ଅନନ୍ୟା ରିୟା: ଦେଖାଇଲେ ବେସାହାରାଙ୍କ ପାଇଁ ସାହାରା ହେବାର ସାହସ

ଫ୍ୟାଶନ୍‌ ଡିଜାଇନର ହେବାକୁ ଚାହୁଥିଲେ, ପାଲଟିଲେ ଏସିଡ୍‌ ପୀଡ଼ିତାଙ୍କ ସାଥୀ

ଏସିଡ୍‌ ଆଟାକ୍‌ର ଯନ୍ତ୍ରଣା କ’ଣ, ତାହା କେବଳ ସେଇ ଜାଣିପାରିବେ, ଯିଏ ଉକ୍ତ ହୃଦୟ ବିଦାରକ ପରିସ୍ଥିତି ଦେଇ ଗତି କରିଛି। ଏସିଡ୍‌ ଆଟାକ୍‌ ପରେ ମିଳିଥିବା ଘା’ ହୁଏତ କିଛି ଦିନ ଭିତରେ ଭରି ଯାଇପାରେ, ମାତ୍ର ଦୁନିଆ ତାଙ୍କୁ ଯେଉଁ ଅଜବ ନଜରରେ ଦେଖିବା ଆରମ୍ଭ କରି ଦିଅନ୍ତି, ତାହାକୁ ନେଇ ବଞ୍ଚିବା କଷ୍ଟକର ହୋଇପଡ଼େ। ଅଧିକାଂଶ ଝିଅ ହିଁ ଏସିଡ୍‌ ଆକ୍ରମଣର ଶିକାର ହୋଇଥାନ୍ତି, ଯାହା କେବଳ ସେମାନଙ୍କ ଚେହେରାକୁ ବିଗାଡ଼ି ଦିଏନି, ସେମାନଙ୍କ ପୂରା ଜୀବନ ନଷ୍ଟ କରିଦିଏ। କିନ୍ତୁ ଏଭଳି ଝିଅଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ୨୬ ବର୍ଷୀୟା ରିୟା ଶର୍ମା। ରିୟା କେବଳ ଏସିଡ୍‌ ଆକ୍ରମଣ ପୀଡ଼ିତାଙ୍କ ଚିକିତ୍ସା କରାଉ ନାହାନ୍ତି, ସେମାନଙ୍କ ଅଧିକାର ପାଇଁ ମଧ୍ୟ ଲଢ଼ୁଛନ୍ତି। ଚାଲନ୍ତୁ ଜାଣିବା, ଗ୍ଲାମର ଦୁନିଆକୁ ଛାଡ଼ି ଶେଷରେ ରିୟା କିପରି ଏସିଡ୍‌ ପୀଡ଼ିତାଙ୍କ ପାଇଁ ପ୍ରେରଣା ପାଲଟିଲେ।

ଫ୍ୟାଶନ୍‌ ଡିଜାଇନର ହେବାକୁ ଚାହୁଥିଲେ ରିୟା
ଦିଲ୍ଲୀର ଗୁଡଗାଓଁରେ ରହୁଥିବା ରିୟା କେବଳ ଏସିଡ୍‌ ଆକ୍ରମଣ ପୀଡ଼ିତାଙ୍କୁ ସାହସ ଦେଉ ନାହାନ୍ତି, ସେମାନଙ୍କୁ ନିଜ ଗୋଡ଼ରେ ଠିଆ କରାଇବା ପାଇଁ କାମ ଦେବାକୁ ମଧ୍ୟ ଚେଷ୍ଟା କରୁଛନ୍ତି। ସେ ଗୁଡଗାଓଁର ଏକ ସ୍କୁଲ୍‌ରୁ ପଢ଼ା ଶେଷ କରିଥିଲେ। ଏହାପରେ ଫ୍ୟାଶନ୍‌ ଡିଜାଇନିଂ କୋର୍ସ କରିବା ପାଇଁ ବ୍ରିଟେନ୍‌ ଚାଲି ଯାଇଥିଲେ। ଦୁଇ ବର୍ଷ ଫ୍ୟାଶନ୍‌ ଡିଜାଇନିଂ କୋର୍ସ କରିବା ପରେ ରିୟାଙ୍କ ମନ ଏଥିରେ ଲାଗି ନ ଥିଲା।

