ବଢ଼ିଛି ବଜେଟ୍‌, କମିଛି ସାମାଜିକ ବିକାଶ

ସରକାରଙ୍କ ପୂର୍ବଘୋଷିତ ଯୋଜନା ମାଡ଼ିବସିଛି ସିଂହଭାଗ

ରାଜ୍ୟବାସୀଙ୍କ କଲ୍ୟାଣ ନିମନ୍ତେ ନୂତନ ଯୋଜନା ପ୍ରଣୟନ କରାଯିବାରେ ଅସୁବିଧା ନାହିଁ। କିନ୍ତୁ ଏଥିଯୋଗୁ ଆବଶ୍ୟକ ସାମାଜିକ ବିକାଶ ବଳି ପଡ଼ିବା ଅନୁଚିତ। ସ୍ବତନ୍ତ୍ର ଯୋଜନା ପାଇଁ ଅର୍ଥ କେଉଁଠୁ ଆସିବ ଏବଂ କେଉଁ ଉପାୟରେ ଏହାର ପ୍ରଭାବକୁ ବଜେଟ୍‌ରେ ସର୍ବନିମ୍ନ କରାଯାଇପାରିବ, ସେଥି ନିମନ୍ତେ ବୁଦ୍ଧି ବିବେକ ଖଟାଇବା ଆବଶ୍ୟ। ନଚେତ୍‌ ଦଳୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରଣୟନ ହେଉଥିବା ଯୋଜନାସବୁ ପାଇଁ ରାଜ୍ୟବାସୀ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେବା ସ୍ବାଭାବିକ। ନିକଟରେ ଉପସ୍ଥାପିତ ରାଜ୍ୟ ସରକାରଙ୍କ ବଜେଟ୍‌ରେ ଏହାର ନମୁନା ଦେଖିବାକୁ ମିଳିଛି। ସରକାର ପୂର୍ବରୁ ଘୋଷଣା କରିଥିବା ଯୋଜନାସବୁ ରୂପାୟନ ପାଇଁ ବଜେଟ୍‌ର ସିଂହଭାଗ ବ୍ୟୟବରାଦ କରିଛନ୍ତି। ଯଦ୍ଦ୍ବାରା ସାମାଜିକ ବିକାଶ ବାଧାପ୍ରାପ୍ତ ହେବା ସହିତ ଶିକ୍ଷା ଓ ସ୍ବାସ୍ଥ୍ୟ ସେବାରେ ମଧ୍ୟ ସେପରି ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହେଉନି, ଯାହାକି ଚିନ୍ତାର ବିଷୟ।


ଚଳିତ ୨୦୧୯-୨୦ ବର୍ଷର ବଜେଟ୍‍ ବ୍ୟୟବରାଦ ଗତ ବର୍ଷ ତୁଳନାରେ ୧୫.୭ ପ୍ରତିଶତ ବୃଦ୍ଧି ଘଟିଛି। ସେହି ଅନୁସାରେ ସାମାଜିକ କ୍ଷେତ୍ରର ବ୍ୟୟ ବରାଦ ମଧ୍ୟ ବଢିଛି। ମାତ୍ର କାଳିଆ, ପାର୍ବତୀ ଗିରି ବୃହତ ଉଠା ଜଳସେଚନ,ରାଜ୍ୟର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା, ମହିଳା ସଶକ୍ତିକରଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ବସୁଧା ଓ ପାନୀୟ ଜଳ ଯୋଗାଣ ଭଳି ପୂର୍ବ ଘୋଷିତ ଯୋଜନା ବାବଦକୁ ବ୍ୟୟ ବରାଦ ଚଳିତ ବଜେଟ୍‍ର ସିଂହ ଭାଗ ଅକ୍ତିଆର କରିନେଇଛି। ସାମାଜିକ ବିକାଶର ଅନ୍ୟ ଦିଗ ଗୁଡିକରେ ବ୍ୟୟବରାଦରେ ବିଶେଷ ଫରକ ନାହିଁ। ଅନେକ କ୍ଷେତ୍ରରେ ବ୍ୟୟବରାଦ କମିଛି ଏବଂ ପୂର୍ବ ଘୋଷିତ ଯୋଜନା ପାଇଁ ଏହି କ୍ଷେତ୍ରଗୁଡିକ ଅଣଦେଖା କରାଯାଇଛି ବୋଲି ବଜେଟ୍‌କୁ ନେଇ ଅନୁଧ୍ୟାନ ଓ ଅଧ୍ୟୟନ କରୁଥିବା ସେଣ୍ଟର ଫର୍‍ ୟୁଥ୍‍ ଆଣ୍ଡ ସୋସିଆଲ ଡେଭେଲପ୍‍ମେଣ୍ଟ (ସିୱାଇଏସ୍‍ଡି)ର ଓଡ଼ିଶା ବଜେଟ୍‍ ଆଣ୍ଡ ଏକାଉଣ୍ଟେବିଲିଟି ସେଣ୍ଟରର ଅନୁଶୀଳନରୁ ଜଣାଯାଏ। ସିୱାଇଏସ୍‍ଡି ପକ୍ଷରୁ ବଜେଟ୍‌କୁ ନେଇ ଆୟୋଜିତ ଏକ କର୍ମଶାଳାରେ ବହୁ ଅର୍ଥନୀତିଜ୍ଞ ଯୋଗଦେଇ ସାମାଜିକ ବିକାଶ ଉପେକ୍ଷିତ ହେଉଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ।

