ରୋହିତଙ୍କ ରୟାଲ୍‌ ରନ୍‌: ବିଶ୍ବକପ୍‌ ଟପ୍‌ ସ୍କୋରର୍‌ଙ୍କ ଏକାଧିକ ରେକର୍ଡ

ଗୋଟିଏ ବିଶ୍ବକପ୍‌ରେ ସର୍ବାଧିକ ୪ ଶତକ, ସଚିନ୍‌ଙ୍କୁ ପଛରେ ପକାଇପାରନ୍ତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ର ହିଟ୍‌ମ୍ୟାନ୍‌ ଭାବେ ପରିଚିତ ରୋହିତ ଶର୍ମାଙ୍କ ରୟାଲ୍‌ ରନ୍‌ ଏବେ ଚାଲିଛି। ଚଳିତ ବିଶ୍ବକପ୍‌ରେ ତାଙ୍କ ବ୍ୟାଟ୍‌ରୁ ଅବିଶ୍ରାନ୍ତ ରନ୍‌ ବର୍ଷା ହୋଇ ଚାଲିଛି। ଫଳରେ ଚାମ୍ପିଅନ୍‌ ହେବା ଲକ୍ଷ୍ୟରେ ଭାରତ ତା’ର ଦବ୍‌ଦବା ଜାରି ରଖିଛି। ଚଳିତ ବିଶ୍ବକପ୍‌ ପୂର୍ବରୁ ରୋହିତ ଇଂଲିଶ୍‌ ବାତାବରଣରେ ପ୍ରଦର୍ଶନ କରିପାରିବେ କି ନାହିଁ ବୋଲି କେତେକ ଆଶଙ୍କା ପ୍ରକାଶ କରୁଥିଲେ ହେଁ ସେ ତାହାକୁ ଭୁଲ୍‌ ପ୍ରମାଣିତ କରିଛନ୍ତି। ଏପରିକି ତାଙ୍କର ନିୟମିତ ଓପନିଂ ଯୋଡ଼ିଦାର ଶିଖର ଧୱନ୍‌ଙ୍କ ଅନୁପସ୍ଥିତିରେ ମଧ୍ୟ ସେ ପରିସ୍ଥିତି ସହ ଖାପ ଖୁଆଇ ନିଜକୁ ଢାଳିପାରିଛନ୍ତି। ଫଳସ୍ବରୂପ ଲିଗ୍‌ରେ ୮ଟି ମ୍ୟାଚ୍‌ ସୁଦ୍ଧା ସେ ଟପ୍‌ ସ୍କୋରର୍‌ ହେବା ସହ ଟୁର୍ଣ୍ଣାମେଣ୍ଟ୍‌ରେ ଭାରତର ବିଜୟ ସମ୍ଭାବନାକୁ ବହୁଗୁଣିତ କରିପାରିଛନ୍ତି।

ବର୍ତ୍ତମାନ ଇଂଲଣ୍ଡରେ ଚାଲିଥିବା ଆଇସିସି ବିଶ୍ବକପ୍‌ରେ ଭାରତ ଅନ୍ୟତମ ଫେବରିଟ୍‌ ରହିଛି। ଆୟୋଜକ ଇଂଲଣ୍ଡ ଦିନିକିଆ ରାଙ୍କିଙ୍ଗ୍‌ରେ ଶୀର୍ଷ ସ୍ଥାନରେ ଥିବା ବେଳେ ଏହି ଦଳକୁ ଫେବରିଟ୍‌ ଭାବେ ବିବେଚନା କରାଯିବା ସହ ଭାରତ ପାଖରେ ଯେ କୌଣସି ଦଳକୁ ମାତ୍‌ ଦେବାର ଦକ୍ଷତା ଥିବାରୁ ଏହା ଅନ୍ୟତମ ଫେବରିଟ୍‌ ରହିଛି। ଡିଫେଣ୍ଡିଙ୍ଗ୍‌ ଚାମ୍ପିଅନ୍‌ ଅଷ୍ଟ୍ରେଲିଆ ମଧ୍ୟ ଟାଇଟଲ୍‌ ବଜାୟ ରଖିବାର ସମ୍ଭାବନା ରହିଛି। ଦଳ ପ୍ରଥମ ଟିମ୍‌ ଭାବେ ସେମିଫାଇନାଲ୍‌ରେ ପ୍ରବେଶ କରି ଟାଇଟଲ୍‌ ବଜାୟ ରଖିବା ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଭାରତ ମଧ୍ୟ ମଙ୍ଗଳବାର ଦ୍ବିତୀୟ ଟିମ୍‌ ଭାବେ ସେମିଫାଇନାଲ୍‌ରେ ସ୍ଥାନ ହାସଲ କରିଛି। ଦଳ ଅଦ୍ୟାବଧି ୮ଟି ମ୍ୟାଚ୍‌ରୁ ୬ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍‌ରେ ପରାଜୟ ବରଣ କରିଛି। ନ୍ୟୁଜିଲାଣ୍ଡ୍‌ ବିପକ୍ଷ ମ୍ୟାଚ୍‌ଟି ବର୍ଷା କାରଣରୁ ଧୋଇଯିବାରୁ ଦଳ ପଏଣ୍ଟ୍‌ ବାଣ୍ଟି ୧୩ ପଏଣ୍ଟ୍‌ ସହ ଟେବୁଲ୍‌ର ଦ୍ବିତୀୟ ସ୍ଥାନରେ ରହିଛି। ତେବେ ଦଳର ଏହି ଜବରଦସ୍ତ ପ୍ରଦର୍ଶନ ପଛରେ ଓପନର ରୋହିତଙ୍କ ରୟାଲ୍‌ ଟଚ୍‌ ପ୍ରମୁଖ କାରଣ। ଏହି ଡାହାଣହାତୀ ଓପନର ଅଦ୍ୟାବଧି ୪ଟି ଶତକ ସହ ପ୍ରତିଯୋଗିତାରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍‌ ମଧ୍ୟ ହୋଇପାରିଛନ୍ତି। ଏଥିସହ ପ୍ରଥମ ୱିକେଟ୍‌ରେ ଅନ୍ୟତମ ଓପନର ଲୋକେଶ ରାହୁଲ୍‌ଙ୍କ ସହ ତାଙ୍କର ୧୮୦ ରନ୍‌ର ଭାଗିଦାରୀ ମଧ୍ୟ ଶୀର୍ଷରେ ରହିଛି।

ଭାରତ ବିଶ୍ବକପ୍‌ରେ କୌଣସି ମ୍ୟାଚ୍‌ ଖେଳିବା ପୂର୍ବରୁ ଓପନରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ ବୋଲି କ୍ରିକେଟ୍‌ ସମୀକ୍ଷକମାନେ ଆଲୋଚନା କରୁଥିଲେ। ପ୍ରଥମ ମ୍ୟାଚ୍‌ରେ ଯଦିଓ ରୋହିତ ଶର୍ମା ଓ ଶିଖର ଧୱନ୍‌ଙ୍କ ଓପନିଂ ଯୋଡ଼ି ଫେଲ୍‌ ମାରିଥିଲା, କିନ୍ତୁ ଦ୍ବିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଉଭୟ ଶତକୀୟ ଭାଗିଦାରୀ କରି ଏକାଧିକ ରେକର୍ଡ ପ୍ରତିଷ୍ଠା କରିଥିଲେ। ଏହା ପୂର୍ବରୁ ପ୍ରଥମ ମ୍ୟାଚ୍‌ରେ ଓପନିଂ ଯୋଡ଼ି ଫେଲ୍‌ ମାରିଥିଲେ ମଧ୍ୟ ରୋହିତ ତାଙ୍କର ୨୩ତମ ଶତକ (୧୨୨ ଅପରାଜିତ) ହାସଲ କରିଥିଲେ। ଏହାପରେ ସେ ପାକିସ୍ତାନ ବିପକ୍ଷରେ ୧୪୦, ଇଂଲଣ୍ଡ ବିପକ୍ଷରେ ୧୦୨ ଓ ମଙ୍ଗଳବାର ବାଂଲାଦେଶ ବିପକ୍ଷରେ ୧୦୪ ରନ୍‌ର ଇନିଂସ ଖେଳି ତାଙ୍କର ଦମ୍‌ଦାର ଫର୍ମର ପରିଚୟ ଦେଇଛନ୍ତି। ଏଥିସହ ସେ ପ୍ରଥମ ଭାରତୀୟ ତଥା କୁମାର ସାଙ୍ଗାକାରାଙ୍କ ପରେ ବିଶ୍ବର ଦ୍ବିତୀୟ ବ୍ୟାଟ୍ସମ୍ୟାନ୍‌ ଭାବେ ଗୋଟିଏ ବିଶ୍ବକପ୍‌ରେ ୪ଟି ଶତକ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି। ସେ ମଧ୍ୟ ରିକି ପଣ୍ଟିଂ ଓ କୁମାର ସାଙ୍ଗାକାରାଙ୍କ ସହ ବିଶ୍ବକପ୍‌ରେ ୫ଟି ଶତକ ପୂରଣ କରିଛନ୍ତି। ବର୍ତ୍ତମାନ କେବଳ ସଚିନ୍‌ ତେନ୍ଦୁଲକରଙ୍କ ରେକର୍ଡ ରୋହିତଙ୍କୁ ଭାଙ୍ଗିବାକୁ ବାକି ଅଛି। ସଚିନ୍‌ ବିଶ୍ବକପ୍‌ରେ ସମୁଦାୟ ୬ଟି ଶତକ ହାସଲ କରିଥିବା ବେଳେ ଶ୍ରୀଲଙ୍କା ବିପକ୍ଷ ଶେଷ ଲିଗ୍ ଓ ସେମିଫାଇନାଲ୍‌ ମୁକାବିଲାରେ ରୋହିତ ତାଙ୍କୁ ଟପିବାର ସୁଯୋଗ ରହିଛି।

ଓପନିଂ ଯୋଡ଼ିଦାର ଧୱନ୍‌ ପ୍ରତିଯୋଗିତାରେ ମାତ୍ର ୨ଟି ମ୍ୟାଚ୍‌ ଖେଳିବା ପରେ ବିଶ୍ବକପ୍‌ରୁ ବାଦ୍‌ ପଡ଼ିଥିଲେ ହେଁ ଏହାର ପ୍ରଭାବ ଟିମ୍‌ ଉପରେ ପଡ଼ିବାକୁ ଦେଇନାହାନ୍ତି ରୋହିତ। ସେ ତାଙ୍କର ଜବରଦସ୍ତ ଶଟ୍‌ ଜରିଆରେ ପ୍ରତିପକ୍ଷକୁ ହତାଶ କରିବା ସହ ଦଳୀୟ ସ୍କୋର୍‌କୁ ଯେପରି ଭାବେ ଦ୍ରୁତତା ପ୍ରଦାନ କରିପାରୁଛନ୍ତି, ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ। ବିଶେଷକରି କଠିନ ସମୟରେ ସେ ଧୈର୍ଯ୍ୟ ସହକାରେ ବ୍ୟାଟିଂ କରି ମ୍ୟାଚ୍‌ର ପରିସ୍ଥିତି ଅନୁସାରେ ଶଟ୍‌ ଖେଳୁଛନ୍ତି। ଚଳିତ ବିଶ୍ବକପ୍‌ ପୂର୍ବରୁ ରୋହିତ ତାଙ୍କ କ୍ୟାରିୟର୍‌ରେ ୨୦୦ରୁ ଊର୍ଦ୍ଧ୍ବ ଦିନିକିଆ ଖେଳି ୮୭.୪୫ ଷ୍ଟ୍ରାଇକ୍‌ ରେଟ୍‌ରେ ୮ ହଜାରରୁ ଊର୍ଦ୍ଧ୍ବ ରନ୍‌ କରିଥିବା ବେଳେ ଚଳିତ ବିଶ୍ବକପ୍‌ରେ ୮ଟି ମ୍ୟାଚ୍‌ ଖେଳି ୯୬.