ଏପରି ଆରମ୍ଭ କଲେ ଯାତ୍ରା
ପଢ଼ାରେ ମନ ନ ଲାଗିବାରୁ ରିୟାଙ୍କ ପ୍ରଫେସର ତାଙ୍କୁ ପଚାରିଥିଲେ ସେ କ’ଣ କରିବାକୁ ଚାହୁଛନ୍ତି। ଏହାର ଉତ୍ତରରେ ରିୟା କହିଥିଲେ ଯେ ମହିଳାଙ୍କ ଅଧିକାର ଉପରେ ସେ କାମ କରିବାକୁ ଚାହୁଛନ୍ତି। କିନ୍ତୁ ତାଙ୍କୁ ଏଥିପାଇଁ କ’ଣ କରିବାକୁ ପଡ଼ିବ, ଜଣାନାହିଁ। ରିୟାଙ୍କ ପ୍ରଫେସର ତାଙ୍କୁ ଘର ଘର ଯାଇ ସର୍ଭେ କରିବାକୁ କହିଥିଲେ।

ଏସିଡ୍‌ ଆକ୍ରମଣ ପୀଡ଼ିତାଙ୍କ ଉପରେ କରିଥିଲେ ସର୍ଭେ
ଏହାପରେ ରିୟା ଘର ଘର ଯାଇ ଏସିଡ୍‌ ଆକ୍ରମଣ ପୀଡ଼ିତାଙ୍କ ଉପରେ ସର୍ଭେ କରିଥିଲେ। ନିଷ୍ଠୁର ଲୋକମାନେ କିଭଳି ଭାବେ ନିରୀହ ଝିଅଙ୍କ ଉପରେ ଏସିଡ୍‌ ଆକ୍ରମଣ କରୁଥିଲେ, ତାହା ଦେଖି ରିୟାଙ୍କୁ ବହୁତ ଦୁଃଖ ଲାଗିଥିଲା। ଏହାପରେ ରିୟା ଏସିଡ୍‌ ଆକ୍ରମଣ ପୀଡ଼ିତାଙ୍କ ପାଇଁ କାମ କରିବାକୁ ନିଷ୍ପତ୍ତି ନେଲେ। କିନ୍ତୁ ସେ କ’ଣ କରିବେ, ତାହା ଚିନ୍ତା କରିପାରି ନ ଥିଲେ। ପରଦିନ ରିୟା ନିଜ ପ୍ରଫେସରଙ୍କୁ ଏସିଡ୍‌ ଆକ୍ରମଣ ପୀଡ଼ିତାଙ୍କ କେତେକ ଫଟୋ ପଠାଇଥିଲେ ଓ ଏମାନଙ୍କ ପାଇଁ କାମ କରିବାକୁ ଚାହୁଛନ୍ତି ବୋଲି କହିଥିଲେ। ଏହାପରେ ତାଙ୍କ ପ୍ରଫେସର ବହୁତ ଖୁସି ହେବା ସହିତ ତାଙ୍କୁ ଭିଡ଼ିଓ କ୍ୟାମେରା ଦେଇଥିଲେ। ଭାରତ ଯାଇ ଏହି ବିଷୟରେ ଡକ୍ୟୁମେଣ୍ଟ୍ରି କରିବା ପାଇଁ ରିୟାଙ୍କୁ ତାଙ୍କ ପ୍ରଫେସର କହିଥିଲେ। ତେଣୁ ରିୟା ଭାରତ ଆସି ଏସିଡ୍‌ ଆକ୍ରମଣ ପୀଡ଼ିତାଙ୍କ ଉପରେ ଡକ୍ୟୁମେଣ୍ଟ୍ରି କରିଥିଲେ।