୨୦୧୯-୨୦ ଆର୍ଥିକ ବର୍ଷର ମୋଟ ରାଜ୍ୟ ବଜେଟ୍‍ ୧ ଲକ୍ଷ ୩୯ ହଜାର କୋଟି ଟଙ୍କାରହିଛି। ଏହା ୨୦୧୮-୧୯ ଆର୍ଥିକ ବର୍ଷର ବଜେଟ୍‍ ଠାରୁ ୧୫.୭ ପ୍ରତିଶତ ଅଧିକ। ଚଳିତ ବର୍ଷ ୧୮୮୭୭ କୋଟି ଟଙ୍କାର ବିତ୍ତୀୟ ନିଅଣ୍ଟ ରହିବ ବୋଲି ଆକଳନ କରାଯାଇଛି, ଯାହାକି ୨୦୧୭-୧୮ ଆର୍ଥିକ ବର୍ଷର ବିତ୍ତୀୟ ନିଅଣ୍ଟ (୯୩୫୯.୩୯ କୋଟି ଟଙ୍କା)ର ଦୁଇ ଗୁଣ। ବଜେଟ୍‌ର ଆକାର ବୃଦ୍ଧି ସହ ବିତ୍ତୀୟ ନିଅଣ୍ଟ ଚିନ୍ତାଜନକ ବୋଲି ଏହି ରିପୋର୍ଟରେ କୁହାଯାଇଛି। ୨୦୧୯-୨୦ରେ କେନ୍ଦ୍ରୀୟ ରାଶି (କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶଧନ ଓ କେନ୍ଦୀୟ ସହାୟତା) ୬୯୭୬୬ କୋଟି ଟଙ୍କା ରହିବ ବୋଲି ଆକଳନ କରାଯାଇଛି, ଯାହାକି ୨୦୧୮-୧୯ ସଂଶୋଧିତ ବଜେଟ୍‍ ଆକଳନ ରାଶି ୬୧୩୮୨.୩୨ କୋଟି ଟଙ୍କା ଠାରୁ ଅଧିକ। ୨୦୧୯-୨୦ରେ ରାଜ୍ୟ ସରକାର ନିଜସ୍ୱ ସମ୍ବଳ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ମାତ୍ର ଓଡ଼ିଶାର ମୋଟ ଆୟର ରାଜ୍ୟ ନିଜସ୍ୱ ଆୟ ୨୦୧୫-୧୬ରେ ୪୫ ପ୍ରତିଶତରୁ ୨୦୧୯-୨୦ରେ ୩୯ ପ୍ରତିଶତକୁ ହ୍ରାସ ପାଇଛି। ତେଣୁରାଜ୍ୟ ସରକାର ନିଜସ୍ୱ ପାଣ୍ଠି ବୃଦ୍ଧି ପ୍ରତି ଧ୍ୟାନ ଦେବା ଜରୁରୀ। ରାଜ୍ୟର ଅନେକ ବିଭାଗରେ ବଜେଟ୍‍ ବ୍ୟୟବରାଦ ଓ ବାସ୍ତବ ଖର୍ଚ୍ଚ ମଧ୍ୟରେ ଅନେକ ଫରକ ରହୁଛି। ଅନେକ ବିଭାଗରେ ଟଙ୍କା ଖର୍ଚ୍ଚ ହୋଇପାରୁ ନ ଥିବା ଅନୁଶୀଳନରୁ ଜଣାଯାଇଛି। ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ସେବା ବଜେଟ୍‍ ଅନୁଶୀଳନରୁ ଜଣାଯାଇଛି ଯେ ୨୦୧୫-୧୬, ୨୦୧୬-୧୭, ୨୦୧୭-୧୮ ବର୍ଷ ଗୁଡ଼ିକ ପାଇଁ ଯଥାକ୍ରମେ ୧୮୭୫, ୨୦୦୩ ଓ ୨୨୯୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ମାତ୍ର ଏହି ବର୍ଷ ଗୁଡିକରେ ବାସ୍ତବ ଖର୍ଚ୍ଚ ଯଥାକ୍ରମେ ୧୬୩୯, ୧୯୨୭ ଓ ୧୯୮୦ କୋଟି ଟଙ୍କା ରହିଛି। ପ୍ରତି ବର୍ଷ ୧୨ରୁ ୧୩ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇ ନ ପାରିବା ଚିନ୍ତାର ବିଷୟ। ୨୦୧୯-୨୦ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୧୨୩୨.୯୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହାକି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମୋଟ ବଜେଟ୍‍ର ୧୮ ପ୍ରତିଶତ। ରାଜ୍ୟ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ପ୍ରାଥମିକତା ଦେଉଥିବା ଦର୍ଶାଉଛି। ତେଣୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ରାଜ୍ୟର ପ୍ରଥାମିକ ସ୍ୱାସ୍ଥ୍ୟ ସେବା ଆବଶ୍ୟକତାକୁ ଅଣଦେଖା କରାଯାଉଛି କି ବୋଲି ଅର୍ଥନୀତିଜ୍ଞମାନେ ପ୍ରଶ୍ନ କରିଛନ୍ତି।