୯୬ ଷ୍ଟ୍ରାଇକ୍‌ ରେଟ୍‌ରେ ୫୪୪ ରନ୍‌ କରିଛନ୍ତି। ଏଥିରୁ ସେ ଜଣେ ବଡ଼ ଟୁର୍ଣ୍ଣାମେଣ୍ଟ୍‌ ଖେଳାଳି ବୋଲି ରୋହିତ ନିଜକୁ ପ୍ରମାଣିତ କରିପାରିଛନ୍ତି। ଏହାଛଡ଼ା ଦିନିକିଆରେ ୨୬୪ ରନ୍‌ର ସର୍ବାଧିକ ସ୍କୋର୍‌ ଏବଂ ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଭାବେ ତିନିଟି ଦ୍ବିଶତକ ତାଙ୍କର ଏହି ଦକ୍ଷତାକୁ ପୂର୍ବରୁ ପ୍ରମାଣିତ କରିସାରିଛି। ଆଗକୁ ଭାରତର ଗୁରୁତ୍ବପୂର୍ଣ୍ଣ ସେମିଫାଇନାଲ୍‌ ମୁକାବିଲା ଥିବାରୁ ରୋହିତ ତାଙ୍କର ଏହି ଉନ୍ନତ ଫର୍ମ ଜାରି ରଖି ଦଳକୁ ଫାଇନାଲ୍‌ରେ ପହଞ୍ଚାଇପାରିଲେ, ନିଶ୍ଚିତ ଭାବେ ତାଙ୍କ କ୍ୟାରିୟର୍‌ରେ ବିଶ୍ବକପ୍‌ ବିଜେତା ଦଳର ସଦସ୍ୟ ହେବାର ସୁଯୋଗ ସେ ପାଇବେ।

ରୋହିତ ତାଙ୍କ କ୍ୟାରିୟର୍‌ର ଦ୍ବିତୀୟ ବିଶ୍ବକପ୍‌ ଖେଳୁଥିବା ବେଳେ ପ୍ରଥମ ଥର ପାଇଁ ୫ ଶହରୁ ଊର୍ଦ୍ଧ୍ବ ରନ୍‌ ପୂରଣ କରିସାରିଛନ୍ତି। ଗତ ମ୍ୟାଚ୍‌ରେ ସେ ୧୦୪ ରନ୍‌ର ଇନିଂସ ଖେଳିବା ଅବସରରେ ଚଳିତ କ୍ୟାଲେଣ୍ଡର୍‌ ବର୍ଷରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଭାବେ ହଜାରେ ରନ୍‌ ପୂରଣ କରିଛନ୍ତି। ଚଳିତ ବିଶ୍ବକପ୍‌ରେ ୫୦୦ ରନ୍‌ ପୂରଣ କରିଥିବା ବ୍ୟାଟ୍ସମ୍ୟାନ୍‌ ସୂଚୀରେ ସେ ଶୀର୍ଷ ସ୍ଥାନରେ ରହିଛନ୍ତି। ତେଣୁ ସେ ବିଶ୍ବକପ୍‌ର ଦ୍ବାଦଶ ସଂସ୍କରଣରେ ସର୍ବାଧିକ ସ୍କୋରର୍‌ ହେବାର ସମ୍ଭାବନା ମଧ୍ୟ ଯଥେଷ୍ଟ ରହିଛି। କ୍ୟାରିୟର୍‌ର ଶ୍ରେଷ୍ଠ ଫର୍ମ ଦେଇ ଗତି କରୁଥିବା ରୋହିତ ଏହାକୁ ଆଉ ତିନିଟି ମ୍ୟାଚ୍‌ରେ ଜାରି ରଖିଲେ, ଭାରତ ତୃତୀୟ ଥର ପାଇଁ ଯେ ବିଶ୍ବକପ୍‌ ଉପରେ କବ୍‌ଜା କରିବ, ଏପରି କହିବା ବାହୁଲ୍ୟ ମାତ୍ର।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