ବିଦେଶରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ସଙ୍କଟରେ ସରକାର


ଗତ ୧୨ ମେ ୨୦୧୮ରେ କର୍ଣ୍ଣାଟକ ବିଧାନସଭା ପାଇଁ ନିର୍ବାଚନ ହୋଇଥିଲା। ଏଥିରେ ୧୯୫୨ ମସିହା ପରଠାରୁ ସର୍ବାଧିକ ୭୨ରୁ ଅଧିକ ପ୍ରତିଶତ ମତଦାନ ହୋଇଥିଲା। ଜନତା ଗୋଟିଏ ନିର୍ଦ୍ଧିଷ୍ଟ ଦଳକୁ ବିପୁଳ ଭୋଟ ଦେଇଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ସମସ୍ତ ଆକଳନକୁ ଭୁଲ୍‌ ସାବ୍ୟସ୍ତ କରାଇଥିଲା ଏହାର ଫଳାଫଳ। ୧୫ ତାରିଖରେ ପ୍ରକାଶ ପାଇଥିବା ନିର୍ବାଚନ ଫଳରେ କାହାରିକୁ ସଂଖ୍ୟାଗରିଷ୍ଠତା ମିଳି ନ ଥିଲା। ବେଶ୍‌ କିଛିଦିନ ଧରି କର୍ଣ୍ଣାଟକରେ ମହାନାଟକ ଦେଖିବାକୁ ମିଳିଥିଲା। ଶେଷରେ କଂଗ୍ରେସ ସହ ମିଶି ଜେଡି(ଏସ୍‌) ସରକାର ଗଢ଼ିଥିଲା ଓ ଆଶା କରାଯାଉଥିଲା ଯେ ମେଣ୍ଟ ସରକାର ଚାଲିବ। ନରେନ୍ଦ୍ର ମୋଦି ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ କର୍ଣ୍ଣାଟକର ମେଣ୍ଟ ସରକାରକୁ ନ ଭାଙ୍ଗିବା ପାଇଁ ବିଜେପିର ମୁଖ୍ୟମନ୍ତ୍ରୀ ଦାବିଦାର ୟେଦୁରପ୍ପାଙ୍କୁ ତାଗିଦ୍‌ କରିଥିଲେ। ମେଣ୍ଟ ସରକାର ହେବାର ଦେଢ଼ ବର୍ଷ ଯାଇନି ଏବେ ପୁଣି ଘନେଇଛି ସଙ୍କଟ।

କଂଗ୍ରେସ ଓ ଜେଡିଏସର ଉଭୟ ଦଳରୁ ୧୨ ଜଣ ବିଧାୟକ ଶନିବାର ବାଚସ୍ପତିଙ୍କୁ ଭେଟି ଇସ୍ତଫା ଦେବାକୁ ଚେଷ୍ଟା କରିଥିଲେ। ବାଚସ୍ପତି ନ ଥିବାରୁ ସେମାନେ ରାଜ୍ୟପାଳଙ୍କୁ ସେମାନଙ୍କ ଇସ୍ତଫାପତ୍ର ଦେଇଥିବା ଚର୍ଚ୍ଚା ହେଉଛି। ତେବେ ଏହା ସୋମବାର ସ୍ପଷ୍ଟ ହେବ। ଏହା ଫଳରେ କର୍ଣ୍ଣାଟକର ମେଣ୍ଟ ସରକାର ବିଧାନସଭାରେ ଆବଶ୍ୟକ ସଂଖ୍ୟା ହରାଇବେ। ଏଥିରେ କଂଗ୍ରେସର ୯ ଜଣ ଓ ଜେଡି(ଏସ୍‌)ର ୩ ଜଣ ବିଧାୟକ ଅଛନ୍ତି। ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ଆମେରିକା ଗସ୍ତରେ ଅଛନ୍ତି। ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ମଧ୍ୟ ରାଜ୍ୟ ବାହାରେ ଥିବା ସୂଚନା ମିଳିଛି। ଏପରିସ୍ଥଳେ କର୍ଣ୍ଣାଟକ ସରକାରରେ ସଙ୍କଟ ଭିନ୍ନମୋଡ଼ ନେଉଛି।