ଏସିଡ୍‌ ଆକ୍ରମଣ ପୀଡ଼ିତାଙ୍କ ସାହାରା ପାଲଟିଲେ
ଭାରତ ଆସି ରିୟା କେତେକ ପୀଡ଼ିତାଙ୍କ ସାକ୍ଷାତକାର ନେଇଥିଲେ। ଏହି ସମୟରେ କେତେକ ପୀଡ଼ିତାଙ୍କ ସହ ତାଙ୍କର ବନ୍ଧୁତା ହୋଇଯାଇଥିଲା। ସେ ସେହି ଏସିଡ୍‌ ଆକ୍ରମଣ ପୀଡ଼ିତାଙ୍କ ଛୋଟ ଛୋଟ ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟା କରିଥିଲେ ଓ ଧିରେ ଧିରେ ସେମାନଙ୍କ ସହ ଭାବନାତ୍ମକ ଭାବେ ଯୋଡ଼ି ହୋଇଗଲେ। ଦେଖୁ ଦେଖୁ ଏହି କାମ ତାଙ୍କ ଲକ୍ଷ୍ୟ ପାଲଟିଗଲା।

ଆରମ୍ଭ କଲେ ମେକ୍‌ ଲଭ୍‌, ନଟ୍‌ ସ୍କାର୍ସ
ଦିନେ ରିୟା ଡକ୍ୟୁମେଣ୍ଟ୍ରି କରିବା ଲାଗି ବେଙ୍ଗାଳୁରୁର ଏକ ସରକାରୀ ହସ୍ପିଟାଲ ଯାଇଥିଲେ। ଯେଉଁଠି ସେ ଦେଖିଲେ ହସ୍ପିଟାଲର ଚଟାଣ, କାନ୍ଥ, ବିଛଣାରେ ରକ୍ତ ଓ ମାଂସ ଖଣ୍ଡ ପଡ଼ିଛି। ଏହା ଦେଖି ସେ ଖୁବ୍‌ ବିଚଳିତ ହୋଇଯାଇଥିଲେ। ସେଠାରେ ଡାକ୍ତର ମଧ୍ୟ ବେଶୀ ମାତ୍ରାରେ ନ ଥିଲେ ଓ ଯେଉଁମାନେ କର୍ମଚାରୀ ଥିଲେ, ସେମାନଙ୍କୁ କିଛି ଫରକ୍‌ ପଡ଼ୁ ନ ଥିଲା। ଏହା ଦେଖି ରିୟା ନିଜର ଏକ ସଂସ୍ଥା ଖୋଲିବା ଆରମ୍ଭ କଲେ। ସେ ଏପ୍ରିଲ ୨୦୧୪ରେ ଦିଲ୍ଲୀରେ ନିଜ ସଂସ୍ଥା ‘ମେକ୍‌ ଲଭ୍‌, ନଟ୍‌ ସ୍କାର୍ସ’ ଆରମ୍ଭ କରିଥିଲେ। ଏହି ସଂସ୍ଥା ମାଧ୍ୟମରେ ସେ ଏସିଡ୍‌ ଆକ୍ରମଣ ପୀଡ଼ିତାଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କଲେ। ଏହି ସଂସ୍ଥା ମାଧ୍ୟମରେ ରିୟା ଏସିଡ୍‌ ଆକ୍ରମଣ ପୀଡ଼ିତାଙ୍କ ଆବଶ୍ୟକତା ପୂରଣ କରିବା ସହିତ ସେମାନଙ୍କୁ ଆଇନ ଅନୁସାରେ କ୍ଷତିପୂରଣ ଦେବାକୁ ଚେଷ୍ଟା କରୁଛନ୍ତି।