୨୦୧୯-୨୦ର କୃଷିକ୍ଷେତ୍ର ପାଇଁ ୨୦୭୧୪ କୋଟି ଟଙ୍କାର ବ୍ୟୟବରାଦ ରହିଛି, ଯାହାକି ଗତ ବର୍ଷ ତୁଳନାରେ ୨୩.୫ ପ୍ରତିଶତ ଅଧିକ ଏବଂରାଜ୍ୟର ମୋଟ ବଜେଟ୍‍ର ୧୪.୯ ପ୍ରତିଶତ। କିନ୍ତୁ କାଳିଆ ଯୋଜନାରେ ୫୬୧୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି, ଯାହାକି ଏହି ବିଭାଗର ସିଂହ ଭାଗ। କୃଷି ବିଭାଗରୁ କାଳିଆ ଯୋଜନାକୁ ବାଦ ଦେଲେ ଏହି ବିଭାଗର ମୋଟ ବଜେଟ୍‍ ୧୫୨୧୩ କୋଟି ଟଙ୍କା ରହିଛି ଯାହାକି ଗତ ବର୍ଷର ବଜେଟ୍‍ ୧୬୭୬୫ କୋଟି ଟଙ୍କାରୁ କମ୍‍।

୨୦୧୮-୧୯ରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨୩,୭୫,୩୪୦ ପରିବାର କାମ ମାଗିଥିଲେ। ସେଥିରୁ ୨୩,୭୧,୬୬୨ ପରିବାରର ୩୯,୨୦,୪୯୨ ଜଣ କାମ କରିଛନ୍ତି। ମାତ୍ର ୪୭,୩୩୩ ପରିବାର ୧୦୦ ଦିନର କାମ ପାଇଛନ୍ତି, ଯାହାକି ମାତ୍ର ୨ ପ୍ରତିଶତ। ୨୦୧୯-୨୦ରେ ଯଦି ଏହି ସମସ୍ତ ପରିବାର ୧୦୦ ଦିନର କାମ ମାଗନ୍ତି ତେବେ ରାଜ୍ୟକୁ କେବଳ ଶ୍ରମିକ ମଜୁରି ବାବଦକୁ ୪୪୬୫.୬୪ କୋଟି ଟଙ୍କା ଆବଶ୍ୟକ ପଡ଼ିବ। ମାତ୍ର ୨୦୧୯-୨୦ରେ ଏହି ବଜେଟ୍‍ ୧୨୦୦ କୋଟି ଟଙ୍କା ରହିଛି। ୨୦୧୮-୧୯ ଆଥିକ ସର୍ଭେ ରିପୋର୍ଟ ଅନୁଯାୟୀ ରାଜ୍ୟରେ ଏମ୍‍ଜିଏନ୍‍ଆର୍‍ଇଜିଏସ୍‌ରେ ହାରାହାରି ୧୫ ଦିନର କାମ କରିଛନ୍ତି। ତେଣୁ ବଜେଟ୍‍କୁ ଲକ୍ଷ୍ୟ କଲେ ଜଣାଯାଏ ସରକାର ଏହି ହାରାହାରି ଦିନକୁ ନଜରରେ ରଖି ବ୍ୟୟବରାଦ କରିଛନ୍ତି। ଏମ୍‍ଜିଏନ୍‍ଆର୍‍ଇଜିଏଏସ୍‌ରେ ଅଣକୁଶଳୀ ମଜୁରି ବାବଦକୁ ଦୈନିକ ୧୮୮ ଟଙ୍କା ଧାର୍ଯ୍ୟ କରାଯାଇଛି, ଯାହାକି ଲୋକମାନଙ୍କୁ କାମ କରିବା