍ତି। ଏହାକୁ ବୃଦ୍ଧି କରିବାକୁ ସମ୍ଭିଧାନ ସଂଶୋଧନର ଆବଶ୍ୟକତା ରହିଛି।

ତିନି ଦଶନ୍ଧି ତଳେ ୧୯୮୮ ମସିହାରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ୧୮ରୁ ୨୬ ଓ  ୨୦୦୯ରେ ୨୬ରୁ ୩୧କୁ ବଢିଥିଲା। ୨୦୦୯ ପରଠାରୁ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଇ ନାହିଁ। ଏବେ ଆମ ଦେଶରେ ୨୪ଟି ହାଇକୋର୍ଟରେ ୩୪ ଲକ୍ଷ ମାମଲା ବିଚାର ନ ହୋଇ ପଡ଼ିରହିଛି। ବିଭିନ୍ନ ହାଇକୋର୍ଟରେ ୩୯୯ ବିଚାରପତି ପଦବୀ ଅର୍ଥାତ ୩୭ ପ୍ରତିଶତ ପଦବି ଖାଲିପଡ଼ିଛି। ଏତେ ସଂଖ୍ୟକ ପଦବି ଖାଲି ପଡ଼ିଥିବାରୁ ଦ୍ୱାର ମୁହଁରେ ନ୍ୟାୟ ପ୍ରଦାନ କେବଳ ଭାଷଣରେ ସୀମିତ ରହିଛି। ଗରିବ ଜନଗଣ ନ୍ୟାୟ ପାଇବା ଆଶାରେ ଅଦାଲତର ଶରଣାଗତ ହେଉଛନ୍ତି। କିନ୍ତୁ ଶୁଣାଣି ବଦଳରେ ତାଙ୍କୁ ତାରିଖ ପରେ ତାରିଖ ମିଳୁଛି ବୋଲି କହିଛନ୍ତି ଆଇନଜୀବୀ ଗଙ୍ଗାଧର ତ୍ରିପାଠୀ। କେବଳ ନ୍ୟାୟାଳୟ ଖୋଲା ଗଲେ ଓ ଅଧିକ ବିଚାରପତି ନିଯୁକ୍ତ କରିଦେଲେ ଯେ ମାମଲା ଗୁଡ଼ିକର ତ୍ୱରିତ ବିଚାର ହୋଇଯିବ ଏହା ଆଶା କରାଯାଇ ନ ପାରେ। କେଉଁ କାରଣରୁ ମାମଲା ଗୁଡ଼ିକ ବିଳମ୍ବିତ ହେଉଛି ତାହାର କାରଣ ଜଣାଯିବାର ଆବଶ୍ୟକତା ରହିଛି ବୋଲି ଆଇନ ପରାମର୍ଶ ଦେଉଥିବା ‘କ୍ଳାପ’ର ମୁଖ୍ୟ ତଥା ବରିଷ୍ଠ ଆଇନଜୀବୀ ବିକାଶ ଦାସ କହନ୍ତି। ତେବେ ଦୀର୍ଘଦିନ ଧରି ଶୁଣାଣି ନ ହୋଇ ପଡ଼ିରହୁଥିବା ମାମଲା ସଂଖ୍ୟାରେ ଓଡ଼ିଶା ଆଗରେ ରହିବା ଏକ ଦୁର୍ଭାଗ୍ୟଜନକ ଘଟଣା। ତୁଳନାତ୍ମକ ଭାବେ ଓଡ଼ିଶା ଅନେକ ରାଜ୍ୟ ଠାରୁ ପଛରେ। ରାଜ୍ୟର ଆର୍ଥିକ ସ୍ଥିତି ବି ଭଲ ନାହିଁ। ଜଣେ ଏଭଳି କ୍ଷେତ୍ରରେ  ବାରମ୍ବାର ଅଦାଲତ ଦୌଡ଼ିବା କେବଳ ବ୍ୟୟସାପେକ୍ଷ ନୁହେଁ, ଶ୍ରମ ଓ ଅନ୍ୟାନ୍ୟ ସମ୍ବଳର ଅପଚୟ ନିଶୟ। ମାମଲା ଗୁଡ଼ିକର କିଭଳି ତ୍ୱରିତ ଶୁଣାଣି ହୋଇପାରିବ, ସେ ବାବଦରେ ରାସ୍ତା ବାହାରିବା ଉଚିତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।