ଏସିଡ୍‌ ଆକ୍ରମଣ ପୀଡ଼ିତାଙ୍କୁ ଦେଉଛନ୍ତି ଭୋକେସନାଲ ଟ୍ରେନିଂ
ରିୟା ଏସିଡ୍‌ ଆକ୍ରମଣ ପୀଡ଼ିତାଙ୍କ ପାଇଁ ଏକ ସେଣ୍ଟର ମଧ୍ୟ ଖୋଲିଛନ୍ତି। ଯେଉଁଠି ପୀଡ଼ିତାଙ୍କୁ ଭୋକେସନାଲ ଓ ଦକ୍ଷତା ତାଲିମ୍‌ ଦିଆଯାଏ। କେବଳ ସେତିକି ନୁହେଁ, ଏସିଡ୍‌ ଆକ୍ରମଣ ପୀଡ଼ିତାଙ୍କ ଆତ୍ମବିଶ୍ବାସ ବଢ଼ାଇବା ଲାଗି ସେମାନଙ୍କୁ ଏଠାରେ କାଉନ୍‌ସେଲିଂ ମଧ୍ୟ କରାଯାଏ। ଏହାବ୍ୟତୀତ ଏଠାରେ ପୀଡ଼ିତାଙ୍କୁ ଇଂରାଜୀ, କମ୍ପ୍ୟୁଟର ଓ ବେସିକ୍‌ ତାଲିମ୍‌ ଦିଆଯାଏ। ଯାହାଫଳରେ ସେମାନେ ନିଜ ଜୀବନରେ କିଛି କରିପାରିବେ।

୫୫ରୁ ଊର୍ଦ୍ଧ୍ବ ଏସିଡ୍‌ ଆକ୍ରମଣ ପୀଡ଼ିତାଙ୍କ ସହ ଯୋଡ଼ି ହେଲେଣି ରିୟା
ରିୟା ଏସିଡ୍‌ ପୀଡ଼ିତାଙ୍କ ପାଇଁ ଡ୍ୟାନ୍ସିଂ, ସିଙ୍ଗିଙ୍ଗ ଓ ମେକ୍‌ଅପ୍‌ ୱାର୍କସପ୍‌ ମଧ୍ୟ ଚଲାଉଛନ୍ତି। ମେକ୍‌ଅପ୍‌ ଆର୍ଟିଷ୍ଟଙ୍କ ସହାୟତାରେ ମହିଳାଙ୍କୁ ଶିଖାଉଛନ୍ତି ଚେହେରାକୁ କିପରି କଭର କରିବେ। ଏ ପର୍ଯ୍ୟନ୍ତ ରିୟା ୫୫ରୁ ଊର୍ଦ୍ଧ୍ବ ଏସିଡ୍‌ ପୀଡ଼ିତାଙ୍କ ସହିତ ଯୋଡ଼ି ହେଲେଣି। ଯେଉଁଥିରେ ୬ ବର୍ଷରୁ ଆରମ୍ଭ କରି ୬୫ ବର୍ଷ ପର୍ଯ୍ୟନ୍ତ ମହିଳା ସାମିଲ୍‌ ଅଛନ୍ତି।

କଷ୍ଟକର ଥିଲା ଯାତ୍ରା
ଏପର୍ଯ୍ୟନ୍ତ ପହଞ୍ଚିବା ଲାଗି ରିୟାଙ୍କ ଯାତ୍ରା ବହୁତ ମୁସ୍କିଲ୍‌ ଥିଲା। ସେ କହିଛନ୍ତି ଯେ ଏହି ସଫଳତା ମିଳିବା ପରେ ମଧ୍ୟ ଅନେକେ ତାଙ୍କୁ ଗୁରୁତର ସହ ନେଉ ନାହାନ୍ତି। ତାଙ୍କର ଏହି କାମ ବେଶୀ ଦିନ ଚାଲିବ ନାହିଁ ବୋଲି ଅନେକ ତାଙ୍କୁ କହୁଛନ୍ତି। ଏହାପରେ ମଧ୍ୟ ସେ ତାଙ୍କ ଲକ୍ଷ୍ୟକୁ ପଛକୁ ଛାଡ଼ି ନାହାନ୍ତି। ପୀଡ଼ିତାଙ୍କୁ ନ୍ୟାୟ ଦେବା ତାଙ୍କ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଯାଉଛି। କାରଣ ଅଦାଲତରେ ରାୟ ପ୍ରକାଶ ପାଇବାରେ ବିଳମ୍ବ ହେଉଥିବାରୁ ପୀଡ଼ିତାଙ୍କୁ କ୍ଷତିପୂରଣ ଠିକ୍‌ ସମୟରେ ମିଳି ପାରୁ ନାହିଁ ବୋଲି ରିୟା କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।