କର୍ଣ୍ଣାଟକ ବିଧାନସଭାରେ ୨୨୫ ଆସନ ମଧ୍ୟରୁ ବିଜେପିର ୧୦୫ ଜଣ ବିଧାୟକ ଥିବା ବେଳେ କଂଗ୍ରେସର ୭୮ ଜଣ, ଜେଡି(ଏସ୍‌)ର ୩୭ ଜଣ ବିଧାୟକ ଅଛନ୍ତି। ବିଏସ୍‌ପିର ଜଣେ ବିଧାୟକ ଅଛନ୍ତି। କଂଗ୍ରେସ ଓ ଜେଡି(ଏସ୍‌) ମିଶି ମେଣ୍ଟ ସରକାର କରିଥିବା ବେଳେ ଏହାକୁ ବିଏସ୍‌ପିର ସମର୍ଥନ ମିଳିଛି। ପୂର୍ବରୁ କଂଗ୍ରେସର ଦୁଇ ଜଣ ବିଧାୟକ ଇସ୍ତଫା ଦେଇସାରିଛନ୍ତି। ଶନିବାର ୧୨ ଜଣ ବିଧାୟକ ବାଚସ୍ପତିଙ୍କୁ ଭେଟି ଇସ୍ତଫାପତ୍ର ଦେବାକୁ ଯାଇଥିଲେ। ବାଚସ୍ପତି ନ ଥିବାରୁ ଇସ୍ତଫା ପତ୍ର ଦେଇ ପାରି ନ ଥିବା ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଆମେରିକା ଗସ୍ତକୁ ବାତିଲ କରି ରବିବାର ବେଙ୍ଗାଳୁରୁ ଫେରୁଥିବା ଜଣାଯାଇଛି। କଂଗ୍ରେସ ପାଇଁ ଏହା ଆଉ ଏକ ସମସ୍ୟା ଭାବେ ଛିଡ଼ା ହୋଇଛି। ପୁଣି ଗୋଟିଏ ରାଜ୍ୟ ହାତରୁ ଯିବାକୁ ବସିଛି। ଏଥର ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ବିପର୍ଯ୍ୟୟ ପରେ ରାହୁଲ ଗାନ୍ଧି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ନେଇ ଜିଦ୍‌ ଧରି ବସିଛନ୍ତି। ଇସ୍ତଫାପତ୍ର ଫେରାଇବେ ନାହିଁ ବୋଲି ସେ ସ୍ପଷ୍ଟ ମନା କରିଦେଇଛନ୍ତି। ଦଳ ପକ୍ଷରୁ ତାଙ୍କ ଉପରେ ଯେତେ ଚାପ ପକାଗଲେ ବି ତାଙ୍କ ଉପରେ କୌଣସି ପ୍ରଭାବ ପଡୁନାହିଁ। ନୂତନ ଅଧ୍ୟକ୍ଷ ବାଛିବା ପାଇଁ କସରତ ଚାଲିଛି। ଫଳରେ କଂଗ୍ରେସ ଭିତରେ ଏକ ଅନିଶ୍ଚିତତାର ବାତାବରଣ ସୃଷ୍ଟି ହୋଇଛି। ଦଳର ଉପର ସ୍ତରରେ ଏବେ କେହି କିଛି ବୁଝିବା ସ୍ଥିତିରେ ନାହାନ୍ତି। କୌଣସି ସ୍ଥାନରେ ସଙ୍କଟ ଦେଖା ଦେଲେ କିପରି ତାହାର ସମାଧାନ କରାଯିବ ସେଥିନେଇ ମଧ୍ୟ କେହି ଚିନ୍ତିତ ନୁହନ୍ତି। ରାହୁଲ ଦଳର କୌଣସି ଘଟଣାରେ ଆଉ ମୁଣ୍ଡ ଖେଳାଉ ନାହାନ୍ତି। ଏ କ୍ଷେତ୍ରରେ ଦଳକୁ ଏକାଠି ରଖିବା କଷ୍ଟକର ହୋଇପଡିଛି।

ଏଣୁ କର୍ଣ୍ଣାଟକରେ ୧୨ ଜଣ ବିଧାୟକଙ୍କ ଇସ୍ତଫା ଗୃହୀତ ହେଲେ ସରକାର ଭାଙ୍ଗିବା ଏକ ପ୍ରକାର ନିଶ୍ଚିତ। କର୍ଣ୍ଣାଟକରେ ୨୨୪ ନିର୍ବାଚିତ ବିଧାୟକ ଓ ଜଣେ ମନୋନୀତ ବିଧାୟକଙ୍କୁ ମିଶାଇ ୨୨୫ ଆସନ ରହିଛି। କଂଗ୍ରେସ ୭୯, ଜେଡି(ଏସ୍‌) ୩୭, ବିଏସ୍‌ପି ୧ ଓ ସ୍ୱାଧୀନ ୧ ମିଶି ୧୧୮ ଜଣ ବିଧାୟକଙ୍କୁ ନେଇ ଜେଡି(ଏସ୍- କଂଗ୍ରେସ ମିଳିତ ସରକାର ଗଠିତ ହୋଇଛି। କିନ୍ତୁ ଇତି ମଧ୍ୟରେ କଂଗ୍ରେସର ଜଣେ ବିଧାୟକ ଇସ୍ତଫା ଦେଇ ସାରିଛନ୍ତି। ଫଳରେ ସଂଖ୍ୟା ୭୮କୁ ଖସିଛି। ସରକାର ଗଠନ ପାଇଁ ୧୧୩ ଜଣ ବିଧାୟକଙ୍କ ଆବଶ୍ୟକତା ରହିଛି। ବର୍ତ୍ତମାନ କଂଗ୍ରେସ ହାତରେ ୧୧୭ ଜଣ ବିଧାୟକ ଅଛନ୍ତି। ଏମାନଙ୍କ ଭିତରୁ ୧୨ ଜଣ ଇସ୍ତଫା ଦେଲେ ସଂଖ୍ୟା ୧୦୫କୁ ଖସି ଆସିବ। କିନ୍ତୁ ସରକାର ଗଠନ ପାଇଁ ୧୧୩ ଜଣଙ୍କର ଆବଶ୍ୟକତା ରହିଛି। କଂଗ୍ରେସ ଓ ଜେଡି(ଏସ୍‌)ର ତୁତୁମେମେ ଭିତରେ ବିଜେପି ସୁବିଧାଜନକ ସ୍ଥିତିରେ ଅଛି। ଯଦି ଇସ୍ତଫା ଗୃହୀତ ହୋଇଯାଏ, ୟେଦୟୁରପ୍ପା ସରକାର ଗଢିବା ପାଇଁ ଦାବି କରିବେ ଓ ଆବଶ୍ୟକୀୟ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ବୋଲି ବିଜେପି କହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।