ପାଇଁ ନିରୁତ୍ସାହିତ କରୁଛି। ରାଜ୍ୟ ସରକାର ମୁଦ୍ରାସ୍ପୀତି ଓ ବଜାର ଦରକୁ ନଜରରେ ରଖି ୧୫ଟି କ୍ଷେତ୍ରରେ ଅଣକୁଶଳୀ ମଜୁରି ବାବଦକୁ ଦୈନିକ ୨୦୦ ଟଙ୍କାରୁ ୨୮୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏମ୍‍ଜିଏନ୍‍ଆର୍‍ଇଜିଏଏସ୍‌ରେ କାମ କରୁଥିବା ଦିନ ମଜୁରିଆମାନେ କ’ଣ ମୁଦ୍ରା ସ୍ପୀତି ଓ ବଜାରର ଦରରେ ପ୍ରଭାବିତ ହେଉ ନାହାନ୍ତି କି ବୋଲି ବକ୍ତାମାନେ ପ୍ରଶ୍ନ ଉଠାଇଛନ୍ତି।

ଅଭିବୃଦ୍ଧି, ସମାନତା, ଆଞ୍ଚଳିକ ସମାନତା ଓ ନିଯୁକ୍ତି ଆଦି କ୍ଷେତ୍ରଗୁଡିକୁ ଲକ୍ଷ୍ୟ ରଖି ସରକାର ବର୍ତ୍ତମାନ ଏହାର ଗୁଣାତ୍ମକ ଫଳାଫଳ ଉପରେ ଧ୍ୟାନ ଦେବା ଆବଶ୍ୟକ। ଉଠା ଜଳସେଚନ, କୃଷକ କଲ୍ୟାଣ ଭଳି ସରକାରୀ ଯୋଜନା ନିଶ୍ଚିତ ଭାବେ ଭଲ ପଦକ୍ଷେପ। ମାତ୍ର ଏହି ଯୋଜନାଗୁଡିକର ସଫଳ ରୂପାୟନ କ୍ଷେତ୍ରରେ ଅନେକାଂଶରେ ସମସ୍ୟା ରହିଛି ବୋଲି ରାଜ୍ୟ ସରକାରଙ୍କ ରାଜସ୍ୱ ପର୍ଷଦର ପ୍ରାକ୍ତନ ସଦସ୍ୟ ଅରବିନ୍ଦ ବେହେରା କହିଛନ୍ତି। ବିଗତ ୧୫ ବର୍ଷ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମି ବିକାଶ, ମାନବ ସମ୍ବଳ ନିୟୋଜନ ଓ ଅନ୍ୟାନ୍ୟ ବିକାଶ କ୍ଷେତ୍ରରେ ବ୍ୟାପକ ବିନିଯୋଗ କରାଯାଇଛି। ମାତ୍ର ପିଲାମାନଙ୍କ ଶୈକ୍ଷିକ ବିକାଶ ଦିଗରେ ସେପରି ଆଖିଦୃଶିଆ ପରିବର୍ତ୍ତନ ଆସିପାରି ନାହିଁ। ଗୁଣାତ୍ମକ ଶିକ୍ଷା ବିକାଶ ଦିଗରେ ଧ୍ୟାନ ଦିଆଯିବା ଆବଶ୍ୟକ। ଏପରି ସ୍ଥଳେ ଗୁଣାତ୍ମକ ଶିକ୍ଷା ବିକାଶ ପାଇଁ ପ୍ରାକ୍‍ ବିଦ୍ୟାଳୟ ଶିକ୍ଷା ଓ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